ବଡ଼ ସ୍ବପ୍ନ ଦେଖିବାକୁ ହେବ

ବିଜ୍ଞାନ ଓ କାରିଗରି କୌଶଳକୁ ପାଥେୟ କରି ବହୁ ଯୋଗଜନ୍ମା ମନୀଷୀ ବିଶ୍ୱକୁ ଅନେକ ସ୍ବତନ୍ତ୍ର ଉପହାର ଦେଇଯାଇଛନ୍ତି ବିଭିନ୍ନ ଯୁଗରେ। ସେ ମିଶରର ପିରାମିଡ୍‌ ହେଉ କିମ୍ବା ପ୍ୟାରିସ୍‌ର ଆଇଫେଲ ଟାୱାର କିମ୍ବା ଚାଇନାର ଗ୍ରେଟ୍‌ ୱାଲ ଅବା ଭାରତର ତାଜମହଲ, ସବୁଠି ବିଶାଳତା ଓ ସ୍ବତନ୍ତ୍ରତାକୁ ଦେଖି ଜନମାନସ ସ୍ତମ୍ଭୀଭୂତ ହୋଇଯାଏ ଏବଂ ନୂତନ ପିଢ଼ିକୁ ସେଗୁଡ଼ିକଠୁ ଆହୁରି ବଡ଼ ସ୍ବପ୍ନ ଦେଖି ସାକାର କରିବା ପାଇଁ ପ୍ରେରିତ କରିଥାଏ। ଓଡ଼ିଆ ପୁଅ ମଧ୍ୟ ଏଥିରେ ପଛରେ ନାହାନ୍ତି। ସମଗ୍ର ପୃଥିବୀରେ ଶ୍ରେଷ୍ଠତା ଲାଭ କରୁଥିବା ଅନେକ କିଛି ଜିନିଷର ପରିକଳ୍ପନା କରି ସେ ସବୁକୁ ସାକାର କରିପାରିଛନ୍ତି। ଏକାଦଶ ଓ ଦ୍ୱାଦଶ ଶତାବ୍ଦୀରେ ଯେତେବେଳେ ଆଧୁନିକ ବିଜ୍ଞାନର ଜନ୍ମ ହୋଇ ନ ଥିଲା, ସେତେବେଳେ ପୃଥିବୀର ଉଚ୍ଚତମ ଦେଉଳ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରି ବିଶ୍ୱରେ ଚହଳ ପକାଇଥିଲେ, ଯାହାକି ବର୍ତ୍ତମାନର ୨୨ ତାଲା ଘର ସହିତ ସମାନ। ଏତେ ବଡ଼ ଓଜନିଆ ପଥର ଖଣ୍ଡକୁ ଉପରକୁ ଉଠାଇବା କଥା ଭାବି ବିଶ୍ୱବାସୀ ଚକିତ ହୋଇଯାଆନ୍ତି। ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ କୋଣାର୍କ ମନ୍ଦିର ନିର୍ମାଣରେ ୧୨୦୦ ବଢ଼େଇଙ୍କୁ ୧୨ ବର୍ଷ ସମୟ ଲାଗିଥିଲା ଓ ୧୨ ବର୍ଷର ତତ୍କାଳୀନ ଓଡ଼ିଶାର ରାଜସ୍ବ ଖର୍ଚ୍ଚ ହୋଇଥିଲା, ଯାହା ଭାବିଲେ ଅସମ୍ଭବ ଲାଗେ। କମ୍ପାସର ଉଦ୍ଭାବନ ବହୁ ପୂର୍ବରୁ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ଷଷ୍ଠ ଓ ପଞ୍ଚମ ଶତାବ୍ଦୀ ବେଳକୁ ଅତଳ ସମୁଦ୍ରର ବକ୍ଷ ଭେଦ କରି ବାଣିଜ୍ୟ କରିବା ଓଡ଼ିଆ ପୂର୍ବ ପୁରୁଷଙ୍କ ଅଦମ୍ୟ ସାହସ ନୁହେଁ ତ କ’ଣ ହୋଇପାରେ! ହେଲେ ଏବେକାର ଓଡ଼ିଆ ପୁଅ ପଡ଼ୋଶୀ ରାଜ୍ୟରେ ମଧ୍ୟ ବେପାର କରିବାକୁ ସାହସ ଯୁଟାଇ ପାରୁ ନାହିଁ I କେବଳ ସେତିକି ନୁହେଁ, ବଡ଼ ଠାକୁର, ବଡ଼ ଦାଣ୍ଡ, ବଡ଼ ରଥ ଇତ୍ୟାଦି ସବୁକିଛି ବିଶ୍ୱରେ ବଡ଼ କରି ଉପସ୍ଥାପନ କରିଛନ୍ତି ଓଡ଼ିଆ ପୁଅ। ସର୍ବତ୍ର ଭଗବାନ୍‌ଙ୍କ ଭୋଗକୁ ପ୍ରସାଦ କୁହାଯାଉଥିବା ବେଳେ ଏଠାରେ ମହାପ୍ରସାଦ। ଅନ୍ୟ ସବୁଠି ଦେବଦେବୀଙ୍କ ନାମ ସ୍ଥାନର ନାମକୁ ନେଇ ହୋଇଥିବା ବେଳେ (ଯଥା କାଶୀବିଶ୍ୱନାଥ, ବଦ୍ରିନାଥ, ଦ୍ୱାରକାନାଥ ଇତ୍ୟାଦି) ଓଡ଼ିଶାରେ ଜଗନ୍ନାଥ ଅର୍ଥାତ୍‌ ଜଗତର ନାଥ। ପୃଥିବୀର ବୃହତ୍ତମ ରୋଷେଇଶାଳ, ଆନନ୍ଦ ବଜାର, ପ୍ରତ୍ୟହ ଛପନ ଭୋଗ ଅର୍ପଣର ପରମ୍ପରା ଏ ସବୁ ବଡ଼ ସ୍ବପ୍ନର ପ୍ରତିଫଳନ। ଏ ଜାତି ଅନ୍ୟକୁ ଅନୁକରଣ ନ କରି ନିଜସ୍ବ ଉଦ୍ୟମରେ ବିଭିନ୍ନ ପ୍ରକାର ପିଠା (ଆରିସା, ମଣ୍ଡା, ପୋଡ଼, ଏଣ୍ଡୁରି, ଚକୁଳି ଇତ୍ୟାଦି); ବିଭିନ୍ନ ପ୍ରକାର ମିଠା (ରସଗୋଲା, ଛେନାପୋଡ଼, ଛେନା ଝିଲି, ରସାବଳୀ, ଛେନା ମୁଡୁକି ଇତ୍ୟାଦି); ବିଭିନ୍ନ ପ୍ରକାର ତରକାରି, ଅନ୍ନ ଓ ଚାଉଳ ଖିରି ପ୍ରଭୃତିର ଉଦ୍ଭାବକ ହୋଇପାରିଛି।
ଓଡ଼ିଆ ପୁଅ ସୂକ୍ଷ୍ମାତିସୂକ୍ଷ୍ମ ବସ୍ତ୍ର ତିଆରି କରି ବିଶ୍ୱବାସୀଙ୍କ ମନରେ କଳବୁଣା ବସ୍ତ୍ରର ଭ୍ରମ ସୃଷ୍ଟି କରିପାରିଛି। ସାମାଜିକ ଇଂଜିନିୟରିଂର ଉତ୍କୃଷ୍ଟ ଅବତାରଣା କରି ଲକ୍ଷ୍ମୀ ପୁରାଣ ମାଧ୍ୟମରେ ସମଗ୍ର ବିଶ୍ୱରେ ନାରୀ ସଶକ୍ତୀକରଣ, ଜାତିପ୍ରଥା ବିଲୋପ ଓ ସ୍ବଚ୍ଛତାର ମନ୍ତ୍ର ସମାଜକୁ ପ୍ରଦାନ କରିଛି ପନ୍ଦରଶହ ଖ୍ରୀଷ୍ଟାବ୍ଦରେ। ସମଗ୍ର ବିଶ୍ୱ, ବିଶ୍ୱ ସୁନ୍ଦରୀ ଓ ବ୍ରହ୍ମାଣ୍ଡ ସୁନ୍ଦରୀ ଭିତରେ ନିଜକୁ ସୀମିତ ରଖିଥିବା ବେଳେ ଓଡ଼ିଆ ଜାତି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପରିକଳ୍ପନା କରିଛି। ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦେଇ ଭୂଜଳ ଭରଣ ପାଇଁ ଜଗନ୍ନାଥ ସାଗର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ସୀତା ସାଗର, ବିନ୍ଦୁସାଗର ଭଳି ବିଶାଳ ପୁଷ୍କରିଣୀ ନିର୍ମାଣ କରିଛି। ମାତ୍ର ସେତିକି ନୁହେଁ, ବିନ୍ଦୁରୁ ସିନ୍ଧୁ ସୃଷ୍ଟିର ଅବତାରଣା ପାଇଁ ତା’ର ନାମ ମଧ୍ୟ ଦେଇଛି ବିନ୍ଦୁସାଗର। ସମଗ୍ର ବିଶ୍ୱରେ ରାଜା ମହାରାଜାମାନେ ନିଜର ଭବ୍ୟ ପ୍ରାସାଦ ନିର୍ମାଣ କରିଥିବା ବେଳେ ଉତ୍କଳ ରାଜା ଭଗବାନ୍‌ଙ୍କ ପ୍ରାସାଦ ନିର୍ମାଣରେ ଧ୍ୟାନ ଦେଇଛନ୍ତି ନିଜର ରାଜବାଟୀକୁ ଗୌଣ କରି। ସମଗ୍ର ବିଶ୍ୱକୁ ଜ୍ଞାନାଲୋକରେ ଆଲୋକିତ କରିବା ପାଇଁ ତକ୍ଷଶିଳା ବିଶ୍ୱବିଦ୍ୟାଳୟ (ବର୍ତ୍ତମାନ ପାକିସ୍ତାନରେ) ପରେ ପୁରାତନ ଭାରତର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ପୁଷ୍ପଗିରିରେ ସ୍ଥାପନ କରିଛି। ତା’ର ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୩୨ରୁ ଊର୍ଦ୍ଧ୍ୱ ପ୍ରକାରର ସ୍ବତନ୍ତ୍ର ବେସ ପରିକଳ୍ପନା କରି ଫ୍ୟାଶନ ଜଗତର ସୃଷ୍ଟିକର୍ତ୍ତା ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଛି। ୧୮୧୭ରେ ପ୍ରଥମ ସାଧୀନତା ସଂଗ୍ରାମର ବହ୍ନି ପ୍ରଜ୍ୱଳନ ହେଉ କିମ୍ବା ଭାରତର କନିଷ୍ଠତମ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ କଥା ହେଉ ଅଥବା ସମଗ୍ର ଦେଶର ଭାଷାଗତ ସାଂସ୍କୃତିକ ବିକାଶ ପାଇଁ ଭାଷାଭିତ୍ତିକ ରାଜ୍ୟ ଗଠନର ମୂଳଦୁଆ ହେଉ ବା କଳିଙ୍ଗ ଏୟାରଲାଇନ୍ସ କଥା ହେଉ, ସବୁ କିଛି ଓଡ଼ିଆ ଜାତିର ବଡ଼ ସ୍ବପ୍ନର ପରିଚୟ ମାତ୍ର। କିନ୍ତୁ ଦୁଃଖର କଥା, ପ୍ରାଚୀନ ଓ ମଧ୍ୟ ଯୁଗ ଏବଂ ପରାଧୀନ ଭାରତରେ ବଡ଼ ବଡ଼ ସ୍ବପ୍ନ ଦେଖି ସାକାର କରିପାରୁଥିବା ଜାତି ବା ରାଜ୍ୟ ଆଉ ବଡ଼ ସ୍ବପ୍ନ ଦେଖିପାରୁ ନାହିଁ। ତାକୁ କମିଶନରେଟ ପୋଲିସ ବ୍ୟବସ୍ଥା ପାଇଁ ହାଇଦ୍ରାବାଦ ଯିବାକୁ ପଡୁଛି। ତାକୁ ଟାଉନ ପ୍ଲାନିଂ ପାଇଁ ଅହମ୍ମଦାବାଦ ଯିବାକୁ ପଡୁଛି। ସେ ସବୁକିଛିର ଅନୁକରଣ କରୁଛି।
ଅନୁକରଣରେ କେବେ ଶ୍ରେଷ୍ଠ ଓ ସ୍ବତନ୍ତ୍ରତା ମିଳେ ନାହିଁ। ତେଣୁ ଅନ୍ୟମାନଙ୍କ ପଛରେ ରହିବା ସୁନିଶ୍ଚିତ। ଓଡ଼ିଶାର ଯୁବା ଶକ୍ତି ସାମର୍ଥ୍ୟକୁ ଭୁଲି ଆଜି ବିପିଏଲ୍‌ ହେବା ପାଇଁ ପ୍ରତିଯୋଗିତା କରୁଛି I
ଆତ୍ମବିଶ୍ଳେଷଣ କଲେ ବଡ଼ ଦୁଃଖ ଲାଗେ- ସ୍ବତନ୍ତ୍ର ପ୍ରଦେଶର ୮୬ ବର୍ଷ ବିତିଯାଇଥିଲେ ମଧ୍ୟ ଆମେ ଛୁଞ୍ଚତ୍ଟିଏ କିମ୍ବା ଜୋତା ହଳେ କିମ୍ବା ଛତାଟିଏ ତିଆରି କରିବା ପାଇଁ ସକ୍ଷମ ହୋଇନାହୁଁ। ପୂର୍ବପୁରୁଷଙ୍କ ପ୍ରଦତ୍ତ କୀର୍ତ୍ତିରାଜିକୁ ବିକି ଭାଙ୍ଗି ଅବା ପ୍ରଚାର ପ୍ରସାର କରି ଚଳିବାକୁ ପଡୁଛି। ମାତ୍ର ଏହା କେତେ ଦିନ? ଅବଶ୍ୟ ୧୯୯୯ ମହାବାତ୍ୟାରୁ ଶିକ୍ଷା ପାଇ ବିପର୍ଯ୍ୟୟ ମୁକାବିଲାରେ ଆମେ କିଛିଟା ନିଜସ୍ବ ପ୍ରୟୋଗ କରି ସଫଳତା ଲାଭ କରି ପ୍ରଶଂସିତ ହୋଇଛେ। ତେଣୁ ବର୍ତ୍ତମାନ ଯୁବାପିଢ଼ି ଓ ନେତୃବର୍ଗଙ୍କର ବଡ଼ ଦାୟିତ୍ୱ ରହିଛି। ବିଶ୍ୱ ପରିପ୍ରେକ୍ଷୀରେ ବଡ଼ ବଡ଼ ସ୍ବପ୍ନ ଦେଖିବା ଓ ସେଗୁଡ଼ିକୁ ନିଜ ବୁଦ୍ଧି, ବଳ ଓ ପରିଶ୍ରମ ଦ୍ୱାରା ସାକାର କରିବା। ସ୍ବପ୍ନ ନ ଦେଖିଲେ କୌଣସି ଜାତି ବା ଦେଶ ଆଗେଇ ପାରେନାହିଁ। ସେଥିପାଇଁ ବିଶ୍ୱକୈନ୍ଦ୍ରିକ ଚିନ୍ତା ଚେତନାର ଆବଶ୍ୟକତା ଅଛି। ସଂକୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଉଠିଲେ ଯାଇ ଆମେ ସେହି ସ୍ତରରେ ପହଞ୍ଚତ୍ପାରିବା।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଭାରତ ସରକାର)
ଭୁବନେଶର, ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri