ବଡ଼ ସ୍ବପ୍ନ ଦେଖିବାକୁ ହେବ

ବିଜ୍ଞାନ ଓ କାରିଗରି କୌଶଳକୁ ପାଥେୟ କରି ବହୁ ଯୋଗଜନ୍ମା ମନୀଷୀ ବିଶ୍ୱକୁ ଅନେକ ସ୍ବତନ୍ତ୍ର ଉପହାର ଦେଇଯାଇଛନ୍ତି ବିଭିନ୍ନ ଯୁଗରେ। ସେ ମିଶରର ପିରାମିଡ୍‌ ହେଉ କିମ୍ବା ପ୍ୟାରିସ୍‌ର ଆଇଫେଲ ଟାୱାର କିମ୍ବା ଚାଇନାର ଗ୍ରେଟ୍‌ ୱାଲ ଅବା ଭାରତର ତାଜମହଲ, ସବୁଠି ବିଶାଳତା ଓ ସ୍ବତନ୍ତ୍ରତାକୁ ଦେଖି ଜନମାନସ ସ୍ତମ୍ଭୀଭୂତ ହୋଇଯାଏ ଏବଂ ନୂତନ ପିଢ଼ିକୁ ସେଗୁଡ଼ିକଠୁ ଆହୁରି ବଡ଼ ସ୍ବପ୍ନ ଦେଖି ସାକାର କରିବା ପାଇଁ ପ୍ରେରିତ କରିଥାଏ। ଓଡ଼ିଆ ପୁଅ ମଧ୍ୟ ଏଥିରେ ପଛରେ ନାହାନ୍ତି। ସମଗ୍ର ପୃଥିବୀରେ ଶ୍ରେଷ୍ଠତା ଲାଭ କରୁଥିବା ଅନେକ କିଛି ଜିନିଷର ପରିକଳ୍ପନା କରି ସେ ସବୁକୁ ସାକାର କରିପାରିଛନ୍ତି। ଏକାଦଶ ଓ ଦ୍ୱାଦଶ ଶତାବ୍ଦୀରେ ଯେତେବେଳେ ଆଧୁନିକ ବିଜ୍ଞାନର ଜନ୍ମ ହୋଇ ନ ଥିଲା, ସେତେବେଳେ ପୃଥିବୀର ଉଚ୍ଚତମ ଦେଉଳ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରି ବିଶ୍ୱରେ ଚହଳ ପକାଇଥିଲେ, ଯାହାକି ବର୍ତ୍ତମାନର ୨୨ ତାଲା ଘର ସହିତ ସମାନ। ଏତେ ବଡ଼ ଓଜନିଆ ପଥର ଖଣ୍ଡକୁ ଉପରକୁ ଉଠାଇବା କଥା ଭାବି ବିଶ୍ୱବାସୀ ଚକିତ ହୋଇଯାଆନ୍ତି। ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ କୋଣାର୍କ ମନ୍ଦିର ନିର୍ମାଣରେ ୧୨୦୦ ବଢ଼େଇଙ୍କୁ ୧୨ ବର୍ଷ ସମୟ ଲାଗିଥିଲା ଓ ୧୨ ବର୍ଷର ତତ୍କାଳୀନ ଓଡ଼ିଶାର ରାଜସ୍ବ ଖର୍ଚ୍ଚ ହୋଇଥିଲା, ଯାହା ଭାବିଲେ ଅସମ୍ଭବ ଲାଗେ। କମ୍ପାସର ଉଦ୍ଭାବନ ବହୁ ପୂର୍ବରୁ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ଷଷ୍ଠ ଓ ପଞ୍ଚମ ଶତାବ୍ଦୀ ବେଳକୁ ଅତଳ ସମୁଦ୍ରର ବକ୍ଷ ଭେଦ କରି ବାଣିଜ୍ୟ କରିବା ଓଡ଼ିଆ ପୂର୍ବ ପୁରୁଷଙ୍କ ଅଦମ୍ୟ ସାହସ ନୁହେଁ ତ କ’ଣ ହୋଇପାରେ! ହେଲେ ଏବେକାର ଓଡ଼ିଆ ପୁଅ ପଡ଼ୋଶୀ ରାଜ୍ୟରେ ମଧ୍ୟ ବେପାର କରିବାକୁ ସାହସ ଯୁଟାଇ ପାରୁ ନାହିଁ I କେବଳ ସେତିକି ନୁହେଁ, ବଡ଼ ଠାକୁର, ବଡ଼ ଦାଣ୍ଡ, ବଡ଼ ରଥ ଇତ୍ୟାଦି ସବୁକିଛି ବିଶ୍ୱରେ ବଡ଼ କରି ଉପସ୍ଥାପନ କରିଛନ୍ତି ଓଡ଼ିଆ ପୁଅ। ସର୍ବତ୍ର ଭଗବାନ୍‌ଙ୍କ ଭୋଗକୁ ପ୍ରସାଦ କୁହାଯାଉଥିବା ବେଳେ ଏଠାରେ ମହାପ୍ରସାଦ। ଅନ୍ୟ ସବୁଠି ଦେବଦେବୀଙ୍କ ନାମ ସ୍ଥାନର ନାମକୁ ନେଇ ହୋଇଥିବା ବେଳେ (ଯଥା କାଶୀବିଶ୍ୱନାଥ, ବଦ୍ରିନାଥ, ଦ୍ୱାରକାନାଥ ଇତ୍ୟାଦି) ଓଡ଼ିଶାରେ ଜଗନ୍ନାଥ ଅର୍ଥାତ୍‌ ଜଗତର ନାଥ। ପୃଥିବୀର ବୃହତ୍ତମ ରୋଷେଇଶାଳ, ଆନନ୍ଦ ବଜାର, ପ୍ରତ୍ୟହ ଛପନ ଭୋଗ ଅର୍ପଣର ପରମ୍ପରା ଏ ସବୁ ବଡ଼ ସ୍ବପ୍ନର ପ୍ରତିଫଳନ। ଏ ଜାତି ଅନ୍ୟକୁ ଅନୁକରଣ ନ କରି ନିଜସ୍ବ ଉଦ୍ୟମରେ ବିଭିନ୍ନ ପ୍ରକାର ପିଠା (ଆରିସା, ମଣ୍ଡା, ପୋଡ଼, ଏଣ୍ଡୁରି, ଚକୁଳି ଇତ୍ୟାଦି); ବିଭିନ୍ନ ପ୍ରକାର ମିଠା (ରସଗୋଲା, ଛେନାପୋଡ଼, ଛେନା ଝିଲି, ରସାବଳୀ, ଛେନା ମୁଡୁକି ଇତ୍ୟାଦି); ବିଭିନ୍ନ ପ୍ରକାର ତରକାରି, ଅନ୍ନ ଓ ଚାଉଳ ଖିରି ପ୍ରଭୃତିର ଉଦ୍ଭାବକ ହୋଇପାରିଛି।
ଓଡ଼ିଆ ପୁଅ ସୂକ୍ଷ୍ମାତିସୂକ୍ଷ୍ମ ବସ୍ତ୍ର ତିଆରି କରି ବିଶ୍ୱବାସୀଙ୍କ ମନରେ କଳବୁଣା ବସ୍ତ୍ରର ଭ୍ରମ ସୃଷ୍ଟି କରିପାରିଛି। ସାମାଜିକ ଇଂଜିନିୟରିଂର ଉତ୍କୃଷ୍ଟ ଅବତାରଣା କରି ଲକ୍ଷ୍ମୀ ପୁରାଣ ମାଧ୍ୟମରେ ସମଗ୍ର ବିଶ୍ୱରେ ନାରୀ ସଶକ୍ତୀକରଣ, ଜାତିପ୍ରଥା ବିଲୋପ ଓ ସ୍ବଚ୍ଛତାର ମନ୍ତ୍ର ସମାଜକୁ ପ୍ରଦାନ କରିଛି ପନ୍ଦରଶହ ଖ୍ରୀଷ୍ଟାବ୍ଦରେ। ସମଗ୍ର ବିଶ୍ୱ, ବିଶ୍ୱ ସୁନ୍ଦରୀ ଓ ବ୍ରହ୍ମାଣ୍ଡ ସୁନ୍ଦରୀ ଭିତରେ ନିଜକୁ ସୀମିତ ରଖିଥିବା ବେଳେ ଓଡ଼ିଆ ଜାତି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପରିକଳ୍ପନା କରିଛି। ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦେଇ ଭୂଜଳ ଭରଣ ପାଇଁ ଜଗନ୍ନାଥ ସାଗର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ସୀତା ସାଗର, ବିନ୍ଦୁସାଗର ଭଳି ବିଶାଳ ପୁଷ୍କରିଣୀ ନିର୍ମାଣ କରିଛି। ମାତ୍ର ସେତିକି ନୁହେଁ, ବିନ୍ଦୁରୁ ସିନ୍ଧୁ ସୃଷ୍ଟିର ଅବତାରଣା ପାଇଁ ତା’ର ନାମ ମଧ୍ୟ ଦେଇଛି ବିନ୍ଦୁସାଗର। ସମଗ୍ର ବିଶ୍ୱରେ ରାଜା ମହାରାଜାମାନେ ନିଜର ଭବ୍ୟ ପ୍ରାସାଦ ନିର୍ମାଣ କରିଥିବା ବେଳେ ଉତ୍କଳ ରାଜା ଭଗବାନ୍‌ଙ୍କ ପ୍ରାସାଦ ନିର୍ମାଣରେ ଧ୍ୟାନ ଦେଇଛନ୍ତି ନିଜର ରାଜବାଟୀକୁ ଗୌଣ କରି। ସମଗ୍ର ବିଶ୍ୱକୁ ଜ୍ଞାନାଲୋକରେ ଆଲୋକିତ କରିବା ପାଇଁ ତକ୍ଷଶିଳା ବିଶ୍ୱବିଦ୍ୟାଳୟ (ବର୍ତ୍ତମାନ ପାକିସ୍ତାନରେ) ପରେ ପୁରାତନ ଭାରତର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ପୁଷ୍ପଗିରିରେ ସ୍ଥାପନ କରିଛି। ତା’ର ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୩୨ରୁ ଊର୍ଦ୍ଧ୍ୱ ପ୍ରକାରର ସ୍ବତନ୍ତ୍ର ବେସ ପରିକଳ୍ପନା କରି ଫ୍ୟାଶନ ଜଗତର ସୃଷ୍ଟିକର୍ତ୍ତା ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଛି। ୧୮୧୭ରେ ପ୍ରଥମ ସାଧୀନତା ସଂଗ୍ରାମର ବହ୍ନି ପ୍ରଜ୍ୱଳନ ହେଉ କିମ୍ବା ଭାରତର କନିଷ୍ଠତମ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ କଥା ହେଉ ଅଥବା ସମଗ୍ର ଦେଶର ଭାଷାଗତ ସାଂସ୍କୃତିକ ବିକାଶ ପାଇଁ ଭାଷାଭିତ୍ତିକ ରାଜ୍ୟ ଗଠନର ମୂଳଦୁଆ ହେଉ ବା କଳିଙ୍ଗ ଏୟାରଲାଇନ୍ସ କଥା ହେଉ, ସବୁ କିଛି ଓଡ଼ିଆ ଜାତିର ବଡ଼ ସ୍ବପ୍ନର ପରିଚୟ ମାତ୍ର। କିନ୍ତୁ ଦୁଃଖର କଥା, ପ୍ରାଚୀନ ଓ ମଧ୍ୟ ଯୁଗ ଏବଂ ପରାଧୀନ ଭାରତରେ ବଡ଼ ବଡ଼ ସ୍ବପ୍ନ ଦେଖି ସାକାର କରିପାରୁଥିବା ଜାତି ବା ରାଜ୍ୟ ଆଉ ବଡ଼ ସ୍ବପ୍ନ ଦେଖିପାରୁ ନାହିଁ। ତାକୁ କମିଶନରେଟ ପୋଲିସ ବ୍ୟବସ୍ଥା ପାଇଁ ହାଇଦ୍ରାବାଦ ଯିବାକୁ ପଡୁଛି। ତାକୁ ଟାଉନ ପ୍ଲାନିଂ ପାଇଁ ଅହମ୍ମଦାବାଦ ଯିବାକୁ ପଡୁଛି। ସେ ସବୁକିଛିର ଅନୁକରଣ କରୁଛି।
ଅନୁକରଣରେ କେବେ ଶ୍ରେଷ୍ଠ ଓ ସ୍ବତନ୍ତ୍ରତା ମିଳେ ନାହିଁ। ତେଣୁ ଅନ୍ୟମାନଙ୍କ ପଛରେ ରହିବା ସୁନିଶ୍ଚିତ। ଓଡ଼ିଶାର ଯୁବା ଶକ୍ତି ସାମର୍ଥ୍ୟକୁ ଭୁଲି ଆଜି ବିପିଏଲ୍‌ ହେବା ପାଇଁ ପ୍ରତିଯୋଗିତା କରୁଛି I
ଆତ୍ମବିଶ୍ଳେଷଣ କଲେ ବଡ଼ ଦୁଃଖ ଲାଗେ- ସ୍ବତନ୍ତ୍ର ପ୍ରଦେଶର ୮୬ ବର୍ଷ ବିତିଯାଇଥିଲେ ମଧ୍ୟ ଆମେ ଛୁଞ୍ଚତ୍ଟିଏ କିମ୍ବା ଜୋତା ହଳେ କିମ୍ବା ଛତାଟିଏ ତିଆରି କରିବା ପାଇଁ ସକ୍ଷମ ହୋଇନାହୁଁ। ପୂର୍ବପୁରୁଷଙ୍କ ପ୍ରଦତ୍ତ କୀର୍ତ୍ତିରାଜିକୁ ବିକି ଭାଙ୍ଗି ଅବା ପ୍ରଚାର ପ୍ରସାର କରି ଚଳିବାକୁ ପଡୁଛି। ମାତ୍ର ଏହା କେତେ ଦିନ? ଅବଶ୍ୟ ୧୯୯୯ ମହାବାତ୍ୟାରୁ ଶିକ୍ଷା ପାଇ ବିପର୍ଯ୍ୟୟ ମୁକାବିଲାରେ ଆମେ କିଛିଟା ନିଜସ୍ବ ପ୍ରୟୋଗ କରି ସଫଳତା ଲାଭ କରି ପ୍ରଶଂସିତ ହୋଇଛେ। ତେଣୁ ବର୍ତ୍ତମାନ ଯୁବାପିଢ଼ି ଓ ନେତୃବର୍ଗଙ୍କର ବଡ଼ ଦାୟିତ୍ୱ ରହିଛି। ବିଶ୍ୱ ପରିପ୍ରେକ୍ଷୀରେ ବଡ଼ ବଡ଼ ସ୍ବପ୍ନ ଦେଖିବା ଓ ସେଗୁଡ଼ିକୁ ନିଜ ବୁଦ୍ଧି, ବଳ ଓ ପରିଶ୍ରମ ଦ୍ୱାରା ସାକାର କରିବା। ସ୍ବପ୍ନ ନ ଦେଖିଲେ କୌଣସି ଜାତି ବା ଦେଶ ଆଗେଇ ପାରେନାହିଁ। ସେଥିପାଇଁ ବିଶ୍ୱକୈନ୍ଦ୍ରିକ ଚିନ୍ତା ଚେତନାର ଆବଶ୍ୟକତା ଅଛି। ସଂକୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଉଠିଲେ ଯାଇ ଆମେ ସେହି ସ୍ତରରେ ପହଞ୍ଚତ୍ପାରିବା।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଭାରତ ସରକାର)
ଭୁବନେଶର, ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri