ଛାତିରେ ହାତରଖି କହିପାରିବା ତ

“ମୋ ରାଜ୍ୟରେ ଏମିତି କେତେଜଣ ଓଏଏସ୍‌ ଅଫିସର ଅଛନ୍ତି, ଯେଉଁମାନେ ଛାତିରେ ହାତରଖି କହିପାରିବେ ସଚ୍ଚୋଟ ବୋଲି” – ବିଜୁ ପଟ୍ଟନାୟକ। ଘଟଣାଟି ଥିଲା ୧୯୯୦-୯୧ରେ। ବାଲେଶ୍ୱରରେ ଅନୁଷ୍ଠିତ ହେଉଥିଲା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କର ବାର୍ଷିକ ଅଧିବେଶନ। ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏମିତି ଏକ ଆତ୍ମିକ ଆବେଦନ ବାଢ଼ିଥିଲେ ସେଦିନ। ଗଣତନ୍ତ୍ରର ଚାରିସ୍ତମ୍ଭ ଭିତରୁ କାର୍ଯ୍ୟପାଳିକା ହେଉଛି ବଳିଷ୍ଠ ସ୍ତମ୍ଭ। ପୁଣି ସେହି କାର୍ଯ୍ୟପାଳିକାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛନ୍ତି ରାଜ୍ୟ ପ୍ରଶାସନିକ ସେବା ଅଧିକାରୀମାନେ। ଏମାନଙ୍କ ଉପରେ ନ୍ୟସ୍ତ ଗୁରୁଦାୟିତ୍ୱ ଗଁାରୁ ଗୁରୁଗାଓଁ ପର୍ଯ୍ୟନ୍ତ ଅର୍ଥାତ୍‌ ବ୍ଲକ, ତହସିଲ,ଏନ୍‌ଏସି, ମ୍ୟୁନିସିପାଲିଟି, ଟ୍ରେଜେରି, ରେଜିଷ୍ଟ୍ରି ଅଫିସ ଆଦି କୁହାଯାଏ, ‘ଗାଁ ହସିଲେ ଦେଶ ହସିବ’। ଆମ ଗାଆଁଗୁଡିକ ହସିବେ ସେତେବେଳେ, ଯେତେବେଳେ ସ୍ଥାନୀୟ ପ୍ରଶାସନ ଗଁାମୁହଁା ହେବେ ଓ ଲୋକକଲ୍ୟାଣରେ ବ୍ରତୀ ରହିବେ। ଆହୁରି ବି ଦେଶର ଆତ୍ମା ଗଁାରେ ନିହିତ। ପୁଣି ଗଁାର ଅତି ସାଧାରଣ ମଣିଷଟିଏ ଅଭାବ, ଅସୁବିଧା, ଅଭିଯୋଗ ନେଇ ପହଞ୍ଚତ୍ବ ନାହିଁ ଜିଲା ପ୍ରଶାସନ ନିକଟରେ, ଯାହାକି ଅନେକଙ୍କ ପାଇଁ ଅପହଞ୍ଚ। ଏମାନଙ୍କ ପାଇଁ ଆଶାର ଆକାଶ, ଆଶ୍ୱାସନାର ଆଡ଼ପମଣ୍ଡପ ହେଉଛି ବ୍ଲକ, ତହସିଲ, ଥାନା। କିନ୍ତୁ ଏହି ସେବାକେନ୍ଦ୍ରଗୁଡ଼ିକ ଖୁବ୍‌ ଅପଖ୍ୟାତ ଆଜି ଦୁର୍ନୀତିର ଗନ୍ତାଘର ଭାବେ। ଏହି କେନ୍ଦ୍ରଗୁଡ଼ିକ ଜନତାଙ୍କ ପ୍ରତି ଯେତେ ଯତ୍ନଶୀଳ ହେବେ, ଲୋକଙ୍କ ସେତେ ମଙ୍ଗଳ ହେବ। ଏଣୁ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କ ନିଷ୍ଠା, ଅଙ୍ଗୀକାରବଦ୍ଧତା, କର୍ତ୍ତବ୍ୟବୋଧ, ସାଧୁପଣ ଉପରେ ନିର୍ଭରକରେ ସମ୍ପୃକ୍ତ ଅଞ୍ଚଳର ବିକାଶ। ଏଥିସହିତ ଗଁା ଓ ବସ୍ତିଲୋକଙ୍କ ଓଠର ହସ ବି ନିର୍ଭର କରେ ଏହି ଅଧିକାରୀମାନଙ୍କ ଉପରେ। ଏଣୁ ଦେଶର ବିକାଶରେ ଏମାନଙ୍କ ଭୂମିକା ବହୁତ ବେଶି। ଏମାନେ ଯଦି ଜଣେ ଜଣେ ଚୌକିଦାର ସାଜି ନିଷ୍ଠାର ସହିତ ଦାୟିତ୍ୱ ନିର୍ବାହ କରିବେ, ଦେଶର ଦ୍ରୁତ ବିକାଶ ସହିତ ଭ୍ରଷ୍ଟାଚାରର ବିଭିନ୍ନ ବାଟ ବି ବନ୍ଦ ହୋଇଯିବ। ଦେଶରୁ ପ୍ରାୟ ୭୦-୭୫ ଭାଗ ଦୁର୍ନୀତି ଆପଣାଛାଏଁ ହଟିଯିବ। ଦୁର୍ନୀତିକୁ ଦୂରେଇ ଦେଇପାରିଲେ ତ ବର୍ଷ କେଇଟାରେ ଭାରତ ବନିଯିବ ବିଶ୍ୱର ଶୀର୍ଷ ସମୃଦ୍ଧ ଦେଶ। ସେଇଥିପାଇଁ ତ ବିଜୁବାବୁ ସେଦିନ ‘ଓଏଏସ୍‌’ ଅଫିସରଙ୍କୁ ଆହ୍ବାନ ଦେଇଥିଲେ ସଚ୍ଚୋଟ ହୋଇ ଜନସେବାରେ ବ୍ରତୀ ହେବାକୁ।
ସଦ୍ୟତମ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି ଅକ୍ଟୋବର ୨୦୨୨ରେ। ଏହାସହିତ ବି ଗଣମାଧ୍ୟମରେ ପ୍ରକାଶ ପାଇଲା କୃତୀ ପରୀକ୍ଷାର୍ଥୀମାନଙ୍କର ସଫଳତାର ରହସ୍ୟ ଏବଂ ରାଜ୍ୟପାଇଁ ଦେଖିଥିବା ସ୍ବପ୍ନସବୁ। ମନୋନୀତ ହୋଇଥିବା ଆଗାମୀକାଲିର ସମସ୍ତ ବିଡିଓ, ତହସିଲଦାରମାନଙ୍କର ମହତ୍‌ ପ୍ରତିକ୍ରିୟା ବି ଥିଲା ପ୍ରାୟ ଏକପ୍ରକାର- ”ନିଷ୍ଠା ଓ ସଚ୍ଚୋଟତାର ସହିତ ଲୋକଙ୍କ ସେବା କରିବା।“ ଆସନ୍ତାକାଲି କାର୍ଯ୍ୟରେ ଯେବେ ଯୋଗଦେବେ, ସେତେବେଳେ ପ୍ରଦତ୍ତ ସଂକଳ୍ପପତ୍ରରେ ବିି ସେଇକଥା ଦୋହରାଇବେ, ”ରାଜ୍ୟବାସୀଙ୍କ ସେବାପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି ଏବଂ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିବି। ନିଜେ ସ୍ବଚ୍ଛ ରହି ମୋ ଚତୁଃପାର୍ଶ୍ୱକୁ ବି ସ୍ବଚ୍ଛ ରଖିବାକୁ ସାଧ୍ୟମତେ ଚେଷ୍ଟାକରିବି…।“ ଏମିତି ପ୍ରଚଳିତ ସେହି ଧାରାଟିଏ, ଯାହା ଆଜି ବି ବଳବତ୍ତର ଚିରାଚରିତ ଢଙ୍ଗରେ। କିନ୍ତୁ ପରିଣତିରେ? ପ୍ରତିମାସରେ ଗଣ୍ଡାଗଣ୍ଡା ବିଡିଓ, ତହସିଲଦାର ଓ ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳେ। ପ୍ରଶ୍ନ ଉଠେ, କୁଆଡ଼େ ଯାଏ ସେଦିନର ସେ ସଂକଳ୍ପ, ଅଙ୍ଗିକାରବଦ୍ଧତା? କେଇଟା ଅର୍ଥ ଓ ସାମାନ୍ୟ ସ୍ବାର୍ଥ ପାଇଁ ତହସିଲଦାର ରାମଚନ୍ଦ୍ରମାନେ କ’ଣ ଏତେ ତଳକୁ ଖସିଯାଇପାରନ୍ତି? ପଇସା-ପଦବୀ ପାଇଲା ପରେ ବ୍ୟକ୍ତି ଭୁଲିଯାଏ ଅତୀତକୁ। ଚାକିରିଟିଏ ପାଇଁ ଦିନେ କି ସଂଘର୍ଷ କରୁନଥିଲା! ସଂଘର୍ଷ ପରେ ପରେ ସଭିଏଁ ସାଉଁଟନ୍ତି ସଫଳତା ଏବଂ ସାଉଁଟି ବସନ୍ତି ପୁଳାପୁଳା ପ୍ରଶସ୍ତି। ସମାଜ ବି ଅଜାଡ଼ିଦିଏ ସ୍ନେହ-ସଦ୍ଦିଚ୍ଛା-ଶୁଭାଶିଷ। ଆଜି ମନୋନୀତ ହୋଇଥିବା ୩୯୨ ଜଣ ଓଏଏସ୍‌, ଭବିଷ୍ୟତରେ ତାଙ୍କର ସେଇ ‘ପଣ’କୁ ପାଳନ କରିବେ ତ? ଆଜି ଦେଇଥିବା ‘ପ୍ରତିଶ୍ରୁତି’ ପୂରଣ କରିବେ ତ? ଚାକିରିରୁ ଅବସର ନେଲାବେଳେ ଗର୍ବର ସହିତ ଛାତିରେ ହାତରଖି କହିପାରିବେ କି ”ମୁଁ ନୁହେଁ ଲାଞ୍ଚୁଆ। ମୁଁ ସଚ୍ଚୋଟ, ମୁଁ ସତ୍ୟନିଷ୍ଠ“, ଠିକ୍‌ ଶରତ କୁମାର ମହାପାତ୍ରଙ୍କ ପରି।“ ନୀଳଗିରିରେ ପ୍ରଥମେ ତହସିଲଦାର ଓ ପରେ ଉପଜିଲାପାଳ ଥିଲେ ଅତ୍ୟନ୍ତ ସରଳ, ସଚ୍ଚୋଟ ଓ ନମ୍ର ମଣିଷ ଶରତ ମହାପାତ୍ର। ଏହି ଅଧିକାରୀଙ୍କୁ ଅତିନିକଟରୁ ମୁଁ ଦେଖିଛି। ବ୍ୟକ୍ତିଗତ କାମରେ କଦାପି ସରକାରୀ ଗାଡ଼ି ବ୍ୟବହାର କରନ୍ତି ନାହିଁ। ଖବରକାଗଜରେ ପ୍ରକାଶିତ ବିଜୁବାବୁଙ୍କ ସେହି ବାଞ୍ଛିତ ବାକ୍ୟଟି ଟେବୁଲର କାଚତଳୁ ତାଙ୍କ ସାଧୁତାକୁ ସର୍ବଦା ଉଜାଗର କରି ରଖୁଥିଲା। ଏତେ ନୀତିନିଷ୍ଠ ଓ ନୈତିକପ୍ରାଣ ଥିଲେ ଯେ, ଏକମାତ୍ର ପୁଅକୁ ମଧ୍ୟ କ୍ଷମା କରିନଥିଲେ। ଅନିଚ୍ଛାକୃତ ଏକ ଆକସ୍ମିକ ଅଘଟଣ ପାଇଁ ପୁଅ ବିରୋଧରେ ନିଜେ ଏତଲା ଦେଇ ଗିରଫ କରାଇଥିଲେ ଏବଂ ପୁଅର ଜାମିନ ପାଇଁ କେବେବି ପ୍ରୟାସ କରିନାହାନ୍ତି। ଯାହାଫଳରେ ୧୭ ବର୍ଷରୁ ଊଦ୍ଧର୍‌ବକାଳ ହେଲାଣି ପୁଅଟି ଅଦ୍ୟାବଧି ଜେଲରେ ଥିବାର ଜଣାଯାଏ। ଆଜିର କଳୁଷିତ ବାତାବରଣରେ ଭ୍ରଷ୍ଟ ନେତା ମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀଙ୍କ ଗହଣରେ ସଚ୍ଚୋଟ ରହି କାମ କରିବା ଯେ କେତେ ଯନ୍ତ୍ରଣାଦାୟକ, ତାହା କେବଳ ଭୁକ୍ତଭୋଗି ହିଁ ଜାଣେ। ତଥାପି ସତ୍ୟକୁ ସାଥୀ କରି କଣ୍ଟାରେ ଚାଳିବାରେ ମଧ୍ୟ ନିଆରା ଆନନ୍ଦ ଅଛି, ଗୌରବବୋଧ ବି ଅଛି। ରୁଗ୍ଣ ମାନସିକତାର କେତେଜଣ ଲାଞ୍ଚୁଆଙ୍କ ପାଇଁ ‘ଓଏଏସ୍‌’ ବର୍ଗ ଆଜି ଅପଖ୍ୟାତ ହୋଇଥିଲେ ବି ଅନ୍ଧାର ରାତିର ଚନ୍ଦ୍ର ସମ ଏମିତି ଅନେକ କାର୍ଯ୍ୟରତ ସତ୍ୟନିଷ୍ଠ ଓଏଏସ୍‌ ଅଧିକାରୀ ଅଛନ୍ତି, ଯେଉଁମାନେ ଆମ ସମସ୍ତଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ। ସୀମିତ ପରିସରରେ ସଭିଙ୍କ ନାମ ଏଠାରେ ଉଲ୍ଲେଖ କରିବା ସମ୍ଭବ ନୁହେଁ। ଜ୍ୟେଷ୍ଠର ଯନ୍ତ୍ରଣା ବଦଳରେ କଅଁଳ ଖରାର ମୁରୁଜ ପାଲଟିଗଲେ, ପ୍ରଶସ୍ତିରେ ପରିବ୍ୟାପ୍ତ ହେବ ‘ଓଏଏସ୍‌’ବର୍ଗଙ୍କ ପୃଥିବୀ। ଅତଏବ ହେ ସେବକବର୍ଗ, ଆସନ୍ତୁ ଲେଖିବା ସତ୍ୟର ସରଳାର୍ଥ, ପଢ଼ିବା ‘ପଣ ଓ ପ୍ରତିଶ୍ରୁତି’ର ପଦ୍ୟାବଳୀ। ଗାଇବା ମଙ୍ଗଳର ମନ୍ତ୍ର ଏବଂ ରଚିବା କୀର୍ତ୍ତିର କୋଣାର୍କ।

  • ଉପେନ୍ଦ୍ର ବିଶ୍ୱାଳ
    ମୋ: ୯୪୩୭୪୩୬୦୭୩
    unbiswal05@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri