ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ ବ୍ୟକ୍ତି ସୁସ୍ଥ ରହିବ- ଏଇ ବିଶ୍ୱାସ ସେମାନଙ୍କ ମଧ୍ୟରେ ଚେରମାଡ଼ି ଶକ୍ତ ହୋଇଯାଇଥାଏ। ଅବଶ୍ୟ ଏହା କଦାପି ବି ଭୁଲ୍‌ ନୁହଁ। ଯଥାଯଥ ଯୋଗକ୍ରିୟା ସଂପାଦନ କଲେ ଯୋଗୀ ଅବା ଯୋଗିନୀମାନେ ନୀରୋଗ ରହିବେ। ମନ ଶାନ୍ତ ରହିବ ଏବଂ ପ୍ରାଣର ବୈକଲ୍ୟ କଟିଯିବ। ଆଉ ପାଦେ ଆଗକୁ ଯାଇ ପାରିଲେ ସେମାନେ ମଧ୍ୟ ଆମତ୍ବୋଧ କରିପାରନ୍ତି। ଏଇ ଆକାଂକ୍ଷା ତାଡ଼ିତ ଏଇ ଜୀବୀଗଣ ଯୋଗକୁ ଯେପରି ଓ ଯେତିକି ବୁଝିଥାନ୍ତି ସେମାନେ ସେପରି ଓ ସେତିକି କରିବା ବ୍ୟତୀତ ଆଉ ଅଧିକ କ’ଣ କରିପାରନ୍ତେ? ତେଣୁ ଯୋଗର ଏପରି ବୁଝାମଣା ଓ ସାଧନ ଓ ତା’ର ମାର୍ମିକ ଆବେଦନ ଏମାନଙ୍କଠାରେ ରହିଯାଏ ଅଜଣା ଯାହା ସେମାନେ ଜାଣିଥିଲେ ଅସଲ ଯୋଗୀ ଜୀବନ ଯାପନ କରିପାରିଥାନ୍ତେ ଏବଂ ସେତେବେଳେ ବିଶ୍ୱ ଯୋଗମୟ ହୋଇଥାନ୍ତା। ଆଉ ଏପରି ଏକ ପରିବର୍ତ୍ତିତ ଯୋଗମୟ ବିଶ୍ୱରେ ଠିକଣା ପ୍ରାଣାୟାମ ଚାଲି ତାକୁ ସକଳ ‘ଗଣ୍ଡକୁହୁକ’ (ଗଙ୍ଗାଧର ମେହେର) ରେ ପଡ଼ି ଘାରି ହୋଇ ଘୋରି ଯିବାରୁ ରକ୍ଷା କରି ଯଥାର୍ଥ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇ ପାରିଥାନ୍ତା। ସେହି ସୁନାର ଦିବସ ଓ ରାତି ଆସିଥିଲେ ଯୋଗୀ ଓ ଯୋଗିନୀ ସମେତ ସେମାନଙ୍କୁ ଘେରିଥିବା ସେମାନଙ୍କ ସଂଖ୍ୟାହୀନ ଅଯୋଗୀ ଓ ଅଯୋଗିନୀମାନେ ମଧ୍ୟ ଯାବତୀୟ ଉପଦ୍ରବକୁ ଉପରତିରେ ପରିବର୍ତ୍ତିତ କରିପାରିଥାଆନ୍ତେ।
ବ୍ୟକ୍ତିର କେବଳ ଦେହ ଅଛି ବୋଲି ସେ ନାହିଁ। କେବଳ ତା’ର ଆତ୍ମାଟିଏ ଥିଲେ ବି ସେ ନ ଥାନ୍ତା ଅର୍ଥାତ୍‌ ବ୍ୟକ୍ତ ହୋଇପାରି ନ ଥାନ୍ତା। ଅର୍ଥାତ୍‌ ସେ ଦୃଶ୍ୟ ଓ ଅଦୃଶ୍ୟର ଏକ ଚମତ୍କାର ‘ଯୋଗ’ ଯୋଗୁ ଏ ସଂସାରରେ ଅଛି। ପୁଣି ତା’ର ପ୍ରତିଦିନର ବଞ୍ଚିବା ସମ୍ଭବ ହେଉଛି ଭିନ୍ନ ଏକ ନିରନ୍ତର ଯୋଗରେ ଯାହା ତା’ର ପ୍ରତି ପଦପାତରେ ସେ ଲାଭ କରୁଛି ହୁଏତ କେତେବେଳେ ଲୋଡ଼ି ଏବଂ କେତେବେଳେ ବିନା ଲୋଡ଼ିବାରେ। ଏହା ସମ୍ଭବ ହେଉଛି ତା’ ପାଇଁ ସଦା ଉପସ୍ଥିତ ରହି ତା’ ଲାଗି ଯୋଗ କରିବାକୁ ସଦା ପ୍ରଣତ ଓ ପ୍ରସନ୍ନଥିବା ଏକ ବିରାଟ ବିଶ୍ୱ, ଯାହା ବିଭିନ୍ନ ସଂପଦସମ୍ପନ୍ନ। ତାହା ହୋଇପାରେ ପ୍ରାଣୀ, ଉଦ୍ଭିଦ ଏବଂ ମାନବ ସମାଜ। ଏମାନେ ତା’ ପାଇଁ ଯୋଗ କରୁଥିବାର ତତ୍ତ୍ୱ ବ୍ୟକ୍ତି ଦେଖିବାକୁ ଅନାଗ୍ରହୀ ତେଣୁ ଅଯୋଗ୍ୟ ଓ ଅସମର୍ଥ। ହେଲେ ବାସ୍ତବରେ ସେମାନଙ୍କ ଦୃଶ୍ୟମାନ ଆସନ, ପ୍ରାଣାୟାମ କ୍ରିୟା ‘ଭାବ ଯୋଗ’ କ’ଣ କମ୍‌ ବଡ଼ ବିଶ୍ୱାସ, ଶ୍ରଦ୍ଧା ଓ ସମର୍ପଣର ଅଭ୍ରାନ୍ତ ଦୃଷ୍ଟାନ୍ତ! ବ୍ୟକ୍ତିର ପାଖାପାଖି ବେଢ଼ି ରହିଥିବା ଏବଂ ତା’ର ପ୍ରତ୍ୟକ୍ଷ ବ୍ୟବହାରରେ ଲାଗୁ ନ ଥିବା ବୋଲି ସେ ଧାରଣା କରୁଥିବା ଫୁଲ ବଗିଚା ବ୍ୟକ୍ତି ପାଇଁ କ’ଣ କମ୍‌ ଯୋଗକରେ ନିରବଚ୍ଛିନ୍ନ ଭାବରେ! କୁନ୍ତଳା କୁମାରୀଙ୍କ ଶେଫାଳିର ଉନ୍ମେଷ, ବିକାଶ ଓ ସଂଧ୍ୟାରେ ତା’ର ବିନାଶ କ’ଣ କମ୍‌ ଯୋଗ କରେ କୁନ୍ତଳାଙ୍କ ପରି ଅସଂଖ୍ୟ ବ୍ୟକ୍ତିଙ୍କ ପାଇଁ ତାହା କେବଳ ମାତ୍ର ତାଙ୍କ କବିତା ସୃଷ୍ଟିର ଭିନ୍ନ ଏକ ହେତୁ ହୋଇଯାଏ ନାହିଁ, ତାହା ମଧ୍ୟ ହୋଇଯାଏ ମଣିଷମାନଙ୍କ ମଧ୍ୟରେ ଭାବ ସଂଚାରଣର ଉନ୍ମୁକ୍ତ ଆକୁତି କେହି କେବେ ନିବିଡ଼ ଭାବେ ଲକ୍ଷ୍ୟ କରିଛନ୍ତି କି ଶେଫାଳିର ଆକୁତିକୁ ଯଦିଓ ଅନେକେ ହୁଏତ ତା’ର ଆକୃତିରେ ମୁଗ୍ଧ ହୋଇଛନ୍ତି। ସେହି କୁନ୍ତଳା କୁମାରୀ ସତ୍ତା ତ ଶେଫାଳି ଯୋଗ ସମନ୍ବୟରେ ବିସ୍ତୃତ ହୁଏ, ତେଣୁ ହୁଏ ବିଗଳିତ। ତା’ର ସକଳ ବାଚାଳତା ଓ ବିଚଳିତତା କଟିଯାଏ। ଫଳରେ ସେ ପରିବର୍ତ୍ତିତ ହୋଇଯାଏ ସେଇ ଅନାହତ ଧ୍ୱନିରେ ଯାହା ଉଚ୍ଚାରଣ କରୁଥାଏ, ‘ଯୁକ୍ତ କରୋ ହେ ସବାର ସଙ୍ଗେ, ମୁକ୍ତ କରୋହେ ବଦ୍ଧ’ ଅବା ”ହୃଦେ ତ୍ୱା ମନସେ ତ୍ୱା ଦିବେତ୍ୱା ସୂର୍ଯ୍ୟାୟତ୍ୱା। ଊର୍ଦ୍ଧ୍ୱମିମ ମଧୁରଂ ଦିବି ଦେବେଷୁ ହୋତ୍ରାଯଚ୍ଛ“- ହେ ପୁତ୍ର। ହୃଦୟ ପାଇଁ ତୁମକୁ ଗଢ଼ଇଛି। ହୃଦୟବାନ୍‌ ହୁଅ। ମନପାଇଁ ତୁମକୁ ଗଢ଼ିଛି। ମନସ୍ବୀ ହୁଅ। ଦିବ୍ୟତା ପାଇଁ ତମକୁ ଶିକ୍ଷିତ କରିଛି। ଦିବ୍ୟତାରେ ଅଳଙ୍କୃତ ହୁଅ। ସୂର୍ଯ୍ୟତା ପାଇଁ ତୁମକୁ ଦୀକ୍ଷିତ କରିଛି। ସୂର୍ଯ୍ୟପରି ତେଜସ୍ବୀ, ପ୍ରେମିକ ଓ ଆକର୍ଷକ ହୁଅ। ଶୋଭନୀୟ ହୋଇ ବିଦ୍ୟାର ମହତ୍ତ୍ୱ ବୃଦ୍ଧିକର (ଯଜୁର୍ବେଦ-ଅଧ୍ୟାୟ ୬, ମନ୍ତ୍ର ୨୫)।
ସେଇ ସ୍ଥିତିରେ ସେଇ ସତ୍ତା ଯୋଗୀ ହୋଇଯାଇଥାଏ। ସାଯୁଜ୍ୟ ହେବାର ମହାଭାବରେ ସେ ପାଲଟି ଯାଏ ସଂସାର ପ୍ରେମୀ ଅଥଚ ସାଂସାରିକତା ବିହୀନ ଅ-କାମୀ ତେଣୁ ଏପରି ଯୋଗାରୂଢ଼ତାର ନିତ୍ୟରାସରେ ଗଦ୍‌ଗଦ୍‌ ନ ହୋଇ ସେ ଆଉ କ’ଣ କରନ୍ତା? ତା’ର ସେ ଯୋଗମୟତା ଚାଲୁଥାଏ ଦିବସରେ, ରାତ୍ରିରେ ବି, ଶୟନରେ ବି, ଜାଗରଣରେ ବି, ଏଠା ପାଇଁ ବି ସେଠା ପାଇଁ ବି। ଏ ତ ହେଉଛି ବ୍ୟକ୍ତି ଜୀବନର ପ୍ରପଞ୍ଚମୁକ୍ତ ସାଧନା, ଯା’ର ସିଦ୍ଧି ହେଉଛି ଏକ ଆତ୍ମିକ ଅନୁଭବ ଅବା ସବୁ ସହ ଅଭିନ୍ନତାର ଅମୃତ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟଲାଭ। ଦିବାରାତି ଏପରି ଯୋଗ ସଂଯୋଗ, ଏବେ ପାଳିତ ହେଉଥିବା ଆନ୍ତର୍ଜାତିକ ଯୋଗଦିବସଠାରୁ ବହୁ ଊର୍ଦ୍ଧ୍ୱରେ, ଏହା ତା’ଠାରୁ ଷୋଳଅଣା ଭିନ୍ନ। କାରଣ ଏ କ୍ଷେତ୍ରରେ ଯୋଗୀ ପାଇଁ ସବୁଦିନ, ଯୋଗର ଦିନ, ସବୁ ରାତି ଯୋଗର ରାତି ପୁଣି ଏ ଯୋଗ ସବୁ ମଣିଷଙ୍କ ପାଇଁ, ସବୁ ବୃକ୍ଷଲତାଙ୍କ ପାଇଁ, ସବୁ ପାହାଡ଼, ପର୍ବତ, ନଦୀ ପାଇଁ, ସବୁ ପ୍ରାଣୀ ପାଇଁ, ସବୁ ଦ୍ୱେଷ ବିଦ୍ୱେଷର ରୂପାନ୍ତର ପାଇଁ, ସବୁ ଦରିଦ୍ରର ଧନବାନ୍‌ ହେବା ପାଇଁ, ସବୁ ଆଜି ସର୍ବକାଳ ହେବାପାଇଁ, ସବୁ ପ୍ରାର୍ଥନାରୁ ଯାଚଞ୍ଜା ନିରାକରଣ ପାଇଁ, ସବୁ ମନ୍ତ୍ରର ହୃଦୟୀକରଣ ପାଇଁ ଏବଂ ସର୍ବୋପରି ‘ବ୍ୟକ୍ତିଗତ ଅହଂ’ର ଉପଦ୍ରବରୁ ମୁକ୍ତ ହୋଇ ସମଷ୍ଟିର ସାଥୀ ଓ ସାରଥି ହେବାପାଇଁ।
ବ୍ରଜମୋହନ ମିଶ୍ର
ଭଦ୍ରକ, ମୋ: ୮୦୧୮୦୮୭୮୩୫
Dharitri – Odisha’s No.1 Odia Daily

Share