ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଏକ ବଡ଼ ପ୍ରତିନିଧିମଣ୍ଡଳୀ ସହ ଭାରତ ଗସ୍ତରେ ଆସିପାରନ୍ତି। ସେ ୪୦୦ ଅଫିସରଙ୍କ ସହ ସେପ୍ଟେମ୍ବର ୧୨-୧୩ରେ ଭାରତ ଆସିବା ଆଶା କରାଯାଉଛି। ବିବାଦୀୟ ସୀମାକୁ ନେଇ ୨ ଦେଶ ମଧ୍ୟରେ ବହୁବର୍ଷ ଧରି ଉତ୍ତେଜନା ଲାଗିରହିବା ପରେ ସ୍ଥିରତା ଆଣିବା ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ୭ ବର୍ଷ ପରେ ଭାରତକୁ ଜିନ୍ପିଙ୍ଗ୍ଙ୍କର ଏହା ପ୍ରଥମ ଗସ୍ତ। ୨୦୧୯ରେ ଜିନ୍ପିଙ୍ଗ ଭାରତ ଗସ୍ତରେ ଆସିଥିବାବେଳେ ସାଙ୍ଗରେ ୨୦୦ରୁ କମ୍ ଅଫିସରଙ୍କୁ ଆଣିଥିଲେ। ଏଥର ପ୍ରାୟ ୪୦୦ ଅଫିସର ଆସିପାରନ୍ତି ବୋଲି ୨ଟି ଭାରତୀୟ ସୂତ୍ରରୁ କୁହାଯାଇଛି। ଚାଇନା ଅଫିରମାନେ ହୋଟେଲ ଓ ସୁରକ୍ଷା ପ୍ରୋଟୋକଲ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ରହିଥିବା ଏକ ଭାରତୀୟ ସୂତ୍ର ରଏଟର୍ସକୁ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜିନ୍ପିଙ୍ଗ୍ଙ୍କ ସମ୍ଭାବ୍ୟ ଦ୍ୱିପାକ୍ଷିକ ଆଲୋଚନା ନେଇ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇ ନ ଥିବା ଜଣାପଡ଼ିଛି।
ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସହଯୋଗକୁ ବେଜିଂ ଅତ୍ୟନ୍ତ ଗୁରୁତ୍ୱ ଦିଏ, ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରେ ଏବଂ ଚଳିତବର୍ଷ ବ୍ରିକ୍ସ ସମିଟ୍ରେ ଅଧ୍ୟକ୍ଷତା କରୁଥିବା ଭାରତକୁ ସଫଳ ଆୟୋଜନ କରିବାରେ ପୂର୍ଣ୍ଣ ସମର୍ଥନ କରେ। ତେବେ ଜିନ୍ପିଙ୍ଗ୍ଙ୍କ ଗସ୍ତ ସମ୍ପର୍କରେ ଏବେ ଆମ ପାଖରେ ସୂଚନା ନ ଥିବା ମନ୍ତ୍ରଣାଳୟ କହିଛି। ଭାରତ ଓ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ପାଇଁ ଉଚ୍ଚସ୍ତରୀୟ ଉଦ୍ୟମ ଜାରି ରହିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ମଙ୍ଗଳବାର ଚାଇନା ଉପରାଷ୍ଟ୍ରପତି ହାନ୍ ଝେଙ୍ଗ୍ଙ୍କୁ ବେଜିଂରେ ଭେଟିଛନ୍ତି। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଅର୍ଥନୀତି, ରାଜନୀତି ଓ ବହୁପାକ୍ଷିକ ପ୍ଲାଟଫର୍ମରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

