ଗଣତନ୍ତ୍ରରେ ବିଲକ୍ଷଣ

ହରିଶଙ୍କର ମିଶ୍ର

 

ସେବକ ଏକ ବ୍ୟାପକ ଅର୍ଥ ବୋଧକ ଶବ୍ଦ। ଯେଉଁମାନେ ସେବା ପାଇଁ ସମର୍ପିତ ବା ନିୟୋଜିତ ସେମାନଙ୍କୁ ସେବକ କୁହାଯାଏ। କେବଳ ମଠମନ୍ଦିରରେ ନିୟୋଜିତ ବ୍ୟକ୍ତିମାନଙ୍କୁ ନୁହେଁ, ଶାସନ ତନ୍ତ୍ରରେ ନିୟୋଜିତ ବ୍ୟକ୍ତିମାନଙ୍କୁ ମଧ୍ୟ ସେବକ କୁହାଯାଏ। ଇଂରେଜ ଶାସନ ବେଳେ ବିଭିନ୍ନ ବର୍ଗ ଓ ପଦବୀଭିତ୍ତିକ କର୍ମରେ ନିଯୁକ୍ତ ବ୍ୟକ୍ତିମାନଙ୍କୁ ସରକାରୀ କର୍ମଚାରୀ କୁହାଯାଉଥିଲା। ଦେଶ ସ୍ବାଧୀନ ହେବାପରେ ସର୍ବଭାରତୀୟ ବା ରାଜ୍ୟ ସରକାରଙ୍କ ଅଧୀନ ବିଭିନ୍ନ ସେବା ଏବଂ ଅଧସ୍ତନ ସେବା ପରିସରରେ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ସେବା ସଂହିତା ଆଧାରରେ ପରିଚାଳିତ ଓ ନିୟନ୍ତ୍ରିତ ଯୋଗୁ ସମସ୍ତେ ସାଧାରଣ ସେବକ ପଦବାଚ୍ୟ। ଚାକିରିରେ ଯୋଗଦାନ ଦିନ ସେମାନେ ସାମ୍ବିଧାନିକ ବ୍ୟବସ୍ଥାକୁ ସମ୍ମାନ ଦେଇ ନାଗରିକଙ୍କ ସେବାରେ ଅବହେଳା ନ କରିବା ପାଇଁ ଲିଖିତ ଘୋଷଣାନାମା ମଧ୍ୟ ଦେଇଥାଆନ୍ତି। ତେଣୁ ପଦବୀ ଅନୁଯାୟୀ ଦେଶର ସର୍ବୋଚ୍ଚ ବେତନଧାରୀଙ୍କଠାରୁ ରାଜ୍ୟର ସର୍ବନିମ୍ନ ବେତନଧାରୀଙ୍କ ପରିଚୟ ନିଶ୍ଚିତ ସାଧାରଣ ସେବକ। ଗଣତନ୍ତ୍ରର ଆଭିମୁଖ୍ୟ ବଜାୟ ରଖି ନିୟମାନୁମୋଦିତ ପରିସର ମଧ୍ୟରେ ସାଧାରଣ ନାଗରିକଙ୍କ ସେବା ପାଇଁ ସେମାନଙ୍କ ନିଯୁକ୍ତି ଉଦ୍ଦିଷ୍ଟ । ସେଥିପାଇଁ ପ୍ରତ୍ୟେକ ସେବା ପଦବୀଭୁକ୍ତ କର୍ମଚାରୀ ବା ଅଧିକାରୀମାନେ ଦେଶ ଓ ରାଜ୍ୟ ଜନତାଙ୍କର ସାମ୍ବିଧାନିକ ଅଧିକାରକୁ ଦୃଢ଼ ଓ ନିଶ୍ଚିତ କରାଇବା ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମନେ କରିବା ଉଚିତ। କିନ୍ତୁ ଦେଖାଯାଉଛି ଯେ ସେଇ ସାଧାରଣ ସେବକମାନେ ଦେଶ ଓ ରାଜ୍ୟର ଜନସାଧାରଣଙ୍କ ସ୍ବାର୍ଥ ଅପେକ୍ଷା ନିଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ କଳର ଢେର୍‌ ଉପଯୋଗ ଓ ଅପବ୍ୟବହାର କରୁଛନ୍ତି। ଆଜି ପ୍ରତି କ୍ଷେତ୍ରରେ ଦୁର୍ନୀତିର କାୟା ବିସ୍ତାର ମୂଳରେ ସେବା ପରିସରଭୁକ୍ତ କର୍ମଚାରୀ ଓ ଅଧିକାରୀ ରହିଛନ୍ତି। ସେମାନେ ଦୃଢ଼ ରହିଲେ ଦେଶ ନିଶ୍ଚିତ ଦୁର୍ନୀତି ମୁକ୍ତ ହୋଇଯିବ। କହିବା ବାହୁଲ୍ୟ ଯେ ବିଗତ ଶତାବ୍ଦୀରେ ସର୍ବାଧିକ କୋଡ଼ିଏ ଶତାଂଶ ସାଧାରଣ ସେବକ ଦୁର୍ନୀତି ଯୁକ୍ତ ଥିଲେ। ଏବେ ସମପରିମାଣରେ ସାଧାରଣ ସେବକ ଦୁର୍ନୀତି ମୁକ୍ତ ମଧ୍ୟ ନୁହନ୍ତି।
ଗଣତନ୍ତ୍ରର ଅନ୍ୟତମ ଅଙ୍ଗ ବ୍ୟବସ୍ଥାପକ। ନୀତି ମଧ୍ୟରେ ଶ୍ରେଷ୍ଠ ହେଉଛି ରାଜନୀତି। କିନ୍ତୁ ଏଥିରେ ଭୋଗ ପରିବର୍ତ୍ତେ ତ୍ୟାଗ ହଁ ଥାଏ। ଯେଉଁମାନେ ରାଜନୀତିକୁ ଜୀବିକାକରି ନିର୍ବାଚିତ ହୁଅନ୍ତି ସେମାନେ ମଧ୍ୟ ଜନସେବକ ପଦବାଚ୍ୟ ହୋଇଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନେ ସମ୍ମାନ, ଭତ୍ତା ସହ ଅନେକ ଆନୁଷଙ୍ଗିକ ସୁବିଧା ଉପଭୋଗ କରିଥାନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ସାଧାରଣ ଜନତାଙ୍କ ଦ୍ୱାରା ନିର୍ବାଚିତ ଜନସେବକମାନେ ରାଜ୍ୟ ବା ଦେଶର ସୁପରିଚାଳନା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ବିଧେୟକ ବା ସଂକଳ୍ପ ଗୃହୀତ କରାନ୍ତି। କାର୍ଯ୍ୟପାଳିକା ଅଧୀନ ସାଧାରଣ ସେବକଙ୍କ ଦ୍ବାରା ତାହା କାର୍ଯ୍ୟକାରୀ ହୋଇଥାଏ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ଜନସେବକ ଓ ନିଯୁକ୍ତି ପ୍ରକ୍ରିୟାରେ ଅବସ୍ଥାପିତ କାର୍ଯ୍ୟପାଳିକାର ସାଧାରଣ ସେବକ ଜନତାଙ୍କ ପାଖରେ ସର୍ବଦା ଉତ୍ତରଦାୟୀ। କିନ୍ତୁ ତଫାତ୍‌ ଏତିକି ଯେ ସାଧାରଣ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସହ ଦକ୍ଷତା ମାନଦଣ୍ଡ ଥାଏ। ଏହି ସେବା ପାରମ୍ପରିକ ନୁହେଁ। କିନ୍ତୁ ଜନସେବକଙ୍କୁ ଜନ ସମର୍ଥନ ଓ ଦଳୀୟ ଆସ୍ଥା ଯୋଗ୍ୟ କରାଇଥାଏ, ଯାହାକି ଏବେ ବାହୁ ଓ ଧନବଳରେ ରୂପାନ୍ତର ହୋଇସାରିଛି। ଗଣତନ୍ତ୍ରର ଏହି ଦୁଇ ସ୍ତମ୍ଭ ମଧ୍ୟରେ ଯଦି ଗୋଟିଏ ଅନ୍ୟକୁ କବଳିତ କରେ ସେତେବେଳେ ଗଣତନ୍ତ୍ର ସୁସ୍ଥ ହୋଇ ନ ପାରେ। ଏହା ସତ୍ୟ ଯେ ଗଣତାନ୍ତ୍ରିକ ସେବା ପ୍ରକ୍ରିୟାରେ କୌଣସି ଅଦୃଶ୍ୟ ଶକ୍ତି ନ ଥାନ୍ତି ବା କେହି ମଧ୍ୟ ସର୍ବଶକ୍ତିମାନ ନୁହନ୍ତି। ସମସ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ମଣରେଖା ରହିଛି। ବରଂ ସାଧାରଣ ଜନତା ଓ ଭୋଟର ହିଁ ସର୍ବଶକ୍ତିମାନ। ଆମ ବିଧି ବ୍ୟବସ୍ଥାରେ ଅବଶ୍ୟ ନିର୍ବାଚିତ ଜନନେତାମାନେ ରାଜ୍ୟ ଓ ଦେଶର ହିତ ଏବଂ ଜନତାଙ୍କ ଉନ୍ନତି ପାଇଁ ବିଧାନ ନିର୍ଦ୍ଧାରଣ କରୁଥିବାରୁ ସେମାନଙ୍କ ସ୍ଥାନ ଊର୍ଦ୍ଧ୍ୱରେ ନିର୍ଣ୍ଣିତ ରହିଛି। ନିର୍ବାଚିତ ଜନ ପ୍ରତିନିଧିମାନେ ସାଧାରଣ ସେବକମାନଙ୍କୁ ନିୟନ୍ତ୍ରଣରେ ରଖିବାର ବୈଧାନିକ କ୍ଷମତା ରହିଥାଏ। ବିଗତ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବସ୍ଥାପକମାନଙ୍କର ସେହି ଦକ୍ଷତା ନିଶ୍ଚିତ ଥିଲା। କିନ୍ତୁ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଜନସାଧାରଣଙ୍କ ପାଇଁ ଥିବା ସେବା ବ୍ୟବସ୍ଥାରେ ଅନେକ ବିଲକ୍ଷଣ ପ୍ରକାଶ ପାଉଛି। ବ୍ୟବସ୍ଥାପକମାନେ ସ୍ବାର୍ଥ, ଅର୍ଥ ଓ କ୍ଷମତା ପାଇଁ କାର୍ଯ୍ୟପାଳିକା ପାଖରେ ଆତ୍ମ ସମର୍ପଣ କରିଥିବା ବେଳେ ତା’ର ଭରପୂର ସୁଯୋଗ କାର୍ଯ୍ୟପାଳିକା ନେଇ ଚାଲିଛି।
ନିର୍ବାଚନରେ ସଫଳତା ଉଦ୍ଦେଶ୍ୟରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବୁଝାମଣା ହୋଇଥାଏ। କିନ୍ତୁ କ୍ଷମତା ପାଇଁ ପ୍ରଶାସନ ଓ କ୍ଷମତାସୀନ ରାଜନୈତିକ ଦଳ ମଧ୍ୟରେ ବୁଝାମଣା ଓ ସହଯୋଗ କୁତ୍ରାପି ବିରଳ। ଅବସ୍ଥା ଏପରି ହୋଇଛି ଯେ ବ୍ୟବସ୍ଥାପକଙ୍କ ଅନେକ ଦୁର୍ବଳତାର ରକ୍ଷାକଚ ସାଜିଥିବା ଉଚ୍ଚ ପଦାଧିକାରୀ ନିଜର ଚାକିରି ଅବଧି ଶେଷ ପରେ ପୁନର୍ବାର ସମ୍ମାନଜନକ ପଦବୀରେ ଥଇଥାନ ହେଉଛନ୍ତି। ନ ହେଲେ ରାଜନୈତିକ ଦଳରେ ସାମିଲ ହୋଇଯାଉଛନ୍ତି। ଏହାଦ୍ବାରା ପରାମର୍ଶଦାତା ଭାବେ ସୁଯୋଗ ପାଇଁ ବ୍ୟବସ୍ଥାପକମାନଙ୍କ ମାଧ୍ୟମରେ ରାଜକୋଷକୁ ଶୂନ୍ୟ କରିବାର ନୀଳନକ୍ସା ପ୍ରସ୍ତୁତ ହେଉଛି। କିନ୍ତୁ ରାଜକୋଷ ବିନିମୟରେ କ୍ଷମତାସୀନ କରାଇ ବ୍ୟବସ୍ଥାପିକାକୁ କରାୟତ୍ତ କରିବାର ଫଳ ଯେତିକି ବିଷମ, କାର୍ଯ୍ୟପାଳିକା ନିରପେକ୍ଷ ନ ରହି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀକୁ ସହଯୋଗ କରିବା ତା’ ଠାରୁ ଅଧିକ ବିଷମ ନିଶ୍ଚିତ। ନିର୍ବାଚନ ବୈତରଣୀ ପାରହୋଇ କ୍ଷମତା ବଜାୟ ରଖିବାକୁ ଅନେକ ସ୍ବାର୍ଥ ନିହିତ ବ୍ୟକ୍ତିଗତ ସହାୟତା ଘୋଷଣା ସହ ସରକାରୀ ଅର୍ଥ ବିନିମୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରୀତିମତ କୂଟନୈତିକ ପ୍ରସ୍ତୁତି କାର୍ଯ୍ୟପାଳିକା ନିର୍ଦ୍ଦେଶନାରେ ଚାଲୁଛି। ଏଥିପାଇଁ ରାଜକୋଷ ଚାପଗ୍ରସ୍ତ ହେଉଛି। କାର୍ଯ୍ୟପାଳିକାର ଏହି ଆଚରଣ ଯୋଗୁ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ଅନୁଶୀଳନ କଲେ ଜଣାଯାଏ ଯେ ମାଗଣା ଯୋଜନା ବା ବିଭିନ୍ନ ନିର୍ମାଣ କାର୍ଯ୍ୟ ସର୍ବୋପରି ଅନେକ ଅନୈତିକ କାର୍ଯ୍ୟ ନିର୍ବାହ ପାଇଁ ପ୍ରଶାସନ ଯେତିକି ତତ୍ପର, ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ସେତିକି ବୀତସ୍ପୃହ। ଏଭଳି ଯୋଜନା ଓ ଆର୍ଥିକ ସହାୟତା ଉନ୍ମୁକ୍ତ କରାଯାଉଛି ଯେ ଏବେ ବୃହତ୍‌ ନଦୀର ବିରାଟ ଘାଇ ଭଳି ରାଜକୋଷର ଅବସ୍ଥା କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଭବିଷ୍ୟତ ଶାସକଙ୍କ ପାଇଁ ଏହା ବିରାଟ ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ ଉଦ୍‌ବେଗଜନକ କଥା ହେଉଛି ଯେ ବିକାଶ ନାମରେ ବିନାଶର ମଞ୍ଜି ବୁଣାଯାଉଛି। ଏହା ଦେଶ ଓ ରାଜ୍ୟ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ଓ ଗଣତନ୍ତ୍ର ବିଲକ୍ଷଣର ସୂଚନା ଦେଉଛି।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri