ଗଛ କଟାକୁ ନେଇ ଉଦ୍‌ବେଗ

ଖଣ୍ଡପଡା,୪ା୧୧(ଅଜୟ କୁମାର ମହାରଣା): ରାତି ପାହିଲା ମାତ୍ରେ ଜଣେ ବ୍ୟକ୍ତି ନିଜର ଏକ ସାଇକେଲରେ ବିଭିନ୍ନ ଚାରା, ଡାଳ, ବାଉଁଶ, ଶାବଳ ଆଦି ଧରି ପୋଖରୀ ହୁଡା, ରାସ୍ତାକଡ ଅବା ମାଳବନ୍ଧଗୁଡିକରେ ବିଭିନ୍ନ ଗଛର ସୁରକ୍ଷା ଦେଉଥିବା ବେଳେ ଗଛ ଆଦି ରୋପଣ କରୁଥିବା ଦେଖିବାକୁ ମିଳିଥାଏ। କି ଖରା କି ବର୍ଷା ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନିୟମିତ ଭାବେ ପରିବେଶ ସୁରକ୍ଷା ଚିନ୍ତା ନେଇ ଏହି କାର୍ଯ୍ୟକୁ ନିଜର ଏକ ପେଶା ଭାବେ ଧରି ନେଇଛନ୍ତି। ଏହାଛଡା ବିଭିନ୍ନ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜିଲା ତଥା ଜିଲା ବାହାରକୁ ଗସ୍ତ କରି ପରିବେଶ ସୁରକ୍ଷା ଓ ଚାରା ରୋପଣ ସହ ଜୀବ ଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ଶିକ୍ଷାନୁଷ୍ଠାନ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଜଣାଯାଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ହେଲେ କଣ୍ଟିଲୋ ଅଞ୍ଚଳର ଗଛସାର ଭାବେ ଜଣାଶୁଣା ଅନ୍ତର୍ଯ୍ୟାମୀ ସାହୁ।
ଗତବର୍ଷଠାରୁ ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋ ନୀଳମାଧବ ପୀଠର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆଗେଇ ଚାଲିଛି। ଏହି ବିକାଶ ପ୍ରକଳ୍ପ ମଧ୍ୟରେ ଶ୍ରୀଜୀଉଙ୍କ ମାଘ ମେଳା ପଡିଆର ଉନ୍ନତି କରଣ କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ଉକ୍ତ ମାଘମେଳା ପଡିଆ ପରିସରରେ ପରିବେଶବିତ ସାହୁଙ୍କ ଦ୍ୱାରା ବହୁ ଛାୟା ପ୍ରଦାନକାରୀ ବର ଗଛ ଓ ଅନ୍ୟ ବୃକ୍ଷ ଦୀର୍ଘବର୍ଷ ପୂର୍ବରୁ ରୋପଣ କରାଯାଇଥିଲା। ଏବେ ସମ୍ପୃକ୍ତ ବରଗଛର ଓହଳ ଗଛର ଚତୁଃପାର୍ଶ୍ୱକୁ ବିଛାଇ ହୋଇ ରହିଛି। ତେବେ ମାଘମେଳା ପଡିଆର ନବୀକରଣ ସମୟରେ ସମ୍ପୃକ୍ତ ବୃକ୍ଷଗୁଡିକର ଚାରି ପାଖରେ ଗଛଠାରୁ ଆବଶ୍ୟକ ଦୂରତା ବ୍ୟବଧାନରେ ସିମେଣ୍ଟର ଫ୍ରେମିଙ୍ଗ କରାଯାଇ ଗଛର ସୁରକ୍ଷା ଦିଗରେ ନଜର ଦିଆଯାଉଥିବା ବେଳେ କେତେଗୋଟି ବୃକ୍ଷର ଓହଳକୁ କାଟି ଦିଆଯାଉଥିବାରୁ ଗଛଗୁଡିକ ଦୁର୍ବଳ ହେବାକୁ ନେଇ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ଅକ୍ଲାନ୍ତ ପରିଶ୍ରମ ପରେ ଗଛଗୁଡିକର ଶ୍ରୀବୃଦ୍ଧି ଘଟିଥିବା ବେଳେ ଓହଳ କାଟି ଦିଆଯାଉଥିବାରୁ ଗଛ ଅଦ୍ଧାୟୁ ହୋଇଯିବ ବୋଲ ସାହୁ ଆଶଙ୍କା କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେହ ପର୍ଯ୍ୟଟନ କ୍ଷେତ୍ର ନୀଳମାଧବ ପୀଠକୁ ଶତାଧିକ ପର୍ଯ୍ୟଟକ ବିଭିନ୍ନ ଯାନବାହନ ଯୋଗେ ଆସି ଗାଡି ଗୁଡିକ ମାଘ ମେଳା ପଡିଆରେ ପାର୍କିଂ କରିଥାନ୍ତି। ସମ୍ପକ୍ତ ମେଳା ପଡିଆଟି ଏକାଧିକ ବଟବୃକ୍ଷ ଛାୟାରେ ଅଚ୍ଛାଦିତ ଥିବାରୁ ପର୍ଯ୍ୟଟକମାନେ ସେଠାରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ପରିବେଶବିତ ସାହୁଙ୍କ ଦୀର୍ଘ ୪୫ ବର୍ଷର ଯତ୍ନ ଯୋଗୁ ବରଗଛଗୁଡିକ ସୁରକ୍ଷିତ ରହିଛି। ଏଣୁ ସମ୍ପୃକ୍ତ ଗଛର ଓହଳ କିମ୍ବା ଡ଼ାଳକୁ ନ କାଟିବାକୁ ସାହୁ ନିବେଦନ କରିଛନ୍ତି। ମାନବ ସମାଜ ସହିତ ସମଗ୍ର ଜୀବ ଜଗତର ସ୍ଥିତିରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ଜରୁରୀ ଅଟେ। ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ, ଜଙ୍ଗଲ ତଥା ପରିବେଶର ଦୃତ ଅବକ୍ଷୟ ମାନବ ସମାଜ ସହିତ ପଶୁପକ୍ଷୀ, ନାନାଦି କୀଟପତଙ୍ଗ ଆଦିଙ୍କ ପାଇଁ ବିନାଶର ଭୟଙ୍କର ସୂଚନା ଦେଲାଣି। ଏହାର ନିରାକରଣ ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସଫଳ ଉଦ୍ୟମ ହେବା ଜରୁରୀ ବୋଲି ସାହୁ ନିବେଦନ କରିଛନ୍ତି। ପୃଥିବୀରେ ମନୁଷ୍ୟ ସମାଜ ସହ ସମସ୍ତ ଜୀବଜନ୍ତୁ ଓ କୀଟପତଙ୍ଗ ବସବାସ କରିବାର ସମାନ ଅଧିକାର ରହିଛି। ତେବେ ପରିବେଶ ବଞ୍ଚତ୍ଲେ ସମସ୍ତେ ବଞ୍ଚତ୍ବା ଆଉ ସମସ୍ତେ ବଢିବା ଏହି ନ୍ୟାୟରେ ଜଗତର ହୀତ ପାଇଁ ବୃକ୍ଷର ସୁରକ୍ଷା ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ସାହୁ ଆହ୍ବାନ ଦେଇଛନ୍ତି। ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚାଇବା ଏକ ଅଧ୍ୟାମତ୍ିକ ଚେତନା ଅଟେ ବୋଲି ସେ ପରାମର୍ଶ ଦେଉଛନ୍ତି।