Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌:ନ୍ୟୁଜିଲାଣ୍ଡ ଫାଇନାଲରେ, ଅଷ୍ଟ୍ରେଲିଆ ଆପାତତଃ ବାଦ୍‌

ଦୁବାଇ, ୩ା୨ (ପି.ଟି.)-ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ସେକେଣ୍ଡ ଓ୍ବେଭ୍‌ ଦେଖିବାକୁ ମିଳିବାରୁ ଏହି ଦେଶ ବିପକ୍ଷ ଆଓ୍ବେ ସିରିଜକୁ ଅଷ୍ଟ୍ରେଲିଆ ବାତିଲ କରିଛି। ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ଆପାତତଃ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହି ଦେଶ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥାନ୍ତା। ଅଷ୍ଟ୍ରେଲିଆର ନିଷ୍ପତ୍ତିରେ ଦକ୍ଷିଣ ଆଫ୍ରିକା ଅସନ୍ତୋଷ ପ୍ରକାଶ କରିଛି। ଏହି ନିଷ୍ପତ୍ତି ଦ୍ୱାରା ଦକ୍ଷିଣ ଆଫ୍ରିକା ଆର୍ଥିକ ସଙ୍କଟରେ ପଡ଼ିବ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟର କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ ପ୍ରକାଶ କରିଛନ୍ତି। ସମୟସୀମା ମଧ୍ୟରେ ଟେଷ୍ଟ ସିରିଜ ଖେଳି ସାରିବା ପରେ ଅନ୍ୟ କୌଣସି ଦଳ ନ୍ୟୁଜିଲାଣ୍ଡର ୭୦ ପ୍ରତିଶତ ପଏଣ୍ଟକୁ ଅତିକ୍ରମ କରିପାରିବ ନାହିଁ।
ଶୁକ୍ରବାରଠାରୁ ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ କେନ୍‌ ଓ୍ବିଲିୟମସନଙ୍କ ଦଳ ବିପକ୍ଷରେ କେଉଁ ଦଳ ଖେଳିବ ତାହା ଏଥିରେ ନିରୂପିତ ହେବ। ବର୍ତ୍ତମାନ ଦେଖିଲେ ଭାରତ ସର୍ବାଧିକ ୭୧.୭ ପ୍ରତିଶତ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ନ୍ୟୁଜିଲାଣ୍ଡ ୭୦ପ୍ରତିଶତ ଏବଂ ଅଷ୍ଟ୍ରେଲିଆ ୬୯.୨ ପଏଣ୍ଟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି। ଇଂଲଣ୍ଡ ୬୫.୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଅଛି। ଭାରତ ଯଦି ଅତିକମ୍‌ରେ ଇଂଲଣ୍ଡ ବିପକ୍ଷ ଦୁଇଟି ମ୍ୟାଚରେ ବିଜୟ ସହ ସିରିଜ ଜିତେ ତେବେ ଯୋଗ୍ୟତା ଅର୍ଜନ କରିବ। ଅନ୍ୟପକ୍ଷରେ ୩ଟି ମ୍ୟାଚ ଜିତି ସିରିଜ ବିଜୟୀ ହୋଇପାରିଲେ ଇଂଲଣ୍ଡ ପାଇଁ ସୁଯୋଗ ରହିବ। ଯଦି ଦୁଇ ଦଳ ମଧ୍ୟରେ ମ୍ୟାଚ ଡ୍ର’ ରୁହେ ତେବେ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ସୃଷ୍ଟି ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଲଡର୍‌ସଠାରେ ଜୁନ୍‌ ୧୮ରୁ ହେବ। ପଏଣ୍ଟ ଭିତ୍ତିରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ବର୍ତ୍ତମାନ ଭାରତ ଓ ନ୍ୟୁଜିଲାଣ୍ଡ ପଛକୁ ରହିଛି। ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥାନ୍ତା। ଆୟୋଜକ ଦେଶକୁ ଗୋଟିଏ ମ୍ୟାଚ ଜିତିବାକୁ ନ ଦେଇ ୨ଟିରେ ବିଜୟ ହାସଲ କରିପାରିଲେ ଅଷ୍ଟ୍ରେଲିଆ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିଥାନ୍ତା।

Share