ବିଶ୍ୱ ଶ୍ରମିକ ଦିବସ ଓ ଭାରତର ଶ୍ରମିକ ଶ୍ରେଣୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ ଓ ଆଠ ଘଣ୍ଟା ମନୋରଞ୍ଜନ“ ଦାବିରେ ଆଜିକୁ ୧୩୪ ବର୍ଷ ତଳେ ଆମେରିକାର ଚିକାଗୋ ସହରର ‘ହେ ମାର୍କେଟ’ ଛକରେ ହୋଇଥିବା ଆନ୍ଦୋଳନ ବିଶ୍ୱର ଶ୍ରମିକ ଶ୍ରେଣୀର ଇତିହାସରେ ଏକ ମାଇଲଖୁଣ୍ଟ ଥିଲା। ସେଦିନ ନିଜର ନ୍ୟାୟସଙ୍ଗତ ଦାବି ନେଇ ଜମା ହୋଇଥିବା ହଜାର ହଜାର ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ସମାବେଶ ଉପରେ ପୋଲିସ ଅତର୍କିତ ଗୁଳି ଚାଳନା ଫଳରେ ବହୁ ଶ୍ରମିକ ମୃତାହତ ହୋଇଥିଲେ। ଗୁଳିକାଣ୍ଡ ଓ ତତ୍‌ ପରବର୍ତ୍ତୀ ହିଂସାକାଣ୍ଡ ଘଟଣାରେ ଅନେକ ଶ୍ରମିକ ନେତାଙ୍କୁ ଗିରଫ କରାଯିବା ସହ ଚାରି ଜଣ ଶ୍ରମିକ ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା। କିନ୍ତୁ ଚିକାଗୋର ଶ୍ରମିକଙ୍କ ସେଦିନର ବଳିଦାନଟି ବ୍ୟର୍ଥ ଯାଇ ନ ଥିଲା। ପୁଞ୍ଜିବାଦୀ ଶୋଷଣ ବିରୋଧରେ ପ୍ରଥମ ଥର ପାଇଁ ଶ୍ରମିକ ଶ୍ରେଣୀର ଏତେବଡ଼ ସଂଗଠିତ ତଥା ଲଢ଼ୁଆ ପ୍ରତିରୋଧ ପୁଞ୍ଜିପତିଙ୍କ ଭିତରେ ଏକ ରକମ ଆତଙ୍କ ଖେଳାଇଦେବା ସହ ଶ୍ରମିକ ଶ୍ରେଣୀକୁ ନିଜର ଅର୍ଥନୈତିକ ଓ ରାଜନୈତିକ ଅଧିକାର ପାଇଁ ଆଗକୁ ଲଢ଼େଇ କରିବା ଲାଗି ପ୍ରେରଣା ଦେଇଥିଲା। ଶ୍ରମିକଙ୍କ ‘ଆଠଘଣ୍ଟାର ଶ୍ରମ ଦିବସ’ର ଦାବିକୁ ଶେଷରେ ପୁଞ୍ଜିପତି ଶ୍ରେଣୀ ମାନିବାକୁ ବାଧ୍ୟ ହୋଇଥିଲେ। ଭାରତ ସମେତ ବିଶ୍ୱର ସବୁ ଦେଶରେ ଏହା ଶ୍ରମିକଙ୍କ ଏକ ଆଇନସିଦ୍ଧ ଅଧିକାରରେ ପରିଣତ ହୋଇଥିଲା।
ଆମ ଦେଶରେ ନବ ଉଦାର ଅର୍ଥନୀତି ଲାଗୁ ହେବା ପରେ ଶ୍ରମିକଙ୍କ ଅବସ୍ଥା ପୂର୍ବାପେକ୍ଷା ଅଧିକ ଖରାପ ହୋଇଛି। ଅଧିକ ଲାଭ ପାଇଁ ମାଲିକ ଶ୍ରେଣୀ କଳ କାରଖାନାରେ ଅଧିକରୁ ଅଧିକ ଯନ୍ତ୍ରୀକରଣ କରିବା ଫଳରେ ନିଯୁକ୍ତିର ହାର କମିବା ସହିତ ଯାହା ବି ନିଯୁକ୍ତି ମିଳୁଛି ତାହା ନିୟମିତ ନିଯୁକ୍ତି ପରିବର୍ତ୍ତେ ପ୍ରାୟତଃ ଅସ୍ଥାୟୀ ହେଉଛି। ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ ଆକାଶଛୁଆଁ ହେଉଥିବା ବେଳେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରିଟି ପ୍ରତିବର୍ଷ ବଜାରର ଦର ଅନୁସାରେ ବଢୁନି। ଆଜି ବି ଅର୍ଥନୀତିର ଅସଙ୍ଗଠିତ କ୍ଷେତ୍ରରେ ନିୟୋଜିତ ଦେଶର ଶ୍ରମିକ ଶ୍ରେଣୀର ସିଂହଭାଗ ଅର୍ଥାତ୍‌ ପ୍ରାୟ ୯୨% ଶ୍ରମିକ ସରକାରୀ ଘୋଷିତ ଶ୍ରମ ଅଧିକାର ଓ ସାମାଜିକ ସୁରକ୍ଷାରୁ ବି ବଞ୍ଚିତ ରହିଛନ୍ତି । କୃଷି ପରେ ନିର୍ମାଣ କ୍ଷେତ୍ରରେ ଦେଶର ସର୍ବାଧିକ ଶ୍ରମିକ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଭାବେ ମହାନଗର ଓ ସହରର ବସ୍ତିଗୁଡ଼ିକରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନଯାପନ କରୁଛନ୍ତି। ସେମାନଙ୍କର ନା ରହିଛି କୌଣସି ଶ୍ରମ ଅଧିକାର ନା ସେମାନେ ସରକାରୀ ଘୋଷିତ ସାମାଜିକ ସୁରକ୍ଷାର ସୁବିଧା ପାଇପାରୁଛନ୍ତି। ସେମାନଙ୍କ ଏହି ଦୟନୀୟ ସ୍ଥିତି ଗତବର୍ଷ ଲକ୍‌ଡାଉନ୍‌ ସମୟରେ ଆମେ ସମସ୍ତେ ଅନୁଭବ କରିଛେ। ସେମାନଙ୍କ ବ୍ୟତୀତ ମନ୍‌ରେଗା, କେନ୍ଦୁପତ୍ର ସଂଗ୍ରହ, ବାଉଁଶ, ବିଡ଼ି, ଇଟାଭାଟି ଭଳି ଦେଶର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଧିକାଂଶ ଶ୍ରମିକ ସରକାରୀ ଘୋଷିତ ସର୍ବନିମ୍ନ ମଜୁରି ଏବଂ ଶ୍ରମ ଅଧିକାରରୁ ବଞ୍ଚିତ ।
ଦେଶରେ ନବ-ଉଦାର ଅର୍ଥନୀତିର ଆରମ୍ଭ ପରଠାରୁ ରୋଜଗାରର ଠିକାକରଣ ଆମ ଶ୍ରମିକ ଶ୍ରେଣୀର ବଡ଼ ଶତ୍ରୁ ଭାବେ ମୁଣ୍ଡ ଟେକିଛି। ଏହାର ଫଳସ୍ବରୂପ ଘରୋଇ କ୍ଷେତ୍ର ଏପରି କି ସରକାରୀ କ୍ଷେତ୍ରରୁ ବି ସ୍ଥାୟୀ ଏବଂ ନିୟମିତ ନିଯୁକ୍ତି ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଅସ୍ଥାୟୀ, ଠିକା ଏବଂ ଆଉଟସୋର୍ସିଂରେ ନିଯୁକ୍ତିର ହାର ବଢ଼ିବାରେ ଲାଗିଛି ।
ଦେଶର ମୋଟ ଶ୍ରମ ଶକ୍ତିର ଠିକା ଶ୍ରମିକଙ୍କ ଅଂଶ ୧୯୯୯-୨୦୦୦ରେ ୨୦% ଥିବାବେଳେ ତାହା ବୃଦ୍ଧି ପାଇ ୨୦୧୮-୧୯ରେ ୪୧%ରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ଦେଶର ଅନେକଗୁଡ଼ିଏ କ୍ଷେତ୍ରରେ ଠିକା ଓ ଆଉଟସୋର୍ସିଂ ଶ୍ରମିକ ଏବଂ କର୍ମଚାରୀଙ୍କ ସଂଖ୍ୟା ନିୟମିତ ଶ୍ରମିକଙ୍କ ସଂଖ୍ୟାକୁ ବି ଟପି ସାରିଲାଣି। ଆଶା, ଅଙ୍ଗନୱାଡି, ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ପରି ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ନିଯୁକ୍ତ ସ୍କିମ୍‌ କର୍ମଚାରୀମାନଙ୍କୁ ସରକାର ନିଜର ନିୟମିତ କାମରେ ନିୟୋଜିତ କରୁଥିଲେ ମଧ୍ୟ ସେମାନଙ୍କୁ ଯଥାର୍ଥ ଦରମା କିମ୍ବା ସରକାରୀ କର୍ମଚାରୀର ମାନ୍ୟତା ମିଳୁନି। ପ୍ରତିଦିନ ନୂଆ ନୂଆ ସରକାରୀ ଯୋଜନାରେ ନିଯୁକ୍ତି ପାଉଥିବା ଏହି ସ୍କିମ୍‌ କର୍ମଚାରୀମାନେ କିଛି ବର୍ଷ ପରେ ସେସବୁ ଯୋଜନା ବନ୍ଦ ହେବା ପରେ ନିଜର ଚାକିରି ହରାଉଛନ୍ତି।
ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ବର୍ଷ ବର୍ଷ ଧରି ନିୟମିତ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ-କର୍ମଚାରୀଙ୍କୁ ସିଧାସଳଖ ଓ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତ୍ତେ ଅଧିକ ମୁନାଫା ପାଇଁ କମ୍‌ ପାରିଶ୍ରମିକରେ ଠିକା ଓ ଆଉଟ୍‌ସୋର୍ସିଂରେ ନିଯୁକ୍ତି ଦିଆଯାଉଛି। ବିଭିନ୍ନ କଳ କାରଖାନା ଓ ସେବାରେ ଠିକା ଏବଂ ଆଉଟସୋର୍ସିଂରେ ନିଯୁକ୍ତ ଥିବା ଏହି କୋଟି କୋଟି ଶ୍ରମିକ ତଥା କର୍ମଚାରୀ ସ୍ବଳ୍ପ ବେତନ ସହ ସମସ୍ତ ପ୍ରକାର ଶ୍ରମ ଅଧିକାର ଓ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି। ଆମ ରାଜ୍ୟରେ ବି ଆଉଟସୋର୍ସିଂ କର୍ମଚାରୀ ଭାବେ ପରିଚିତ ଲକ୍ଷ ଲକ୍ଷ ଶିକ୍ଷିତ ଯୁବତୀ ଯୁବକ ସରକାରୀ ସେବାରେ ବର୍ଷ ବର୍ଷ ଧରି ନିୟୋଜିତ ଥିଲେ ମଧ୍ୟ ସରକାର ସେମାନଙ୍କୁ ନିଜର କର୍ମଚାରୀ ବୋଲି ମାନୁନାହାନ୍ତି କି ସେମାନଙ୍କୁ ସରକାରୀ କର୍ମଚାରୀ ପରି କୌଣସି ସୁବିଧା ଓ ଅଧିକାର ଦେଉନାହାନ୍ତି।
ଚଳିତବର୍ଷର ଐତିହାସିକ ୧୩୫ତମ ବିଶ୍ୱ ଶ୍ରମିକ ଦିବସ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଶ୍ରମିକ ଶ୍ରେଣୀ କୋଭିଡ୍‌ ମହାମାରୀର ଭୟଙ୍କର ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ମହାମାରୀର ମୁକାବିଲା ନାଁରେ ଶାସକ ଶ୍ରେଣୀ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତବର୍ଷ ଠିକ୍‌ ଏହି ସମୟରେ କୋଭିଡ୍‌ର ମୁକାବିଲା କରିବା ନାଁରେ କଠୋରତମ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ଫଳସ୍ବରୂପ ୧୫ କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ନିଜର ରୋଜଗାର ହରାଇ ଭୋକଶୋଷରେ କେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ତାହା ଦେଶର ଇତିହାସରେ ଏକ କଳା ଫର୍ଦ୍ଦ ହୋଇ ରହିବ।
ଦେଶୀ ବିଦେଶୀ କର୍ପୋରେଟ୍‌ଙ୍କ ସୁପର ମୁନାଫା ପାଇଁ ଶ୍ରମ ସଂସ୍କାର ନାଁରେ ଦେଶର ଶ୍ରମ ଆଇନଗୁଡ଼ିକୁ ଦୁର୍ବଳ ଓ ପ୍ରଭାବହୀନ କରିବାକୁ ବିଶ୍ୱବ୍ୟାଙ୍କ୍‌, ଆଇଏମ୍‌ଏଫ୍‌ ପରି ସାମ୍ରାଜ୍ୟବାଦୀ ସଂସ୍ଥାମାନେ ଅନେକ ଦିନ ଧରି ଦେଶର ଶାସକ ଶ୍ରେଣୀ ଉପରେ ଚାପ ପକାଇ ଆସିଛନ୍ତି। କିନ୍ତୁ ଶ୍ରମିକମାନଙ୍କ ଏହି କଷ୍ଟାର୍ଜିତ ଶ୍ରମ ଅଧିକାରକୁ ସମାପ୍ତ କରିବାକୁ ଦୀର୍ଘ ୨୦ ବର୍ଷ ଧରି ସାହସ ଜୁଟାଇ ପାରି ନ ଥିବା ଶାସକ ଶ୍ରେଣୀ ଗତବର୍ଷ କୋଭିଡ୍‌ ମହାମାରୀର ଆଳରେ ତାକୁ ଲାଗୁ କରିବାରେ ସଫଳ ହୋଇଛି। ବ୍ରିଟିଶ ସମୟରୁ ଲଗାତର ସଂଘର୍ଷ ଜରିଆରେ ଦେଶର ଶ୍ରମିକ ଶ୍ରେଣୀ ହାସଲ କରିଥିବା ୪୪ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର କର୍ପୋରେଟ୍‌ଙ୍କ ସ୍ବାର୍ଥରେ ସମାପ୍ତି କରି ତାରି ସ୍ଥାନରେ ଚାରୋଟି ଶ୍ରମ କୋଡ୍‌ ତିଆରି କରିଛନ୍ତି। ଏହାଦ୍ୱାରା ଦେଶର ଶ୍ରମିକମାନଙ୍କୁ ଶ୍ରମ ଅଧିକାରରୁ ବଞ୍ଚିତ କରି ସେମାନଙ୍କୁ ଶୋଷଣ ଓ ଲୁଟ୍‌ କରିବାକୁ ମାଲିକମାନଙ୍କୁ ଅବାଧ କ୍ଷମତା ଦିଆଯାଇଛି। ଦେଶର ଅନେକ ରାଜ୍ୟରେ ଆଠ ଘଣ୍ଟିଆ ଶ୍ରମ ଦିବସକୁ ସମାପ୍ତି କରି ତାକୁ ବାରଘଣ୍ଟିଆ କରାଯାଇଛି।
ଆଜି ଦେଶର ଶ୍ରମିକ ଶ୍ରେଣୀ ଆକାଶଛୁଆଁ ମୂଲ୍ୟବୃଦ୍ଧି, ବେରୋଜଗାରୀ, ମଜୁରି ହ୍ରାସର ସାମନା କରୁଥିବା ବେଳେ ମହାମାରୀର ମୁକାବିଲା ନାଁରେ ସରକାର ସେମାନଙ୍କ ଉଭୟ ଶ୍ରମ ଅଧିକାର ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣକୁ ବଢ଼ାଇଛନ୍ତି। ନବ ଉଦାର ଆର୍ଥିକ ନୀତିକୁ ଅନୁସରଣ ଫଳରେ ସମାଜର ସବୁ ମେହନତୀ ମଣିଷଙ୍କ ଶୋଷଣ ତୀବ୍ର ହେବାରେ ଲାଗିଛି । ସମାଜରେ ଅର୍ଥନୈତିକ ବୈଷମ୍ୟ ବୃଦ୍ଧି ପାଇ ଅଳ୍ପକିଛି ଧନକୁବେରଙ୍କ ହାତରେ ସମାଜର ଅଧିକାଂଶ ସମ୍ପତ୍ତି ଠୁଳ ହେବାରେ ଲାଗିଥିବା ବେଳେ ଶ୍ରମିକ ଓ କୃଷକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଦେଶରେ ବର୍ତ୍ତମାନ ବେରୋଜଗାରୀର ହାର ଗତ ୪୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ଲକ୍ଷ ଲକ୍ଷ କୋଟିର ବିଭିନ୍ନ ରିହାତି ଦିଆଯାଉଥିବା ବେଳେ ସାମାଜିକ କ୍ଷେତ୍ରରେ ସରକାରୀ ବିନିଯୋଗ କମିବାରେ ଲାଗିଛି ।
ବ୍ୟାଙ୍କ୍‌, ବୀମା, ପ୍ରତିରକ୍ଷା ଉପତ୍ାଦନ, ରେଳ, ବିମାନ ଚଳାଚଳ, କୋଇଲା, ଇସ୍ପାତ ପରି ଦେଶର ସରକାରୀ କ୍ଷେତ୍ରରେ ରହିଥିବା ବିଭିନ୍ନ ଲାଭଜନକ ସଂସ୍ଥା ଓ କାରଖାନାକୁ ମୋଦି ସରକାର ଘରୋଇକରଣ ନାଁରେ ଦେଶୀ ବିଦେଶୀ କର୍ପୋରେଟ୍‌ଙ୍କୁ ବିିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାଫଳରେ ଦେଶର ସରକାରୀ ସମ୍ପତ୍ତି ପୁଞ୍ଜିପତିଙ୍କ ହାତକୁ ଚାଲିଯିବା ସହିତ ସେଥିରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ଛଟେଇ ଓ ଶୋଷଣର ଶିକାର ହେବେ।
ଏଭଳି ପରିସ୍ଥିତିରେ ଦେଶର ଶାସକ ପୁଞ୍ଜିପତି ଶ୍ରେଣୀ ଦ୍ୱାରା ଶ୍ରମିକଙ୍କ ଉପରେ ବର୍ଦ୍ଧିତ ଆକ୍ରମଣର ଦୃଢ଼ତାର ସହିତ ପ୍ରତିରୋଧ କରିବା ସଙ୍ଗେ ସଙ୍ଗେ ଏକ ଉତ୍ତମ ଓ ସମ୍ମାନଜନକ ଜୀବନ ପାଇଁ ଶ୍ରମିକ ଶ୍ରେଣୀ ନିଜର ଲଢ଼େଇକୁ ତେଜିଆନ କରିବା ଜରୁରୀ ହୋଇପଡ଼ିଛି। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଶ୍ରମିକ ଶ୍ରେଣୀ ନିଜର ଅଧିକାର ପାଇଁ ତଥା ଶାସକ ଶ୍ରେଣୀର ଶୋଷଣ ଏବଂ ଅତ୍ୟାଚାର ବିରୋଧରେ ସଂଘର୍ଷରେ ସର୍ବଦା ଆଗରେ ରହି ଆସିଛନ୍ତି। ମଇ ଦିବସ କେବଳ ଆଠ ଘଣ୍ଟିଆ ଶ୍ରମ ଦିବସର କଥା କହୁନାହିଁ ବରଂ ପୁଞ୍ଜି ଦ୍ୱାରା ଶ୍ରମର ଶୋଷଣ ବିରୋଧରେ ଅବିରାମ ସଂଘର୍ଷର ଶିକ୍ଷା ଦେଇ ଆସିଛି। ଅତଏବ ଏହି ମହାନ୍‌ ଦିବସ ଅବସରରେ ସମାଜର ପ୍ରତ୍ୟେକ ଶ୍ରମଜୀବୀ ମଣିଷ ନିଜର ଅର୍ଥନୈତିକ ତଥା ରାଜନୈତିକ ଦାବି ହାସଲ ପାଇଁ ଲଢ଼େଇ କରିବାକୁ ଶପଥ ନେବା ଆବଶ୍ୟକ। ସମାଜରୁ ମଣିଷ ଦ୍ୱାରା ମଣିଷର ଶୋଷଣକୁ ହଟାଇ ତାରି ସ୍ଥାନରେ ଏକ ନ୍ୟାୟପୂର୍ଣ୍ଣ ବିକଳ୍ପ ସମାଜବାଦୀ ବ୍ୟବସ୍ଥାର ନିର୍ମାଣ ପାଇଁ ଲଢ଼େଇରେ ସାମିଲ ହେବାକୁ ପଡ଼ିବ, ଏହା ହିଁ ଅନ୍ତର୍ଜାତୀୟ ଶ୍ରମିକ ଦିବସର ଆହ୍ବାନ ହେବା ଉଚିତ।
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri