Categories: ଖେଳ

ବିଶ୍ୱ ବିଜୟୀ ନ୍ୟୁଜିଲାଣ୍ଡର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ଅକଲାଣ୍ଡ,୨୭।୬(ପି.ଟି.): ଫାଇନାଲରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଜିତିଥିବା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଏହି ଦଳ ଏଠାରେ ପହଞ୍ଚିଥିଲା। ତେବେ ଓ୍ବିଲିୟମସନ ଓ ଅନ୍ୟ କେତେଜଣ ଖେଳାଳି ପହଞ୍ଚି ପାରିନାହାନ୍ତି। ନ୍ୟୁଜିଲାଣ୍ଡର ୧୧ କ୍ରିକେଟର ଓ ୮ ଜଣ ସପୋର୍ଟ ଷ୍ଟାଫ୍‌ ସିଙ୍ଗାପୁର ଦେଇ ଅକ୍‌ଲାଣ୍ଡ ଫେରିଛନ୍ତି।
ଓ୍ବିଲିୟମସନ ଇଂଲଣ୍ଡରେ ରହିଛନ୍ତି ଓ ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ‘ଦି ହଣ୍ଡ୍ରେଡ୍‌’ ଟୁର୍ନାମେଣ୍ଟ ଖେଳିବେ। ସେ ବର୍ମିଂହାମ ଫୋନିକ୍ସ ତରଫରୁ ପ୍ରତିନିଧିତ୍ୱ କରିବେ। ସେହିପରି ଡେଭନ କନ୍‌ଓ୍ବେ (ସମରସେନ), କାଏଲ ଜେମିସନ (ସରେ) ଓ କଲିନ ଡି ଗ୍ରାଣ୍ଡହୋମ (ହାମ୍ପିଶୟର) ମଧ୍ୟ ଟି୨୦ ବ୍ଲାଷ୍ଟ ଖେଳିବାକୁ ଇଂଲଣ୍ଡରେ ରହିଛନ୍ତି।
ସାଉଥାମ୍ପଟନରେ ଅନୁଷ୍ଠିତ ଡବ୍ଲ୍ୟୁଟିସି ଫାଇନାଲରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ହରାଇ ଚାମ୍ପିୟନ ହେବା ସହ ଟେଷ୍ଟ ମେସ୍‌ ତଥା ଗଦା ହାସଲ କରିଥିଲା। ପ୍ରାରମ୍ଭିକ ସଂସ୍କରଣରେ ଚାମ୍ପିୟନ ହୋଇ ନ୍ୟୁଜିଲାଣ୍ଡ ଇତିହାସ ସୃଷ୍ଟି କରିଥିଲା। ଏହି ସଫଳତା ଐତିହାସିକ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ କହିଛନ୍ତି। ଦଳ ପାଇଁ ସାରା ଦେଶ ଗର୍ବିତ। ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ବୋର୍ଡ ଯୋଜନା କରୁଛି। ତେବେ ରାସ୍ତାରେ କୌଣସି ପରେଡ ହେବ ନାହିଁ। ସବୁ ଖେଳାଳିଙ୍କୁ ନେଇ ଏକ ଉତ୍ସବ ପାଳନ କରାଯିବ ବୋଲି ହ୍ବାଇଟ୍‌ କହିଛନ୍ତି। ଖେଳାଳିମାନେ ଏବେ କ୍ୱାରାଣ୍ଟାଇନ୍‌ରେ ରହିବେ। ଦୁଇ ସପ୍ତାହ ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ଅବଧି ସରିବା ପରେ ସେମାନେ ଘରକୁ ଯାଇ ଉତ୍ସବ ପାଳନ କରିବେ ବୋଲି ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ କହିଛନ୍ତି।

Share