Categories: ଖେଳ

ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି

ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ସ୍କଟଲାଣ୍ଡର ପ୍ରଥମ ମହିଳା କ୍ରିକେଟର ଭାବେ କ୍ୟାଥରିନ୍‌ ବ୍ରାଇସ୍‌ ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ଶେଫାଳି ୭୭୬ ର଼୍ୟାଙ୍କିଙ୍ଗ ପଏଣ୍ଟ ସହ ଅଷ୍ଟ୍ରେଲିଆର ବେଥ୍‌ ମୁନି (୭୪୪) ଓ ମେଗ୍‌ ଲାନିଙ୍ଗ (୭୦୯)ଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି। ଭାରତର ଟି୨୦ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥରେ ରହିଥିବାବେଳେ ଟପ୍‌ ଟେନ୍‌ରେ ତୃତୀୟ ଭାରତୀୟ ଭାବେ ଜେମିମା ରୋଡ୍ରିଗୁଏଜ୍‌ ୯ମ ସ୍ଥାନ ଅଧିକାର କରିଛନ୍ତି। ମଙ୍ଗଳବାର ପ୍ରକାଶପାଇଥିବା ର଼୍ୟାଙ୍କିଙ୍ଗ ତାଲିକାରେ ସ୍କଟଲାଣ୍ଡ ଅଲରାଉଣ୍ଡର ବ୍ରାଇସ୍‌ ଟପ୍‌ ଟେନ୍‌ରେ ପ୍ରବେଶ କରିବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ଆୟର୍ଲାଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ତାଙ୍କ ଦଳ ୧-୩ରେ ପରାସ୍ତ ହୋଇଥିଲେ ମଧ୍ୟ ସେ ତାଙ୍କ ଦଳର ଅଗ୍ରଣୀ ସ୍କୋରର ଥିଲେ। ବୋଲର ତାଲିକାର ଟପ୍‌ ଟେନ୍‌ରେ ଭାରତର ଦୁଇଜଣ ସ୍ଥାନ ପାଇଛନ୍ତି। ଦୀପ୍ତି ଶର୍ମା ୬ଷ୍ଠ ଏବଂ ରାଧା ଯାଦବ ୭ମ ସ୍ଥାନରେ ରହିଛନ୍ତି। ଦୀପ୍ତିଙ୍କ ର଼୍ୟାଙ୍କିଙ୍ଗ ପଏଣ୍ଟ ୭୦୫ ରହିଥିବାବେଳେ ରାଧାଙ୍କର ୭୦୨ ରହିଛି। ବୋଲର ତାଲିକାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡର ବାମହାତୀ ସ୍ପିନର ସୋଫି ଏକ୍‌ଲେଷ୍ଟୋନ୍‌।

Share