ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି

ଆମ ଦେଶରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରିକୁ ଦେଖିଲେ ଲିଙ୍ଗଗତ ବିସମତା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଅନ୍ୟ ଅର୍ଥରେ କହିଲେ ଲିଙ୍ଗଗତ ବିସମତାର ଏକ ପରିମାପକ ଭାବେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ତଥ୍ୟକୁ ନିଆଯାଇପାରେ। ନ୍ୟାସ୍‌ନାଲ୍‌ ସାମ୍ପଲ୍‌ ସର୍ଭେ ଅର୍ଗାନାଇଜେସନ୍‌ ଦ୍ୱାରା କରାଯାଇଥିବା ଶ୍ରମଶକ୍ତି ଅଧ୍ୟୟନର ସଦ୍ୟତମ ତଥ୍ୟ ଅନୁସାରେ ଆମ ଦେଶରେ ଶ୍ରମଶକ୍ତି କ୍ଷେତ୍ରରେ ମାତ୍ର ୧୭.୫% ମହିଳା ଭାଗ ନେଉଥିବା ବେଳେ ପୁରୁଷଙ୍କ ହାର ହେଉଛି ୫୫.୫%। ଆଜିର ସମୟରେ ମହିଳାଙ୍କ କର୍ମ ନିଯୁକ୍ତିକୁ ବିକାଶ ତଥା ପ୍ରଗତିର ଏକ ମୁଖ୍ୟ ପରିମାପକ ଭାବେ ପରିଗଣନା କରାଯାଉଛି। ଗୋଟିଏ ପଟେ ଆମେ ବିଶ୍ୱଗୁରୁ ହେବାର ବାହାସ୍ଫୋଟ ମାରୁଥିବା ବେଳେ ଆମ ଦେଶର ୮୦%ରୁ ଊର୍ଦ୍ଧ୍ୱ ମହିଳା ଶ୍ରମଶକ୍ତିରେ ଭାଗୀଦାରି ନୁହନ୍ତି। ଏହା ଯେତିକି ଲଜ୍ଜାଜନକ ସେତିକି ଚିନ୍ତାର ବିଷୟ। ଆମ ଦେଶରେ ଏତେ ସଂଖ୍ୟକ ମହିଳା ଶ୍ରମଶକ୍ତିରୁ ବାହାରେ ରହିବା ଏକାଧାରାରେ ଅନେକ ଢାଞ୍ଚାଗତ ଦୁର୍ବଳତା ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆମ ଶିକ୍ଷା ବ୍ୟବସ୍ଥା, ଦକ୍ଷତା ବୃଦ୍ଧି ଯୋଜନା ଆଦିର କାର୍ଯ୍ୟ ଦକ୍ଷତା ଉପରେ ଏହି ତଥ୍ୟ ଏକ ବିରାଟ ପ୍ରଶ୍ନବାଚୀ ଠିଆ କରୁଛି। ଶ୍ରମଶକ୍ତିରେ ମହିଳା ଓ ପୁରୁଷଙ୍କ ଭାଗୀଦାରିତା ତଥ୍ୟକୁ ଦେଖିଲେ ଆମ ସମାଜର ପୁରୁଷ ପ୍ରାଧାନ୍ୟତା ଅଧିକ ସ୍ପଷ୍ଟ ଭାବେ ଉଜାଗର ହୋଇ ଦିଶୁଛି।
ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରିକୁ ବଢ଼େଇବା ପାଇଁ ବେଶ୍‌ କିଛି ବର୍ଷ ହେବ ସରକାର ଚେଷ୍ଟିତ ଅଛନ୍ତି ବୋଲି ଦର୍ଶାଉଛନ୍ତି। ମହିଳାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବୃତ୍ତି ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ତାଲିମ୍‌ ପ୍ରଦାନ କରିବା, ସଂରକ୍ଷଣ ପ୍ରଦାନ କରିବା ଆଦି ବିଭିନ୍ନ ପ୍ରକାର ଯୋଜନା ଆମ ଦେଶରେ କାର୍ଯ୍ୟକାରୀ ହେଉଛି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଏହି ସବୁ ପ୍ରୟାସ ଆଦୌ ବି ସଫଳ ହୋଇପାରିନାହଁି, ଯାହା ସଦ୍ୟତମ ତଥ୍ୟରୁ ଜଣାଯାଉଛି। ଉପରୋକ୍ତ ଯୋଜନାଗୁଡ଼ିକର ସୁଚାରୁ ରୂପେ ପ୍ରଣୟନରେ ବିଫଳତା, ସାମାଜିକ ପ୍ରଥା, ପରମ୍ପରା ତଥା ନୀତି ନିୟମ ଆଦି ଅନେକ କାରଣ ଏହା ପଛରେ ରହିଛି। ତଥ୍ୟ ଅନୁସାରେ ୫୧.୫% ମହିଳା ଯେଉଁମାନେ ଧନ୍ଦାମୂଳକ ତଥା ଜ୍ଞାନକୌଶଳ ଦକ୍ଷତା ବୃଦ୍ଧି ତାଲିମ୍‌ ନେଇଥିଲେ, ସେମାନେ ଶ୍ରମଶକ୍ତିରୁ ବାହାରି ଯାଇଛନ୍ତି ଓ ୧୦% ମହିଳା କୌଣସି ପ୍ରକାର କର୍ମନିଯୁକ୍ତି ପାଇନାହାନ୍ତି। ଅନ୍ୟପକ୍ଷରେ କର୍ମ ନିଯୁକ୍ତିରେ ଥିବା ମହିଳାଙ୍କ ମଧ୍ୟରୁ ୫୪.୮% ମହିଳା ଅଣସଂଗଠିତ ଓ ଅନୌପଚାରିକ କ୍ଷେତ୍ରରେ କର୍ମ ନିଯୁକ୍ତ ଅଛନ୍ତି।
ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି କମିବାର ମୁଖ୍ୟ କାରଣ ହେଉଛି, ଆମ ଶିକ୍ଷା ବ୍ୟବସ୍ଥା ଓ ଶ୍ରମଶକ୍ତି ଭାଗୀଦାରି ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କର ଅଭାବ। ଦେଖାଯାଉଛି ଯେ, ଅତ୍ୟନ୍ତ ନିମ୍ନ ସ୍ତରର ଶିକ୍ଷା କ୍ଷେତ୍ରରେ ଯାହି ତାହି ଶାରୀରିକ ଶ୍ରମଭିତ୍ତିକ, ଅଣକୁଶଳୀ ନିମ୍ନ ସ୍ତରର ନିଯୁକ୍ତି ମିଳିଯାଉଥିବା ବେଳେ ଅତି ଉଚ୍ଚ ସ୍ତରର ଶିକ୍ଷାପ୍ରାପ୍ତ କ୍ଷେତ୍ରରେ ଉଚ୍ଚ ପଦବୀର କର୍ମ ନିଯୁକ୍ତି ମିଳୁଛି। କିନ୍ତୁ ମଧ୍ୟମ ସ୍ତରର ଶିକ୍ଷା କ୍ଷେତ୍ରରେ କର୍ମ ନିଯୁ୍‌କ୍ତି ମିଳିବା ସମ୍ଭବ ହୋଇପାରୁନାହଁି। ସେମାନେ ନା ତଳସ୍ତରର କର୍ମ ନିଯୁକ୍ତିକୁ ଗ୍ରହଣ କରିପାରୁଛନ୍ତି ନା ଉଚ୍ଚ ସ୍ତରର କର୍ମ ନିଯୁକ୍ତି ପାଇପାରୁଛନ୍ତି! ଅର୍ଥାତ୍‌ ଯେଉଁମାନେ ଅତି କମ୍‌ ପଢ଼ିଛନ୍ତି ସେମାନେ ଯାହି ତାହି ଭାବେ କିଛି ଅଣକୁଶଳୀ କର୍ମ ନିଯୁକ୍ତି ପାଉଥିବା ବେଳେ ଉଚ୍ଚ ଶିକ୍ଷା ଲାଭ କରିଥିବା ମହିଳାମାନେ କିଛି କର୍ମ ନିଯୁକ୍ତି ପାଉଛନ୍ତି। କିନ୍ତୁ ମଧ୍ୟମ ସ୍ତରର ଶିକ୍ଷା ଲାଭ କରିଥିବା ଅର୍ଥାତ୍‌ ଉଚ୍ଚ ବିଦ୍ୟାଳୟ କିମ୍ବା ମାଧ୍ୟମିକ ବିଦ୍ୟାଳୟ ଯାଏ ପଢ଼ିଥିବା ମହିଳାମାନେ କର୍ମନିଯୁକ୍ତି ପାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହା ହିଁ ଆମ ଶିକ୍ଷା ବ୍ୟବସ୍ଥାର ସବୁଠୁ ବଡ଼ ଦୁର୍ବଳତା। ଆମ ବ୍ୟବସ୍ଥା ଶିକ୍ଷିତ ମହିଳାମାନଙ୍କ ପାଇଁ କାମ ଯୋଗାଇ ପାରୁନାହିଁ। ଚିନ୍ତାର ବିଷୟ , ଉଭୟ ଶ୍ରମଶକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଂଶଗ୍ରହଣ କରୁଥିବା ସାବାଳିକା ମହିଳାଙ୍କ ପ୍ରତିଶତ ୫୫ରୁ ୬୦ ମଧ୍ୟରେ। ଆହୁରି ଦେଖାଯାଉଛି ଯେ, ପରିବାରର ଖରାପ ଆର୍ଥିକ ପରିସ୍ଥିତି ସମୟରେ କର୍ମକ୍ଷେତ୍ରକୁ ପ୍ରବେଶ କରୁଥିବା ମହିଳାମାନେ ସମୟକ୍ରମେ ପରିବାରର ସ୍ଥିତି ସୁଧୁରିଲେ କର୍ମ ନିଯୁକ୍ତିରୁ ବାହାର ହୋଇଯାଉଛନ୍ତି। ଏହା ପଛରେ ଆମ ସମାଜରେ ମହିଳାମାନଙ୍କ କାମ କରିବାକୁ ନେଇ ଥିବା ନକାରାତ୍ମକ ଭାବନା ହିଁ କାରଣ। ଲୋକମାନେ ଭାବୁଛନ୍ତି, ଯଦି ପରିସ୍ଥିତି ଠିକ୍‌ଠାକ୍‌ ଅଛି, ତେବେ ଜଣେ ମହିଳାର କର୍ମନିଯୁକ୍ତିର ଆବଶ୍ୟକତା ନାହିଁ। କାରଣ ମହିଳାଙ୍କ କାମ ହେଲା ଘର ସମ୍ଭାଳିବା, ଏଭଳି ଏକ ପଥର ଖୋଦେଇ ନିୟମ ସମାଜରେ ବଳବତ୍ତର ଅଛି। ବିବାହ କରିସାରିବା ପରେ ଅନେକ ମହିଳା ମଧ୍ୟ କର୍ମକ୍ଷେତ୍ର ପରିତ୍ୟାଗ କରି ଘରକରଣାକୁ ଆପଣେଇ ନେବା ପରି ଘଟଣା ବହୁଳ ଭାବେ ଦେଖାଯାଉଛି। ଆମ ସମାଜରେ ଆଉ ଗୋଟିଏ କଥା ଦେଖାଯାଏ, ଯଦି କର୍ମନିଯୁକ୍ତିର ଅଭାବ ଅଛି, ତେବେ ସାଧାରଣ ଧାରଣା ପୋଷଣ କରାଯାଏ ଯେ କର୍ମନିଯୁକ୍ତି ଉପରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଧିକାର ଅଧିକ ଅଛି। ‘ପିଉ’ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନର ତଥ୍ୟ ଅନୁସାରେ ୮୪ ପ୍ରତିଶତ ଭାରତୀୟ ଏହା ବିଶ୍ୱାସ କରିଥାନ୍ତି। ଏହା ଆମ ସମାଜର ପୁରୁଷ ପ୍ରାଧାନ୍ୟତାକୁ ସ୍ପଷ୍ଟ ଭାବେ ସୂଚାଉଛି। ମହିଳାମାନେ ମଧ୍ୟ ପୁରୁଷମାନଙ୍କ ପରି ମୁକ୍ତ ଭାବେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରନ୍ତି ନାହିଁ କିମ୍ବା ନିଜ କର୍ମନିଯୁକ୍ତିର ଆବଶ୍ୟକତା ଅନୁସାରେ ସ୍ଥାନ ପରିବର୍ତ୍ତନ କରିପାରନ୍ତି ନାହିଁ। କାରଣ ମହିଳାଟିଏ ନିଜ ନିଷ୍ପତ୍ତି ନିଜେ ନେଇପାରେ ନାହିଁ ଓ ପରିବାରର ରକ୍ଷଣାବେକ୍ଷଣର ଦାୟିତ୍ୱ ପ୍ରଥମତଃ ମହିଳାଙ୍କର ବୋଲି ବିଚାର କରାଯାଏ। ଗତ ଦଶ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରୁ ଯାଇ ସହରାଞ୍ଚଳରେ କର୍ମନିଯୁକ୍ତି ପାଇଥିବା ମହିଳାଙ୍କ ସଂଖ୍ୟାରେ ମାତ୍ର ୦.୨୪% ବୃଦ୍ଧି ହୋଇଛି। ଏହି ଅଭିବୃଦ୍ଧି ଅତ୍ୟନ୍ତ ନଗଣ୍ୟ। ଏତଦ୍‌ବ୍ୟତୀତ କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗେଇ ଦେବାରେ କର୍ମନିଯୁ୍‌କ୍ତି ବ୍ୟବସ୍ଥା ମଧ୍ୟ ଆଶାନୁରୂପ ଭାବେ ସଫଳ ହୋଇପାରି ନାହିଁ। ଅନେକ ମହିଳା ପରିସ୍ଥିତିରେ ପଡ଼ି ବାଧ୍ୟବାଧକତାରେ କାମ କରୁଛନ୍ତି ନଚେତ୍‌ କାମ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ତଥ୍ୟ ଅନୁସାରେ ଉଚ୍ଚ ସାମାଜିକ ଓ ଆର୍ଥିକ ବର୍ଗର ମହିଳାମାନଙ୍କ ଅପେକ୍ଷା ଦୁର୍ବଳ ସାମାଜିକ ଆର୍ଥିକ ବର୍ଗର ମହିଳାମାନେ ଅଧିକ ପରିମାଣରେ କର୍ମନିଯୁକ୍ତି କ୍ଷେତ୍ରରେ ଅଛନ୍ତି। ଏଥିରୁ ବୁଝିହେଉଛି ଯେ, ମହିଳାମାନେ ନିଜ ପସନ୍ଦ ଅନୁସାରେ କର୍ମ କ୍ଷେତ୍ର ଚୟନ କରିପାରୁନାହାନ୍ତି। ବାଧ୍ୟବାଧକତାରେ ତଥା ପରିସ୍ଥିତିର ଚାପରେ ଯାହିତାହି କର୍ମନିଯୁକ୍ତିକୁ ଆପଣେଇ ପରିବାରର ଗୁଜୁରାଣ ମେଣ୍ଟେଇବାକୁ ଚେଷ୍ଟା କରୁଛନ୍ତି। ଶ୍ରମ ବିଭାଗର ତଥ୍ୟ ଅନୁସାରେ ଏହି ସବୁ ନିମ୍ନ ବର୍ଗର ମହିଳାମାନେ କର୍ମକ୍ଷେତ୍ରରେ ମୌଳିକ ସୁବିଧା ସୁଯୋଗରୁ ବି ବଞ୍ଚିତ ହେଉଛନ୍ତି। ସେମାନଙ୍କ ସହିତ କୌଣସି ଲିଖିତ ଚୁକ୍ତି ହେଉନାହିଁ, କମ୍‌ ଦରମା ମିଳୁଛି ଓ ସ୍ବଳ୍ପ ଅବଧି କାମରେ ନିଯୁକ୍ତି ଦିଆଯାଉଛି। ଶ୍ରମ ବିଭାଗ ତରଫରୁ ହୋଇଥିବା ଏହି ଅଧ୍ୟୟନରେ କେବଳ ମହିଳାମାନଙ୍କର ଶ୍ରମଶକ୍ତିରେ ଭାଗୀଦାରି ବିଷୟରେ ଉଲ୍ଲେଖ ହୋଇଛି। କିନ୍ତୁ ଉପଯୁକ୍ତ ଗୁଣବତ୍ତା ଭିତ୍ତିକ କାମ, କାର୍ଯ୍ୟ ସ୍ଥଳରେ ଯୌନ ନିର୍ଯାତନା, ଯିବା ଆସିବାରେ ସ୍ବଚ୍ଛନ୍ଦତା, ସମୟର ସଦୁପଯୋଗ ଆଦି ବିଷୟରେ ବେଶି କିଛି କୁହାଯାଇନାହିଁ। କେବଳ ନ୍ୟାସ୍‌ନାଲ୍‌ କ୍ରେଚ୍‌ ଯୋଜନା ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବାଦ୍‌ ଦେଲେ ଅନ୍ୟ କୌଣସି ସରକାରଙ୍କ ଜୀବନଜୀବିକା ଯୋଜନାରେ ମହିଳାଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ଦେବାର ବ୍ୟବସ୍ଥା ନାହିଁ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ମହିଳାମାନଙ୍କୁ ତାଲିମ୍‌ ଦିଆଯାଇ ଭିନ୍ନ ଭିନ୍ନ ସଂସ୍ଥାରେ କର୍ମନିଯୁକ୍ତି ଦିଆଯାଉଛି। ଯେଉଁ ଘରୋଇ ସଂସ୍ଥାମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଉଛନ୍ତି, ସେମାନେ ସଂଖ୍ୟା ଆଧାରରେ ଅର୍ଥାତ୍‌ କେତେ ଜଣଙ୍କୁ ତାଲିମ୍‌ ଦେଲେ ଓ କେତେ ଜଣଙ୍କୁ ନିଯୁକ୍ତି କରେଇଲେ, ସେହି ହିସାବରେ ସରକାରଙ୍କଠାରୁ ଅର୍ଥ ପାଉଛନ୍ତି। କିନ୍ତୁ ଦେଖାଯାଉଛି ଯେ, ସେମାନେ କେବଳ ସଂଖ୍ୟା ବଢ଼ାଇବା ପାଇଁ ମହିଳାମାନଙ୍କୁ ଯାହିତାହି ଭିନ୍ନ ଭିନ୍ନ ଘରୋଇ କମ୍ପାନୀରେ ନିଯୁକ୍ତ କରିଦେଉଛନ୍ତି। ବହୁତ କ୍ଷେତ୍ରରେ ଦେଖାଯାଉଛି ଯେ, ନିଯୁକ୍ତି ଦେଉଥିବା କମ୍ପାନୀମାନେ ମାସେ ଦୁଇମାସ ଭିତରେ ମହିଳାମାନଙ୍କୁ ବାହାର କରିଦେଉଛନ୍ତି ନଚେତ୍‌ ଏମିତି ପରିସ୍ଥିତି ତିଆରି କରୁଛନ୍ତି, ଯେପରି ମହିଳାମାନେ ନିଜେ ନିଜେ ଛାଡ଼ି ଚାଲିଯିବେ। ତେଣୁ ଏହି ଯୋଜନାଗୁଡ଼ିକ ଆଜି କେବଳ ପରିହାସ ହୋଇ ରହିଯାଇଛି। ଏହି ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଉପରୋକ୍ତ ଯୋଜନା ଦ୍ୱୟରେ କେବଳ ମହିଳାମାନଙ୍କର ସଂଖ୍ୟାକୁ ଗଣିବା ବ୍ୟତୀତ ଯୋଜନାର ଗୁଣାତ୍ମକ କାର୍ଯ୍ୟାନ୍ବୟନକୁ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି।
ଆମ ସମାଜର ଗୁଣାତ୍ମକ ବିକାଶ ପାଇଁ ପୁରୁଷ ଓ ମହିଳା ଉଭୟଙ୍କୁ ସମାନ ଭାବରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ମହିଳାମାନଙ୍କୁ କେବଳ ଘର ଭିତରେ ସୀମିତ ରଖି ଯଦି ଆମେ ଏକ ବିକଶିତ ଦେଶର ସ୍ବପ୍ନ ଦେଖିବା ବା ବିଶ୍ୱଗୁରୁ ହେବାର ପରିକଳ୍ପନା କରିବା ତେବେ ତାହା କେବଳ ପରିକଳ୍ପନାରେ ହିଁ ରହିଯିବ, ବାସ୍ତବତାରେ ପରିଣତ ହୋଇପାରିବ ନାହିଁ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri