Categories: ଖେଳ

ମହିଳା ଦିନିକିଆ ସିରିଜ: ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିଲା

ଲକ୍ଷ୍ନୌ,୧୮।୩: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା ଦଳ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦକ୍ଷିଣ ଆଫ୍ରିକା ୪-୧ରେ ସିରିଜ ହାତେଇ ନେଇଛି। ଦକ୍ଷିଣ ଆଫ୍ରିକାର ଲିଜେଲ ଲି ପ୍ଲେୟର ଅଫ୍‌ ଦି ସିରିଜ ଓ ଆନେକ ବୋସ୍କ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଦୀର୍ଘ ୧୨ ମାସ ପରେ ଭାରତ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ବେଳେ ଆରମ୍ଭରୁ ପରାଜୟର ସ୍ବାଦ ଚାଖିଛି। ଆସନ୍ତାବର୍ଷ ଦିନିକିଆ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ସିରିଜ ପରାଜୟ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି।
ବୁଧବାର ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟିକା ମିଥାଲି ରାଜଙ୍କ ୭୯ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ୪୯.୩ ଓଭରରେ ମାତ୍ର ୧୮୮ ରନକରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୮.୨ ଓଭରରେ ୫ ଉଇକେଟ ହରାଇ ୧୮୯ ରନ କରି ବିଜୟୀ ହୋଇଥିଲା।
୧୮୯ ରନ ଟାର୍ଗେଟ୍‌ର ପିଛା କରି ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ଫେଲ୍‌ ମାରିଥିଲା। ତେବେ ମିଡ୍‌ଲ ଅର୍ଡର ବ୍ୟାଟ୍ସଓମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ। ଓପନର ତଥା ଅଧିନାୟିକା ସୁନ ଲୁସ୍‌ ୧୦, ଲଉରା ଉଲଭର୍ଡଟ କୌଣସି ରନ୍‌ ନ କରି, ଲାରା ଗୁଡାଲ ୧ ରନକରି ଆଉଟ ହୋଇଥିଲେ। ୨୭ ରନରେ ଦକ୍ଷିଣ ଆଫ୍ରିକା ୩ଟି ଉଇକେଟ ହରାଇଥିଲା। ତେବେ ମିଗ୍‌ନନ ଡୁ ପ୍ରିଜ ୫୭, ଆନେକ ବୋସ୍କ ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସ୍ଥିତି ସମ୍ଭାଳିଥିଲେ। ମାରିଜନେ କାପ୍ପ ୩୬ ଓ ନାଡନ ଡି କ୍ଲର୍କ ୧୯ ରନକରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଭାରତ ପାଇଁ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୩, ଦୟାଲନ ହେମଲଥା ଓ ଚାଲୁରୁ ପ୍ରତ୍ୟୁଷା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ମିଥାଲି ଅପରାଜିତ ୭୯, ହରମନପ୍ରୀତ କୌର ୩୦ ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ନିମ୍ନକ୍ରମର ୬ଜଣ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଓପନର ପ୍ରିୟା ପୁନିଆ ୧୮, ସ୍ମୃତି ମାନ୍ଧନା ୧୮, ପୁନମ ରାଉତ ୧୦ ରନକରି ଆଉଟ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ବୋଲିଂରେ ନାଡିନ୍‌ ଡି କ୍ଲର୍କ ସର୍ବାଧିକ ୩, ନୋନଡୁମିସୋ ଶଙ୍ଗାଜ ଓ ଟୁମି ଶେଖୁଖୁନ୍‌ ୨ଟି ଲେଖାଏ, ମାରିଜନେ କାପ୍ପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତୀୟ ମହିଳା ଦଳ ୪୯.୩ ଓଭରରେ ୧୮୮, ଅଲଆଉଟ
(ମିଥାଲି- ୭୯*, ହରମନପ୍ରୀତ- ୩୦, କ୍ଲର୍କ- ୩/ ୩୫, ସେଖୁଖୁନ୍‌- ୨/୨୬, ଶଙ୍ଗାଜ- ୨/୪୩)।
ଦକ୍ଷିଣ ଆଫ୍ରିକା ମହିଳା ଦଳ ୪୮.୨ ଓଭରରେ ୧୮୯/୫
(ବୋସ୍କ- ୫୮, ମିଗନନ- ୫୭, ମାରିଜନେ କାପ୍ପ- ୩୬*, ରାଜେଶ୍ୱରୀ- ୩/୧୩) ।

Share