Categories: ଖେଳ

ମହିଳା କ୍ରିକେଟ: ଭାରତକୁ ୭ ଉଇକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ, ୧୫ା୩ (ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ ଉଇକେଟରେ ପରାସ୍ତ ହୋଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ଲାଭ କରିବା ସହ ଆଗୁଆ ସିରିଜ କବ୍‌ଜା କରିନେଇଛି। ଲିଜେଲି ଲି’ (୬୯), ଲଉରା ଭଲ୍‌ଭାଡଟ୍‌ (୫୩), ମିଗ୍‌ନନ୍‌ ଡୁ’ ପ୍ରିଜ୍‌ (୬୧) ଏବଂ ଲାରା ଗୁଡାଲ (୫୯*)ଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁ ୨୬୭ ରନ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୪୮.୪ ଓଭରରେ ୩ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ନୀତୁ ଡେଭିଡ୍‌ଙ୍କ ଅଧୀନରେ ନୂଆ କମିଟିର ଦୁର୍ବଳ ଦଳ ଚୟନ ଭାରତ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି। ଶେଫାଳି ବର୍ମାଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସଓମ୍ୟାନ ଏବଂ ଶିଖା ପାଣ୍ଡେଙ୍କ ଭଳି ଅଭିଜ୍ଞ ବୋଲରଙ୍କୁ ଉପେକ୍ଷା କରାଯାଇଥିଲା। ଫଳରେ ପୁନମ ରାଉତ (୧୦୪*)ଙ୍କ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ଏବଂ ଭେଟେରାନ ହରମନପ୍ରୀତ କୌରଙ୍କ ୩୫ ବଲ୍‌ରୁ ୫୪ରନ ବୃଥା ପ୍ରମାଣିତ ହୋଇଥିଲା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓପନିଂ ଯୋଡ଼ି ଲିଜେଲି ଲି’ ଓ ଅଧିନାୟିକା ଲଉରା ଭଲ୍‌ଭାଡଟ୍‌ ୨୩ ଓଭରରେ ପ୍ରଥମ ଉଇକେଟରେ ମୂଲ୍ୟବାନ ୧୧୬ରନ କରି ଦଳର ବ୍ୟାଟିଂ ମୂଳଦୁଆ ପକାଇଥିଲେ। ଉଭୟ ସତର୍କତା ଅବଲମ୍ବନ ସହ ଆକ୍ରମଣାତ୍ମକ ମଧ୍ୟ ଖେଳିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ମହିଳା ଦଳ: ୫୦ ଓଭରରେ ୨୬୬/୪ (ପୁନମ ରାଉତ-୧୦୪*, ହରମନପ୍ରୀତ କୌର-୫୪, ମିଥାଲି ରାଜ-୪୫, ପ୍ରିୟା ପୁନିଆ-୩୨; ଟୁମି ଶେଖୁହୁନେ-୨/୬୩)।
ଦକ୍ଷିଣ ଆଫ୍ରିକା ମହିଳା ଦଳ: ୪୮.୪ ଓଭରରେ ୨୬୯/୩ (ଲିଜେଲି ଲି’-୬୯, ମିଗ୍‌ନନ୍‌ ଡୁ’ ପ୍ରିଜ୍‌-୬୧, ଲାରା ଗୁଡାଲ-୫୯*, ଲଉରା ଓଲ୍‌ଭାଡଟ୍‌-୫୩; ହରମନପ୍ରୀତ କୌଦ-୧/୩୮)।

Share