ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ (CJM) କୋର୍ଟ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଛନ୍ତି।
ଗତ ଅକ୍ଟୋବର ମାସରେ ଅନିରୁଦ୍ଧାଚାର୍ଯ୍ୟଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ଯୁବତୀ ଏବଂ ବିବାହ ବିଷୟରେ ମନ୍ତବ୍ୟ ଦେଇଥିଲେ। ତାଙ୍କର ମନ୍ତବ୍ୟ ମହିଳାମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଥିଲା ଏବଂ ସୋସିଆଲ୍ ମିଡିଆରେ ଏହାର ବ୍ୟାପକ ସମାଲୋଚନା ହୋଇଥିଲା।
ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଆଗ୍ରା ଜିଲା ସଭାପତି ମୀରା ରାଠୋର ଏହି ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ ଏପରି ମନ୍ତବ୍ୟ ଧାର୍ମିକ ବ୍ୟକ୍ତିଙ୍କ ପାଇଁ ଶୋଭାପାଏ ନାହିଁ।
ମୀରା ରାଠୋର ପ୍ରଥମେ ବୃନ୍ଦାବନ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ଏଫ୍ଆଇଆର୍ ରୁଜୁ ହୋଇ ନ ଥିଲା। ଏହା ପରେ ସେ CJM କୋର୍ଟରେ ଅଭିଯୋଗ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ୧ ତାରିଖରେ କୋର୍ଟ ମୀରା ରାଠୋରଙ୍କ ବୟାନ ରେକର୍ଡ କରିବେ।
ବିବାଦ ବଢ଼ିବା ପରେ ଅନିରୁଦ୍ଧାଚାର୍ଯ୍ୟ ଏକ ସ୍ପଷ୍ଟୀକରଣ ଜାରି କରିଥିଲେ। ସେ କହିଥିଲେ ଯେ ତାଙ୍କ କଥାକୁ ଖଣ୍ଡିତ କରି ପ୍ରକାଶ କରାଯାଇଛି ଏବଂ ପୁରୁଷ ଓ ମହିଳା ଉଭୟଙ୍କ ବିଷୟରେ ସେ ମନ୍ତବ୍ୟ ଦେଇଥିଲେ, କାହାକୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା।


