କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସୀମା ଟପିଗଲା ଯୌତୁକ ନିର୍ଯାତନା। ୧ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ବାପଘର ଲୋକ ଅଭିଯୋଗ ଆଣି କହିଛନ୍ତି। ଏନେଇ ମୃତ ଝିଅଙ୍କ ବାପା କେସିଙ୍ଗା ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ୧୩.୩.୨୦୨୩ରେ ଏମ୍.ରାମପୁର ଥାନା ଅନ୍ତର୍ଗତ ବାଞ୍ଜିପଦର ( ସାପ ଲହରା) ଗ୍ରାମର କୌତୁକ ସାହୁ କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। କିଛି ମାସ ଭଲରେ ସ୍ବାମୀ ସ୍ତ୍ରୀ ରହି ଆସୁଥିଲେ। କିନ୍ତୁ ହଠାତ୍ ଜଗନ୍ନାଥଙ୍କ ପରିବାରର ବାପା, ମା’, ନଣନ୍ଦ ବୋହୂ ଉପରେ ୧ ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରିବା ସହ ଯୌତୁକ ଦାବି କରି ନିର୍ଯାତନା ଦେଇ ଶାରୀରିକ କଷ୍ଟ ଦେଉଥିଲେ। ଗତ ୬ ତାରିଖରୁ କ୍ଷୀରବତୀଙ୍କୁ ଖାଇବା ପିଇବା ଦେଇ ନ ଥିଲେ। କ୍ଷୀରବତୀ ବାପା କୌତୁକଙ୍କୁ ଫୋନ କରିବାରୁ ବୁଧବାର ଝିଅକୁ ଦେଖିବାକୁ ଆସିଥିଲେ। ଝିଅର ବାପା ନିଜ ସମ୍ପର୍କୀୟ ଘର ଶିରୋଳ ଗ୍ରାମକୁ ଯାଇଥିଲେ। ବୁଧବାର ରାତିରେ କୌତୁକଙ୍କ ସମୁଦି ରୋମାଞ୍ଚଳ ଫୋନ୍ କରି କହିଲେ ଯେ, ତୁମ ଝିଅ ବିଷ ପିଇଛି। କେସିଙ୍ଗା ହସ୍ପିଟାଲକୁ ନେଉଛୁ। ତୁମେ ଆସ ବୋଲି ଫୋନ କରିଥିଲେ। ଖବର ପାଇ ଝିଅର ବାପା ହସ୍ପିଟାଲ ଯାଇଥିଲେ। ଝିଅ ଚିକିତ୍ସା ଅବସ୍ଥାରେ କହିଥିଲେ ଯେ, ବାପା ମୋତେ ସ୍ବାମୀ, ଶ୍ୱଶୁର, ଶାଶୁ, ନଣନ୍ଦ ମୋ’ ପାଟିରେ ଜବରଦସ୍ତି ବିଷ ପିଆଇ ଦେଇଛନ୍ତ। ଅତି ସଙ୍କଟାପନ୍ନ ଦେଖା ଦେବାରୁ ଭବାନୀପାଟଣାକୁ ରେଫର କରାଯାଇଛି। କିନ୍ତୁ ଭବାନୀପାଟଣା ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଝିଅର ବାପା କୌତୁକ ସାହୁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର ବିଶ୍ବାଳଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ପ୍ରକୃତ ସତ୍ୟ ଘଟଣା ହୁଏ ତେବେ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ।


