ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର ଛାତ ଉପରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଛାତରୁ ତଳକୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ଜ୍ୟୋସ୍ନା ନାୟକ (୨୪)।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ଜ୍ୟୋସ୍ନା ଗାଧୋଇ ସାରି ଘର ଛାତ ଉପରେ ଲୁଗା ଶୁଖାଉଥିଲେ। ତେବେ ଘର ଛାତ ନିକଟ ଦେଇ ଯାଇଥିବା ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅସାବଧାନତାବଶତଃ ସେ ଆସିଯାଇଥିଲେ। ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବାରୁ ସେ ଛିଞ୍ଚାଡ଼ି ହୋଇ ସିଧା ଛାତ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କର ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG)କୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Dharitri – Odisha’s No.1 Odia Daily

Share