କୋରାପୁଟ,୨୬।୫(ଅମିତାଭ ବେହେରା ): କୋରାପୁଟ ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜଣେ ମହିଳା କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି । କୋରାପୁଟ ସହରର ସଂଗୀତା ମୁଦୁଲି ଦୀର୍ଘ ୧୨ ବର୍ଷ ଧରି ସ୍ଥାନୀୟ ମାନସ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ହେଲେ ଏକ ବର୍ଷ ପୂର୍ବରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ସହ ଏକ ବର୍ଷର ଦରମା ମଧ୍ୟ ବାକି ରହିଥିବା ସେ ଅଭିଯୋଗ କରିଛନ୍ତି।
ବାକେୟା ଦରମା ପ୍ରଦାନ କରିବା ସହ ପୁନର୍ବାର ଚାକିରିରେ ଥଇଥାନ କରିବା ପାଇଁ ସେ ବାରମ୍ବାର ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସହଯୋଗ ମିଳୁନଥିବା କହିଛନ୍ତି । ଶେଷରେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ ତାଙ୍କୁ ୬ ମାସର ଦରମା ପ୍ରଦାନ କରାଯାଇଥିଲା। କିନ୍ତୁ ଅବଶିଷ୍ଟ ୬ ମାସର ଦରମା ବିଭାଗ ପ୍ରଦାନ କରୁନଥିବା ଏବଂ ବିଭିନ୍ନ ବାହାନା କରୁଥିବା ସେ ଅଭିଯୋଗ କରିଛନ୍ତି । ଆଜି ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣିରେ ମହିଳା ଜଣଙ୍କ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ। ଏନେଇ କୋରାପୁଟ ଜିଲାପାଳ ମନୋଜ ସତ୍ୟୱାନ ମହାଜନ ପଚାରିବାରୁ ସରକାରୀ ନିୟମ ଅନୁଯାୟୀ ମହିଳାଙ୍କୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

