ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡି ପୋଲିସର ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ହାୱଡା ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତକ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ପାରଳାଖେମୁଣ୍ଡି ଆସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନାନୁସାରେ, ଉତ୍ତର ୨୪ ପ୍ରଗଣା ଜିଲାର ଜଣେ ୧୬ ବର୍ଷିୟ ନାବାଳିକା ଗତ ଜୁଲାଇ ୩୧ ତାରିଖରେ ନିଖୋଜ ହୋଇଥିଲେ। ଏନେଇ ଅଗଷ୍ଟ ୧ ତାରିଖରେ ପରିବାର ପକ୍ଷରୁ ହାୱଡା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ହାୱଡା ଥାନାରେ କେସ୍‌ ନଂ ୪୭୭/୨୦୨୬ ରେ ବିଏନ୍‌ଏସ୍‌ର ଧାରା ୧୩୭(୨)/୧୪୦(୩) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ସମୟରେ ନାବାଳିକାଙ୍କ ସହ ଉକ୍ତ ମହିଳାଙ୍କର ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗ ଥିବା ତଥ୍ୟ ପୋଲିସ ହାତରେ ଲାଗିଥିଲା। ପରବର୍ତ୍ତୀ ତଦନ୍ତରୁ ନାବାଳିକାଙ୍କୁ ପଶ୍ଚିମବଙ୍ଗରୁ ପାରଳାଖେମୁଣ୍ଡି ଆଣିବାରେ ସେହି ମହିଳାଙ୍କର ପ୍ରମୁଖ ଭୂମିକା ଥିବା ଅଭିଯୋଗ ହୋଇଛି।

ପଶ୍ଚିମବଙ୍ଗ ପୋଲିସ ମହିଳାଙ୍କୁ ଗିରଫ କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଇ ଅଧିକ ତଦନ୍ତ ନିମନ୍ତେ ପଶ୍ଚିମବଙ୍ଗକୁ ଧରି ନେଇଥିବା ସୂଚନା ମିଳିଛି। ଘଟଣାରେ ମହିଳାଙ୍କ ପ୍ରକୃତ ଭୂମିକା ଏବଂ ନାବାଳିକାଙ୍କୁ ପାରଳାଖେମୁଣ୍ଡି ଆଣିବାର ମୂଳ କାରଣ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗିରଫ ମହିଳା ଜଣକ ଅଜିତ୍ ଷଡ଼ଙ୍ଗୀଙ୍କ ପତ୍ନୀ ଝୁନି ଜେନା ହୋଇଥିବା ବେଳେ ତାଙ୍କର ମୂଳ ଘର ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମରେ ବୋଲି ଜଣାପଡିଛି।

Dharitri – Odisha’s No.1 Odia Daily

Share