ଶୀତଦିନିଆ ଖାଦ୍ୟ

ଶୀତଦିନ ଖାଇବାର ମଜା ନେବା ଋତୁ। ବଜାର ସାରା ଆକର୍ଷଣୀୟ, ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ତେଣୁ ଏହି ଋତୁଟା ରସନା ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ସ୍ବତନ୍ତ୍ର। ହେଲେ, କେଉଁ ସବୁ ଶାଗ ଓ ପରିବାପତ୍ର ଅତି ସୁଲଭ ମୂଲ୍ୟରେ ମିଳିଥାଏ ଶୀତଦିନେ? ପୁଣି କେଉଁ ଦିଗରୁ ସେଗୁଡ଼ିକ ଆମ ପାଇଁ ହିତକର? ସେ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଉଛି।
ଶାଗ : ଶୀତଦିନେ ବେଶି ମିଳେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ। ଶାଗ ମାତ୍ରକେ ଭିଟାମିନ୍‌-‘ଏ’ (ବିଟା-ଭିଟାମିନ୍‌), ଭିଟାମିନ୍‌ ‘ସି’, ଭିଟାମିନ ‘ଇ’, ଫଲିକ୍‌ ଏସିଡ, ଲୌହ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଇତ୍ୟାଦି ଉପାଦାନରେ ସମୃଦ୍ଧ। ଶାଗରେ ତନ୍ତୁଜାତୀୟ ଉପାଦାନର ପରିମାଣ ବେଶି, କ୍ୟାଲୋରୀର ପରିମାଣ କମ୍‌। ଶାଗରୁ ମଧ୍ୟ ମିଳେ ଅତି ଉପକାରୀ ‘ଓମେଗା ଥ୍ରୀ’ ନାମକ ଫ୍ୟାଟ୍‌ ବା ସ୍ନେହସାର। ଶାଗରେ ଥାଏ ବିଟା କାରୋଟିନ୍‌ ଭିଟାମିନ ‘ସି’, ଭିଟାମିନ୍‌ ‘ଇ’, ଚାକୋସାଇନୋଲେଟ୍‌, ଆଇସୋଥାୟୋସାୟିନେଟ୍‌ ଓ ଫ୍ଲାଭୋନଏଡସ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ। ତେଣୁ ନିୟମିତ ଶାଗ ଖାଇଲେ ରକ୍ତହୀନତା, ହୃଦ୍‌ରକ୍ତନଳୀରୋଗ, ଡାଇବେଟିସ୍‌, କାଟାରାକ୍ଟ, ପୃଥୁଳତା, କୋଷ୍ଠକାଠିନ୍ୟ ଏବଂ ବିଭିନ୍ନ ପ୍ରକାର କ୍ୟାନ୍ସର ଜାତ ହେବାରେ ଆଶଙ୍କା ହ୍ରାସପାଏ। ଏହି ସବୁ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କଠାରେ ରୋଗର ଉପଶମ ମଧ୍ୟ ସୁଗମ ହୋଇଯାଏ। ଖୁବ୍‌ ସୀମିତ କ୍ଷେତ୍ରକୁ ଛାଡ଼ିଦେଲେ ଡାକ୍ତରମାନେ ଶାଗ ଖାଇବା ପାଇଁ ବାରଣ କରି ନ ଥାନ୍ତି ବରଂ ଉତ୍ସାହିତ କରନ୍ତି।
ଗାଜର, ବିଟ୍‌ ଓ କନ୍ଦମୂଳ : ଶୀତଦିନେ ତଟକା ଗାଜର, ବିଟ୍‌ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ଗାଜରରୁ ମିଳେ ବିଟାକାରୋଟିନ୍‌ ଭିଟାମିନ୍‌ ‘ସି’, ସାଆନିଡିନ୍‌, ଲିଉଟିନ୍‌ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ। ବିଟ୍‌ରୁ ବେଶି ମିଳେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ‘କେ’, ପୋଟାସିୟମ୍‌ ଓ ଫୋଲେଟ୍‌। ଜୁସ୍‌ ହିସାବରେ ଏହା ଖୁବ୍‌ ଉପଯୋଗୀ। କନ୍ଦମୂଳରେ ରହିଛି ବିଟା କାରୋଟିନ୍‌ ଓ ଭିଟାମିନ୍‌ ‘ସି’ ଭଳି ଆଣ୍ଟି ଅକ୍ସିଡାଣ୍ଟ ଓ ବେଶି ଖାଦ୍ୟତନ୍ତୁ। କନ୍ଦମୂଳ ଆଳୁଠାରୁ ମିଠା। କିନ୍ତୁ ଏଥିରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ କମ୍‌ ଥିବାରୁ ଏହାକୁ ଖାଇଲେ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ବିଶେଷ ବଢ଼ି ନ ଥାଏ।
ମୂଳା, ଫୁଲକୋବି, ବନ୍ଧାକୋବି, ଓଲ୍‌କୋବି ଓ ବ୍ରୋକୋଲି : ମୂଳା ଓ କୋବି ହେଉଛି ବ୍ରାସିକା ପରିବାରର। ମୂଳା ଏକ ମୂଳଜାତୀୟ ପରିବା ଓ ଏହାକୁ ଶୀତଦିନେ ଖାଇବାକୁ ଭଲ ଲାଗେ। ମୂଳାରେ ରହିଥାଏ ଅଧିକ ଭିଟାମିନ୍‌, ଖଣିଜ ଲବଣ ଏବଂ କାଟେଚିନ୍‌, ପାଇରୋଗାଲ୍ଲୋଲ, ଭାନିଲିନ୍‌ ଏବଂ ଅନ୍ୟାନ୍ୟ ଫିନୋଲିକ୍‌ ଯୌଗିକ ଭଳି ଆଣ୍ଟି ଅକ୍ସିଡାଣ୍ଟ। ଏହାର କ୍ୟାଲୋରି ମାତ୍ରା ଓ ଶ୍ୱେତସାର ଏବଂ ସ୍ନେହସାର ମାତ୍ରା କମ୍‌। ତେଣୁ ଡାଇବେଟିସ୍‌ ଓ ପୃଥୁଳ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ। ଉଚ୍ଚ ରକ୍ତଚାପରୋଗୀ ଓ ହୃଦ୍‌ ରୋଗୀମାନଙ୍କ ପାଇଁ ଏହା ଉପକାରୀ ଏବଂ ସାଲାଡ ପାଇଁ ଉପଯୋଗୀ। ଏଗୁଡ଼ିକୁ ତଟକା ଖାଇବା ଦରକାର। ଏଗୁଡ଼ିକରେ କ୍ୟାଲୋରି କମ୍‌, ଶ୍ୱେତସାର ଓ ସ୍ନେହସାର କମ୍‌ ରହୁଥିବାରୁ ହୃଦ୍‌ରୋଗୀ, ଡାଇବେଟିସ୍‌ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ ଓ ପୃଥୁଳତା ଆକ୍ରାନ୍ତ ରୋଗୀମାନେ ଏଗୁଡ଼ିକୁ ଯେତେଇଚ୍ଛା ସେତେ ଖାଇପାରିବେ। ଆଲଜିମର୍ସ ଓ ଡିମେନ୍‌ସିଆ ଆଶଙ୍କାକୁ ମଧ୍ୟ ଏହା କେତେକାଂଶରେ ହ୍ରାସ କରିଥାଏ।
ଶିମ୍ବ, ବିନସ୍‌, ଟମାଟୋ : ଶିମ୍ବରୁ ମିଳେ ‘ଡେଡଜେନ୍‌’ ଜାତୀୟ ବିଶେଷ ଧରଣର ଆଇସୋଫ୍ଲାଭୋନ୍‌, ଯାହା ବ୍ରେଷ୍ଟ କ୍ୟାନ୍‌ସର ବିରୋଧୀ। ଶିମ୍ବରେ ଥିବା ବିଟା ସାଇଟୋଷ୍ଟିରଲ ନିବାରଣ କରେ ଉଚ୍ଚ ରକ୍ତଚାପ ଏବଂ ଏଲ୍‌-ଡୋପା ନାମକ ଉପାଦାନଟି ପାର୍‌କିନ୍‌ସନ୍‌ ରୋଗ ପ୍ରତିରୋଧ କରିବା ସହ ମିଜାଜକୁ ଭଲ ରଖେ। ବିନ୍‌ସରେ ଅଛି ଅଧିକ ପରିମାଣର ଭିଟାମିନ୍‌ ସି, ଲିଉଟିନ୍‌, ଜିଜାନ୍‌ଥିନ୍‌ ଜାତୀୟ ଅତି ଫଳପ୍ରଦ ଆଣ୍ଟି ଅକ୍ସିଡାଣ୍ଟ। ଏଥିରୁ ମଧ୍ୟ ମିଳେ ବେଶି ଖାଦ୍ୟତନ୍ତୁ। ନିୟମିତ ଭାବରେ ବିନ୍‌ସ ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ଏବଂ ଡାଇବେଟିସ, ହୃଦ୍‌ରୋଗ, କାଟାରିକ୍ଟ ଆଦି ରୋଗ ଜାତ ହେବାର ଆଶଙ୍କା ହ୍ରାସ ପାଏ। ଲାଲ୍‌ ଟକ୍‌ ଟକ୍‌ ଟମାଟୋ ହେଉଛି ଶୀତ ଋତୁର ସୌନ୍ଦର୍ଯ୍ୟ, ଭିଟାମିନ୍‌ ‘ସି’, ଲାଇକୋପିନ୍‌, କାନ୍ଥାଜାନ୍ଥିନ୍‌, ବିଟା କାରୋଟିନ୍‌, କ୍ଲୋରୋଜେନିକ୍‌ ଏସିଡ ଓ କୋଲିନ୍‌ ଆଦି ଏହାର ଉପାଦାନ କ୍ୟାନ୍‌ସର ଆଶଙ୍କା ଦୂର କରିବାରେ ସହାୟକ ହୋଇଥାଏ। ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଡାଇବେଟିସ୍‌, ପୃଥୁଳତା ଓ ମାନସିକ ଅବସାଦ ଇତ୍ୟାଦି ରୋଗରେ ଏହାକୁ ନିରାପଦରେ ଖିଆଯାଇପାରେ। ଟମାଟୋକୁ ‘ଶୀତଋତୁର ଗର୍ବ’ ବୋଲି କୁହାଯାଇଥାଏ। ଆମର ଅତି ପରିଚିତ ବାଇଗଣ ମିଳିଥାଏ ସବୁ ଋତୁରେ। ଏଥିରେ ଶ୍ୱେତସାର, ସ୍ନେହସାର ଓ କ୍ୟାଲୋରିର ମାତ୍ରା କମ୍‌। ଡାଇବେଟିସ୍‌, ହୃଦରୋଗୀ, ପୃଥୁଳକାୟ ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପାଦେୟ। ଏଥିରେ ଥିବା ନାସୁନିନ୍‌ ଓ କ୍ଲୋରୋଜେନିକ୍‌ ଏସିଡ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ କ୍ୟାନ୍‌ସର ପ୍ରତିରୋଧୀ।
ଫଳ : ଶୀତଦିନେ ମିଳେ କମଳା, ଲେମ୍ବୁ, ଡାଳିମ୍ବ, ଆପଲ୍‌, ଅଙ୍ଗୁର, ଅଁଳା ଆଦି ଫଳ। କମଳାରେ ରହିଛି ଭିଟାମିନ୍‌ ‘ସି’ ଓ ଫଲିକ ଏସିଡ୍‌, ବିଟା କାରୋଟିନ୍‌, ଲିଉଟିନ ଏବଂ ଜିଜାନଥିନ୍‌ ଜାତୀୟ ଫ୍ଲାଭୋଏନଡସ୍‌। ଏଥିରୁ ମିଳୁଥିବା ହେସପରିଡିନ୍‌ ନାମକ ଫ୍ଲାଭୋଏନଡସ୍‌ ଏଲ୍‌ଡିଏଲ୍‌ କୋଲେଷ୍ଟରଲ ଭଳି କ୍ଷତିକାରୀ କୋଲେଷ୍ଟରଲର ମାତ୍ରା ହ୍ରାସ କରିଥାଏ। ମୁସାମ୍ବି ଓ ଲେମ୍ବୁରୁ ମିଳୁଥିବା ଭିଟାମିନ୍‌ ‘ସି’ ଓ ଲିମୋନିନ୍‌ କ୍ୟାନ୍‌ସର ବିରୋଧୀ। ଡାଳିମ୍ବରେ ଥିବା ଲାଇକୋପିନ୍‌ ଏବଂ ପୁନିସିକ ଏସିଡ୍‌ ଜାତୀୟ ପନିଫିଲନସ୍‌ ଆନ୍ଥୋସିଆନିନ୍‌, ଏଲ୍ଲଜିକ୍‌ ଏସିଡ ଇତ୍ୟାଦି ହୃଦରୋଗ, ଉଚ୍ଚ ରକ୍ତଚାପ, କ୍ୟାନ୍‌ସର, ଆଲଜିମର୍ସ ଓ ପାକିନ୍‌ସନ ରୋଗ ପ୍ରତିରୋଧରେ ଖୁବ୍‌ ସହାୟକ। ରୋଗ ପ୍ରତିରୋଧ କରିବାରେ ଆପଲ୍‌ର ନଁା ତ ଏକ କିମ୍ବଦନ୍ତୀ। ଯେପରିକି ‘ଓ୍ବାନ ଆପଲ୍‌ ଏ ଡେ, କିପସ୍‌ ଦ ଡକ୍ଟର ଆଓ୍ବେ’। ଆପଲ୍‌ରୁ ମିଳେ ବେଶି ପରିମାଣର ଖାଦ୍ୟତନ୍ତୁ ଏବଂ ଅତି ଉଚ୍ଚମାନର ପଲିଫିନଲସ୍‌। ଏହା ହୃଦରୋଗ, ଉଚ୍ଚ ରକ୍ତଚାପ,ଫୁସ୍‌ଫୁସ ରୋଗ ଏବଂ କ୍ୟାନ୍‌ସର ଆଦି ନିବାରଣ କରିବା ସଙ୍ଗେ ସଙ୍ଗେ ଏଥିରେ ଥିବା କୋୟେରସେଟିନ୍‌ ଏକାଗ୍ରତା ସ୍ମୃତିଶକ୍ତି ବୃଦ୍ଧି କରିଥାଏ। ଅଙ୍ଗୁରରେ ରହିଛି ବାୟୋଫ୍ଲାଭୋନଏଡସ୍‌, ପଲିଫିଲନସ, ରେସଭେରାଟ୍ରଲ, ଆନ୍ଥୋସିଆନିନ୍‌ସ, ଟେରୋଷ୍ଟିବିଲିନ୍‌ ଭଳି ଫ୍ଲାଭୋନଏଡସ୍‌। ପୁଣି ଶାଗୁଆ ଅଙ୍ଗୁର ଅପେକ୍ଷା କଳା ଅଙ୍ଗୁରର ରୋଗ ନିବାରଣ ଗୁଣ ଅଧିକ। ହୃଦ୍‌ରୋଗ, ଉଚ୍ଚରକ୍ତଚାପ ଏବଂ ଆଲଜିମର୍ସ ନିବାରଣରେ ଏହା ଖୁବ୍‌ ଫଳପ୍ରଦ।
ଏବେ ଲୋକପ୍ରିୟ ହୋଇଉଠିଛି ‘ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ ପାଞ୍ଚ ଥର’ ବା ‘ଫାଇଭ୍‌ ଏ ଡେ ଫର୍‌ ବେଟର ହେଲ୍‌ଥ’ ନାମକ ସ୍ଲୋଗାନ। ଖାଦ୍ୟ ବିଶେଷଜ୍ଞମାନଙ୍କର ପରାମର୍ଶ ଯେ ଦିନମାନ ଭିତରେ ୨ଥର କୈାଣସି ନା କୈାଣସି ଫଳ ଓ ୩ଥର ବିଭିନ୍ନ ଶାଗ ଓ ପନିପରିବା ଖାଇଲେ ବହୁ ଗୁରୁତର ବ୍ୟାଧି ନିବାରିତ ହୋଇ ସୁଗମ ହୋଇଯିବ ଉତ୍ତମ ସ୍ବାସ୍ଥ୍ୟପ୍ରାପ୍ତି। ସୁତରାଂ ଏହି ପରାମର୍ଶ ମାନିବା ଆମର ସ୍ବାର୍ଥ ଅନୁକୂଳ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬
ପ୍ଲଟ୍‌ ନଂ-୧୧୩୧, ସିଡିଏ, କଟକ
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri