Categories: ଖେଳ

ଓ୍ବିମ୍ବେଲଡନ ଟେନିସ ଆରମ୍ଭ: ଜୋକୋଭିଚଙ୍କ ବିଜୟ ଅଭିଯାନ, ସିତିସ୍‌ପାସଙ୍କ ବିପର୍ଯ୍ୟୟ

ଲଣ୍ଡନ,୨୯।୬: ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ ଜୋକୋଭିଚ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଗତଥର ଚାମ୍ପିୟନ ଜୋକୋଭିଚ୍‌ ସୋମବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡ ମୁକାବିଲାରେ ବ୍ରିଟେନର ୨୫୩ତମ ର଼୍ୟାଙ୍କର ଖେଳାଳି ଜ୍ୟାକ ଡ୍ରାପେରଙ୍କୁ ୪-୬, ୬-୧, ୬-୨, ୬-୨ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍‌ଙ୍କୁ ଅବଶ୍ୟ ସଂଘର୍ଷ କରବାକୁ ପଡିଥିଲା। ଏଥର ସଫଳ ହେଲେ ସେ ଷଷ୍ଠ ଓ୍ବିମ୍ବେଲଡନ ଟାଇଟଲ ସହ ୨୦ତମ ଗ୍ରାଣ୍ଡସ୍ଲାମ ଜିତିବେ। ଏହି କ୍ରମରେ ସେ ଇତିହାସର ତୃତୀୟ ଖେଳାଳିଭାବେ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ କମ୍ପ୍ଲିଟ୍‌ କରିବା ପଥରେ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଜୋକୋଭିଚ୍‌ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ କିମ୍ବା ଚିଲିର ମାର୍ସେଲୋ ଟୋମାସ ବାରିଓସ ଭେରାଙ୍କୁ ଭେଟିବେ। ସେହିପରି ତୃତୀୟ ସିଡ୍‌ ଖେଳାଳି ତଥା ପ୍ରେଞ୍ଚ୍‌ ଓପନ୍‌ ରନର୍ସଅପ୍‌ ଗ୍ରୀସ୍‌ର ଷ୍ଟିଫାନୋସ ସିତିସ୍‌ପାସ ପ୍ରଥମ ରାଉଣ୍ଡରେ ଆମେରିକାର ଅଣସିଡ୍‌ ଖେଳାଳି ଫ୍ରାନସେସ୍‌ ଟିଆଫୋଙ୍କଠାରୁ ୪-୬, ୪-୬, ୩-୬ ସେଟ୍‌ରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।

Share