Categories: ଖେଳ

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ଲିସ୍‌କୋଭା-ସାବାଲେଙ୍କା ସେମିଫାଇନାଲ

ଲଣ୍ଡନ, ୭।୭- ଚେକ୍‌ ରିପବ୍ଲିକର କାରୋଲିନ ପ୍ଲିସ୍‌କୋଭା ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ସେ ସୁଇଜରଲାଣ୍ଡର ଭିକ୍ଟୋରିଜା ଗୋଲୁବିକ୍‌ଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ଓ୍ବିମ୍ବେଲଡନ ମହିଳା ସିଙ୍ଗଲ୍ସରେ ପ୍ଲିସ୍‌କୋଭାଙ୍କର ଏହା ପ୍ରଥମ ସେମିଫାଇନାଲ ପ୍ରବେଶ। ପୂର୍ବରୁ ସେ ୨୦୧୯ ଅଷ୍ଟ୍ରେଲିଆନ ଓପନ, ୨୦୧୭ ଫ୍ରେଞ୍ଚ୍‌ ଓପନର ସେମିଫାଇନାଲରୁ ବିଦାୟ ନେଇଥିଲେ। ତେବେ ୨୦୧୬ ୟୁଏସ୍‌ ଓପନ ଫାଇନାଲ ଖେଳି ରନର୍ସଅପ୍‌ ହୋଇଥିଲେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଆରିନା ସାବାଲେଙ୍କା ସିଧାସଳଖ ୬-୪, ୬-୩ ସେଟ୍‌ରେ ଓନସ ଜାବେଉରଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସାବାଲେଙ୍କା ମଧ୍ୟ ପ୍ରଥମଥର ପାଇଁ ଓ୍ବିମ୍ବେଲଡନ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଚଳିତ ବର୍ଷ ସେ ଅଷ୍ଟ୍ରେଲିଆନ ଓପନର ୪ର୍ଥ ଏବଂ ଫ୍ରେଞ୍ଚ୍‌ ଓପନର ୩ୟ ରାଉଣ୍ଡରୁ ବିଦାୟ ନେଇଥିଲେ। ପ୍ଲିସ୍‌କୋଭା ଓ ସାବାଲେଙ୍କାଙ୍କ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ। ଜର୍ମାନୀର ଆଞ୍ଜେଲିକ୍‌ କର୍ବର ମଧ୍ୟ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। କ୍ୱାର୍ଟର ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ମୁଚୋଭାଙ୍କୁ ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସର ଏକ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ଆଜଲା ଟୋମିଜାନୋଭିକ୍‌ ଓ୍ବାକ୍‌ଓଭର ପାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସେ ୬-୪, ୩-୦ ସେଟ୍‌ରେ ଆଗୁଆ ରହିଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଇମା ରାଡୁକାନୁ ଓହରି ଯାଇଥିଲେ।
ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ପୁରୁଷ ବିଭାଗ ପ୍ରିକ୍ୱାର୍ଟରରେ ସୁଇଜରଲାଣ୍ଡର ରୋଜର ଫେଡରର ୭-୫, ୬-୪, ୬-୨ ସେଟ୍‌ରେ ଇଟାଲୀର ଲରେଞ୍ଜୋ ସୋନେଗୋଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ମ୍ୟାଚରେ ଡାନିଏଲ ମେଡ୍‌ଭେଡେଭଙ୍କ ଅଭିଯାନ ଶେଷ କରିଛନ୍ତି ହୁବର୍ଟ ହୁର୍କାଜ। ହୁର୍କାଜ ୨-୬, ୭-୬(୭/୨), ୩-୬, ୬-୩, ୬-୩ ସେଟ୍‌ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସେହିପରି ଜର୍ମାନୀର ଆଲେକଜାଣ୍ଡର ଜେଭରେଭଙ୍କ ଅଭିଯାନ ମଧ୍ୟ ରାଉଣ୍ଡ ଅଫ୍‌-୧୬ରୁ ଶେଷ ହୋଇଛି। ଜେଭରେଭଙ୍କୁ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମେ ୬-୪, ୭-୬(୭/୪), ୩-୬, ୩-୬, ୬-୪ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share