ନୂଆଦିଲ୍ଲୀ,୨୩।୧୦: ଭାରତୀୟ କ୍ରିକେଟର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ରଣଜୀ ଟ୍ରଫିରେ ପୁଣିଥରେ ନିଜର ଶତକୀୟ ପ୍ରଦର୍ଶନ ବଳରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ତାଙ୍କୁ ଜାତୀୟ ଦଳ କିମ୍ବା ‘ଇଣ୍ଡିଆ ଏ’ ଦଳରେ ସୁଯୋଗ ମିଳୁନାହିଁ। ନ୍ୟୁଜିଲ୍ୟାଣ୍ଡ ‘ଏ’ ବିରୁକ୍ଷ ଶିରିଜ୍ ପାଇଁ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ। ଏହି ପରିସ୍ଥିତିକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର୍ ୱସିମ୍ ଜାଫର୍ ଏକ ବଡ଼ ଏବଂ ବିବାଦୀୟ ବୟାନ୍ ଦେଇଛନ୍ତି।
ୱସିମ୍ ଜାଫର୍ଙ୍କ ମତରେ, ସରଫରାଜଙ୍କୁ ଦଳରୁ ବାହାରେ ରଖିବାର କାରଣ କ୍ରିକେଟ୍ ପ୍ରଦର୍ଶନ ସହିତ ଜଡିତ ନୁହେଁ, ବରଂ ଏହାଠାରୁ କିଛି ଅଧିକ। ସେ କହିଛନ୍ତି ଯେ ମତେ ଲାଗେ ସେମାନେ ତାଙ୍କୁ ନେବାକୁ ଚାହୁଁନାହାନ୍ତି ଏବଂ ମୁଁ ପ୍ରକୃତ କାରଣ ଜାଣିନି, କିନ୍ତୁ ଏହା ପ୍ରଦର୍ଶନ ଏବଂ କ୍ରିକେଟ୍ ସମ୍ବନ୍ଧୀୟ କାରଣଠାରୁ ବାହାରର କିଛି ଅଟେ। ଜାଫର୍ ଆହୁରି ମଧ୍ୟ କହିଛନ୍ତି ଯେ ସରଫରାଜ ଯେତେ ରନ୍ ସଂଗ୍ରହ କଲେ କିମ୍ବା ଯେତେ ଭଲ ଆଭରେଜ୍ ରଖିଲେ ମଧ୍ୟ ଚୟନକର୍ତ୍ତାମାନଙ୍କ ମନରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଶତକ ମାରିବା ସତ୍ତ୍ବେ ତାଙ୍କୁ ଅଣଦେଖା କରାଯିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
🚨 WASIM JAFFER SLAMS SELECTORS FOR IGNORING SARFARAZ KHAN FROM SELECTION IN TEST CRICKET 🚨
Wasim Jaffer said 🗣️,
“I feel there is definitely something. I feel that they don’t want to pick him. Otherwise, the performance is in front of us. He has 18 first–class hundreds in such a small career. I don’t know the reason, but I think it’s beyond performance and cricketing reasons. I just feel that they don’t want to pick Sarfaraz Khan, irrespective of how many runs he scores.”
— Cricket Central (@CricketCentrl) October 23, 2026
ଅଷ୍ଟ୍ରେଲିଆ ଗସ୍ତ ସମୟରେ ସରଫରାଜଙ୍କ କ୍ୟାରିୟରକୁ ନେଇ କିଛି ବିବାଦ ଦେଖାଦେଇଥିଲା। ସେତେବେଳେ ଏଭଳି କିଛି ଦାବି କରାଯାଇଥିଲା ଯେ ସରଫରାଜ ଡ୍ରେସିଂ ରୁମ୍ର ଗୁପ୍ତ ଖବର ବାହାରକୁ ସେୟାର କରୁଛନ୍ତି। କିନ୍ତୁ ଏହି ସମସ୍ତ ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଦଳର କୌଣସି ବି ଖେଳାଳି କିମ୍ବା ଟିମ୍ ମ୍ୟାନେଜମେଣ୍ଟର ସଦସ୍ୟ ଏଭଳି କୌଣସି କଥାର ପୁଷ୍ଟି କରିନଥିଲେ।
ସରଫରାଜ ଏପର୍ଯ୍ୟନ୍ତ ଭାରତ ପାଇଁ ୧୧ଟି ଟେଷ୍ଟ ପାଳି ଖେଳି ୩୭.୧୦ ହାରରେ ୩୭୧ ରନ୍ ସଂଗ୍ରହ କରିଛନ୍ତି। ଏଭଳି ଦମଦାର ରେକର୍ଡ ଏବଂ ଘରୋଇ କ୍ରିକେଟରେ ଅସଂଖ୍ୟ ରନ୍ ସତ୍ତ୍ବେ ଜଣେ ପ୍ରତିଭାବାନ ଖେଳାଳିଙ୍କୁ କ୍ରମାଗତ ଅଣଦେଖା କରାଯିବା ଭାରତୀୟ କ୍ରିକେଟ୍ ମହଲରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

