ସଂକଟରେ ବନ୍ୟପ୍ରାଣୀ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

 

ସମ୍ପ୍ରତି ହାତୀମୃତ୍ୟୁ ଘଟଣା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି। ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ହାତୀମୃତ୍ୟୁ ଶିକାରଜନିତ ହେଉ ବା ଦୁର୍ଘଟଣାଜନିତ ହେଉ ଘଟୁଛି। କେବଳ ହାତୀମୃତ୍ୟୁ ନୁହେଁ, ବାଘ ଓ ହରିଣ ଶିଙ୍ଗ ତଥା ବଜ୍ରକାପ୍ତା ଚୋରାଚାଲାଣ ଖବର ମଧ୍ୟ ପ୍ରକାଶ ପାଉଛି। ଏହିସବୁ ବନ୍ୟ ସମ୍ପଦକୁ ସବୁଦିନ ଲୋପ କରିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି କିଛି ଅପରିଣାମଦର୍ଶୀ ଲୋକ। କେବଳ ତାଙ୍କୁ ଯେ ଜଙ୍ଗଲ ବିଭାଗ କର୍ମଚାରୀ ଏବଂ ପୁଲିସର ପ୍ରୋତ୍ସାହନ ମିଳୁନାହିଁ ତାହା କହିହେବ ନାହିଁ। ଆମେ କେବଳ ଏତିକି କହିପାରୁ, ବାଡ଼ ଯେବେ ଫସଲ ଖାଏ, ତେବେ ଆମେ ଆଉ କ’ଣ କରିପାରିବା?
ଗତ ଅଗଷ୍ଟ ୨୦୨୨ରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହାତୀମୃତ୍ୟୁକୁ ନେଇ ଯେଉଁ ବିଶଦ ତଥ୍ୟ ରଖିଛନ୍ତି, ତାହା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ମନ୍ତ୍ରୀଙ୍କ କହିବାନୁସାରେ ୨୦୧୯-୨୦ ଆର୍ଥିକ ବର୍ଷକୁ ମିଶାଇ ଗତ ୩ବର୍ଷରେ ହାତୀମୃତ୍ୟୁ ସଂଖ୍ୟା ୮୨। ୨୦୨୦-୨୧ରେ ଯଥାକ୍ରମେ ୭୭ ଏବଂ ୨୦୨୧-୨୨ରେ ସର୍ବାଧିକ ୮୬ଟି ହାତୀ ଏହିପରି ମୋଟ ୨୪୫ ହାତୀ ବିଗତ ପାଞ୍ଚ ବର୍ଷ ମଧ୍ୟରେ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଥିରୁ ଏକଦଶମାଂଶ ମନୁଷ୍ୟକୃତ। ତାଙ୍କ କହିବାନୁସାରେ ହାତୀମୃତ୍ୟୁର କାରଣ ହେଉଛି- (୧) ଟ୍ରେନ୍‌ ଧକ୍କା, (୨) ବିଦ୍ୟୁତ ଆଘାତ, (୩) ବିଷକ୍ରିୟା, (୪) ଶିକାରଏବଂ (୫) ପ୍ରାକୃତିକ ମୃତ୍ୟୁ।
ଜଙ୍ଗଲ ମାଫିଆଙ୍କ ଦ୍ୱାରା ଜଙ୍ଗଲ କାଟି ସଫା କରାଯାଉଥିବାରୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ସୁତରାଂ ବାଟରେ ଆସିଲା ବେଳେ ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରୁଛନ୍ତି। ଏତଦ୍‌ବ୍ୟତୀତ ଶିକାରୀମାନେ ହାତୀଦାନ୍ତ ଲୋଭ ପାଇଁ ବିଦ୍ୟୁତ ତାର ଘେରେଇଥା’ନ୍ତି ବା ଶିକାର କରିଥା’ନ୍ତି। ଯେତେ ସତର୍କ ଏବଂ ତାଗିଦା କଲେ ମଧ୍ୟ ପ୍ରତିବର୍ଷ ଟ୍ରେନ୍‌ ଧକ୍କାଜନିତ ହାତୀମୃତ୍ୟୁ ବଢ଼ୁଛି ସିନା କମୁନାହିଁ ଏବଂ ଶିକାର ତ ଅବାଧ ଗତିରେ ଚାଲିଛି। ହାତୀମୃତ୍ୟୁର ଶିକାର ପାଇଁ ବନ କର୍ମଚାରୀ ଗିରଫ ମଧ୍ୟ ହୋଇଛନ୍ତି। କେତେଜଣଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। କିଛିଦିନ ଏହି ବାବୁମାନେ ଘରେ ବସିବେ ଏବଂ ଅଧା ଦରମା ପାଇବେ। ପରିଶେଷରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେବେ ଏବଂ ସରକାରଙ୍କଠାରୁ ସମସ୍ତ ପ୍ରାପ୍ୟ ପାଇବେ। ଦଣ୍ଡହାର କ୍ୱଚିତ ହେଉଥିବାରୁ ଏ ଦିଗରେ ହାତୀମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ସିନା କମିବାର ନଁା ଗନ୍ଧ ନେଉନାହିଁ।
ପୁନଶ୍ଚ ସ୍ଥାନୀୟ ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗକୁ ଯେତେ ସତର୍କ କରାଗଲେ ମଧ୍ୟ ଉଭୟେ ପରସ୍ପର ବିରୋଧରେ ଆରୋପ ଆଣି ନିଜକୁ ଦୋଷମୁକ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଯାହା ଜଣାପଡ଼ୁଛି, ଏ ଦିଗରେ ଆମମାନଙ୍କର ସମ୍ବେଦନଶୀଳତା ଯଥେଷ୍ଟ କମ୍‌। ବିଷକ୍ରିୟା ଓ ବନ୍ଧୁକ ଗୁଳିଜନିତ ହାତୀମୃତ୍ୟୁ ଲୋଭୀ ଅମଣିଷ ଦ୍ୱାରା ହେଉଛି। ସବୁଠାରୁ ଉଦ୍‌ବେଗଜନକ କଥା ହେଲା, ଅମାନବୀୟ ଭାବେ ହାତୀକୁ ଶିକାର କରାଯାଉଥିଲେ ମଧ୍ୟ ଜଙ୍ଗଲ କର୍ମଚାରୀଙ୍କ ପରବର୍ତ୍ତୀ ପଦକ୍ଷେପ ଅତ୍ୟନ୍ତ ଜଟିଳ ଏବଂ କଠିନ ହୋଇଥିବାରୁ ଓ ସର୍ବୋପରି ଉଚ୍ଚ କର୍ମକର୍ତ୍ତାମାନେ ଏଥିରେ ନୀରବ ରହି ତଳ କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେଉଥିବାର ସନ୍ଦେହ କରାଯାଏ। ନିକଟ ଅତୀତରେ ଆଠଗଡ଼ ଡିଭିଜନରେ ଏକ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଏବଂ ମୃତ ହାତୀର କଙ୍କାଳ ଉଦ୍ଧାର ଘଟଣାରେ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ୬ ଜଣଙ୍କୁ ଗିରଫ କରିଛି ଓ ଦୁଇଜଣ ଫରେଷ୍ଟର ଏ ଘଟଣା ପରେ ଗାଏବ ହୋଇ ଯାଇଥିଲେ। ତନ୍ମଧ୍ୟରୁ ଜଣକୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଜଣେ ଫରେଷ୍ଟରଙ୍କୁ ବିଭାଗ ନିଲମ୍ବନ କରିଛି। ଏଠି ପ୍ରଶ୍ନ ଉଠୁଛି, ରକ୍ଷକ ଯଦି ଭକ୍ଷକ ହୁଏ, ସେ କ୍ଷେତ୍ରରେ ଆମେ କାହାକୁ କହିବା।
ଆମ କଥାଟି ଏତିକିରେ ସରିନାହିଁ। ସମ୍ବଲପୁର ଜିଲା ପଡ଼ିଆବାହାଲ ଜଙ୍ଗଲ ଡିଭିଜନ ବଡ଼ସାହି ରେଞ୍ଜର, ଜୁଜୁମରା ବ୍ଲକ୍‌ ସାପଲାହାର ଗ୍ରାମରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ବାର ବର୍ଷୀୟ ଦନ୍ତାହାତୀ ୨୨ ଜୁନ୍‌ ୨୦୨୨ରେ ମୃତ୍ୟୁବରଣ କଲା। ହାତୀର ଶରୀରରେ ଏତେବଡ଼ କ୍ଷତ ହୋଇଥିଲା ଯେ ତାହା ସଂକ୍ରମିତ ହେଲା ପରେ ବିକଳରେ ହାତୀଟି ପାଣିରେ ପଶି ଯାଇଥିଲା ଏବଂ ଦୁର୍ଘଟଣାବଶତଃ ଆଉ ବାହାରି ପାରିନଥିଲା। କିଛିଦିନ ମୃତ୍ୟୁ ସହ ସଂଗ୍ରାମ କରି ମୃତ୍ୟୁବରଣ କଲା।
କେବଳ ହାତୀ ନୁହେଁ, କେଉଁଠି ନା କେଉଁଠି ଚିତ୍ତା ବାଘ, ମହାବଳ ବାଘ ଚମଡ଼ା ଓ ଦାନ୍ତ, ଜୀବନ୍ତ ବଜ୍ରକାପ୍ତା ଓ ତା’ର କାତି, ହରିଣ ଛାଲ ଓ ଶିଙ୍ଗ ଏବଂ ଜିଅନ୍ତା କଇଁଛ ଆଦି ରାଜ୍ୟ ବାହାରକୁ ତଥା ବିଦେଶକୁ ଚାଲାଣ ହେଉଥିବା ଖବର ପ୍ରକାଶ ପାଉଛି। ସମୟେ ସମୟେ ଧରପଗଡ଼ ହେତୁ ଶିକାରୀ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ଗିରଫ ହୋଇ କୋର୍ଟ ଚାଲାଣ ହେଉଛନ୍ତି, ମାତ୍ର ଫଳ ହେଉଛି ଶୂନ। ଆମ ରାଜ୍ୟରେ ଜଙ୍ଗଲଜାତ ଦ୍ରବ୍ୟ, ଜଙ୍ଗଲୀ ଜୀବଜନ୍ତୁ ଚାଲାଣ ଏବଂ ଚୋରାକାଠ ଚାଲାଣ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ମଝିରେ ମଝିରେ ଆମ ବିଚାରରେ ଲୋକଦେଖାଣିଆ ଧରପଗଡ଼ ହେଉଛି। ଜାଣିଶୁଣି ଜଙ୍ଗଲ ବିଭାଗ ଓ ପୋଲିସ ବିଭାଗ ଦୁର୍ବଳ ଦଫା ଲଗାଇବା ଦ୍ୱାରା କିମ୍ବା କିଛି ଲାଞ୍ଚୁଆ କର୍ମଚାରୀଙ୍କ ଯୋଗୁ ଏତେସବୁ ବ୍ୟବସ୍ଥା ଥାଇ ମଧ୍ୟ ଏକଥା ଏପରି ଅବାଧ ଗତିରେ ଚାଲୁଛି। ଦିନକୁଦିନ କାଠମାଫିଆ ଏତେ ପ୍ରବଳ ହେଲେଣି ଯେ, କର୍ମଚାରୀଙ୍କୁ ଧମକାଇବା, ବାଡ଼େଇବା ଏବଂ ଗୁଳିମାରିବା ଇତ୍ୟାଦି ଖବର ପ୍ରକାଶ ପାଉଛି। ଏହା ସହିତ ତାଳଦେଇ ବନ୍ୟଜନ୍ତୁ ଚୋରାଚାଲାଣ ବଢ଼ିଚାଲିଛି; ଯାହା ଆମେ ପୂର୍ବରୁ କହିସାରିଛୁ। କେଉଁଠି କେଉଁ ଜନ୍ତୁ ଓ ଶିକାର ରହିଛନ୍ତି, ତାହା କେବଳ ଏ ଶିକାରୀମାନଙ୍କୁ ହିଁ ଜଣା। ସେମାନେ ଖବର ପାଉଛନ୍ତି କିପରି? ଏଥିରେ କ’ଣ ଜଙ୍ଗଲ କର୍ମଚାରୀଙ୍କର କିଛି ହାତ ନାହିଁ? ଏମାନେ କ’ଣ ସନ୍ଦେହରୁ ଊର୍ଦ୍ଧ୍ୱରେ? ଏସବୁ ଅନେକ ପ୍ରଶ୍ନ ଆମମାନଙ୍କ ମନରେ ଉଙ୍କି ମାରୁଛି।
ଏଠାରେ ପ୍ରଶ୍ନ ଉଠେ ଯେ, ଓଡ଼ିଶାରେ ତିନୋଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଶିମିଳିପାଳ, ସାତକୋଶିଆ ଓ ସୁନାବେଡ଼ାରେ ଅଛି। କେବଳ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ବର୍ଷକୁ ଏ ଦିଗରେ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ ହେଉଛି। ୨୦୧୫ର ପରିସଂଖ୍ୟାନ କହୁଛି ଓଡ଼ିଶାରେ ମହାବଳ ବାଘଙ୍କ ସଂଖ୍ୟା ୨୮। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସବୁ ରାଜ୍ୟକୁ ଯଥେଷ୍ଟ ଅର୍ଥ ଓ ଜ୍ଞାନ କୌଶଳ ଯୋଗାଇ ଦେଉଥିବା ବେଳେ କିଛି ରାଜ୍ୟ ଯଥା- ମହାରାଷ୍ଟ୍ର, କର୍ନାଟକ, ମଧ୍ୟପ୍ରଦେଶ ଓ କେରଳରେ ବାଘସଂଖ୍ୟା ବଢ଼ୁଥିବାବେଳେ ଓଡ଼ିଶାରେ କାହିଁକି ଏମାନଙ୍କ ସଂଖ୍ୟା ସେହି ୨୮ରେ ସୀମିତ ରହିଛି। ଏସବୁ କଥା କ’ଣ ବନ ବିଭାଗର ଅପାରଗତାକୁ ଦର୍ଶାଉନାହିଁ କି?
ଏବେ ଆସନ୍ତୁ ଗୋଟିଏ ହରିଣ ବିଷୟରେ ଆଲୋଚନା କରିବା। ଶିକାରୀମାନେ ଯଥେଷ୍ଟ ଲାଭ ପ୍ରତ୍ୟାଶାରେ ମାଂସ ପାଇଁ ହରିଣ ଶିକାର କରୁଥିବା ବେଳେ ତା’ର ଚମଡ଼ାକୁ ଆନ୍ତର୍ଜାତିକ ବଜାରକୁ ଚୋରା ଚାଲାଣ କରୁଛନ୍ତି। ସେଠି ଏହାର ମୂଲ୍ୟ କାହିଁରେ କ’ଣ। ସେହିପରି ବଜ୍ରକାପ୍ତା କାତିରୁ ଓ ଅନ୍ୟାନ୍ୟ ଅଂଶରୁ ଔଷଧ ପ୍ରସ୍ତୁତ ହେଉଛି ଚାଇନା ଓ ଅନ୍ୟ କିଛି ଦେଶରେ। ଶିକାରୀ ଓ ଚୋରା ଚାଲାଣକାରୀମାନେ ବଜ୍ରକାପ୍ତାକୁ ଯେପରି ଧରି ଚୋରାଚାଲାଣ କରୁଛନ୍ତି, ସେଥିରୁ ଜଣାପଡ଼ୁଛି ଏମାନେ ଅଳ୍ପ କିଛିଦିନ ଭିତରେ ବଜ୍ରକାପ୍ତାର ବଂଶ ସମ୍ପୂର୍ଣ୍ଣ ଭାବେ ବୁଡ଼ାଇଦେବେ।
ପରିଶେଷରେ ଆମେ ଯଦି ସଚେତନ ନ ହେବା, ତା’ହେଲେ ଆଉ କାହାକୁ କହିବା? ଏଠାରେ ଗୋଟିଏ ଆପ୍ତବାକ୍ୟ ମନେପଡ଼ୁଛି- ଚେଇଁ ଶୋଇଥିବ ଯିଏ; ତାକୁ ଉଠାଇବ କିଏ?
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ଚୈତନ୍ୟ ଧାମ, ଶବରସାହି, ଭୁବନେଶ୍ୱର
ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri