ନୂଆଦିଲ୍ଲୀ,୭ା୧୧: ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଦ୍ୱିପାକ୍ଷିକ ବୈଠକର କିଛି ଫଟୋ ହ୍ୱାଇଟ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି, ଯେଉଁଥିରେ ସି ଜିନପିଙ୍ଗ୍ ବେଶ୍ ପ୍ରସନ୍ନ ଏବଂ ହସୁଥିବାର ଦେଖାଯାଉଛନ୍ତି।
ଚାଇନାରେ ହସ ଲୁଚାଯାଉଛି କାହିଁକି? ସାଧାରଣତଃ ସି ଜିନପିଙ୍ଗ୍ ଙ୍କୁ ଏକ ଗମ୍ଭୀର ଏବଂ ଶୃଙ୍ଖଳିତ ନେତା ଭାବରେ ଦର୍ଶାଇବାକୁ ଚାଇନା ସରକାର ଏବଂ ସରକାରୀ ଗଣମାଧ୍ୟମ ଦୃଢ଼ ପ୍ରୟାସ କରିଥାଏ। ତେଣୁ, ରାଷ୍ଟ୍ରପତିଙ୍କ ହସୁଥିବା ଫଟୋ କିମ୍ବା ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ଚାଇନାରେ ପ୍ରାୟତଃ ସେନ୍ସର କରାଯାଏ।
ହ୍ୱାଇଟ ହାଉସ୍ ରିଲିଜ୍ କରିଥିବା ଫଟୋଗୁଡ଼ିକରେ ଟ୍ରମ୍ପ ଏକ କାଗଜ ଧରିଥିବା ବେଳେ ସି ଜିନପିଙ୍ଗ୍ ଆଖି ବନ୍ଦ କରି ହସୁଥିବାର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ ଥିବା ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ହସୁଛନ୍ତି।
ଏହା ପୂର୍ବରୁ, ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗଙ୍କ ସହ ଉପହାର ଆଦାନ ପ୍ରଦାନ ବେଳେ ସି ଜିନପିଙ୍ଗ୍ ଏକ ମଜାଳିଆ କଥା କହି ସମସ୍ତଙ୍କୁ ହସାଇଥିଲେ। ଲି, ଫୋନ୍ର ‘କମ୍ୟୁନିକେସନ୍ ସୁରକ୍ଷା’ ବିଷୟରେ ପଚାରିବାରୁ ସି ଜିନପିଙ୍ଗ ହସି ହସି ଉତ୍ତର ଦେଇଥିଲେ, “ତୁମେ ଚେକ୍ କରିପାର ଯେ ଏଥିରେ କୌଣସି ବ୍ୟାକ୍ଡୋର୍ (backdoor) ଅଛି କି ନାହିଁ।”
ସି ଜିନପିଙ୍ଗ୍ ଙ୍କ ନେତୃତ୍ୱରେ ଚାଇନା ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସୂଚନାର ପ୍ରବାହକୁ କଠୋର ଭାବରେ ନିୟନ୍ତ୍ରଣ କରିଛି। ଦେଶରେ ସାମାଜିକ ଗଣମାଧ୍ୟମ ଏବଂ ପାଶ୍ଚାତ୍ୟ ଖବର ୱେବସାଇଟ୍ ନିଷିଦ୍ଧ ହୋଇଥିବାରୁ, ସରକାରଙ୍କ ଆଭିମୁଖ୍ୟ ସହିତ ମେଳ ନ ଖାଉଥିବା ଯେକୌଣସି ଖବରକୁ ସେନ୍ସରମାନେ ସହଜରେ ହଟାଇ ଦିଅନ୍ତି। ଫଳରେ ୱେବୋ, ଡୌୟିନ୍ ଏବଂ ସିଆଓହୋଙ୍ଗଶୁ ଭଳି ଚୀନ୍ ପ୍ଲାଟଫର୍ମରେ ସି ଜିନପିଙ୍ଗ୍ ଙ୍କ ହସୁଥିବା ଫଟୋଗୁଡ଼ିକ ମିଳିବ ନାହିଁ।

