କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ଆତ୍ମହତ୍ୟା ପଛରେ କିଛି ନା କିଛି କାରଣ ରହିଥାଏ। ଏହି ଘଟଣାରେ ମଧ୍ୟ କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ତେବେ ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ସେ ଆହୁରି କହିଛନ୍ତି ଯେ, ବିୟୁଟି ମହାନ୍ତି ଶାରୀରିକ ଓ ମାନସିକ ଭାବେ ଜଣେ ଦୃଢ଼ ଅଧିକାରୀ ଥିଲେ। ସେ କେବେ ବି କୌଣସି ବ୍ୟକ୍ତିଗତ କିମ୍ବା କାର୍ଯ୍ୟଗତ ସମସ୍ୟା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇନଥିଲେ। କମିଶନରେଟ ପୋଲିସରେ ସେ ଭଲ କାମ କରୁଥିବା ସହ ସାଧାରଣ ଲୋକଙ୍କ ସହ ତାଙ୍କ ବ୍ୟବହାର ମଧ୍ୟ ଭଲ ଥିଲା। ତେଣୁ ତାଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣର ତଦନ୍ତ କରାଯିବ ବୋଲି ସିପି କହିଛନ୍ତି।
ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତି ନିଜ ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବିୟୁଟି ମହାନ୍ତି ପୂର୍ବରୁ କଟକର ମର୍କତନଗର ମହିଳା ଥାନା ସମେତ ବିଭିନ୍ନ ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଅକାଳ ବିୟୋଗ ପୋଲିସ ବିଭାଗରେ ଶୋକର ଛାୟା ଖେଳାଇ ଦେଇଛି। ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି।