ମର୍ଯ୍ୟାଦା ଜଗିବ କିଏ

ପ୍ରେଷ୍ଟିଜ୍‌ ବା ମର୍ଯ୍ୟାଦା। ଏହା ଏକ ଶବ୍ଦ ବା ଅନୁଭବ ହୋଇପାରେ। କିନ୍ତୁ ଅନେକେ ଏହାକୁ ସାମଗ୍ରୀ ଭାବେ ଦେଖିଥାଆନ୍ତି। କଥା କଥାରେ ଲୋକେ କହିଥାଆନ୍ତି ‘ମୋର କ’ଣ ପ୍ରେଷ୍ଟିଜ୍‌ ନାହିଁ’। ଆଉ ଥୋକେ କହିବସନ୍ତି-ମୋ ପ୍ରେଷ୍ଟିଜ୍‌ ପଳାଇଲା। ବାସ୍ତବରେ ଏହାକୁ ନିଜ ହୃଦୟ ଭିତରେ ରଖାଯାଇଥାଏ, ପଦାରେ ପକାଯାଏ ନାହିଁ। ଏଇଥିରୁ ଖିଅ ଟାଣି ସୁପ୍ରିମକୋର୍ଟ ବିଷୟରେ ଆଲୋଚନା କରାଗଲେ, ଏହି ନ୍ୟାୟିକ ଅନୁଷ୍ଠାନ ଏବେ ମାର୍ଯ୍ୟାଦା ସଙ୍କଟରେ ପଡ଼ିଯାଇଛି। ଅଚାନକ ବାତ୍ୟା ଆସିଗଲେ ସାମଗ୍ରୀକୁ ଘର ଭିତରେ ରଖାଗଲେ ସୁରକ୍ଷିତ ହୋଇଥାଏ। ହେଲେ ଆଜିର ସାମାଜିକ ବାତ୍ୟା ବହୁଥିବା ବେଳେ ସୁପ୍ରିମକୋର୍ଟ ମର୍ଯ୍ୟାଦାକୁ ଗମ୍ବୁଜ ଉପରେ ଥୋଇଦେଇଛନ୍ତି। ଏଭଳିସ୍ଥଳେ କେହି ସମାଲୋଚନା କଲେ ଭୀଷଣ ଉତ୍‌କ୍ଷିପ୍ତ ହୋଇ ଦଣ୍ଡ ଦେବାକୁ ଆଗେଇ ଆସୁଛନ୍ତି। ଅନ୍ୟପକ୍ଷରେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରତ୍ୟେକଟି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବା ଇଙ୍ଗିତରେ ହେଲା ଭଳି ପରିଲକ୍ଷିତ ହେଉଛି। ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି ପିଏମ୍‌ କେୟାର୍ସ ଫଣ୍ଡ୍‌ ବା ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏଶନ୍ସ ଫଣ୍ଡ୍‌। ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫଣ୍ଡ୍‌ ବା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)କୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ୧୮ ଅଗଷ୍ଟରେ ଆଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ପୀଠ ରାୟ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ସେଣ୍ଟର ଫର୍‌ ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେଶନ ନାମକ ଏକ ଏନ୍‌ଜିଓ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲା ଯେ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ମିଳୁଥିବା ଅର୍ଥ ଏନ୍‌ଡିଆର୍‌ଏଫ୍‌କୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦିଆଯାଉ। ହେଲେ ପୀଠ ଯୁକ୍ତି ଦର୍ଶାଇଛନ୍ତି ଯେ, ପିଏମ୍‌ କେୟାର୍ସ ଦ୍ୱାରା ହାସଲ କରାଯାଇଥିବା ଅର୍ଥ ସମ୍ପୂର୍ଣ୍ଣ ଭାବେ ଦାତବ୍ୟ ଟ୍ରଷ୍ଟ ଭାବେ ଅଭିହିତ କରାଯାଉଥିବାରୁ ତାହା ଏକ ଭିନ୍ନ ପାଣ୍ଠି। ଯଦି ସରକାର ଅନୁଭବ କରିବେ ଯେ ସେହି ପାଣ୍ଠି ଏନ୍‌ଡିଆର୍‌ଏଫ୍‌କୁ ଦିଆଯିବା ଦରକାର, ତାହା ହେଲେ ନିଷ୍ପତ୍ତି ନେଇପାରିବେ। ଏଥିରୁ ସିଧାସଳଖ ପ୍ରମାଣ ମିଳୁଛି ଯେ ଶୀର୍ଷ ଅଦାଲତ ଜନମଙ୍ଗଳ ପାଇଁ ଯେତିକି ଦରଦ ଦେଖାଉ ନାହାନ୍ତି, ସରକାରରେ ଥିବା ବ୍ୟକ୍ତିବିଶେଷଙ୍କ ଲକ୍ଷ୍ୟସାଧନ ପାଇଁ ଅଧିକ ତତ୍ପର। ଏହା ବ୍ୟତୀତ ସୁପ୍ରିମକୋର୍ଟଙ୍କ ଅନେକ ରାୟ ବଡ଼ କମ୍ପାନୀ ସପକ୍ଷରେ ଯାଇ ଦେଶର କ୍ଷତି ଘଟାଇଛି। ସେଭଳି ବିଷୟ ସମ୍ପର୍କରେ ଯଦି କିଏ ପ୍ରଶ୍ନ ଉଠାଉଛି, ତେବେ ଦମନଲୀଳା ଆରମ୍ଭ ହୋଇଯାଉଛି।
ଭାରତରେ କୌଣସି ବ୍ୟକ୍ତିଙ୍କୁ ସମାଲୋଚନା କରାଗଲେ ତାଙ୍କ ପ୍ରତି ଡେରୋଗେଟୋରୀ ରିମାର୍କସ୍‌ ବା ମର୍ଯ୍ୟାଦାହାନିକର ମନ୍ତବ୍ୟ ଭାବେ ଗଣାଯାଇଥାଏ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କୁ ଦେଖିଲେ ଏହା ଏକ ଅନୁଷ୍ଠାନ ପଦବାଚ୍ୟ। କିନ୍ତୁ ଏଥିରେ ଅଧିଷ୍ଠିତ ବିଚାରପତିମାନେ ସମାଲୋଚନାକୁ ସାଧାରଣ ନାଗରିକଙ୍କ ପରି ଦେହକୁ ନେଇଯାଉଛନ୍ତି। କାଳ ବିଳମ୍ବ ନ କରି କୋର୍ଟ ପ୍ରତି ଦିଆଯାଇଥିବା ମନ୍ତବ୍ୟକୁ କଣ୍ଟେମ୍ପଟ୍‌ ଅଫ୍‌ କୋର୍ଟ ବା ଅଦାଲତ ଅବମାନନା ବର୍ଗରେ ପକାଇ ସମାଲୋଚନାକାରୀଙ୍କୁ ଦୋଷୀଙ୍କ ସ୍ଥାନରେ ବସାଇ ଦେଉଛନ୍ତି। ଜଣାଶୁଣା ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ପ୍ରଶାନ୍ତ ଭୂଷଣ ଏବେ ସର୍ବୋଚ୍ଚ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ କେଉଁ ଦଣ୍ଡ ମିଳିବ ୨୦ ଅଗଷ୍ଟରେ ଜଣାପଡ଼ିବ। ମନେପକାଇ ଦିଆଯାଇପାରେ ଯେ, ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଓ ପୂର୍ବତନ ୪ ପ୍ରଧାନ ବିଚାରପତିଙ୍କ ବିରୋଧରେ କେତେକ ଟୁଇଟ୍‌ କରି ଅଦାଲତର ମର୍ଯ୍ୟାଦାହାନି କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ କରାଯାଇଛି। ଏସବୁ ଟୁଇଟ୍‌ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟକର ହୋଇଥାଆନ୍ତା। ସେଥିପାଇଁ ୧୧ ବର୍ଷ ପୂର୍ବେ ତାଙ୍କ ବିରୋଧରେ ହୋଇଥିବା କୋର୍ଟ ଅବମାନନା ମାମଲାକୁ ଟଣାଗଲାଣି।
ଭାରତୀୟ ସମ୍ବିଧାନରେ ଅଭିବ୍ୟକ୍ତିର ସ୍ବାଧୀନତା ମୌଳିକ ଅଧିକାର ଭାବେ ଦର୍ଶାଯାଇଛି। କିନ୍ତୁ ତାହାକୁ ଅଦାଲତି ଚାପରେ କଦର୍ଥ କରାଯାଇସାରିଲାଣି। ଏଭଳି ସମୟରେ ଯଦି ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରାଯାଏ ତାହା ହେଲେ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରତି ଭୟ ବା ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରି ହୋଇଥିବା ଆବେଦନରେ ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ସ୍ବାକ୍ଷର କରିସାରିଲେଣି। ଏମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟର ପୂର୍ବତନ ବିଚାରପତି, ଆଇନଜୀବୀ, ପ୍ରଶାସନିକ ଅଧିକାରୀ, ସେଲିବ୍ରିଟି ଏବଂ ବୁଦ୍ଧିଜୀବୀ ଅଛନ୍ତି। ସାଧାରଣତଃ କୋର୍ଟ ଅବମାନନା ସଂକ୍ରାନ୍ତ ବିତର୍କ ସମ୍ଭ୍ରାନ୍ତ ସମାଜ ଭିତରେ ଚାଲିଛି। ତଥାପି ଯେଉଁ ହାରରେ ପ୍ରଶାନ୍ତଙ୍କୁ ଦଣ୍ଡିତ କରିବା ପାଇଁ ସୁପ୍ରିମକୋର୍ଟ ଲାଗିଛନ୍ତି, ତାହାଠାରୁ କାହିଁ କେତେ ଅଧିକ ମାତ୍ରାରେ ବିରୋଧ କରାଯାଉଛି। ଏହା କରାଯିବା ସ୍ବାଭାବିକ। କାରଣ ପାଶ୍ଚାତ୍ୟର ଅନେକ ରାଷ୍ଟ୍ରରେ ଅଦାଲତ ଅବମାନନା ଅବ୍‌ସୋଲିଟ୍‌ ବା ଅପ୍ରଚଳିତ ହୋଇଗଲାଣି। ସେହି ଦୃଷ୍ଟିରୁ ଦେଖିଲେ କଣ୍ଟେମ୍ପଟ୍‌ ଅଫ୍‌ କୋର୍ଟକୁ ଏଠାରେ ସମୀକ୍ଷା କରାଯିବା ଉଚିତ। ଯୁକ୍ତିତର୍କ ମାଧ୍ୟମରେ ନିଷ୍କର୍ଷ ଆସିଥାଏ। ଆଜିର ଆଧୁନିକ ଯୁଗରେ ତାହାକୁ ଗୁରୁତ୍ୱ ଦିଆ ନ ଯାଇ ପୁରୁଣାକାଳିଆ ଚିନ୍ତାଧାରାକୁ ଧାରି ରଖିଲେ ଗଣତନ୍ତ୍ର ବିପଦରେ ପଡ଼ିବା ନିଶ୍ଚିତ। କାରଣ ଏକ ସୁସ୍ଥ ଗଣତନ୍ତ୍ର ସମାଲୋଚନାକୁ ସମ୍ମାନ ଦେବା ଦରକାର, ଏହାକୁ ଚାପି ଦେଇ ନୁହଁ। ଯେତେବେଳେ ଦେଶର ନ୍ୟାୟପାଳିକାର ଶୀର୍ଷରେ ଥିବା ଅନୁଷ୍ଠାନ ପ୍ରେଷ୍ଟିଜ୍‌ ବା ମର୍ଯ୍ୟାଦା ସଙ୍କଟରେ ପଡ଼ିଛି ବୋଲି ଭାବି ଅସହାୟ ହୋଇପଡ଼ିବ, ସେତେବେଳେ କାହାର ମର୍ଯ୍ୟାଦାକୁ କେହି ସୁରକ୍ଷା ଦେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri