କରିବ କିଏ

ଓଡ଼ିଶାର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ତା’ର ପସରା ମେଲାଇ ଚାଲିଛି। କଟକର ଜଗତପୁରଠାରୁ ଆରମ୍ଭକରି ଅନୁଗୋଳ, ବ୍ରହ୍ମପୁର, କୋରାପୁଟ ଓ ରାଜଧାନୀ ସମେତ ଅନେକ ଅଞ୍ଚଳରେ ଖାଦ୍ୟସାମଗ୍ରୀ ଭେଜାଲ ଥିବା ଦେଖିବାକୁ ମିଳୁଛି। ୫ ସେପ୍ଟେମ୍ବରରେ ଭୁବନେଶ୍ୱର ଉପକଣ୍ଠ ଅଟଳା ନିକଟରେ ନକଲି ଲୁଣ ଓ ସର୍ଫ କାରଖାନା ଠାବ କରାଯାଇଛି। ଟାଟା ସଲ୍ଟ ଭଳି ନାମୀଦାମୀ କମ୍ପାନୀର ଲୋଗୋ ବ୍ୟବହାର କରାଯାଇ ଏଭଳି କାରବାର ହେଉଥିବା ଜଣାପଡ଼ିବା ପରେ ଖାଉଟିଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ବାଭାବିକ। ବିଶେଷକରି ଲୁଣ ଦୈନିକ ଆବଶ୍ୟକ ଜିନିଷ ହୋଇଥିବାରୁ ଏହା ପର୍ଯ୍ୟାପ୍ତ ପରିମାଣରେ ବ୍ୟବହାର ହୋଇଥାଏ। ଏହାକୁ କାହିଁକି ରୋକାଯାଇପାରୁ ନାହିଁ ବୋଲି ପ୍ରଶ୍ନ ହେଲେ ନିଶ୍ଚିତ ଭାବେ ଯାଞ୍ଚ ସଂସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଆକ୍ଟ-୨୦୦୬ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଖାଦ୍ୟପଦାର୍ଥର ମାନ ଯାଞ୍ଚ କରିବା ସହ ଅପମିଶ୍ରଣ ସାମଗ୍ରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବରିଷ୍ଠ ଅଧିକାରୀମାନେ ଥିଲେ ମଧ୍ୟ ଏ ଦିଗରେ ଆଶାନୁରୂପ ସଫଳତା ମିଳୁପାରୁ ନାହିଁ। କାରଣ ଅଧିକାଂଶ ନାଗରିକ ସୁଯୋଗ ପାଇଲେ ଚୋର ପାଲଟୁଛନ୍ତି। ଯେଉଁମାନେ ସଚ୍ଚୋଟ ବୋଲି ଦେଖାଉଛନ୍ତି, ସେମାନେ ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଧରି ନେବାକୁ ହେବ। ଅଭିଯୋଗ ହୋଇଥାଏ ଭେଜାଲକାରୀଙ୍କ ସହ ଯାଞ୍ଚ ଅଧିକାରୀ ଓ ବିଶେଷକରି ପୋଲିସ ସ୍ଥଳବିଶେଷରେ ହାତ ମିଳାଇଥାଆନ୍ତି। ରାଜଧାନୀ ଉପକଣ୍ଠରେ ନକଲି ଲୁଣ ଓ ସର୍ଫ କାରବାର ଚାଲୁଥିଲେ ମଧ୍ୟ ଜଣାପଡ଼ୁ ନ ଥିଲା ବୋଲି ଯାଞ୍ଚ ଅଧିକାରୀଙ୍କୁ ପ୍ରଶ୍ନ ହେବାରୁ ଉତ୍ତର ମିଳୁଛି ଯେ, କର୍ମଚାରୀ ଅଭାବରୁ ନମୁନା ସଂଗ୍ରହ ତ୍ୱରାନ୍ବିତ ହୋଇପାରୁ ନାହିଁ।
ପୂର୍ବରୁ ସାଧାରଣତଃ ଖୁଚୁରା ବ୍ୟବସାୟୀମାନେ ଗାଁଠୁ ସହର ଯାଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବେପାର କରୁଥିଲେ। ଯେବେଠାରୁ ଖୁଚୁରା ରିଟେଲ୍‌ ଚେନ୍‌ଗୁଡ଼ିକ ନିର୍ନ୍ଦ୍ୱନ୍ଦ୍ୱରେ ବଜାର ପ୍ରବେଶ କଲେ ସେବେଠାରୁ ବଜାର ପରିଚାଳନା ସେମାନଙ୍କ ହାତକୁ ଚାଲିଯାଇଛି। ସେମାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଭଳି ମାନସିକତାରୁ ମଧ୍ୟ ଷଡ଼ଯନ୍ତ୍ରମୂଳକ ଅପରାଧ ବଳ ପାଉଛି। ସ୍ଥଳବିଶେଷରେ ଯେଉଁଠାରେ ନକଲି ସାମଗ୍ରୀ କାରବାର ହେଉଛି, ତାହାକୁ ବଡ଼ ଆକାରରେ ପ୍ରଚାର ପ୍ରସାର କରାଯାଉଛି। ଏହାଦ୍ୱାରା ଉପଭୋକ୍ତାଙ୍କ ମନରେ ଭୟ ସୃଷ୍ଟି କରାଯାଉଛି କି ଖୁଚୁରା ବେପାର କରୁଥିବା ଦୋକାନୀ ନକଲି ସାମଗ୍ରୀକୁ ବିକ୍ରି କରୁଛନ୍ତି। ଯେତେବେଳେ ଲୋକେ ମଲ୍‌ କିମ୍ବା ରିଟେଲ୍‌ ଚେନ୍‌ରୁ ବିଶୁଦ୍ଧ ଜିନିଷ ପାଇବେ ବୋଲି ଭାବୁଛନ୍ତି ସେଗୁଡ଼ିକ ଯେ ନକଲି ବେପାରୀଙ୍କଠାରୁ ଆସି ନ ଥିବ, ତାହାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। କହିବାକୁ ଗଲେ ସବୁଆଡ଼େ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଦରକାର। ବିଶେଷକରି ଖାଦ୍ୟସାମଗ୍ରୀ ନକଲ କରୁଥିବା ବ୍ୟକ୍ତିଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ। କିନ୍ତୁ କରିବ କିଏ? ଯାହା ଆମେ ଜାଣୁ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଖାଦ୍ୟପଦାର୍ଥ ଅପମିଶ୍ରଣ ହୁଏ। କୌତୂହଳର ବିଷୟ ହେଉଛି, ଏହି ଜଘଣ୍ୟ କାର୍ଯ୍ୟକୁ କୌଣସି ପାକିସ୍ତାନୀ କିମ୍ବା ଚାଇନା ଲୋକ କରନ୍ତି ନାହିଁ। ଏହି ମାଟିର ପାଣି ପବନ ପାଇ ବଢ଼ିଥିବା ନାଗରିକ ଏଭଳି କୁତ୍ସିତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri