ଜୁରି ସଦସ୍ୟ କଲା କିଏ

ନିକଟରେ ଗୋଆଠାରେ ଶେଷ ହୋଇଥିବା ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ‘ଦି କଶ୍ମୀର ଫାଇଲ୍ସ’ ପ୍ରଦର୍ଶିତ ହେବା ପରେ ଏହା ଆହୁରି ବିବାଦ ଭିତରକୁ ଚାଲିଯାଇଛି। ବିଚାରକମଣ୍ଡଳୀ ମୁଖ୍ୟ ଇସ୍ରାଏଲର ଚଳଚ୍ଚିତ୍ର ନିର୍ଦ୍ଦେଶକ ନାଦାଭ ଲାପିଡ୍‌ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରଚାରଧର୍ମୀ ଓ ଅଶ୍ଳୀଳ ସିନେମା ବୋଲି ଅବିହିତ କରିଛନ୍ତି। ଲାପିଡ୍‌ କହିଥିଲେ, ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଆସିଥିବା ୧୫ ଫିଲ୍ମ ମଧ୍ୟରୁ ୧୪ଟିରେ ଚଳଚ୍ଚିତ୍ର ସମ୍ବନ୍ଧୀୟ ଗୁଣାବଳୀ ଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ୧୫ତମ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ଦେଖିବା ପରେ ‘ଆମେ ସମସ୍ତେ’ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲୁ ଓ ତାହା ଆମକୁ ଝଟକା ଦେଇଥିଲା। ସେ ଆହୁରି ପ୍ରଶ୍ନ କରିଥିଲେ ଯେ ଏଭଳି ଏକ ଅଶ୍ଳୀଳ ଓ ଅନୁପଯୁକ୍ତ ଚଳଚ୍ଚିତ୍ର କିପରି ଓ କାହିଁକି ଅନ୍ତର୍ଜାତୀୟ ବର୍ଗରେ ପ୍ରଦର୍ଶିତ ହେଲା। ଲାପିଡ୍‌ ଜଣେ ଅନ୍ତର୍ଜାତୀୟ ସ୍ତରର ସିନେମା ନିର୍ଦ୍ଦେଶକ। ସେ ଅନେକ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ସିନେମା ‘ସିନୋନିମ୍‌’ ୬୯ତମ ବର୍ଲିନ୍‌ ଫିଲ୍ମ ମହୋତ୍ସବରେ ଗୋଲ୍ଡେନ୍‌ ବେୟର ଆଓ୍ବାର୍ଡ ପାଇଥିଲା। ଏଥିସହିତ ତାଙ୍କର ଅନ୍ୟ ଏକ ସିନେମା ‘ପୋଲିସମ୍ୟାନ୍‌’ ଲୋକୋର୍ଣ୍ଣୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ରେ ବିଶେଷ ପୁରସ୍କାର ପାଇଥିଲା। ଗତବର୍ଷ କାନ୍‌ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ସିନେମା ‘ଆହେଡ୍‌ସ ନି’ ଅନ୍ୟତମ ପୁରସ୍କାର ‘ପାଲମଦର’ ହାସଲ କରିଥିଲା। ଏହାବ୍ୟତୀତ ଲାପିଡ୍‌ ବିଭିନ୍ନ ଅନ୍ତର୍ଜାତୀୟ ସିନେମା ମହୋତ୍ସବରେ ଜୁରି ସଦସ୍ୟ ରହିଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍‌ଙ୍କ ସମେତ ଆମେରିକୀୟ ଫିଲ୍ମ ପ୍ରଯୋଜକ ଜିଙ୍କୋ ଗୋଟୋ, ସ୍ପେନୀୟ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଜାଭିଅର୍‌ ଏଞ୍ଜୁଲୋ ବାର୍ଟୁରେନ୍‌୍‌ ଏବଂ ଫରାସୀ ଚଳଚ୍ଚିତ୍ର ସମ୍ପାଦକ ପାସ୍କାଲ ଶାଭେନ୍ସ ବିଚାରକମଣ୍ଡଳୀର ସଦସ୍ୟ ଥିଲେ। ଏଠାରେ ଆହୁରି ମଧ୍ୟ କୁହାଯାଇପାରେ ଯେ ନିକଟରେ ଶେଷ ହୋଇଥିବା ଗୋଆ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପାଇଁ ଯେତେଜଣ ଜୁରି ସଦସ୍ୟ ହୋଇଛନ୍ତି ସେମାନେ ସମସ୍ତେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ଏହି ସଦସ୍ୟଙ୍କୁ ବାଛିବା ପଛରେ ଏକ ମହତ୍‌ ଉଦ୍ଦେଶ୍ୟ ରହିଛି। ଏହିଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନଙ୍କୁ ସମ୍ପୃକ୍ତ କରାଇଲେ ସେହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି ପାଇଥାଏ। ଉଦାହରଣସ୍ବରୂପ, ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଦକ୍ଷିଣ ଆଫ୍ରିକାରେ କ୍ରିକେଟ ଖେଳ ହୁଏ ତେବେ ଅମ୍ପାୟାର ସବୁବେଳେ ଅନ୍ୟ ଏକ ଦେଶର ରହିଥାନ୍ତି। ଏହାଦ୍ୱାରା ନିରପେକ୍ଷତା ବଜାୟ ରହେ। ଏହି ଚିନ୍ତାକୁ ବୁଝିପାରିଲେ ଜଣାପଡ଼େ ଯେ ଲାପିଡ୍‌ ଓ ତାଙ୍କ ସହିତ ଗୋଆ ଫିଲ୍ମ ମହୋତ୍ସବରେ ଜୁରି ସଦସ୍ୟଙ୍କ ପ୍ରତିଭା ଓ ଯୋଗ୍ୟତାକୁ ନିରୀକ୍ଷଣ କରି ଭାରତ ସରକାର ସେମାନଙ୍କୁ ବାଛିଥିଲେ।
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କଶ୍ମୀର ଫାଇଲ୍ସ’ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିବା ପରେ ଭାରତରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେଥିରେ ଗତ ଶତାବ୍ଦୀର ୯୦ ଦଶକରେ କଶ୍ମୀରରେ ପଣ୍ଡିତମାନେ ଭୋଗିଥିବା ଦୁର୍ଦ୍ଦଶା, ହତ୍ୟା ଓ ସଂଗ୍ରାମର କାହାଣୀ ବର୍ଣ୍ଣନା କରାଯାଇଛି। ସେହି ଦୃଷ୍ଟିରୁ ଏହାକୁ ସବୁ ଭାରତୀୟ ଦେଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ ସେତେବେଳେ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏପରି କି ଅନେକ ରାଜ୍ୟ ସରକାର ଏହାକୁ ଦେଶାତ୍ମବୋଧକ ଚିନ୍ତା ଉଦ୍ରେକକାରୀ ଚଳଚ୍ଚିତ୍ର ଆଖ୍ୟା ଦେଇ ଟିକସ ଛାଡ଼ କରିଦେଇଥିଲେ। ଏଥିସହିତ ପାର୍ଲାମେଣ୍ଟ ସମେତ ଅନେକ ଜାଗାରେ ତାହାର ମାଗଣା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଏବେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଏହା ସମାଲୋଚିତ ହେବା ପରେ ଆଜି ମୁମ୍ବାଇ ସିନେମା ଜଗତର ଯେଉଁ କେତେଜଣ ବ୍ୟକ୍ତିବିଶେଷ ଗଣମାଧ୍ୟମକୁ ଆସି ଲାପିଡ୍‌ଙ୍କୁ ଆକ୍ରମଣ କରୁଛନ୍ତି ସେମାନେ ଜଜ୍‌ ଏବଂ ଜୁରିର ତଫାତ୍‌ ବୁଝିବା ସହିତ କେନ୍ଦ୍ର ସରକାରଙ୍କ ଏହି ଘଟଣା ଘଟାଇବାରେ ଭୂମିକାକୁ ହୃଦୟଙ୍ଗମ କରିବା ଦରକାର। ଆଜିର ଭାରତ ସରକାରଙ୍କ ପ୍ରତିଟି ପଦକ୍ଷେପ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। କୌଣସି ଘଟଣା ଘଟୁନାହିଁ ଯେଉଁଥିରେ ଶାସକ ଦଳର ଉଦ୍ଦେଶ୍ୟ ରହୁନାହିଁ। ଦି କଶ୍ମୀର ଫାଇଲ୍ସକୁ ବହୁଳ ପ୍ରସାରିତ କରିବା ପାଇଁ ଏବେକାର ସମୟ ଉପଯୋଗୀ ଥିଲା ବୋଲି ଭାବିହେବ। ଅଳ୍ପ କିଛିଦିନ ପରେ ଗୁଜରାଟ ବିଧାନସଭା ଲାଗି ଭୋଟ ହେବ। ତାହା ପୂର୍ବରୁ ଯଦି ଏହି ଅନ୍ତର୍ଜାତୀୟ ଜୁରି ଦି କଶ୍ମୀର ଫାଇଲ୍ସ ସମେତ ୧୫ଟି ସିନେମାକୁ ପ୍ରଶଂସା କରିଦେଇ ଥାଆନ୍ତେ ତେବେ ଅତ୍ୟନ୍ତ ପୁରାତନ ହିନ୍ଦୁ ଧର୍ମ ପାଇଁ ଅନେକ ସାହାଯ୍ୟ ହୋଇଥା’ନ୍ତା। ଏଥିସହିତ ପେଗାସସ୍‌ ଭଳି ଅନେକ ଦାମୀ ଯାନ୍ତ୍ରିକ ଉପକରଣ ଇସ୍ରାଏଲ୍‌ଠାରୁ କିଣାଯାଇଥିବାରୁ ସେହି ଦେଶର ସିନେମା ନିର୍ଦ୍ଦେଶକ ନାଦାଭ ଲାପିଡ୍‌ଙ୍କୁ ଜୁରିର ଅଧ୍ୟକ୍ଷ କରାଯାଇଥିବାର ଲାଭ ହାସଲ ହୋଇଥାଆନ୍ତା। ଏହା ଲଜ୍ଜା ନୁହେଁ, ଦୁଃଖର ବିଷୟ ଯେ ଅନ୍ତର୍ଜାତୀୟ ସିନେମା ନିର୍ଦ୍ଦେଶକମାନେ ଆମ ଦେଶର କୋଚୋଟିଆ ରାଜନୀତିକୁ ବୁଝିବାରେ ଅସଫଳ ହେବା ଯୋଗୁ ଦି କଶ୍ମୀର ଫାଇଲ୍ସକୁ ପ୍ରଶଂସା କରିବା ପରିବର୍ତ୍ତେ ସମାଲୋଚନା କରିଦେଇଗଲେ। ସେମାନଙ୍କ ମତ ବାସ୍ତବ ସିନେମା ପ୍ରସ୍ତୁତି ଓ ସତ୍ୟ ଉପରେ ଆଧାରିତ ହୋଇଥିବାରୁ ତାଙ୍କୁ ଖୁଣି ହେବ ନାହିଁ। କିନ୍ତୁ ସେମାନଙ୍କୁ ଭାରତରେ ଆସି ସରକାରୀ କାର୍ଯ୍ୟକ୍ରମରେ ଜୁରି ସଦସ୍ୟ ହେବାର ଅଧିକାର ଦେଲା କିଏ ? ସତ୍ୟ ଶୁଣିବାକୁ ଅରାଜି ବ୍ୟକ୍ତିମାନେ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri