କିଏ ଉପାସ୍ୟ-ପ୍ରକୃତି ନା ପରମାତ୍ମା

ଶ୍ରୀ ସନ୍ନ୍ୟାସୀ

ଈଶ୍ୱର ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପୃଥିବୀ, ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ସର୍ବଶକ୍ତିମାନ ଈଶ୍ୱରଙ୍କୁ କେବଳ ଭଜନକୀର୍ତ୍ତନ କରି ଆରାଧନା କଲେ ଯେ ସେ ସନ୍ତୁଷ୍ଟ ହେବେ ତା’ ନୁହେଁ, ଅପରନ୍ତୁ ତାଙ୍କଦ୍ୱାରା ସୃଷ୍ଟିର ଉଚିତ ରକ୍ଷଣାବେକ୍ଷଣ କଲେ ହିଁ ସେ ଖୁସି ହେବେ। ଆମେ ପ୍ରକୃତିର ଏ ତତ୍ତ୍ୱକୁ ଆଜି ପର୍ଯ୍ୟନ୍ତ ହୃଦୟଙ୍ଗମ କରିପାରିଲୁ ନାହିଁ। ବଣଜଙ୍ଗଲ ନଷ୍ଟ କଲୁ, ବାୟୁମଣ୍ଡଳକୁ ବିଷାକ୍ତ କଲୁ, ଜଳକୁ ଅବାରିତ ଭାବେ ପ୍ରଦୂଷିତ କଲୁ। ତେଣେ ମଠ, ମନ୍ଦିର ବା ଠାକୁର ଘରେ ଘଣ୍ଟା ଘଣ୍ଟା ଧରି ଘଣ୍ଟି ବଜାଇ କୀର୍ତ୍ତନ କରୁଛୁ। ଚର୍ଚ୍ଚ, ମସଜିଦ୍‌ରେ ମୁଣ୍ଡ ଗଡ଼ାଉଛୁ। ହେଲେ ଫଳ?
ଏବେ କରୋନା ପରିପ୍ରେକ୍ଷୀରେ ମଠ, ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଆଉ ମସଜିଦ୍‌କୁ ଯାଇ ଯେଉଁ ସର୍ବଶକ୍ତିମାନଙ୍କ ଆଗରେ ମଣିଷ ନିଜର ଦୁଃଖ ଜଣାଉଥିଲା, ସେ ସ୍ଥାନ ଆଜି ନିର୍ଜନ। ମୁଖ୍ୟ ଫାଟକରେ ପଡ଼ିଛି ତାଲା। ସେଠାରେ ପୂଜିତ ଈଶ୍ୱର ଚୁପ୍‌। କାହିଁକି? ଦିନକୁ ଦିନ ଛତୁ ଫୁଟିବା ଭଳି ପ୍ରତି ଗାଁ ଛକ ଓ ବଜାରମାନଙ୍କରେ ଗଢ଼ି ଉଠୁଥିବା ଉପାସନା ସ୍ଥଳୀ ଏବଂ ସେଠାରେ ଉପାସ୍ୟ ଦେବତା କାହିଁକି ଆଜି ନୀରବ ଆଉ ନିଷ୍ପନ୍ଦ। ଏହାର କାରଣ ଗୋଟିଏ। ଆମେ ପ୍ରକୃତି ପୂଜାକୁ ଛାଡି ଅନ୍ୟ ପୂଜାରେ ମାତିଲେ। ପୂଜା ହେଉ, କିନ୍ତୁ ପ୍ରକୃତିର ଉପାସନାରୁ ମଣିଷ ଦୂରେଇ ନ ଯାଉ। ପ୍ରକୃତି ରହିଲେ ସିନା ମଣିଷ ବଞ୍ଚିବ। ଖାସ୍‌ ସେଇଥିପାଇଁ ବୈଦିକ ସଭ୍ୟତାର ମଣିଷ ପ୍ରକୃତି ପୂଜା ଉପରେ ଗୁରୁତ୍ୱ ଦେଉଥିଲା। ଜଳକୁ ଆରତି କରାଯାଉଥିଲା, ଭୂମିକୁ ପୂଜା କରାଯାଉଥିଲା, ଚନ୍ଦ୍ର ଆଉ ସୂର୍ଯ୍ୟଙ୍କୁ ନମସ୍କାର କରାଯାଉଥିଲା, ଗଛଲତାଙ୍କୁ ବିଭିନ୍ନ ଦେବଦେବୀଙ୍କ ଆଧାରଶିଳା ମନେକରି ପୂଜା କରାଯାଉଥିଲା। ସୃଷ୍ଟି ଆରମ୍ଭର ମଣିଷ ସାମାନ୍ୟ ଜ୍ଞାନପ୍ରାପ୍ତ ହେବାପରେ ପ୍ରକୃତି ପୂଜାରେ ମଗ୍ନ ରହୁଥିଲା। ବାର ବାର ପ୍ରଣାମ ଜଣାଉଥିଲା ଆକାଶ, ପାଣି, ପବନ, ଚନ୍ଦ୍ର, ସୂର୍ଯ୍ୟ ଆଉ ଗଛଲତାଙ୍କୁ।
ସମୟ ସହ ତାଳ ଦେଇ ସୃଷ୍ଟି ଆଗେଇ ଚାଲିଲା। କିନ୍ତୁ ପଛରେ ରହିଗଲା ମଣିଷର ଚିନ୍ତା ଆଉ ଚେତନାର କ୍ରମୋନ୍ନତି କ୍ରିୟା। ପ୍ରକୃତିକୁ ଛାଡି ସେ ଧରିଲା ନିଜସ୍ବ ପରିକଳ୍ପିତ ଦେବତାମାନଙ୍କୁ। ଆରାଧନା କଲା ତଥାକଥିତ କଳ୍ପିତ ଈଶ୍ୱରମାନଙ୍କୁ। ଏଥିରେ ବି କିଛି ଅସୁବିଧା ନ ଥିଲା। ମାନସିକ ଶାନ୍ତି ନିମନ୍ତେ ଭାବନାତ୍ମକ ଆବେଗର ହୁଏତ ଏହା ଏକ ଭିନ୍ନ ପରିପ୍ରକାଶ ହୋଇପାରେ, କିନ୍ତୁ ଅସଲରେ ପୂଜା ପରମ୍ପରାଟି ପ୍ରବର୍ତ୍ତନ ହେବା ପଛରେ ଯେଉଁ ମୁଖ୍ୟ ଉଦ୍ଦେଶ୍ୟଟି ନିହିତ ଥିଲା, ତା’ଠାରୁ ଢେର ଅପହଞ୍ଚ ରହିଗଲା ଏ ମଣିଷ। ‘ପୂଜା’ ଶବ୍ଦଟି ‘ପୂଜ୍‌’ ଧାତୁରୁ ଆସିଛି, ଯାହାର ଅର୍ଥ ହେଉଛି ସମ୍ବର୍ଦ୍ଧନା କରିବା। ଯେଉଁ ଦେବତାଙ୍କୁ ପୂଜା କରୁଛେ ତାଙ୍କର ଦିବ୍ୟ ଗୁଣ ଏବଂ ଦିବ୍ୟ କର୍ମକୁ ଯଥାସମ୍ଭବ ନିଜ ବ୍ୟକ୍ତିଗତ ଚରିତ୍ରରେ ଚିତ୍ରିତ କରିବା ହେଉଛି ପୂଜାର ମୂଳ ଊଦ୍ଦେଶ୍ୟ। ଏ ଧାରଣା କିନ୍ତୁ ଆଜି ସୁଦୂର ପରାହତ। ଭକ୍ତିରେ ଦୁଇ ହାତ ଉପରକୁ ଟେକି କୀର୍ତ୍ତନ କରୁଛୁ, କିନ୍ତୁ ପ୍ରଭୁଙ୍କ ପ୍ରଦତ୍ତ ଭାବଧାରାକୁ ପଛରେ ପକାଇ ଦେଉଛୁ। ଗୁରୁଙ୍କୁ ପୂଜା କରୁଛୁ, କିନ୍ତୁ ତାଙ୍କ କଥାକୁ ଅମାନ୍ୟ କରୁଛୁ। ଏ କି ପୂଜା?
ଗିରି ଗୋବର୍ଦ୍ଧନଙ୍କ କୋଳରେ ଆମେ ବଢ଼ୁଛେ, ତା’ର ସୁଶୀତଳ ଛାୟାରେ ନିର୍ବିଘ୍ନରେ ଚରୁଛନ୍ତି ଆମ ଗୋମାତାଗଣ। ଏହାର ମଧ୍ୟଦେଇ ଝରି ଆସୁଥିବା ଝରଣାର ସ୍ନିଗ୍ଧ ଜଳରାଶିରେ ଆମମାନଙ୍କର ତୃଷ୍ଣା ମେଣ୍ଟୁଛି। ବର୍ଷାରାଣୀଙ୍କୁ ଆମ ପାଖରେ ପହଞ୍ଚାଇବାର ଗୁରୁଦାୟିତ୍ୱ ନିର୍ବାହ କରିଛନ୍ତି ଏ ଗୋବର୍ଦ୍ଧନ। ତେଣୁ ହେ ମାନବଗଣ! ଇନ୍ଦ୍ର ଦେବତାଙ୍କ ପୂଜା କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ପ୍ରକୃତରେ ପୂଜା କରିବାର ଅଛି, ତେବେ ଆସନ୍ତୁ ଇନ୍ଦ୍ରଙ୍କ ବଦଳରେ ଗିରିରାଜଙ୍କ ପୂଜା କରିବା। ଏକଥା ଶ୍ରୀକୃଷ୍ଣ କହିଥିଲେ ଗୋପପୁରବାସୀଙ୍କୁ। ବନବାସ ନିମନ୍ତେ ଅଯୋଧ୍ୟାରୁ ପ୍ରସ୍ଥାନ କରୁଥିବା ପ୍ରଭୁ ଶ୍ରୀରାମ ସଙ୍ଗରେ ନେଇଯାଇଥିଲେ ଅଯୋଧ୍ୟାର ପବିତ୍ର ମାଟିରୁ କିଛି। ଆଉ ବନବାସ ଜୀବନର ପ୍ରତିଟି ସୂର୍ଯ୍ୟୋଦୟରେ ମା’ ମାଟିକୁ ପୂଜା କରୁଥିଲେ। ସେଠାରେ ନ ଥିଲା କେଉଁ ଦେବଦେବୀଙ୍କ ଫଟୋ ବା ମୂର୍ତ୍ତି। ଥିଲା କେବଳ ପ୍ରକୃତିର ଅନବଦ୍ୟ ଅଙ୍ଗ ମାଟିର ପିଣ୍ଡୁଳାଟିଏ; ଖାସ୍‌ କରି ମଣିଷ ମନରେ ପ୍ରକୃତି ପୂଜାର ସ୍ପଷ୍ଟ ଝଲକ ଦେଖାଇ ଦେବାର ଏକ ନିଚ୍ଛକ ପ୍ରୟାସ। କେବଳ ସେତିକି ନୁହେଁ, ଶ୍ରୀରାମଙ୍କ ବନବାସ ନିମିତ୍ତ ଅନେକ କାରଣ ଥିବାବେଳେ ତନ୍ମଧ୍ୟରୁ ଗୋଟିଏ କାରଣ ଥିଲା, ପ୍ରକୃତିର ସୁରକ୍ଷା। ଜଙ୍ଗଲରାଜିର ସୁରକ୍ଷା ନିମନ୍ତେ ବି ପ୍ରତିଶ୍ରୁତିବଦ୍ଧ ଥିଲେ ରାମାୟଣର ପ୍ରଭୁ ଶ୍ରୀରାମ ଆଉ ଲକ୍ଷ୍ମଣ।
ଏବେ ମନରେ ପ୍ରଶ୍ନଉଠେ ଆମେ କାହାକୁ ପୂଜା କରିବା- ସୃଷ୍ଟିକୁ ନା ସ୍ରଷ୍ଟାଙ୍କୁ? ପ୍ରକୃତି ନା ପରମାତ୍ମାଙ୍କୁ? ଆଜିର କରୋନାକବଳିତ ବିଶ୍ୱର ବାସ୍ତବ ଚିତ୍ରକୁ ଅବଲୋକନ କଲେ ଏହାର ଉତ୍ତର ସ୍ପଷ୍ଟ ଅନୁମିତ। ସ୍ରଷ୍ଟାଙ୍କ ପୂଜା କରିବାର କୌଣସି ଆବଶ୍ୟକତା ନାହିଁ। ସେ ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି, ତାଙ୍କୁ କେବଳ ଅନୁଭବ କରାଯିବା ଦରକାର। ତାଙ୍କ ପାଖରେ ସମର୍ପିତ ହେବା ଦରକାର। ପରମାତ୍ମା କେବଳ ଚାହାନ୍ତି, ତାଙ୍କ ସୃଷ୍ଟି ସୁରକ୍ଷିତ ରହୁ। ଏଥିରେ ସେ ଢେର ଖୁସି ହେବେ। କିନ୍ତୁ ଦୁଃଖର କଥା, ଇତର ପ୍ରାଣୀମାନଙ୍କ ଅପେକ୍ଷା ଏ ମଣିଷ ହିଁ ଏବେ ସୃଷ୍ଟିକୁ ବେଶି ଉଜାଡିବାରେ ଲାଗିଛି। ପ୍ରତି ମୁହୂର୍ତ୍ତରେ କରୋନା ଏବେ ଏଇ ବାର୍ତ୍ତା ଦେଉଛି ଯେ, ହେ ମଣିଷ! ସୃଷ୍ଟିକୁ ରକ୍ଷା କରିବା ପାଇଁ ଏବେ ବି ସମୟ ଅଛି। ପୃଥିବୀକୁ ଧ୍ୱଂସ କରିବା ପାଇଁ ପରମାଣୁ ବୋମା ବା ମିସାଇଲ ତିଆରିରେ ଆଉ ମନ ନ ଦେଇ ଏଣିକି ସମ୍ମିଳିତ ଭାବେ ପ୍ରକୃତିର ଉପାସନାରେ ବ୍ରତୀ ହୁଅ। ମନେରଖ, ପ୍ରକୃତି ପୂଜା ହିଁ ପ୍ରକୃତ ପୂଜା। ଏଥିରୁ ବିଚ୍ୟୁତ ହେଲେ ସୃଷ୍ଟ ବିପଦରୁ କେହି ବି ତୁମକୁ ରକ୍ଷା କରିପାରିବେ ନାହିଁ।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri