କିଏ ଉପାସ୍ୟ-ପ୍ରକୃତି ନା ପରମାତ୍ମା

ଶ୍ରୀ ସନ୍ନ୍ୟାସୀ

ଈଶ୍ୱର ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପୃଥିବୀ, ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ସର୍ବଶକ୍ତିମାନ ଈଶ୍ୱରଙ୍କୁ କେବଳ ଭଜନକୀର୍ତ୍ତନ କରି ଆରାଧନା କଲେ ଯେ ସେ ସନ୍ତୁଷ୍ଟ ହେବେ ତା’ ନୁହେଁ, ଅପରନ୍ତୁ ତାଙ୍କଦ୍ୱାରା ସୃଷ୍ଟିର ଉଚିତ ରକ୍ଷଣାବେକ୍ଷଣ କଲେ ହିଁ ସେ ଖୁସି ହେବେ। ଆମେ ପ୍ରକୃତିର ଏ ତତ୍ତ୍ୱକୁ ଆଜି ପର୍ଯ୍ୟନ୍ତ ହୃଦୟଙ୍ଗମ କରିପାରିଲୁ ନାହିଁ। ବଣଜଙ୍ଗଲ ନଷ୍ଟ କଲୁ, ବାୟୁମଣ୍ଡଳକୁ ବିଷାକ୍ତ କଲୁ, ଜଳକୁ ଅବାରିତ ଭାବେ ପ୍ରଦୂଷିତ କଲୁ। ତେଣେ ମଠ, ମନ୍ଦିର ବା ଠାକୁର ଘରେ ଘଣ୍ଟା ଘଣ୍ଟା ଧରି ଘଣ୍ଟି ବଜାଇ କୀର୍ତ୍ତନ କରୁଛୁ। ଚର୍ଚ୍ଚ, ମସଜିଦ୍‌ରେ ମୁଣ୍ଡ ଗଡ଼ାଉଛୁ। ହେଲେ ଫଳ?
ଏବେ କରୋନା ପରିପ୍ରେକ୍ଷୀରେ ମଠ, ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଆଉ ମସଜିଦ୍‌କୁ ଯାଇ ଯେଉଁ ସର୍ବଶକ୍ତିମାନଙ୍କ ଆଗରେ ମଣିଷ ନିଜର ଦୁଃଖ ଜଣାଉଥିଲା, ସେ ସ୍ଥାନ ଆଜି ନିର୍ଜନ। ମୁଖ୍ୟ ଫାଟକରେ ପଡ଼ିଛି ତାଲା। ସେଠାରେ ପୂଜିତ ଈଶ୍ୱର ଚୁପ୍‌। କାହିଁକି? ଦିନକୁ ଦିନ ଛତୁ ଫୁଟିବା ଭଳି ପ୍ରତି ଗାଁ ଛକ ଓ ବଜାରମାନଙ୍କରେ ଗଢ଼ି ଉଠୁଥିବା ଉପାସନା ସ୍ଥଳୀ ଏବଂ ସେଠାରେ ଉପାସ୍ୟ ଦେବତା କାହିଁକି ଆଜି ନୀରବ ଆଉ ନିଷ୍ପନ୍ଦ। ଏହାର କାରଣ ଗୋଟିଏ। ଆମେ ପ୍ରକୃତି ପୂଜାକୁ ଛାଡି ଅନ୍ୟ ପୂଜାରେ ମାତିଲେ। ପୂଜା ହେଉ, କିନ୍ତୁ ପ୍ରକୃତିର ଉପାସନାରୁ ମଣିଷ ଦୂରେଇ ନ ଯାଉ। ପ୍ରକୃତି ରହିଲେ ସିନା ମଣିଷ ବଞ୍ଚିବ। ଖାସ୍‌ ସେଇଥିପାଇଁ ବୈଦିକ ସଭ୍ୟତାର ମଣିଷ ପ୍ରକୃତି ପୂଜା ଉପରେ ଗୁରୁତ୍ୱ ଦେଉଥିଲା। ଜଳକୁ ଆରତି କରାଯାଉଥିଲା, ଭୂମିକୁ ପୂଜା କରାଯାଉଥିଲା, ଚନ୍ଦ୍ର ଆଉ ସୂର୍ଯ୍ୟଙ୍କୁ ନମସ୍କାର କରାଯାଉଥିଲା, ଗଛଲତାଙ୍କୁ ବିଭିନ୍ନ ଦେବଦେବୀଙ୍କ ଆଧାରଶିଳା ମନେକରି ପୂଜା କରାଯାଉଥିଲା। ସୃଷ୍ଟି ଆରମ୍ଭର ମଣିଷ ସାମାନ୍ୟ ଜ୍ଞାନପ୍ରାପ୍ତ ହେବାପରେ ପ୍ରକୃତି ପୂଜାରେ ମଗ୍ନ ରହୁଥିଲା। ବାର ବାର ପ୍ରଣାମ ଜଣାଉଥିଲା ଆକାଶ, ପାଣି, ପବନ, ଚନ୍ଦ୍ର, ସୂର୍ଯ୍ୟ ଆଉ ଗଛଲତାଙ୍କୁ।
ସମୟ ସହ ତାଳ ଦେଇ ସୃଷ୍ଟି ଆଗେଇ ଚାଲିଲା। କିନ୍ତୁ ପଛରେ ରହିଗଲା ମଣିଷର ଚିନ୍ତା ଆଉ ଚେତନାର କ୍ରମୋନ୍ନତି କ୍ରିୟା। ପ୍ରକୃତିକୁ ଛାଡି ସେ ଧରିଲା ନିଜସ୍ବ ପରିକଳ୍ପିତ ଦେବତାମାନଙ୍କୁ। ଆରାଧନା କଲା ତଥାକଥିତ କଳ୍ପିତ ଈଶ୍ୱରମାନଙ୍କୁ। ଏଥିରେ ବି କିଛି ଅସୁବିଧା ନ ଥିଲା। ମାନସିକ ଶାନ୍ତି ନିମନ୍ତେ ଭାବନାତ୍ମକ ଆବେଗର ହୁଏତ ଏହା ଏକ ଭିନ୍ନ ପରିପ୍ରକାଶ ହୋଇପାରେ, କିନ୍ତୁ ଅସଲରେ ପୂଜା ପରମ୍ପରାଟି ପ୍ରବର୍ତ୍ତନ ହେବା ପଛରେ ଯେଉଁ ମୁଖ୍ୟ ଉଦ୍ଦେଶ୍ୟଟି ନିହିତ ଥିଲା, ତା’ଠାରୁ ଢେର ଅପହଞ୍ଚ ରହିଗଲା ଏ ମଣିଷ। ‘ପୂଜା’ ଶବ୍ଦଟି ‘ପୂଜ୍‌’ ଧାତୁରୁ ଆସିଛି, ଯାହାର ଅର୍ଥ ହେଉଛି ସମ୍ବର୍ଦ୍ଧନା କରିବା। ଯେଉଁ ଦେବତାଙ୍କୁ ପୂଜା କରୁଛେ ତାଙ୍କର ଦିବ୍ୟ ଗୁଣ ଏବଂ ଦିବ୍ୟ କର୍ମକୁ ଯଥାସମ୍ଭବ ନିଜ ବ୍ୟକ୍ତିଗତ ଚରିତ୍ରରେ ଚିତ୍ରିତ କରିବା ହେଉଛି ପୂଜାର ମୂଳ ଊଦ୍ଦେଶ୍ୟ। ଏ ଧାରଣା କିନ୍ତୁ ଆଜି ସୁଦୂର ପରାହତ। ଭକ୍ତିରେ ଦୁଇ ହାତ ଉପରକୁ ଟେକି କୀର୍ତ୍ତନ କରୁଛୁ, କିନ୍ତୁ ପ୍ରଭୁଙ୍କ ପ୍ରଦତ୍ତ ଭାବଧାରାକୁ ପଛରେ ପକାଇ ଦେଉଛୁ। ଗୁରୁଙ୍କୁ ପୂଜା କରୁଛୁ, କିନ୍ତୁ ତାଙ୍କ କଥାକୁ ଅମାନ୍ୟ କରୁଛୁ। ଏ କି ପୂଜା?
ଗିରି ଗୋବର୍ଦ୍ଧନଙ୍କ କୋଳରେ ଆମେ ବଢ଼ୁଛେ, ତା’ର ସୁଶୀତଳ ଛାୟାରେ ନିର୍ବିଘ୍ନରେ ଚରୁଛନ୍ତି ଆମ ଗୋମାତାଗଣ। ଏହାର ମଧ୍ୟଦେଇ ଝରି ଆସୁଥିବା ଝରଣାର ସ୍ନିଗ୍ଧ ଜଳରାଶିରେ ଆମମାନଙ୍କର ତୃଷ୍ଣା ମେଣ୍ଟୁଛି। ବର୍ଷାରାଣୀଙ୍କୁ ଆମ ପାଖରେ ପହଞ୍ଚାଇବାର ଗୁରୁଦାୟିତ୍ୱ ନିର୍ବାହ କରିଛନ୍ତି ଏ ଗୋବର୍ଦ୍ଧନ। ତେଣୁ ହେ ମାନବଗଣ! ଇନ୍ଦ୍ର ଦେବତାଙ୍କ ପୂଜା କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ପ୍ରକୃତରେ ପୂଜା କରିବାର ଅଛି, ତେବେ ଆସନ୍ତୁ ଇନ୍ଦ୍ରଙ୍କ ବଦଳରେ ଗିରିରାଜଙ୍କ ପୂଜା କରିବା। ଏକଥା ଶ୍ରୀକୃଷ୍ଣ କହିଥିଲେ ଗୋପପୁରବାସୀଙ୍କୁ। ବନବାସ ନିମନ୍ତେ ଅଯୋଧ୍ୟାରୁ ପ୍ରସ୍ଥାନ କରୁଥିବା ପ୍ରଭୁ ଶ୍ରୀରାମ ସଙ୍ଗରେ ନେଇଯାଇଥିଲେ ଅଯୋଧ୍ୟାର ପବିତ୍ର ମାଟିରୁ କିଛି। ଆଉ ବନବାସ ଜୀବନର ପ୍ରତିଟି ସୂର୍ଯ୍ୟୋଦୟରେ ମା’ ମାଟିକୁ ପୂଜା କରୁଥିଲେ। ସେଠାରେ ନ ଥିଲା କେଉଁ ଦେବଦେବୀଙ୍କ ଫଟୋ ବା ମୂର୍ତ୍ତି। ଥିଲା କେବଳ ପ୍ରକୃତିର ଅନବଦ୍ୟ ଅଙ୍ଗ ମାଟିର ପିଣ୍ଡୁଳାଟିଏ; ଖାସ୍‌ କରି ମଣିଷ ମନରେ ପ୍ରକୃତି ପୂଜାର ସ୍ପଷ୍ଟ ଝଲକ ଦେଖାଇ ଦେବାର ଏକ ନିଚ୍ଛକ ପ୍ରୟାସ। କେବଳ ସେତିକି ନୁହେଁ, ଶ୍ରୀରାମଙ୍କ ବନବାସ ନିମିତ୍ତ ଅନେକ କାରଣ ଥିବାବେଳେ ତନ୍ମଧ୍ୟରୁ ଗୋଟିଏ କାରଣ ଥିଲା, ପ୍ରକୃତିର ସୁରକ୍ଷା। ଜଙ୍ଗଲରାଜିର ସୁରକ୍ଷା ନିମନ୍ତେ ବି ପ୍ରତିଶ୍ରୁତିବଦ୍ଧ ଥିଲେ ରାମାୟଣର ପ୍ରଭୁ ଶ୍ରୀରାମ ଆଉ ଲକ୍ଷ୍ମଣ।
ଏବେ ମନରେ ପ୍ରଶ୍ନଉଠେ ଆମେ କାହାକୁ ପୂଜା କରିବା- ସୃଷ୍ଟିକୁ ନା ସ୍ରଷ୍ଟାଙ୍କୁ? ପ୍ରକୃତି ନା ପରମାତ୍ମାଙ୍କୁ? ଆଜିର କରୋନାକବଳିତ ବିଶ୍ୱର ବାସ୍ତବ ଚିତ୍ରକୁ ଅବଲୋକନ କଲେ ଏହାର ଉତ୍ତର ସ୍ପଷ୍ଟ ଅନୁମିତ। ସ୍ରଷ୍ଟାଙ୍କ ପୂଜା କରିବାର କୌଣସି ଆବଶ୍ୟକତା ନାହିଁ। ସେ ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି, ତାଙ୍କୁ କେବଳ ଅନୁଭବ କରାଯିବା ଦରକାର। ତାଙ୍କ ପାଖରେ ସମର୍ପିତ ହେବା ଦରକାର। ପରମାତ୍ମା କେବଳ ଚାହାନ୍ତି, ତାଙ୍କ ସୃଷ୍ଟି ସୁରକ୍ଷିତ ରହୁ। ଏଥିରେ ସେ ଢେର ଖୁସି ହେବେ। କିନ୍ତୁ ଦୁଃଖର କଥା, ଇତର ପ୍ରାଣୀମାନଙ୍କ ଅପେକ୍ଷା ଏ ମଣିଷ ହିଁ ଏବେ ସୃଷ୍ଟିକୁ ବେଶି ଉଜାଡିବାରେ ଲାଗିଛି। ପ୍ରତି ମୁହୂର୍ତ୍ତରେ କରୋନା ଏବେ ଏଇ ବାର୍ତ୍ତା ଦେଉଛି ଯେ, ହେ ମଣିଷ! ସୃଷ୍ଟିକୁ ରକ୍ଷା କରିବା ପାଇଁ ଏବେ ବି ସମୟ ଅଛି। ପୃଥିବୀକୁ ଧ୍ୱଂସ କରିବା ପାଇଁ ପରମାଣୁ ବୋମା ବା ମିସାଇଲ ତିଆରିରେ ଆଉ ମନ ନ ଦେଇ ଏଣିକି ସମ୍ମିଳିତ ଭାବେ ପ୍ରକୃତିର ଉପାସନାରେ ବ୍ରତୀ ହୁଅ। ମନେରଖ, ପ୍ରକୃତି ପୂଜା ହିଁ ପ୍ରକୃତ ପୂଜା। ଏଥିରୁ ବିଚ୍ୟୁତ ହେଲେ ସୃଷ୍ଟ ବିପଦରୁ କେହି ବି ତୁମକୁ ରକ୍ଷା କରିପାରିବେ ନାହିଁ।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri