ହିଂସା ପାଇଁ ଦାୟୀ କିଏ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ମଣିପୁର ଆଜି ଅଚାନକ ଅଶାନ୍ତ ହୋଇ ଉଠିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମେତେଇ ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଏଯାଏ ଶତାଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଶହ ଶହ ସଂଖ୍ୟାରେ ଆହତ ହୋଇଛନ୍ତି। କେନ୍ଦ୍ର ସରକାର ରାଜ୍ୟର ସୁରକ୍ଷା ଦାୟିତ୍ୱ ଗ୍ରହଣ କରି ସୈନ୍ୟବାହିନୀକୁ ମୁତୟନ କରିଛନ୍ତି ଏବଂ ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମଣିପୁରରେ ସଂଗଠିତ ଏହି ହିଂସାକାଣ୍ଡ ଏପ୍ରିଲ ୧୯ରେ ମଣିପୁର ହାଇକୋର୍ଟର ଏକ ବିବାଦୀୟ ରାୟ ପରେ ଆରମ୍ଭ ହୋଇଛି। ହାଇକୋର୍ଟ ନିଜର ରାୟରେ ସଂଖ୍ୟାଗରିଷ୍ଠ ମେତେଇ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୁକି ଓ ନାଗା ପରି ରାଜ୍ୟରେ ବସବାସ କରୁଥିବା ମୋଟ ୩୪ଟି ଜନଜାତି ସମ୍ପ୍ରଦାୟର ଲୋକେ କୋର୍ଟର ରାୟକୁ ତୀବ୍ର ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି। ମଣିପୁରର ଏହି ଭୟାନକ ଘଟଣାବଳୀ ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ଭାଜପାର ଡବଲ ଇଞ୍ଜିନ୍‌ ସରକାରଙ୍କ ଅପାରଗତା ଓ ସାମ୍ପ୍ରଦାୟିକ ଆଭିମୁଖ୍ୟକୁ ଉଜାଗର କରିଛି। ରାଜ୍ୟରେ ରାଜନୈତିକ, ସାମାଜିକ ଓ ଆର୍ଥିକ ଭାବେ ଆଧିପତ୍ୟ ରଖିଆସିଥିବା ମେତେଇ ସମ୍ପ୍ରଦାୟ ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଆଦିବାସୀ ମାନ୍ୟତାକୁ ନେଇ ବହୁଦିନରୁ ବିବାଦ ଚାଲିଥିବା ବେଳେ ଭାଜପା ମେତେଇମାନଙ୍କୁ ଆଧାର କରି ସମଗ୍ର ରାଜ୍ୟରେ ନିଜର ରାଜନୈତିକ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ଜାତି ଓ ଜନଜାତିମାନଙ୍କ ମଧ୍ୟରେ ରହିଥିବା ବିବାଦରେ ସାମ୍ପ୍ରଦାୟିକ ରାଜନୀତି ପଶିବାରୁ ଚଳିତ ସଂଘର୍ଷରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ରୂପେ ପରିଚିତ ଆଦିବାସୀମାନଙ୍କ ଚର୍ଚ୍ଚ ଓ ଅନ୍ୟ ମିଶନାରୀ ଅନୁଷ୍ଠାନ ଉପରେ ଆକ୍ରମଣ ଓ ପୋଡ଼ାଜଳା ହୋଇଛି। ଏପରିକି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ସେଠାକାର ମେତେଇ ସମ୍ପ୍ରଦାୟର କିଛି ଲୋକଙ୍କ ଚର୍ଚ୍ଚ ବି ଆକ୍ରମଣରୁ ବାଦ୍‌ ପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ମଣିପୁରର ଅଧିକାଂଶ ଆଦିବାସୀ ଖ୍ରୀଷ୍ଟ ଧର୍ମାବଲମ୍ବୀ ଥିବା ବେଳେ ସଂଖ୍ୟାଧିକ ମେତେଇ ସମ୍ପ୍ରଦାୟର ଲୋକେ ହିନ୍ଦୁ ଧର୍ମାବଲମ୍ବୀ ରହିଛନ୍ତି।
ମେତେଇ ସମ୍ପ୍ରଦାୟ, ମଣିପୁର ଜନସଂଖ୍ୟାର ସିଂହଭାଗ (୫୩%) ହେବା ଯୋଗୁ ସେଠାକାର ରାଜନୀତି ଓ ପ୍ରଶାସନ ଉପରେ ସେମାନଙ୍କ ଆଧିପତ୍ୟ ରହିଆସିଛି। ରାଜ୍ୟ ବିଧାନସଭାର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ (ଦୁଇ ତୃତୀୟାଂଶ) କେବଳ ଏହି ସମ୍ପ୍ରଦାୟରୁ ଆସିଛନ୍ତି। ତେବେ ସମସ୍ୟାଟି ହେଲା, ଯଦିଓ ମେତେଇମାନେ ଜନସଂଖ୍ୟାର ୫୩% କିନ୍ତୁ ସେମାନେ ରାଜ୍ୟର ମୋଟ ଭୂଭାଗର ମାତ୍ର ୧୦%କୁ ବୁଝାଉଥିବା ଇମ୍ଫାଲ ଉପତ୍ୟକାରେ ରହିଛନ୍ତି। ଅନ୍ୟପଟେ ଜନସଂଖ୍ୟାର ୩୬% କୁହାଯାଉଥିବା ଆଦିବାସୀମାନେ ବାକି ୯୦% ଭୂଭାଗରେ ରହିଛନ୍ତି। ଆଦିବାସୀମାନେ ବସବାସ କରୁଥିବା ପାହାଡ଼ ଓ ଜଙ୍ଗଲଭରା ଅଞ୍ଚଳ ସମ୍ବିଧାନର ଷଷ୍ଠ ଅନୁସୂଚୀର ଅନ୍ତର୍ଭୁକ୍ତ ହୋଇଥିବାରୁ ତଥା ସେଠାରେ ଧାରା ୩୭୧ଲାଗୁ ହୋଇଥିବାରୁ ନିଜର ବର୍ଦ୍ଧିତ ଜନସଂଖ୍ୟା ସତ୍ତ୍ୱେ ସେସବୁ ଅଞ୍ଚଳରେ ମେତେଇମାନେ ଜମିର ମାଲିକାନା ହାସଲ କରିବା ସମ୍ଭବ ହେଉନି। ଏଭଳି ପରିସ୍ଥିତିରେ ଇମ୍ଫାଲ ଉପତ୍ୟକା ବାହାରେ ରାଜ୍ୟର ଅନୁସୂଚିତ ଅଞ୍ଚଳ ବୋଲି କୁହାଯାଉଥିବା ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ଜମି ହାସଲ କରିବାର ଅଧିକାର ପାଇଁ ମେତେଇମାନେ ନିଜକୁ ଆଦିବାସୀ ରୂପେ ମାନ୍ୟତା ପାଇବାକୁ ଚାହୁଁଛନ୍ତି। ଅତଏବ ରାଜ୍ୟରେ ଜନସଂଖ୍ୟା ଓ ଜମିକୁ ନେଇ ରହିଥିବା ଏହି ଅସଙ୍ଗତି ହିଁ ବର୍ତ୍ତମାନ ସମସ୍ୟାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।
ମେତେଇମାନଙ୍କୁ ଆଦିବାସୀ ଭାବେ ମାନ୍ୟତା ଦେବାକୁ ମଣିପୁର ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତା’ପଛରେ ଯୁକ୍ତିଟି ହେଲା, ସେମାନଙ୍କ ”ପୂର୍ବପୁରୁଷର ଜମି, ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟର ସୁରକ୍ଷା“। କିନ୍ତୁ ପ୍ରଶ୍ନ ଉଠେ, ଯେଉଁ ମେତେଇ ସମ୍ପ୍ରଦାୟ ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ରାଜନୀତି, ପ୍ରଶାସନ ଓ ଅର୍ଥନୀତିର ପ୍ରମୁଖ ଭୂମିକାରେ ରହି ଆସିଛନ୍ତି ସେମାନଙ୍କ ପୂର୍ବପୁରୁଷର ଜମି, ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟ ପ୍ରତି କାହାଠାରୁ ବିପଦ ରହିଛି ? ଆଉ ଏକ ଯୁକ୍ତି ହେଲା, ମଣିପୁର ଭାରତରେ ବିଧିବଦ୍ଧ ଭାବେ ମିଶିବା ପୂର୍ବରୁ ଅର୍ଥାତ୍‌ ମଣିପୁର ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ସମୟରେ ସେମାନଙ୍କୁ ଆଦିବାସୀର ମାନ୍ୟତା ମିଳିଥିଲା। କିନ୍ତୁ ସେତେବେଳେ ବି ରାଜ୍ୟର ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ଇମ୍ଫାଲ ଉପତ୍ୟକାର ସମତଳ ଅଞ୍ଚଳରେ ବସବାସ କରୁଥିବା ମେତେଇ ସମ୍ପ୍ରଦାୟ ପାଇଁ ଅଲଗା ଅଲଗା ଆଇନ ରହିଥିଲା। ଆଦିବାସୀମାନଙ୍କ ଜମି ଓ ସ୍ବାତନ୍ତ୍ର୍ୟକୁ ବଜାୟ ରଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଅନୁରୂପ ମେତେଇମାନଙ୍କୁ ପାହାଡ଼ରେ ଜମି କିଣିବାକୁ ଅନୁମତି ନ ଥିଲା।
ଅନ୍ୟପଟେ ଆଦିବାସୀ ମାନ୍ୟତା ପାଇ ନ ଥିଲେ ବି ମେତେଇମାନେ ବର୍ତ୍ତମାନ ଓବିସି ଓ ଏସ୍‌ଇବିସି ସଂରକ୍ଷଣ ସୁବିଧା ପାଉଛନ୍ତି। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ହୋଇଥିବା ଯୋଗୁ ସେମାନଙ୍କ ଭାଷା ବି ସୁରକ୍ଷିତ ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କ ପରି ରାଜ୍ୟର ସଂଖ୍ୟାଗରିଷ୍ଠ ଓ ସାମାଜିକ ତଥା ଶିକ୍ଷାଗତ ଭାବେ ଆଗୁଆ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ଦେବା ଯୁକ୍ତିସଙ୍ଗତ ମନେହୁଏନା। ଯଦି ସେମାନଙ୍କୁ ଆଦିବାସୀ ମାନ୍ୟତା ଦିଆଯିବ ତା’ହେଲେ ବାକି ଆଦିବାସୀମାନେ ଶିକ୍ଷା ଓ ଚାକିରିରେ ବର୍ତ୍ତମାନ ପାଉଥିବା ସୁବିଧା ଓ ସୁଯୋଗରୁ ଆଦିବାସୀମାନେ ବଞ୍ଚିତ ହେବେ। ବର୍ତ୍ତମାନ ରାଜ୍ୟ ବିଧାନସଭାରେ ଦୁଇ ତୃତୀୟାଂଶ ବିଧାୟକ ମେତେଇ ସମ୍ପ୍ରଦାୟର ହୋଇଥିବା ବେଳେ ଆଦିବାସୀ ମାନ୍ୟତା ମିଳିଲା ପରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିତ୍ବା ୧୯ଟି ଆସନରୁ ବିି ସେମାନେ ବିଧାୟକ ହେବାର ସମ୍ଭାବନା ଦେଖାଦେବ। ବଡ଼ କଥା ହେଲା, ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଆସୁଥିବା ଯୋଗୁ ସେଠାକାର ଆଦିବାସୀମାନଙ୍କ ଜମି ଓ ଜଙ୍ଗଲ ଉପରେ ବର୍ତ୍ତମାନ ଯେଉଁ ଅଧିକାର ରହିଛି, ତାହା ମେତେଇମାନେ ଆଦିବାସୀ ମାନ୍ୟତା ପାଇବା ପରେ ପ୍ରଭାବିତ ହେବ।
ସେଠାକାର ଆଦିବାସୀଙ୍କ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଛି, ତାହା ଅନେକ ଦିନର। ସେମାନେ ବସବାସ କରୁଥିବା ମଣିପୁରର ୯୦% ଭୂଭାଗରେ ଥିବା ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ କ୍ରୋମାଇଟ୍‌, ତମ୍ବା, ଚୂନପଥର ପରି ବିପୁଳ ପରିମାଣର ଖଣିଜ ସମ୍ପଦ ରହିଥିବା ଜଣାପଡ଼ିବା ପରେ ତା’ଉପରେ ଦେଶୀ ବିଦେଶୀ ବୃହତ୍‌ କମ୍ପାନୀଙ୍କ ନଜର ପଡ଼ିଛି। ଯେହେତୁ ସମ୍ବିଧାନର ଧାରା ୩୭୧ ଅନୁଯାୟୀ ସେଠାକାର ଆଦିବାସୀ ବସବାସ କରୁଥିବା ଷଷ୍ଠ ଅନୁସୂଚୀର ଅଞ୍ଚଳରେ କୌଣସି ଅଣ ଆଦିବାସୀ ଜମି କିଣିପାରିବ ନାହିଁ ବୋଲି ସ୍ପଷ୍ଟ କଟକଣା ରହିଛି ଏବଂ ଖଣି ଖନନ ପାଇଁ ଆଦିବାସୀଙ୍କୁ ସିଧାସଳଖ ଉଚ୍ଛେଦ କରିବା ବି ସମ୍ଭବ ହେଉନି, ତେଣୁ ରାଜ୍ୟର ଭାଜପା ସରକାର ଆଦିବାସୀଙ୍କ ଜମି ଏବଂ ପ୍ରାକୃତିକ ସମ୍ପଦକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅନେକ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରିଛନ୍ତି।
ଆଦିବାସୀମାନଙ୍କ ପାଇଁ ରହିଥିବା ସଂରକ୍ଷଣ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷାରେ କୌଣସି ପ୍ରକାର ହ୍ରାସ କରାଯିବା ଉଚିତ୍‌ ନୁହେଁ। କୌଣସି ପରିସ୍ଥିତିରେ ବି ଜଙ୍ଗଲରେ ପାରମ୍ପରିକ ଭାବେ ବସବାସ କରିବାକୁ ଆଦିବାସୀମାନଙ୍କର ରହିଥିବା ଅଧିକାରକୁ ଦୁର୍ବଳ ନ କରି ତାକୁ ସଂରକ୍ଷିତ କରାଯିବା ଉଚିତ୍‌। ଆଦିବାସୀମାନଙ୍କ ବିରୋଧରେ ଶାସକ ଶ୍ରେଣୀର ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଆଦିବାସୀ ତଥା ଅଣ-ଆଦିବାସୀ ଗରିବ ତଥା ବିଭିନ୍ନ ଜନଜାତି ମଧ୍ୟରେ ବିବାଦ ସୃଷ୍ଟି ନ କରିବା ପାଇଁ କେବଳ ସମାନ ଆଦିବାସୀ ଗୋଷ୍ଠୀରେ ଜମି ହସ୍ତାନ୍ତର ଅନୁମତି ଦିଆଯିବା ଉଚିତ।
ମୋ: ୯୪୩୭୧୭୬୩୭୪


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri