ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। କିନ୍ତୁ କେହି କହୁ ନାହାନ୍ତି ଏହାର ସ୍ବରୂପ କିପରି ହେବ, କାହାର କେତେ ଉନ୍ନତି ହେବ। କେତେ ଦୁର୍ନୀତି, କ୍ଷୁଧା, ଦାରିଦ୍ର୍ୟ, ବେକାରି, ବୈଷମ୍ୟ, ସାମାଜିକ ଅସ୍ଥିରତା ଦୂର ହେବ? ଲୋକଙ୍କ ଜୀବନ ଧାରଣ ମାନଦଣ୍ଡରେ କେତେ ଉନ୍ନତି ଆସିବ? ଆମେ ସେହି ପଥରେ କେତେ ଆଗେଇଛେ? ଡଲାର ଅନୁସାରେ ଆମେ ଚତୁର୍ଥ ବୃହତ୍ତମ ଅର୍ଥନୀତିରୁ ଷଷ୍ଠକୁ ଖସି ଆସିଛେ। ପୁନଶ୍ଚ କୌଣସି ରାଜନୈତିକ ଦଳ କ୍ଷମତାକୁ ଆସିଥାଏ ୫ ବର୍ଷ ପାଇଁ। ଏଣୁ ୫ ବର୍ଷରେ କ’ଣ କରିବ ଏବଂ ଆଗରୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା କେତେ ପୂରଣ କରିଛି ଆଲୋଚନା ହେବା ଉଚିତ। ବର୍ଷକୁ ୨ କୋଟି ନିଯୁକ୍ତି, କଳାଟଙ୍କା ଉଦ୍ଧାର କୁଆଡ଼େ ଗଲା। ପୁନଶ୍ଚ ଜଣେ ନେତା ଦୁର୍ନୀତି କରି ଯଦି ଶାସକ ଦଳରେ ଯୋଗ ଦେଉଛନ୍ତି, ତାଙ୍କର ସବୁ ଦୋଷ ଲୁଚିଯାଉଛି। ବର୍ତ୍ତମାନ ସମସ୍ୟା କିପରି ସମାଧାନ ହେବ ତାହା ଆଲୋଚନା ନ ହୋଇ କେଉଁ ଦେଶ ଆମ ପଛରେ ଅଛି ବା ପୂର୍ବରୁ କେଉଁ ସମୟରେ କ’ଣ ଖରାପ ଥିଲା ତା’ର ଉଦାହରଣ ଦେଇ ବର୍ତ୍ତମାନର ବିଫଳତା ଲୁଚାଇବାକୁ ପ୍ରୟାସ କରାଯାଉଛି। ଲୋକଙ୍କ ପାଖରେ ଠିକ୍‌ ବାର୍ତ୍ତା ପହଞ୍ଚୁନି। ୨୦୪୭ କଥା କହିଲା ବେଳକୁ ଟିକେ ଭାବିବା ଉଚିତ, ଆସନ୍ତାକାଲି କ’ଣ ହେବ, କିଏବା ଦେଖିଛି ? ଯିଏ ରାତିରେ ଉପାସରେ ରହୁଛି, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚତ୍ତ ହେଉଛି, କୌଣସି କାର୍ଯ୍ୟ ନ ପାଇ ବେକାର ହୋଇ ବୁଲୁଛି, ପିଲାଦିନୁ ବାପା ମା’ଙ୍କୁ ହରାଉଛି, ଯିଏ ରୋଗରେ ଛଟପଟ ହେଉଛି, ଦୁର୍ଘଟଣାରେ ଅକର୍ମଣ୍ୟ ହେଉଛି, ଯାହାର ସଂସାର ଉଜୁଡି ଯାଉଛି, ତା’ ପାଇଁ ବିକଶିତ ଭାରତ ସ୍ଲୋଗାନର ମୂଲ୍ୟ କ’ଣ? ଚିନ୍ତାର ବିଷୟ, ଲୋକଙ୍କ ସମସ୍ୟା ଉପରେ ଆଲୋଚନା ନ କରି ସିଧା ୨୦୪୭ କଥା କୁହାଯାଉଛି।
ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଆମେରିକା-ଇରାନ ବିବାଦ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକଣା, ସଂଯମତା ପାଇଁ ଏକ ନିବେଦନ କରିବା ଓ ଟଙ୍କାର ମୂଲ୍ୟ ଅତ୍ୟନ୍ତ ନିମ୍ନଗାମୀ ହେବା ଅର୍ଥ, ଅର୍ଥନୀତି ଭଲ ସ୍ଥିତିରେ ନାହିଁ। ଆମେ କହୁନୁ ଦେଶ ଚଳାଇବା ସହଜ ବା ଆଉ କିଏ ସବୁ ପରିବର୍ତ୍ତନ କରିଦେବ। କିନ୍ତୁ ପ୍ରଥମେ କ’ଣ ଦୁର୍ବଳତା ରହିଛି ତାକୁ ସ୍ବୀକାର କରି ବିହିତ ପଦକ୍ଷେପ ନେବା ଆବଶ୍ୟକ। ସର୍ବଦା ପ୍ରଚାରରେ ଲିପ୍ତ ରହିଲେ ଲୋକଙ୍କ ସମସ୍ୟା କିପରି ଦୂର ହେବ? କେହି ସତ ନ କହି ଶାସକ ଶ୍ରେଣୀକୁ ସୁହାଇଲା ପରି କଥା କହିବେ ବା ଲେଖିବେ। ଯାହା ଫଳରେ ଗରିବ ଓ ଅବହେଳିତଙ୍କ ସ୍ବର ନିଷ୍ପ୍ରଭ ହେବ। ଭାରତ ବିଶ୍ୱର ବୃହତ୍‌ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ଯେତେବେଳେ ସରକାର ଗର୍ବ କରୁଛନ୍ତି, ସେତେବେଳେ ଏହାର ବହୁ ସଂଖ୍ୟକ ଶିଶୁ ଏବଂ ମହିଳା ରାସ୍ତା କଡ଼ରେ ଶୋଉଛନ୍ତି। ମନେ ରଖିବାକୁ ହେବ ଯେ, କ୍ରୟ ଶକ୍ତି ସମତା ଦୃଷ୍ଟିରୁ, ୨୦୧୧ ମସିହାରୁ ଭାରତ ବିଶ୍ୱରେ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଛି। କିନ୍ତୁ ଜନସଂଖ୍ୟାର ଆକାର ହେତୁ ଅର୍ଥନୀତିର ଆକାର ବଡ଼ ହେବା ସ୍ବାଭାବିକ, କାରଣ ଅଧିକ ଲୋକ ଅଧିକ ଖର୍ଚ୍ଚ କଲେ ଜିଡିପି ଆପେ ଆପେ ବୃଦ୍ଧି ପାଇବ। କିନ୍ତୁ ସାଧାରଣ ଲୋକଙ୍କ ଜୀବନଧାରଣର ମାନରେ ଏହା ପ୍ରତିଫଳିତ ହେଉନାହିଁ କି, ମେଳ ଖାଉନାହିଁ। ବହୁସଂଖ୍ୟକ ଲୋକ ଆର୍ଥିକ ଅଭିବୃଦ୍ଧିର ସୁଫଳରୁ ବଞ୍ଚତ୍ତ।
ଭାରତର ମୁଣ୍ଡପିଛା ମୋଟ ଜାତୀୟ ଆୟ (ଜିଏନ୍‌ଆଇ) ପ୍ରାୟ ୨,୭୦୦ଡଲାର ରହିଛି। ଭାରତ ୨୦୦୭ଠାରୁ ନିମ୍ନ ମଧ୍ୟମ ଆୟକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ବିଶ୍ୱ ବ୍ୟାଙ୍କ ପ୍ରତିବର୍ଷ ମୁଣ୍ଡପିଛା ଜାତୀୟ ଆୟ ଉପରେ ଆଧାର କରି ଆର୍ଥିକ ବର୍ଗୀକରଣ କରେ: ନିମ୍ନ-ମଧ୍ୟମ ଆୟ: ୧,୧୩୬ ଡଲାରରୁ ୪,୪୯୫, ଉଚ୍ଚ-ମଧ୍ୟମ ଆୟ: ୪,୪୯୫ ଡଲାରରୁ ୧୩,୯୩୫, ଉଚ୍ଚ ଆୟ: ୧୩,୯୩୫ ଡଲାରରୁ ଅଧିକ। ଏଣୁ ଭାରତ ବିକଶିତ ରାଷ୍ଟ୍ର ହେବା ଏକ ମରୀଚିକା। ପୁନଶ୍ଚ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତର ସ୍ଥାନ ୧୪୮ଟି ଦେଶ ତଳେ ହୋଇଥିଲା ବେଳେ ମୁଣ୍ଡପିଛା ଆୟ (କ୍ରୟଶକ୍ତି ସମତା) ଦୃଷ୍ଟିରୁ ୧୧୮ଟି ଦେଶ ତଳେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତଥ୍ୟ ଅନୁଯାୟୀ,୨୦୨୬ରେ ବାଂଲାଦେଶର ପ୍ରତି ମୁଣ୍ଡପିଛା ଜିଡିପି ୨୯୧୧ ଡଲାର ହୋଇଥିଲା ବେଳେ, ଭାରତରେ ୨୮୧୨ ଡଲାର ହେବ ବୋଲି ଆକଳନ କରାଯାଇଛି। ୨୦୧୪ରେ ବାଂଲାଦେଶର ଏହା ୧୨୦୦ ଡଲାର ଥିଲା ବେଳେ ଭାରତର ୧୫୬୦ ଡଲାର ଥିଲା। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ ଉଚ୍ଚ-ମଧ୍ୟମ ଏବଂ ଶେଷରେ ଉଚ୍ଚ-ଆୟ ସ୍ଥିତିକୁ ଅଗ୍ରସର ହେବା ପାଇଁ, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ଅଭିବୃଦ୍ଧି ହାର ଆବଶ୍ୟକ। ପ୍ରାୟ ୧୨% ହାରରେ, ଯାହା ମରୀଚିକା। ଏହି ଅଭିବୃଦ୍ଧି ମଧ୍ୟ ନିଯୁକ୍ତି ସୃଷ୍ଟି କରୁନାହିଁ। ଆଜି ଅଧିକ ଯୁବପିଢ଼ି ଉଚ୍ଚଶିକ୍ଷାରେ ପ୍ରବେଶ କରୁଛନ୍ତି, କିନ୍ତୁ ଚାକିରି ସୃଷ୍ଟି ସେହି ହାରରେ ବଢ଼ୁନାହିଁ। ଏହାର ପରିଣାମରେ ଶିକ୍ଷିତ ବେକାରି ଭୟାବହ ଭାବେ ବଢ଼ୁଛି। ଅଭିବୃଦ୍ଧି ଅନୁସାରେ ନିଯୁକ୍ତି ବୃଦ୍ଧି ନ ପାଇଲା ବେଳେ, ବିଭିନ୍ନ କମ୍ପାନୀ ମନଇଚ୍ଛା ଛଟେଇ କରୁଛନ୍ତି। ଭାରତରେ ଯେଉଁ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଇଛି, ତାହା କମ୍ପାନୀଗୁଡ଼ିକୁୁ ମନମୁଖି ଛଟେଇ କରିବା ପ୍ରକ୍ରିୟାକୁ ଆହୁରି ସହଜ କରିବ ବୋଲି ଆଶଙ୍କା କରାଯାଉଛି।
ସରକାର ପ୍ରଗତି ଓ ବିକାଶର ଡିଣ୍ଡିମ ପିଟୁଥିଲା ବେଳେ, ବାସ୍ତବରେ ଲୋକଙ୍କ ଜୀବନଧାରଣର ମାନରେ ଭୟଙ୍କର ଅବନତି ଦେଖାଦେଇଛି। ବିଭିନ୍ନ ସୂଚକାଙ୍କରେ ଭାରତ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି। ବିଶ୍ୱର କ୍ଷୁଧା ସୂଚକାଙ୍କ ୨୦୨୫ ଅନୁସାରେ ୧୨୩ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୨। ଅର୍ଥାତ୍‌ ୧୦୧ଟି ଦେଶ ତଳେ। କ୍ଷୁଧା ସ୍ତର ସାଙ୍ଘାତିକ। ପୁନଶ୍ଚ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୧୪ରେ ୫୫ ସ୍ଥାନରେ ଥିଲା। ଦୀର୍ଘ ଏବଂ ସୁସ୍ଥ ଜୀବନ, ଜ୍ଞାନ, ଜୀବନଧାରଣର ମାନଦଣ୍ଡ ଉପରେ ପର୍ଯ୍ୟବସିତ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ମାନବ ବିକାଶ ସୂଚକାଙ୍କ ୨୦୨୫ରେ ଭାରତ ୧୯୩ଟି ଦେଶ ମଧ୍ୟରୁ ୧୩୦ତମ ସ୍ଥାନରେ ରହିଛି, ଅର୍ଥାତ୍‌ ୧୨୯ ଦେଶ ତଳେ। ଭାରତ ମଧ୍ୟମ ମାନବ ବିକାଶ ରାଷ୍ଟ୍ର ମଧ୍ୟରେ ରହିଛି। ୨୦୧୪ରେ ୧୮୭ଟି ଦେଶ ମଧ୍ୟରେ ୧୩୫ ସ୍ଥାନରେ ଥିଲା। ଜାତିସଂଘର ବିଶ୍ୱ ଖୁସି ରିପୋର୍ଟ ୨୦୨୬ ଅନୁସାରେ ଭାରତ ୧୪୭ଦେଶ ମଧ୍ୟରୁ ୧୧୬ତମ ସ୍ଥାନରେ ଅଛି। ଭାରତ ମଧ୍ୟ ଅନେକ ପଡ଼ୋଶୀ ରାଷ୍ଟ୍ର ଯଥା ନେପାଳ (୯୯ତମ) ଏବଂ ପାକିସ୍ତାନ (୧୦୪ତମ) ପଛରେ ରହିଛି। ୨୦୧୪ରେ ୧୧୧ସ୍ଥାନରେ ଥିଲା। ସାମାଜିକ ସୁରକ୍ଷା ଏବଂ ନିରାପତ୍ତା, ଘରୋଇ ଏବଂ ଅନ୍ତର୍ଜାତୀୟ ଦ୍ୱନ୍ଦ୍ୱ, ସାମରିକୀକରଣ ଉପରେ ପର୍ଯ୍ୟବସିତ ଇନଷ୍ଟିଚ୍ୟୁଟ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସ୍‌ର ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୫ରେ ୧୬୩ଟି ଦେଶ ମଧ୍ୟରେ ଭାରତ ୧୧୫ତମ ସ୍ଥାନରେ ରହିଛି। ଅର୍ଥାତ୍‌ ୧୧୪ଟି ଦେଶ ତଳେ। ୨୦୧୪ରେ ୧୧୬ ସ୍ଥାନରେ ଥିଲା। ଭାରତ ‘ନିମ୍ନ ଶାନ୍ତି’ ଦେଶ ଭାବେ ସ୍ଥାନିତ ହୋଇଛି। ଏପରି ସ୍ଥିତିରେ ବର୍ତ୍ତମାନର ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବା ଅତ୍ୟନ୍ତ ଜରୁରୀ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨

 

Dharitri – Odisha’s No.1 Odia Daily