ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ। ଏହା ସହ ପାଣିମାଡ଼କୁ ସାମୟିକ ସମାଧାନ ବୋଲି ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ସୂଚିତ କରୁଛି, ଏହାଠାରୁ ଅଧିକ କଠୋର ପଦକ୍ଷେପ ଆବଶ୍ୟକ। ଅର୍ଥାତ୍‌ ଜନଗହଳି ଉପରକୁ ୧୨-ଗେଜ୍‌ ଶଟ୍‌ଗନରୁ ଛର୍‌ରା ଗୁଳି ମାଡ଼ କରିବା। ଆମକୁ ଏଠାରେ କିଛି ସମୟ ଭାବିବାକୁ ପଡ଼ିବ। ଭାରତରେ ସଂଖ୍ୟାବହୁଳବାଦ ପାଇଁ କାହାଣୀ ପ୍ରସ୍ତୁତ କରିବା ଏବେ ଏହି ଆତ୍ମବିଶ୍ୱାସ ଉପରେ ଚାଲିଛି। କାରଣ ଧାରଣା ରହିଛି, ଏଭଳି ଦାବିକୁ କେହି ଯାଞ୍ଚ କରିବେ ନାହିଁ। ତେଣୁ ଆସନ୍ତୁ ଆମେ ଯାଞ୍ଚ କରିବା।
୨୦୧୭ରେ, ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୮୮ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ୨୦୧୪ରୁ ୨୦୧୭ ମଧ୍ୟରେ ଜମ୍ମୁ ଓ କଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆର୍‌ପିଏଫ୍‌) ଦ୍ୱାରା ବ୍ୟବହୃତ ଶଟ୍‌ଗନ ଯୋଗୁ ଏମାନଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଥିଲା। କିଛି ଲୋକ ସୁସ୍ଥ ହେଲେ, କିନ୍ତୁ ଅନେକେ ହୋଇପାରିଲେ ନାହିଁ। ତେବେ ଏହି ତଥ୍ୟରୁ ସ୍ପଷ୍ଟ, ୮୮ ଜଣଙ୍କ ମଧ୍ୟରୁ ୧୪ ମହିଳା ପ୍ରଦର୍ଶନରେ ଭାଗ ନ ନେଇ ଘରେ ଥିଲେ ବି ସେମାନଙ୍କ ଦେହରେ ଛର୍‌ରା ବାଜିଥିଲା। ଏପରି କି ସୁରକ୍ଷା ବାହିନୀର କର୍ମଚାରୀମାନେ ମଧ୍ୟ ନିଜ ସହକର୍ମୀଙ୍କ ଗୁଳିରେ ଆହତ ହୋଇଥିଲେ। ଏହା ବ୍ୟତୀତ ୧୧ ଜୁଲାଇ ୨୦୧୬ ସାରେ କଶ୍ମୀରର ଇନ୍‌ସା ମୁସ୍ତାକ ନାମକ ଜଣେ ୧୪ ବର୍ଷର ଝିଅ ଝରକା ଖୋଲି ରାସ୍ତାକୁ ଦେଖୁଥିବାବେଳେ ଶଟ୍‌ଗନ ଛର୍‌ରାରେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲେ। ଡାକ୍ତରମାନେ ଏହାକୁ ସବୁଠୁ ଭୟଙ୍କର ଘଟଣା ବୋଲି କହିଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ଜୁଲାଇ ୨୦୧୬ରୁ ଫେବୃଆରୀ ୨୦୧୭ ମଧ୍ୟରେ ୬୨୨୧ ଜଣ ଆହତ ହୋଇଥିଲେ, ଯାହାଙ୍କ ମଧ୍ୟରୁ ୭୮୨ ଜଣଙ୍କ ଆଖିରେ ଛର୍‌ରା ଲାଗିଥିଲା। ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ପେଲେଟ୍‌ ଶଟ୍‌ଗନକୁ ‘କଶ୍ମୀରରେ ବ୍ୟବହୃତ ସବୁଠାରୁ ବିପଜ୍ଜନକ ଅସ୍ତ୍ର’ ଭାବରେ ଅଭିହିତ କରିଛି ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଭାରତର ଅସ୍ତ୍ରଶସ୍ତ୍ର ଭଣ୍ଡାରରୁ ଏହାକୁ ହଟାଇ ଦେବାକୁ ସୁପାରିସ କରିଛି। ଯେତେବେଳେ ଭାରତ ସରକାରଙ୍କୁ ପଚରାଗଲା ଯେ ସେମାନେ ପିଲାଙ୍କ ମୁହଁକୁ କାହିଁକି ଗୁଳି ଚଳାଉଛନ୍ତି, ସେତେବେଳେ ସେମାନେ ଜାତୀୟ ସୁରକ୍ଷାର ଦ୍ୱାହି ଦେଇ ଏହାର ଉତ୍ତର ଦେବାକୁ ମନାକରିଦେଇଥିଲେ। ଚୌହାନ ଟିଜର୍‌ର ଅଭିଯୋଗ, ସୀମିତ ବଳ ପ୍ରୟୋଗରେ କୌଣସି ଫଳ ମିଳେନାହିଁ ବୋଲି ଯାହା କୁହାଯାଏ ତାହା ମିଥ୍ୟା। ତିନି ଦଶକରୁ ଅଧିକ ସମୟ ଧରି ଚାଲିଥିବା ବଳପ୍ରୟୋଗ ଏହି ଅଞ୍ଚଳକୁ ଯେଉଁ ସ୍ଥିତିକୁ ଆଣିଛି, ତାହା ହେଉଛି ଏହାର ପ୍ରମାଣ। ଗୋଟିଏ ଉଲ୍ଲଂଘନର ଉତ୍ତର ଆଉ ଏକ ଗୁରୁତର ଉଲ୍ଲଂଘନ ଦ୍ୱାରା ଦେଉଥିବା ସରକାର ବିଶ୍ୱାସ ହରାଇଥାନ୍ତି। ଆନ୍ଦୋଳନକାରୀମାନେ ରାଜପଥକୁ ଓହ୍ଲାଇ ଆସନ୍ତି କାରଣ ସେମାନଙ୍କ ପାଇଁ ଭାରତୀୟ ସଂସଦର ଦ୍ୱାର ବନ୍ଦ ହୋଇଯାଇଛି ଏବଂ ଏହା କେବଳ କଶ୍ମୀରର କଥା ନୁହେଁ। ଭାରତ ସରକାରଙ୍କ ଦ୍ୱାରା ୨୦୧୪ରେ ଅଣାଯାଇଥିବା ପ୍ରି-ଲେଜିସଲେଟିଭ କନ୍‌ସଲଟେଶନ ପଲିସି ଅନୁଯାୟୀ ସମସ୍ତ ଚିଠା ଆଇନକୁ ୩୦ ଦିନ ପାଇଁ ଲୋକଙ୍କ ମତାମତ ଲାଗି ଉପଲବ୍ଧ କରାଯିବା କଥା। ତେବେ ପିଆର୍‌ଏସ୍‌ ଲେଜିସ୍‌ଲେଟିଭ ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ୨୦୧୪ ପରଠାରୁ ଉପସ୍ଥାପିତ ୩୦୧ଟି ବିଲ୍‌ ମଧ୍ୟରୁ ୨୨୭ଟିରେ କୌଣସି ଜନପରାମର୍ଶ କରାଯାଇ ନାହିଁ। ପ୍ରକାଶିତ ହୋଇଥିବା ୭୪ଟି ବିଲ୍‌ ମଧ୍ୟରୁ ଅତି କମ୍‌ରେ ୪୦ଟିରେ ୩୦ ଦିନର ସମୟସୀମା ପାଳନ କରାଯାଇ ନ ଥିଲା। ଏହା ସ୍ପଷ୍ଟ କରୁଛି, ନିଜକୁ ଗଣତନ୍ତ୍ରର ଜନନୀ ବୋଲି କହୁଥିବା ଦେଶ ନିଜ ନାଗରିକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ନୁହେଁ। ଆଉ ଏକ ପ୍ରମାଣ ହେଉଛି, ୨୦୧୪ ପୂର୍ୱରୁ ୭୧% ବିଲ୍‌ ସଂସଦୀୟ ସ୍ଥାୟୀ ସମିତିକୁ ପଠାଯାଉଥିଲା, କିନ୍ତୁ ୨୦୧୪ ପରେ ଏହି ହାର ୨୦%ରୁ କମ୍‌ ହୋଇଯାଇଛି। ଡିସେମ୍ୱର ୨୦୨୫ରେ, ସରକାରଙ୍କୁ ପଚରାଯାଇଥିଲା ଯେ ନୀତିର କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେଉଛନ୍ତି କି? ସରକାର କହିଥିଲେ, ସେମାନେ କେବେ ବି ଏହାର ମୂଲ୍ୟାଙ୍କନ କରିନାହାନ୍ତି ଏବଂ କିଏ ଏହାକୁ ପାଳନ କରୁଛନ୍ତି ସେ ସମ୍ପର୍କରେ ରେକର୍ଡ ରଖିନାହାନ୍ତି। କ୍ରମାଗତ ଭାବରେ, ସରକାରଙ୍କ ବିବାଦୀୟ ନିର୍ଦ୍ଦେଶାବଳୀ ଆଇନ ଆକାରରେ ଆସୁନାହିଁ, ବରଂ ନିୟମ ଏବଂ ପରାମର୍ଶାବଳୀ (ଆଡ୍‌ଭାଇଜରି) ଆକାରରେ ଆସୁଛି, ଯାହାକୁ କାର୍ଯ୍ୟପାଳିକା କୌଣସି ସଂସଦୀୟ ଓ ଜନ ପରାମର୍ଶ ବିନା କାର୍ଯ୍ୟକାରୀ କରୁଛନ୍ତି। ଏହାସହିତ ସରକାର ପ୍ରସ୍ତୁତ କରିଥିବା ଏକ ନୂଆ ଅଭିଧାନ ଅନୁଯାୟୀ, ଅସନ୍ତୁଷ୍ଟ କିମ୍ୱା ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତି ହେଉଛନ୍ତି ‘ଦେଶଦ୍ରୋହୀ’, ଆକ୍ଟିଭିଷ୍ଟ ହେଉଛନ୍ତି ଜଣେ ‘ଅର୍ୱାନ ନକ୍ସଲ’, ପ୍ରତିବାଦକାରୀ ଜଣେ ‘ଆନ୍ଦୋଳନଜୀବୀ’ ଏବଂ ଶବଯାତ୍ରାରେ ଥିବା ପିଲାଟି ହେଉଛି ଜଣେ ‘ପଥରଫିଙ୍ଗାଳୀ’। ଏହି ଶବ୍ଦଗୁଡ଼ିକ ପ୍ରଚାର ମାଧ୍ୟମରେ ଭାରତୀୟ ମାନସିକତାରେ ପ୍ରବେଶ କରିବା ପରେ, ଦେଶର କାର୍ଯ୍ୟକଳାପ ଉପରେ କୌଣସି ସଫେଇ ଦେବାର ଆବଶ୍ୟକ ପଡ଼େନାହିଁ। ଚୌହାନର ଟିଜର୍‌ ଏହି ଅଭିଧାନକୁ ପଢ଼ି ସେହି ପ୍ରଚାରକୁ ସିନେମା ମାଧ୍ୟମରେ ପୁନରାବୃତ୍ତି କରୁଛି।
ଝରକା ବାହାରକୁ ଚାହିଁବା କାରଣରୁ ଝିଅଟି ସାରାଜୀବନ ପାଇଁ ଅନ୍ଧ ହୋଇଗଲା। ଏହାକୁ ‘କମ୍‌ କ୍ଷତି’ କହିବା କୌଣସି ବୀରତ୍ୱର ପରିଚୟ ନୁହେଁ; ବରଂ ଏହା ନୈତିକ ଦୁର୍ୱଳତାର ପ୍ରତୀକ। ଆମ୍ନେଷ୍ଟି ରିପୋର୍ଟ ପ୍ରକାଶ ପାଇବା ପରେ ମୁଁ ମୋ ସହକର୍ମୀ ରଘୁଙ୍କ ସହ କଶ୍ମୀର ପୋଲିସ ମୁଖ୍ୟ ଏସ୍‌.ପି. ବୈଦ୍ୟଙ୍କୁ ଭେଟିବାକୁ ଯାଇଥିଲୁ। ବୈଦ୍ୟ ଆମକୁ ସ୍ୱାଗତ କଲେ ଏବଂ ରିପୋର୍ଟର ଗୋଟିଏ କପି ନେଲେ। ପ୍ରଦର୍ଶନକାରୀଙ୍କ ଉପରକୁ ଶଟ୍‌ଗନ ଚଳାଇବା ଦ୍ୱାରା ହୋଇଥିବା କ୍ଷତି ସମ୍ପର୍କିତ ତଥ୍ୟକୁ ସେ ଧୈର୍ଯ୍ୟର ସହ ଶୁଣିଲେ। ସେ ଆମ ରିପୋର୍ଟର ତଥ୍ୟକୁ ଅସ୍ୱୀକାର କଲେ ନାହିଁ, କିନ୍ତୁ କାହିଁକି ଏହି ଅସ୍ତ୍ରର ବ୍ୟବହାର ବନ୍ଦ କରାଯିବା ଉଚିତ ତାହା ସେ ବୁଝିପାରିଲେ ନାହିଁ। ମୁଁ ତାଙ୍କୁ କହିଲି, ଏହି ଅସ୍ତ୍ର ଭାରତର ଅନ୍ୟ କୌଣସି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ ନାହିଁ। ସେ ଉତ୍ତର ଦେଲେ, ଏହା ସବୁଠି ବ୍ୟବହାର କରାଯିବା ଉଚିତ।