ଯାହା ଜରୁରୀ ମନେହୁଏ

ବିଚିତ୍ର ବିଶ୍ୱାଳ

 

ଯେଉଁ କାମ ତୁରନ୍ତ ନ ହେଲେ ସମସ୍ୟା ବଢ଼ିଯାଏ, ଯେଉଁ କାମ ଭବିଷ୍ୟତରେ ଆସିବାକୁ ଥିବା ବିପଦକୁ କମ୍‌ କରିଥାଏ, ଯାହା କରିବା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ହୋଇଥାଏ ସେସବୁକୁ ଜରୁରୀ ପଦବାଚ୍ୟ କରାଯାଇପାରେ। ନୂଆବର୍ଷ ୨୦୨୪ ଏଇମାତ୍ର ଆଗମନ ହୋଇଛି। ଦଳ ଦଳ ହୋଇ ଭୋଜିଭାତର ଆୟୋଜନ ଚାଲୁଛି। ନୂଆବର୍ଷର ଖୁସି, ଶୁଭେଚ୍ଛା ବାର୍ତ୍ତା ଓ ଉତ୍ସବର ବାତାବରଣ ଭିତରେ ୨୦୨୪ରେ ଆମ ଦେଶର ଜନସାଧାରଣଙ୍କ ସମୃଦ୍ଧ ସୁନ୍ଦର ଜୀବନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ନିଶ୍ଚିତ କରିବା ପାଇଁ ଯାହା ଜରୁରୀ ମନେହୁଏ ତା’ ଉପରେ ଆଲୋକପାତ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ।
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ରାସ୍ତାରେ ସମ୍ପ୍ରତି ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଛି ସମଗ୍ର ଦେଶରେ ଧର୍ମ ନାମରେ ଲୋକମାନଙ୍କର ଭାବାବେଗକୁ ନିୟନ୍ତ୍ରଣ କରି ରାଜନୀତି ରୁଟି ସେକିବା। ଗତ କେତେ ବର୍ଷ ହେବ ଏପରି କାମ ବଢ଼ି ଚାଲିଛି। ପରିଣାମରେ ସାଧାରଣ ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଅବିଶ୍ୱାସ ଓ ଆଶଙ୍କା ବୃଦ୍ଧି ପାଉଛି, ହିଂସା ବଢ଼ୁଛି। ଦୁର୍ଭାଗ୍ୟର ବିଷୟ ଯେ, ଏହା କୌଣସି ଅପରାଧୀ ବା ଆତତାୟୀଙ୍କ ଦ୍ୱାରା ହେଉନାହିଁ। ଗୋଟେ ସଙ୍ଗଠିତ ଶକ୍ତି ନିରନ୍ତର ଭାବେ ଏପରି କରିଚାଲିଛନ୍ତି। ସମ୍ପ୍ରତି ସାରା ଦେଶରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରବଳ ଉତ୍ସାହ ଲାଗିରହିଥିବା ବେଳେ ଦୁଇଜଣ ଲୋକ ମୁସଲମାନର ଛଦ୍ମ ନାମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାମ ମନ୍ଦିରକୁ ଉଡ଼େଇ ଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦେଇଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ, ଏପରି ହେଲେ ହିନ୍ଦୁମାନଙ୍କର ମୁସଲମାନଙ୍କ ପ୍ରତି ଆକ୍ରୋଶ ଓ ଘୃଣା ବଢ଼ିବ ଓ ଦରକାର ପଡ଼ିଲେ ହିଂସା ଓ ଦଙ୍ଗାର ରୂପ ନେଇପାରେ। ଅପରାଧୀମାନଙ୍କର ଅସଲ ଲକ୍ଷ୍ୟ ହେଉଛି, ଆମ ଦେଶର ଧର୍ମ ନିରପେକ୍ଷତାର ଭାବନାକୁ ଦୁର୍ବଳ କରି ଏକ ଧର୍ମୀୟ ଦାଦାଗିରି ପ୍ରତିଷ୍ଠା କରିବା। ଏହାର ପରିଣାମ କେବେ ବି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ସହାବସ୍ଥାନ ହେବ ନାହିଁ। ତେଣୁ ୨୦୨୪କୁ ଯଦି ଶାନ୍ତି ଓ ମୈତ୍ରୀର ବର୍ଷ ଭାବେ ସ୍ଥାପିତ କରିବାକୁ ଚାହଁୁଛେ, ତେବେ ପ୍ରଥମେ ଧର୍ମ ନାମରେ ଘୃଣା ଓ ହିଂସା ପ୍ରସାରକୁ ବନ୍ଦ କରିବାକୁ ହେବ। ଏଥିପାଇଁ ସର୍ବପ୍ରଥମ ଦାୟିତ୍ୱ ଜନସାଧାରଣଙ୍କର ହେବା ଉଚିତ। ସାଧାରଣ ଲୋକମାନେ ଧର୍ମର ଠିକାଦାର ଓ ନେତାମାନଙ୍କର ଆକ୍ରୋଶମୂଳକ ଭାଷଣରେ ଭଳି ନ ଯାଇ, ଭିନ୍ନ ସମ୍ପ୍ରଦାୟ ପ୍ରତି ଘୃଣାଭାବ ପୋଷଣ ନ କରି ପରସ୍ପର ପ୍ରତି ସ୍ନେହ ଓ ପ୍ରେମ ପ୍ରଦର୍ଶନ କରିବାକୁ ହେବ। ଏହା ହିଁ ୨୦୨୪ରେ ସବୁଠାରୁ ଜରୁରୀ ମନେହୁଏ।
ଏଥିସହିତ ଅବୈଜ୍ଞାନିକ ଚିନ୍ତାଧାରାର ପ୍ରଚାର ପ୍ରସାର ଜୋର୍‌ସୋରରେ ଚାଲୁଛି। ଏହି କାମର ନେତୃତ୍ୱ ନେତାମାନେ ନେଉଛନ୍ତି। ସେମାନେ ଚାହାନ୍ତି ଲୋକମାନେ ଘଟଣାର କାରଣ ଓ ପ୍ରାସଙ୍ଗିକତା ନ ଖୋଜି ଅନ୍ଧ ଭାବେ ସେମାନଙ୍କ କଥାକୁ ସମର୍ଥନ କରନ୍ତୁ। ତେଣୁ ସେମାନେ କଳେବଳେ କୌଶଳେ ଲୋକମାନଙ୍କ ମଧ୍ୟରେ ଅବୈଜ୍ଞାନିକ ଚେତନାର ପ୍ରସାର କରିବାରେ ଲାଗିଛନ୍ତି ା ଦୁର୍ଭାଗ୍ୟର ବିଷୟ, ଅବୈଜ୍ଞାନିକ ଚିନ୍ତାଧାରା ତଥା ଅଯୌକ୍ତିକ ଓ ଅପ୍ରାସଙ୍ଗିକ ଘଟଣାକୁ ଆମ ସଂସ୍କୃତି ଓ ପରମ୍ପରା କହି ଗର୍ବ କରିବାକୁ କୁହାଯାଉଛି। ଆଜିର ଯୁଗରେ ଅବୈଜ୍ଞାନିକ ଚିନ୍ତାଧାରା ଦେଶକୁ ଶହେ ବର୍ଷ ପଛକୁ ନେଇଯିବ। ତେଣୁ ବୈଜ୍ଞାନିକ ଚିନ୍ତାଧାରାକୁ ବିକାଶ କରି ଅନ୍ଧବିଶ୍ୱାସ ତଥା କପୋଳକଳ୍ପିତ ପ୍ରସଙ୍ଗକୁ ପଛ କରିବା, ଏହି ନୂଆବର୍ଷରେ ବହୁତ ଜରୁରୀ ମନେହୁଏ। ଆଜିକାଲି ମହିଳାଙ୍କ ଉପରେ ହିଂସା ଏତେ ବଢ଼ିଛି ଯେ, ଗାଁ ଗହଳି ଛାଡ଼ନ୍ତୁ ସହରର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ବି ଛାତ୍ରୀମାନଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ୁଛି। ଯେଉଁମାନେ ଏପରି ଅପରାଧ ଘଟାଉଛନ୍ତି, ସେମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ନ୍ୟାୟ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ସକ୍ଷମ ହୋଇପାରୁନାହିଁ। ସମ୍ପ୍ରତି ଏକ ବଡ଼ ରାଜନୈତିକ ଦଳର ଆଇଟି ସେଲ୍‌ ସହିତ ସମ୍ପୃକ୍ତ ଥିବା ତିନି ଜଣ ଯୁବକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ତା’ଠାରୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ, ସେହି ଅପରାଧୀମାନଙ୍କର ଫଟୋ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ସହିତ ଘୂରିବୁଲୁଛି। ନୂଆବର୍ଷରେ ଆମେ କ’ଣ ମହିଳାମାନଙ୍କୁ ସୁରକ୍ଷା ଦେଇପାରିବାକୁ ସକ୍ଷମ ହୋଇପାରିବା? ଏକ ପ୍ରଗତିଶୀଳ ଓ ସମୃଦ୍ଧ ଦେଶ ଗଢ଼ି ତୋଳିବା ପାଇଁ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଜରୁରୀ।
୨୦୨୩ରେ ଭାରତରେ ବେକାରି ସମସ୍ୟା ଶୀର୍ଷରେ ପହଞ୍ଚିଥିଲା। ୨୦୨୪ରେ ଏହା ଉତ୍କଟ ହେବାର ସମ୍ଭାବନା ରହିଛି। ସିଏମ୍‌ଆଇଇର ତଥ୍ୟ ଅନୁସାରେ ଦେଶରେ ସମ୍ପ୍ରତି ବେକାରି ହାର ୭.୯୫%ରେ ପହଞ୍ଚିଛି। ଆଙ୍ଗୁଠି ଗଣତି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଇଣ୍ଟରଭ୍ୟୁ ପାଇଁ ଲକ୍ଷାଧିକ ପ୍ରାର୍ଥୀ ଆସୁଛନ୍ତି। ତେଣୁ କେବଳ ଆତ୍ମନିର୍ଭର ଭାରତର ସ୍ଲୋଗାନରେ ଦାୟିତ୍ୱ ନ ସାରି ୨୦୨୪ରେ ବେକାରି ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଭାରତ ଏକ କୃଷିପ୍ରଧାନ ଦେଶ। କିନ୍ତୁ କୃଷକମାନଙ୍କ ପରିସ୍ଥିତି ସବୁଠୁ ସାଂଘାତିକ। ଦିନକୁ ଦିନ ସେମାନଙ୍କ ସଂଖ୍ୟା ହ୍ରାସ ପାଇ ଦିନମଜୁରିଆଙ୍କ ସଂଖ୍ୟା ବଢ଼ୁଛି। ଦେଶର ଅର୍ଦ୍ଧାଧିକ ଜମିରେ ଏଯାଏ ପାଣି ପହଞ୍ଚି ପାରିନାହିଁ। ଗୋଦାମ ଓ ଶୀତଳ ଭଣ୍ଡାର କଥା ନ କହିଲେ ଭଲ। ଆମେ ଚନ୍ଦ୍ରରେ ପହଞ୍ଚି ସାରିଲେଣି, କିନ୍ତୁ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ଓ ଗୋଦାମ ତିଆରି ହୋଇପାରିନାହଁୁ। ଫଳସ୍ବରୂପ ଉଚିତ ଦାମ୍‌ ମିଳୁ ନ ଥିବାରୁ ଓ ଉତ୍ପାଦକୁ ଗଚ୍ଛିତ ରଖିବାର ସୁବିଧା ନ ଥିବାରୁ ଚାଷୀମାନେ ତାଙ୍କ ଉତ୍ପାଦକୁ ରାଜରାସ୍ତାରେ ଫୋପାଡ଼ୁଛନ୍ତି। ଚାଷୀକୁ ଉତ୍ପାଦନର ଉଚିତ ମୂଲ୍ୟ ମିଳୁନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ ନାମରେ ଚାଷୀଙ୍କୁ ଯାହା ଦିଆଯାଉଛି, ତାହା ତାଙ୍କର ନିବେଶ ଖର୍ଚ୍ଚଠାରୁ କମ୍‌। ତେଣୁ ପ୍ରତ୍ୟେକ ବର୍ଷ ଚାଷୀ କ୍ଷତି ସହୁଛି। ଚାଷୀମାନେ ଋଣଭାରରେ ବୁଡ଼ି ରହିଛନ୍ତି। ଚାଷୀ ଆତ୍ମହତ୍ୟା ବଢ଼ି ଚାଲୁଛି। ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ଅଧଘଣ୍ଟାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛି। ୨୦୨୪ ଏଥିରୁ ବି ବାଦ୍‌ ଯିବନି, ଯଦି ଜରୁରିକାଳୀନଭିତ୍ତିରେ ଚାଷୀଙ୍କୁ ଅନ୍ତତଃ ପକ୍ଷେ ତାଙ୍କ ଉପତ୍ାଦନର ଉଚିତ ମୂଲ୍ୟ ଓ ସୁରକ୍ଷା ଭତ୍ତାର ବ୍ୟବସ୍ଥା କରା ନ ଯାଏ।
ଆମ ଗଣତନ୍ତ୍ରିକ ଦେଶ ଏକଚ୍ଛତ୍ରବାଦ ଆଡ଼କୁ ମୁହଁାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋକ ସଭାରେ ଏକ ସଙ୍ଗରେ ଶହେ ପାଖାପାଖି ସାଂସଦଙ୍କୁ ବହିଷ୍କାର କରାଯାଉଛି। ବିରୋଧୀଙ୍କ ଅନୁପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯାଉଛି ନ ହେଲେ ଅଧ୍ୟାଦେଶ ମାଧ୍ୟମରେ ତାହା କରାଯାଇ ବିରୋଧୀଙ୍କୁ ମତ ରଖିବାକୁ ସୁଯୋଗ ଦିଆଯାଉନାହିଁ। ସୁପ୍ରିମକୋର୍ଟ ମତ ଦେଲେ, ନିର୍ବାଚନ କମିଶନ ପରି ଗୁରୁତ୍ୱପୂର୍ଣ୍ଣ ପଦବୀର ଚୟନ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ଦ୍ୱାରା ମିଳିତ ଭାବେ ହେବାକଥା। କିନ୍ତୁ ସରକାର ଏହାକୁ ଅମାନ୍ୟ କରି ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କ ସ୍ଥାନକୁ କାଟି ଆଉ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରଖୁଛନ୍ତି। ଉଦ୍ଦେଶ୍ୟ ସ୍ପଷ୍ଟ, କ୍ଷମତାରେ ଥିବା ଦଳ ହିଁ ସବୁବେଳେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ନିଯୁକ୍ତି କରିବେ। ପରିଣାମ ସ୍ବରୂପ ଗଣତନ୍ତ୍ର ହିଁ ଦୁର୍ବଳ ହେବ ଓ ଏକଚ୍ଛତ୍ରବାଦ ଦିଗରେ ଦେଶ ମୁହଁାଇବ। ୨୦୨୪ ପ୍ରାରମ୍ଭରେ ଗଣତନ୍ତ୍ରର ସୁରକ୍ଷା ଦିଗରେ ପଦକ୍ଷେପ ନେବା ଜରୁରୀ ମନେହୁଏ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri