ଯାହା ଜରୁରୀ ମନେହୁଏ

ବିଚିତ୍ର ବିଶ୍ୱାଳ

 

ଯେଉଁ କାମ ତୁରନ୍ତ ନ ହେଲେ ସମସ୍ୟା ବଢ଼ିଯାଏ, ଯେଉଁ କାମ ଭବିଷ୍ୟତରେ ଆସିବାକୁ ଥିବା ବିପଦକୁ କମ୍‌ କରିଥାଏ, ଯାହା କରିବା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ହୋଇଥାଏ ସେସବୁକୁ ଜରୁରୀ ପଦବାଚ୍ୟ କରାଯାଇପାରେ। ନୂଆବର୍ଷ ୨୦୨୪ ଏଇମାତ୍ର ଆଗମନ ହୋଇଛି। ଦଳ ଦଳ ହୋଇ ଭୋଜିଭାତର ଆୟୋଜନ ଚାଲୁଛି। ନୂଆବର୍ଷର ଖୁସି, ଶୁଭେଚ୍ଛା ବାର୍ତ୍ତା ଓ ଉତ୍ସବର ବାତାବରଣ ଭିତରେ ୨୦୨୪ରେ ଆମ ଦେଶର ଜନସାଧାରଣଙ୍କ ସମୃଦ୍ଧ ସୁନ୍ଦର ଜୀବନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ନିଶ୍ଚିତ କରିବା ପାଇଁ ଯାହା ଜରୁରୀ ମନେହୁଏ ତା’ ଉପରେ ଆଲୋକପାତ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ।
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ରାସ୍ତାରେ ସମ୍ପ୍ରତି ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଛି ସମଗ୍ର ଦେଶରେ ଧର୍ମ ନାମରେ ଲୋକମାନଙ୍କର ଭାବାବେଗକୁ ନିୟନ୍ତ୍ରଣ କରି ରାଜନୀତି ରୁଟି ସେକିବା। ଗତ କେତେ ବର୍ଷ ହେବ ଏପରି କାମ ବଢ଼ି ଚାଲିଛି। ପରିଣାମରେ ସାଧାରଣ ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଅବିଶ୍ୱାସ ଓ ଆଶଙ୍କା ବୃଦ୍ଧି ପାଉଛି, ହିଂସା ବଢ଼ୁଛି। ଦୁର୍ଭାଗ୍ୟର ବିଷୟ ଯେ, ଏହା କୌଣସି ଅପରାଧୀ ବା ଆତତାୟୀଙ୍କ ଦ୍ୱାରା ହେଉନାହିଁ। ଗୋଟେ ସଙ୍ଗଠିତ ଶକ୍ତି ନିରନ୍ତର ଭାବେ ଏପରି କରିଚାଲିଛନ୍ତି। ସମ୍ପ୍ରତି ସାରା ଦେଶରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରବଳ ଉତ୍ସାହ ଲାଗିରହିଥିବା ବେଳେ ଦୁଇଜଣ ଲୋକ ମୁସଲମାନର ଛଦ୍ମ ନାମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାମ ମନ୍ଦିରକୁ ଉଡ଼େଇ ଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦେଇଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ, ଏପରି ହେଲେ ହିନ୍ଦୁମାନଙ୍କର ମୁସଲମାନଙ୍କ ପ୍ରତି ଆକ୍ରୋଶ ଓ ଘୃଣା ବଢ଼ିବ ଓ ଦରକାର ପଡ଼ିଲେ ହିଂସା ଓ ଦଙ୍ଗାର ରୂପ ନେଇପାରେ। ଅପରାଧୀମାନଙ୍କର ଅସଲ ଲକ୍ଷ୍ୟ ହେଉଛି, ଆମ ଦେଶର ଧର୍ମ ନିରପେକ୍ଷତାର ଭାବନାକୁ ଦୁର୍ବଳ କରି ଏକ ଧର୍ମୀୟ ଦାଦାଗିରି ପ୍ରତିଷ୍ଠା କରିବା। ଏହାର ପରିଣାମ କେବେ ବି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ସହାବସ୍ଥାନ ହେବ ନାହିଁ। ତେଣୁ ୨୦୨୪କୁ ଯଦି ଶାନ୍ତି ଓ ମୈତ୍ରୀର ବର୍ଷ ଭାବେ ସ୍ଥାପିତ କରିବାକୁ ଚାହଁୁଛେ, ତେବେ ପ୍ରଥମେ ଧର୍ମ ନାମରେ ଘୃଣା ଓ ହିଂସା ପ୍ରସାରକୁ ବନ୍ଦ କରିବାକୁ ହେବ। ଏଥିପାଇଁ ସର୍ବପ୍ରଥମ ଦାୟିତ୍ୱ ଜନସାଧାରଣଙ୍କର ହେବା ଉଚିତ। ସାଧାରଣ ଲୋକମାନେ ଧର୍ମର ଠିକାଦାର ଓ ନେତାମାନଙ୍କର ଆକ୍ରୋଶମୂଳକ ଭାଷଣରେ ଭଳି ନ ଯାଇ, ଭିନ୍ନ ସମ୍ପ୍ରଦାୟ ପ୍ରତି ଘୃଣାଭାବ ପୋଷଣ ନ କରି ପରସ୍ପର ପ୍ରତି ସ୍ନେହ ଓ ପ୍ରେମ ପ୍ରଦର୍ଶନ କରିବାକୁ ହେବ। ଏହା ହିଁ ୨୦୨୪ରେ ସବୁଠାରୁ ଜରୁରୀ ମନେହୁଏ।
ଏଥିସହିତ ଅବୈଜ୍ଞାନିକ ଚିନ୍ତାଧାରାର ପ୍ରଚାର ପ୍ରସାର ଜୋର୍‌ସୋରରେ ଚାଲୁଛି। ଏହି କାମର ନେତୃତ୍ୱ ନେତାମାନେ ନେଉଛନ୍ତି। ସେମାନେ ଚାହାନ୍ତି ଲୋକମାନେ ଘଟଣାର କାରଣ ଓ ପ୍ରାସଙ୍ଗିକତା ନ ଖୋଜି ଅନ୍ଧ ଭାବେ ସେମାନଙ୍କ କଥାକୁ ସମର୍ଥନ କରନ୍ତୁ। ତେଣୁ ସେମାନେ କଳେବଳେ କୌଶଳେ ଲୋକମାନଙ୍କ ମଧ୍ୟରେ ଅବୈଜ୍ଞାନିକ ଚେତନାର ପ୍ରସାର କରିବାରେ ଲାଗିଛନ୍ତି ା ଦୁର୍ଭାଗ୍ୟର ବିଷୟ, ଅବୈଜ୍ଞାନିକ ଚିନ୍ତାଧାରା ତଥା ଅଯୌକ୍ତିକ ଓ ଅପ୍ରାସଙ୍ଗିକ ଘଟଣାକୁ ଆମ ସଂସ୍କୃତି ଓ ପରମ୍ପରା କହି ଗର୍ବ କରିବାକୁ କୁହାଯାଉଛି। ଆଜିର ଯୁଗରେ ଅବୈଜ୍ଞାନିକ ଚିନ୍ତାଧାରା ଦେଶକୁ ଶହେ ବର୍ଷ ପଛକୁ ନେଇଯିବ। ତେଣୁ ବୈଜ୍ଞାନିକ ଚିନ୍ତାଧାରାକୁ ବିକାଶ କରି ଅନ୍ଧବିଶ୍ୱାସ ତଥା କପୋଳକଳ୍ପିତ ପ୍ରସଙ୍ଗକୁ ପଛ କରିବା, ଏହି ନୂଆବର୍ଷରେ ବହୁତ ଜରୁରୀ ମନେହୁଏ। ଆଜିକାଲି ମହିଳାଙ୍କ ଉପରେ ହିଂସା ଏତେ ବଢ଼ିଛି ଯେ, ଗାଁ ଗହଳି ଛାଡ଼ନ୍ତୁ ସହରର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ବି ଛାତ୍ରୀମାନଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ୁଛି। ଯେଉଁମାନେ ଏପରି ଅପରାଧ ଘଟାଉଛନ୍ତି, ସେମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ନ୍ୟାୟ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ସକ୍ଷମ ହୋଇପାରୁନାହିଁ। ସମ୍ପ୍ରତି ଏକ ବଡ଼ ରାଜନୈତିକ ଦଳର ଆଇଟି ସେଲ୍‌ ସହିତ ସମ୍ପୃକ୍ତ ଥିବା ତିନି ଜଣ ଯୁବକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ତା’ଠାରୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ, ସେହି ଅପରାଧୀମାନଙ୍କର ଫଟୋ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ସହିତ ଘୂରିବୁଲୁଛି। ନୂଆବର୍ଷରେ ଆମେ କ’ଣ ମହିଳାମାନଙ୍କୁ ସୁରକ୍ଷା ଦେଇପାରିବାକୁ ସକ୍ଷମ ହୋଇପାରିବା? ଏକ ପ୍ରଗତିଶୀଳ ଓ ସମୃଦ୍ଧ ଦେଶ ଗଢ଼ି ତୋଳିବା ପାଇଁ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଜରୁରୀ।
୨୦୨୩ରେ ଭାରତରେ ବେକାରି ସମସ୍ୟା ଶୀର୍ଷରେ ପହଞ୍ଚିଥିଲା। ୨୦୨୪ରେ ଏହା ଉତ୍କଟ ହେବାର ସମ୍ଭାବନା ରହିଛି। ସିଏମ୍‌ଆଇଇର ତଥ୍ୟ ଅନୁସାରେ ଦେଶରେ ସମ୍ପ୍ରତି ବେକାରି ହାର ୭.୯୫%ରେ ପହଞ୍ଚିଛି। ଆଙ୍ଗୁଠି ଗଣତି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଇଣ୍ଟରଭ୍ୟୁ ପାଇଁ ଲକ୍ଷାଧିକ ପ୍ରାର୍ଥୀ ଆସୁଛନ୍ତି। ତେଣୁ କେବଳ ଆତ୍ମନିର୍ଭର ଭାରତର ସ୍ଲୋଗାନରେ ଦାୟିତ୍ୱ ନ ସାରି ୨୦୨୪ରେ ବେକାରି ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଭାରତ ଏକ କୃଷିପ୍ରଧାନ ଦେଶ। କିନ୍ତୁ କୃଷକମାନଙ୍କ ପରିସ୍ଥିତି ସବୁଠୁ ସାଂଘାତିକ। ଦିନକୁ ଦିନ ସେମାନଙ୍କ ସଂଖ୍ୟା ହ୍ରାସ ପାଇ ଦିନମଜୁରିଆଙ୍କ ସଂଖ୍ୟା ବଢ଼ୁଛି। ଦେଶର ଅର୍ଦ୍ଧାଧିକ ଜମିରେ ଏଯାଏ ପାଣି ପହଞ୍ଚି ପାରିନାହିଁ। ଗୋଦାମ ଓ ଶୀତଳ ଭଣ୍ଡାର କଥା ନ କହିଲେ ଭଲ। ଆମେ ଚନ୍ଦ୍ରରେ ପହଞ୍ଚି ସାରିଲେଣି, କିନ୍ତୁ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ଓ ଗୋଦାମ ତିଆରି ହୋଇପାରିନାହଁୁ। ଫଳସ୍ବରୂପ ଉଚିତ ଦାମ୍‌ ମିଳୁ ନ ଥିବାରୁ ଓ ଉତ୍ପାଦକୁ ଗଚ୍ଛିତ ରଖିବାର ସୁବିଧା ନ ଥିବାରୁ ଚାଷୀମାନେ ତାଙ୍କ ଉତ୍ପାଦକୁ ରାଜରାସ୍ତାରେ ଫୋପାଡ଼ୁଛନ୍ତି। ଚାଷୀକୁ ଉତ୍ପାଦନର ଉଚିତ ମୂଲ୍ୟ ମିଳୁନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ ନାମରେ ଚାଷୀଙ୍କୁ ଯାହା ଦିଆଯାଉଛି, ତାହା ତାଙ୍କର ନିବେଶ ଖର୍ଚ୍ଚଠାରୁ କମ୍‌। ତେଣୁ ପ୍ରତ୍ୟେକ ବର୍ଷ ଚାଷୀ କ୍ଷତି ସହୁଛି। ଚାଷୀମାନେ ଋଣଭାରରେ ବୁଡ଼ି ରହିଛନ୍ତି। ଚାଷୀ ଆତ୍ମହତ୍ୟା ବଢ଼ି ଚାଲୁଛି। ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ଅଧଘଣ୍ଟାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛି। ୨୦୨୪ ଏଥିରୁ ବି ବାଦ୍‌ ଯିବନି, ଯଦି ଜରୁରିକାଳୀନଭିତ୍ତିରେ ଚାଷୀଙ୍କୁ ଅନ୍ତତଃ ପକ୍ଷେ ତାଙ୍କ ଉପତ୍ାଦନର ଉଚିତ ମୂଲ୍ୟ ଓ ସୁରକ୍ଷା ଭତ୍ତାର ବ୍ୟବସ୍ଥା କରା ନ ଯାଏ।
ଆମ ଗଣତନ୍ତ୍ରିକ ଦେଶ ଏକଚ୍ଛତ୍ରବାଦ ଆଡ଼କୁ ମୁହଁାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋକ ସଭାରେ ଏକ ସଙ୍ଗରେ ଶହେ ପାଖାପାଖି ସାଂସଦଙ୍କୁ ବହିଷ୍କାର କରାଯାଉଛି। ବିରୋଧୀଙ୍କ ଅନୁପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯାଉଛି ନ ହେଲେ ଅଧ୍ୟାଦେଶ ମାଧ୍ୟମରେ ତାହା କରାଯାଇ ବିରୋଧୀଙ୍କୁ ମତ ରଖିବାକୁ ସୁଯୋଗ ଦିଆଯାଉନାହିଁ। ସୁପ୍ରିମକୋର୍ଟ ମତ ଦେଲେ, ନିର୍ବାଚନ କମିଶନ ପରି ଗୁରୁତ୍ୱପୂର୍ଣ୍ଣ ପଦବୀର ଚୟନ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ଦ୍ୱାରା ମିଳିତ ଭାବେ ହେବାକଥା। କିନ୍ତୁ ସରକାର ଏହାକୁ ଅମାନ୍ୟ କରି ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କ ସ୍ଥାନକୁ କାଟି ଆଉ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରଖୁଛନ୍ତି। ଉଦ୍ଦେଶ୍ୟ ସ୍ପଷ୍ଟ, କ୍ଷମତାରେ ଥିବା ଦଳ ହିଁ ସବୁବେଳେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ନିଯୁକ୍ତି କରିବେ। ପରିଣାମ ସ୍ବରୂପ ଗଣତନ୍ତ୍ର ହିଁ ଦୁର୍ବଳ ହେବ ଓ ଏକଚ୍ଛତ୍ରବାଦ ଦିଗରେ ଦେଶ ମୁହଁାଇବ। ୨୦୨୪ ପ୍ରାରମ୍ଭରେ ଗଣତନ୍ତ୍ରର ସୁରକ୍ଷା ଦିଗରେ ପଦକ୍ଷେପ ନେବା ଜରୁରୀ ମନେହୁଏ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?