
ନୂଆଦିଲ୍ଲୀ,୪।୨: ଯେବେଠାରୁ ଫ୍ରାଞ୍ଚାଇଜ କ୍ରିକେଟ ଆରମ୍ଭ ହୋଇଛି, ଏହି ଖେଳରେ ଖେଳାଳିଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ବିରାଟ କୋହଲିଙ୍କର ସମ୍ପତ୍ତି ମୂଲ୍ୟ ୧,୦୫୦ କୋଟି ଟଙ୍କା ବୋଲି କୁହାଯାଏ। ସେ ବିସିସିଆଇଠାରୁ ବାର୍ଷିକ ୭ କୋଟି ଟଙ୍କା ଏବଂ ଆଇପିଏଲ୍ ୨୦୨୫ରେ ୨୧ କୋଟି ଟଙ୍କା ପାଇବେ।
ଯଦିଓ ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ତାଙ୍କର ୧,୦୪୦ କୋଟି ଟଙ୍କାର ସମ୍ପତ୍ତି। ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରାୟୋଜକମାନେ ତାଙ୍କ ଆୟର ଏକ ବଡ଼ ଉତ୍ସ। କିନ୍ତୁ କିଛି ଖେଳ ଅଛି ଯେଉଁଥିରେ ଖେଳାଳିମାନେ କ୍ରିକେଟରଙ୍କ ତୁଳନାରେ ବହୁତ ଅଧିକ ଟଙ୍କା ରୋଜଗାର କରନ୍ତି।
ଆର୍ଜେଣ୍ଟିନାର ଅଭିଜ୍ଞ ଫୁଟବଲର ଲିଓନେଲ ମେସି ୨୦୨୩ରେ ଇଣ୍ଟର ମିଆମି ସହିତ ଅଢ଼େଇ ବର୍ଷର ଚୁକ୍ତି ସ୍ବାକ୍ଷର କରିଥିଲେ। କୁହାଯାଇଥିଲା ଯେ, ଇଣ୍ଟର ମିଆମି କ୍ଲବ ତାଙ୍କୁ ଅଢ଼େଇ ବର୍ଷ ମଧ୍ୟରେ ୧୦୮୮-୧୩୦୫ କୋଟି ଟଙ୍କା ଦେବ।
ଡିସେମ୍ବର ୨୦୨୨ରେ, କ୍ରିଷ୍ଟିଆନୋ ରୋନାଲ୍ଡୋ ଅଲ-ନାସର ସହିତ ୨୦୦ ମିଲିୟନ ଡଲାରର ବାର୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲେ। ସେ ଇତିହାସର ସବୁଠାରୁ ମହଙ୍ଗା ଫୁଟବଲ ଖେଳାଳି।
ରିପୋର୍ଟ ଅନୁସାରେ, ଆମେରିକୀୟ ବାସ୍କେଟବଲ ଲିଗ ଏନ୍ବିଏର ଅନ୍ୟତମ କିମ୍ବଦନ୍ତୀ ଲେବ୍ରନ ଜେମ୍ସଙ୍କୁ ଲସ ଆଞ୍ଜେଲସ ଲେକର୍ସ ଦ୍ୱାରା ୨୦୨୪-୨୫ ସିଜିନ ପାଇଁ ପ୍ରାୟ ୪୨୦ କୋଟି ଟଙ୍କା ଦରମା ଦିଆଯାଇଛି।
ବିଶ୍ୱର ସବୁଠାରୁ ସଫଳ ଗଲ୍ଫ ଖେଳାଳିଙ୍କ ମଧ୍ୟରୁ ଜଣେ ଟାଇଗର ଉଡ୍ସଙ୍କ ସମ୍ପତ୍ତି ୬୦୦୦କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଏ। ଫୋବର୍ସ ଅନୁଯାୟୀ, ଉଡ୍ସ ଜଣେ ବୃତ୍ତିଗତ ଗଲ୍ଫ ଖେଳାଳି ଭାବରେ ୧.୫ ବିଲିୟନ ଡଲାରରୁ ଅଧିକ ରୋଜଗାର କରିଛନ୍ତି।