ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ ଧୋଇ ହୋଇଯାଇଛି। ଫଳରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ମୋହନା ନିକଟସ୍ଥ ତିନି ଖଣ୍ଡ ଧନୁପଙ୍କା, ମୁଣ୍ଡ୍ରିଗୁଡା ଓ ବାଢେଇପୁର ଗାଁର ଲୋକେ।
ବିଭାଗ ରାସ୍ତା ବନ୍ଦ ନେଇ ପୋଷ୍ଟର ମାରି ଦାୟିତ୍ୱ ସାରି ଦେଇଥିବା ବେଳେ ଲୋକଙ୍କ ସମସ୍ୟା ବଢ଼ି ଚାଲିଛି। ଗଜପତି ଜଲା ମୋହନା ବ୍ଲକର ଏହି ଗାଁକୁ ସଂଯୋଗ କରିବା ପାଇଁ ତିନି ବର୍ଷ ତଳେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା ଏହି ବିଜୁ ସେତୁ।
ଶନିବାର ଓଡିଶା ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ (ବ୍ରିଜ୍) ପ୍ରଭାକର ବେହେରା , ଓଡିଶା ଗ୍ରାମ୍ୟ ନିର୍ମଣ ବିଭାଗ ମୁଖ୍ୟ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଦାଶ , ଅତିରିକ୍ତ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ, ଉପଖଣ୍ଡ ଅଧିକାରୀ ଦିଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ପରିଦର୍ଶନ କରି ଅତିଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

