ଶେଷ କେଉଁଠି

ଅକ୍ଷୟ କୁମାର ମିଶ୍ର

ସମ୍ପ୍ରତି ସମାଜରେ ଘଟିଚାଲିଥିବା ଗୋଟିଏ ପରେ ଗୋଟିଏ ଘଟଣା ମୋତେ ସ୍ତବ୍ଧ କରିଦେଇଛି। ମାନସିକ ଅସନ୍ତୁଳନ ଭିତରେ ସିଦ୍ଧାନ୍ତରେ ଉପନୀତ ହେବା କଷ୍ଟ ସାଧ୍ୟ ନିଶ୍ଚୟ। ଏହି ଅସ୍ଥିରତା ମଧ୍ୟରେ ମୁଁ ବୁଝିପାରୁନି କେଉଁଠୁ ଆରମ୍ଭ କରିବି। କାହା କଥା କହିବି? ଜ୍ଞାନ ବିଜ୍ଞାନ ଯେତେବେଳେ ଚରମ ଉତ୍କର୍ଷତା ଲାଭ କରିଛି, ମଣିଷ ଚନ୍ଦ୍ରପୃଷ୍ଠରେ ପାଦ ଥାପିସାରିବା ପରେ ମଙ୍ଗଳ ଅଭିମୁଖେ ଯେତେବେଳେ ଅଭିଯାନ ଆରମ୍ଭ କରିଛି ସେତେବେଳେ ତା’ର ବୌଦ୍ଧିକ ଚେତନାକୁ ନେଇ ପ୍ରଶ୍ନ ଉଠାଇଲେ ଅଧିକାଂଶ ପାଠକ ନାଶିକା କୁଞ୍ଚନ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତଥାପି ସୁନ୍ଦର ଭବିଷ୍ୟତ ନିର୍ମାଣ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରି କଠୋର ତପସ୍ୟାରତ ନିଷ୍ଠାପର ସାଧକମାନଙ୍କ ମନର ବିଚାରାଳୟରେ ମୋର ଏହି ଆଲେଖ୍ୟଟି ଉଚିତ ବିଚାରାର୍ଥେ ରଖୁଛି।
ସୂର୍ଯ୍ୟଙ୍କର ଉଜ୍ଜ୍ବଳ କିରଣରେ ଧରାପୃଷ୍ଠ ଆଲୋକିତ। କିନ୍ତୁ ମୋ ଅନୁଭବରେ ସତେଯେମିତି ଚତୁର୍ଦ୍ଦିଗ ଅନ୍ଧକାରାଚ୍ଛନ୍ନ। ବିଶ୍ବ ବିଖ୍ୟାତ ଦାର୍ଶନିକ ସକ୍ରେଟିସ ସେଦିନ ସ୍ପଷ୍ଟ ଦିବାଲୋକରେ ଜ୍ୱଳନ୍ତ ଲଣ୍ଠନଟିଏ ଧରି ଭଲ ମଣିଷର ଅନ୍ବେଷଣରେ ବାହାରିଥିଲେ। ସେମିତି ଆଜି ବିବେକର ବତିଟିଏ ଜଳାଇ ମୋ ଭିତରେ ‘ମୁଁ’କୁ ଚିହ୍ନିବା ସକାଶେ ଅଭିଯାନ ଆରମ୍ଭ କରିବାକୁ ମନ ବଳାଇଛି। ମୁଁ କିଏ? ମୋର ପରିଚୟ କ’ଣ? ସତରେ କ’ଣ ଏହି ପ୍ରକାଣ୍ଡ ପୃଥିବୀରେ ମୁଁ ସର୍ବଶ୍ରେଷ୍ଠ ପ୍ରାଣୀ? ବିଚାର ବୁଦ୍ଧି ବିବେକ ଧାରଣ କରିଥିବା ମୁଁ ଜଣେ ମାୟା ନ ଥିବା ମାନବ ନା ମୋ ଭିତରେ ପଶୁତ୍ୱର ପ୍ରବୃତ୍ତି ଏବେ ବି ଲୁକ୍କାୟିତ ଅଛି; ଯାହା ସମୟ ସୁବିଧା ସୁଯୋଗର ଅପେକ୍ଷାରେ ଅଛି? ସମାଜ, ସଂସ୍କୃତିର ଜୟଗାନ କରି ମୁଁ ମାନବ ଜାତିକୁ ଏକତା ବନ୍ଧନରେ ବାନ୍ଧିବାକୁ ଚାହୁଁଛି ନା ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନାମରେ ପରସ୍ପର ଭିତରେ ଅସ୍ପୃଶ୍ୟତାର ଜହର ବିଞ୍ଚୁଛି?
ବିଚାର ଥିଲା ମୁଁ ଏମିତି ଏକ ପ୍ରାଣୀ, ଯାହାର ସ୍ବାଧୀନତା ହେଉଛି ଜନ୍ମଗତ ଅଧିକାର। କିନ୍ତୁ ପରାଧୀନତାର ଶୃଙ୍ଖଳ ମୋର ଚେତନାକୁ ପଙ୍ଗୁ କରିଦେଇଛି। ମରହଟ୍ଟା, ମୋଗଲ, ପର୍ତ୍ତୁଗିଜ, ଫରାସୀ, ଓଲନ୍ଦାଜ ଶେଷରେ ଇଂରେଜମାନଙ୍କ ଦ୍ବାରା ଶାସିତ ହୋଇ ସତେଯେମିତି ମୁଁ ଏକ ପିଞ୍ଜରା ଭିତରର ଶାରୀ ପାଲଟି ଯାଇଥିଲି। ଅର୍ଥନୈତିକ ଶୋଷଣ ମୋର ମେରୁଦଣ୍ଡକୁ ଭାଙ୍ଗି ଦେଇଛି ବୋଲି ଅନୁଭବ କରୁଥିଲି। ସାମାଜିକ ବୈଷମ୍ୟ ମୋତେ ଅଣନିଃଶ୍ୱାସୀ କରିଦେଉଥିଲା। ଅକଥନୀୟ ଅନ୍ୟାୟ ଅତ୍ୟାଚାର ମୁଁ ସହି ପାରିଲିନି। ମନଟା ବିଦ୍ରୋହ କରି ଉଠିଲା। ମୁଁ ଅନ୍ୟମାନଙ୍କୁ ନେଇ ମେଳି ବାନ୍ଧିଲି। ବିକ୍ଷୋଭ ବିଦ୍ରୋହ କଲି। ମୋର ଶେଷ କଥା ଥିଲା ମୁଁ ସ୍ବାଧୀନତା ଚାହେଁ। ମୋ ସମ୍ମୁଖରେ ଉଭା ହେଲେ ଅହିଂସାର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀ। ମୁଁ ତାଙ୍କୁ ଅନୁସରଣ କଲି, ଅନୁଗାମୀ ହେଲି। ଏହି କଠିନ ଯୁଦ୍ଧରେ ମୁଁ ମୋର ଅନେକ ଭାଇ ବନ୍ଧୁ କୁଟୁମ୍ବଙ୍କୁ ହରାଇଲି ସତ, ହେଲେ ବିଦେଶୀ ଶାସନର ଅନ୍ତ ହେଲା। ମୁଁ ଉତ୍‌ଫୁଲ୍ଲିତ ଚିତ୍ତରେ ଗାଇଉଠିଲି ‘ବଜାରେ ବଜାରେ ବାଇଦ ବଜା…। କିନ୍ତୁ ଏହି ଆନନ୍ଦ ଉଲ୍ଲାସ ବେଶିଦିନ ରହିଲା ନାହିଁ । ସ୍ବପ୍ନ ଭାଙ୍ଗିଗଲା।
ମୋହ ତୁଟିଗଲା। ଗୋରା ଲୋକମାନେ ଶୋଷଣ କରୁଥିଲେ ଏବେ ମୁଁ ମୋତେ ଶୋଷଣ କରୁଛି। ହାରିଛି କେତେ ଜିତିଛି କେତେ ସେହି ଅଛିଣ୍ଡା ଗଣିତ ମୋତେ କ୍ରମେ ଅସୁଖୀ କରିବାକୁ ଲାଗିଲା।
କିଛି ବିଶିଷ୍ଟ ବ୍ୟକ୍ତି କହୁଥିବା ଶୁଣାଗଲା, ସମସ୍ତେ ଶିକ୍ଷିତ ହେଲେ ସବୁ ବଦଳି ଯିବ। ‘ସା ବିଦ୍ୟା ଯା ବିମୁକ୍ତଏ’ ନୀତି ବାଣୀ ମନକୁ ଆଶ୍ୱସ୍ତ କଲା। ଶିକ୍ଷା ଶୋଷଣରୁ ମୁକ୍ତି ଦେବ। ସକଳ ଦୁଃଖ ଦୂରୀଭୂତ ହେବ। ମୁଁ ଶିକ୍ଷିତ ହେବା ସହିତ ଶିଷ୍ଟାଚାରୀ ହେବି। ବିବେକବାନ ହେବି। ମୋର ବିଚାର ବୁଦ୍ଧି ବିକଶିତ ହେବ। ଅଜ୍ଞାନ ରୂପକ ଅନ୍ଧକାର ଅପସରି ଯିବ। ମୁଁ ଅନ୍ୟର ଅନୁଗାମୀ ହେବି। କିନ୍ତୁ ଶିକ୍ଷିତ ହେବା ପରେ ଅଧିକରୁ ଅଧିକ ସ୍ବାର୍ଥପର ହେଲି। ଅସୀମ ଲୋଭ ମୋତେ ଗ୍ରାସ କଲା। ଅର୍ଥକୁ ପ୍ରତିଷ୍ଠାର ମାପକାଠି ବୋଲି ବିଚାର କଲି। ପ୍ରଚୁର ଧନ ସମ୍ପତ୍ତିର ଅଧିକାରୀ ହେବା ପାଇଁ ପ୍ରୟାସ ଆରମ୍ଭ କଲି। ସମ୍ପର୍କ ମୋ ନିକଟରେ ତୁଚ୍ଛ ପାଲଟିଗଲା। ବାପା ମାଆ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଅଚିହ୍ନା ହୋଇଗଲେ। କାହାର ଦୁଃଖ ଦୈନ୍ୟ ମୋତେ ବିଚଳିତ କଲା ନାହିଁ। ଅନ୍ୟର ବିପଦ ଦେଖି ମୁହଁ ବୁଲାଇ ନେଲି। ଅର୍ଥ ପଛରେ ଅଣନିଃଶ୍ୱାସୀ ହୋଇ ଧାଇଁଲି। ହେଲେ ଅର୍ଥର ପ୍ରାଚୁର୍ଯ୍ୟ ମୋତେ ଆତ୍ମସନ୍ତୋଷ ଦେଲାନାହିଁ।
ଏଣିକି ମୁଁ କ୍ଷମତା ଆଡ଼କୁ ହାତ ବଢ଼ାଇଲି। ପରିସଂଖ୍ୟାନରୁ ଜାଣିଥିଲି ରାଜନୈତିକ ଲୋକମାନେ ସର୍ବାଧିକ କ୍ଷମତାଶାଳୀ। ଏଣୁ କାଳବିଳମ୍ବ ନ କରି ରାଜନୈତିକ ଦଳମାନଙ୍କର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କଲି। ଖୁବ୍‌ଶୀଘ୍ର ଜାଣିଗଲି ରାଜନୀତିରେ ସେବା ଅପେକ୍ଷା ଦେବା ନେବା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ନିରୁତା ସେବା ମନୋଭାବ ଧର୍ମ ଉପାର୍ଜନ ପାଇଁ ହୋଇପାରେ କିନ୍ତୁ କ୍ଷମତା ହାସଲ ପାଇଁ ନିରର୍ଥକ। ଗାନ୍ଧୀ ଗୋପବନ୍ଧୁଙ୍କ ମାର୍ଗ ଅନୁସରଣ କଲେ ହତାଶ ହେବାକୁ ପଡ଼ିବ। ସେମାନଙ୍କ ଜୀବନାଦର୍ଶ ଭାଷଣରେ ଲାଗିପାରେ କିନ୍ତୁ କର୍ମ କ୍ଷେତ୍ରରେ ସେସବୁ ଯେ ଅଦରକାରୀ ମୁଁ ମର୍ମେ ମର୍ମେ ବୁଝିଗଲି। ଅତ୍ୟନ୍ତ ସନ୍ତର୍ପଣରେ କେଉଁ ରାଜନୈତିକ ଦଳର ବଜାର କେତେ ତାହା ଅନୁଧ୍ୟାନ କଲି। ବେଶି କଷ୍ଟ କରିବାକୁ ପଡ଼ିଲାନି। ଏକ୍‌ଜିଟପୋଲ ମୋ କାମକୁ ସହଜ କରିଦେଲା। ନିର୍ବାଚନରେ ବିଜୟ ସମ୍ଭାବନାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ଗ୍ରହଣ କଲି। କଳେବଳେ କୌଶଳେ ଟିକଟ ଖଣ୍ଡିଏ ହାତେଇ ନେଇ ନିର୍ବାଚନରେ ଅବତୀର୍ଣ୍ଣ ହେଲି। ଗଚ୍ଛିତ ଅମାପ ଧନ ବିଜୟ ପଥକୁ ସୁଗମ କଲା।
ଏବେ ମୋ ଚତୁଃପାର୍ଶ୍ୱରେ ଅନେକ ଲୋକଙ୍କ ଭିଡ। ଅଖଣ୍ଡ ବିଶ୍ବାସ ସେମାନଙ୍କର ମୋ ଉପରେ।
ସେମାନଙ୍କର ଆସ୍ଥା, ଆଚରଣ ଓ ଆନୁଗତ୍ୟରୁ ଅନୁଭବ ହୁଏ ମୁଁ ସେମାନଙ୍କ ପାଇଁ ସାକ୍ଷାତ ଈଶ୍ବର। ମାରିଲେ ମାରିବି ତାରିଲେ ତାରିବି। ମନେମନେ ସ୍ଥିର କରିନେଲି ଲୋକଙ୍କର ଏହି ଦୁର୍ବଳତାର ଫାଇଦା ଉଠାଇବାକୁ ପଡ଼ିବ। ବଡ଼ ହେବାକୁ ହେଲେ, ସମାଜରେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଉଭା ହେବାକୁ ହେଲେ ଅଧିକରୁ ଅଧିକ ପ୍ରଭାବ ବିସ୍ତାର କରିବାକୁ ପଡ଼ିବ। ଏଥିପାଇଁ ସହଜ ସରଳ ସୁବିଧା ଏବଂ ସୁନିଶ୍ଚିତ ସଫଳତା ଆଣିଦେଉଥିବା ଉପାୟ କ୍ଷମତାର ଅପବ୍ୟବହାର ବୋଲି ମୁଁ ଅନ୍ଧ ଭାବରେ ଗ୍ରହଣ କରି ନେଲି। ଗୋଟିଏ ପରେ ଗୋଟିଏ ସଂସ୍ଥା ଉପରେ ପ୍ରଭାବ ପକାଇ ବେନିୟମ କାର୍ଯ୍ୟ ସବୁ କରେଇନେବାରେ ବେଶି କଷ୍ଟ ହେଲା ନାହିଁ।
ଏମିତି ଅନେକ କ୍ଷୁଧା ମୋ ଭିତରେ। ଲୋଭ ଲାଳସାରେ ବଶବର୍ତ୍ତୀ ହୋଇ ବହୁ ଅନୈତିକ କାର୍ଯ୍ୟ କରିଚାଲିଛି। କିନ୍ତୁ ଅନ୍ୟକୁ ସମାଲୋଚନା କରିବାରେ ମୁଁ ଶତମୁଖ। ଉପରେ ଅହିଂସା, କିନ୍ତୁ ଭିତରଟା ହିଂସ୍ର ଜାନୁଆରଠାରୁ କମ୍‌ ନୁହେଁ। ଭିତରଟା ଅନ୍ୟାୟ ଅନୀତିରେ ଭରପୂର।
‘ମାନବ ସେବା ହିଁ ମାଧବ ସେବା’ ଘୋଷା ପଦ ପରି ଘୋଷି ଚାଲିଛି। କିନ୍ତୁ ମୋ ଭିତରୁ ମଣିଷପଣିଆ କ୍ରମଶଃ ଲୋପ ପାଇବାରେ ଲାଗିଛି।
ଏଇ ହେଉଛି ‘ମୁଁ’। ବିବେକର ଅନ୍ତଃସ୍ବର ଠାରୁ ‘ମୁଁ’ ର ବାକ୍ୟ ସ୍ବର ମୋତେ ଅଧିକ ଆକୃଷ୍ଟ କରୁଛି। ଯେପର୍ଯ୍ୟନ୍ତ ମୋ ଭିତରେ ଥିବା ‘ମୁଁ’ କୁ ଲଗାମ ଦେବାରେ ବ୍ୟର୍ଥ ସେପର୍ଯ୍ୟନ୍ତ ଉଦ୍‌ବୋଧନ, ଉଦ୍‌ଘୋଷଣା, ଉପଦେଶ ସବୁକିଛି ଅସାର। ତେବେ ଶେଷ କେଉଁଠି? ଉପସଂହାରରେ ଏତିକି କହିବି ‘ମୁଁ’ର ବିନାଶ ସେତିକିବେଳେ ସମ୍ଭବ ଯଦି ବିବେକାନନ୍ଦଙ୍କର ସେହି ମହାନ୍‌ ବାଣୀକୁ ମାନବ ସମାଜ ପ୍ରତିଟି କ୍ଷଣରେ ମାନିଚାଲିବ। ଆସନ୍ତୁ ତାହାହିଁ କରିବା ‘ମସ୍ତିଷ୍କର ଆହ୍ବାନ ଅନୁଯାୟୀ କାର୍ଯ୍ୟ ନ କରି ହୃଦୟର ଡାକରାକୁ ସ୍ବୀକାର କରି ପଥ ଚାଲିବା।’
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ (ଓଷ୍ଟା)
ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri