ମୁଣ୍ଡ ପିଛା ଆୟରେ ଭାରତ କେଉଁଠି

ଡ. ସନ୍ତୋଷ କୁମାର ମହାପାତ୍ର

 

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଚାର କରାଯାଉଛି ଗତ ୮ ବର୍ଷରେ ମୁଣ୍ଡପିଛା ଆୟ ଦୁଇଗୁଣା ବୃଦ୍ଧି ପାଇଛି। କିନ୍ତୁ ସରକାର କହୁନାହାନ୍ତି ଯେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟିଛି କି ନାହିଁ ? ମୁଣ୍ଡପିଛା ଜିଡିପି ଦୃଷ୍ଟିରୁ ବିଶ୍ୱରେ ଭାରତର ସ୍ଥାନ କେଉଁଠି? ଉପା ସରକାରଙ୍କ ଶେଷ ୮ ବର୍ଷରେ ଏହା ଆହୁରି ଅଧିକ ହାରରେ ବୃଦ୍ଧି ପାଇଥିଲା ବୋଲି ମଧ୍ୟ କୁହାଯାଉ ନାହିଁ। ନାମାଙ୍କନ ମୂଲ୍ୟରେ ଏମିତି ସବୁ ଦେଶ ଓ ରାଜ୍ୟରେ ମଧ୍ୟ ବୃଦ୍ଧି ପାଉଛି। ୨୦୧୪-୧୫ରେ ଭାରତର ମୁଣ୍ଡପିଛା ଜାତୀୟ ଆୟ (ବର୍ତ୍ତମାନର ମୂଲ୍ୟରେ)୮୬, ୬୪୭ ଟଙ୍କା ଥିଲା। ଏହା ୨୦୨୨-୨୩ରେ ୧, ୭୨, ୦୦୦ ଟଙ୍କା ହୋଇଛି। ଅର୍ଥାତ ବର୍ତ୍ତମାନର ଭାଜପା ସରକାର ଅମଳରେ ୯୮.୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ମୁଣ୍ଡପିଛା ଜାତୀୟ ଆୟ ୨୦୦୬-୦୭ରେ ୩୩, ୭୧୭ ଟଙ୍କା ଥିଲାବେଳେ ୨୦୧୪-୧୫ରେ ୮୬, ୬୪୭ ଟଙ୍କା ଥିଲା। ଅର୍ଥାତ ଉପା ସରକାରଙ୍କ ଶେଷ ୮ ବର୍ଷରେ ଏହା ୧୫୭ ପ୍ରତିଶତ ବୃଦ୍ଧି ପାଇଛି। ଏସବୁ ବୃଦ୍ଧି ଅଧିକ ହେବାର କାରଣ ହେଲା ଏହା ନାମାଙ୍କନ ବା କରେଣ୍ଟ ପ୍ରାଇସ୍‌ରେ ଆକଳନ ହୋଇଛି। ଯାହା ମୁଦ୍ରାସ୍ଫୀତିକୁ ବିଚାରକୁ ନିଏନାହିଁ।
ଉଲ୍ଲେଖଯୋଗ୍ୟ ଯେ ମୁଦ୍ରାସ୍ଫୀତି ଯୋଗୁ ବାସ୍ତବ ମୂଲ୍ୟ ହ୍ରାସ ପାଇଥାଏ, କ୍ରୟ ଶକ୍ତି ହ୍ରାସ ପାଇଥାଏ। ଉଦାହରଣ ସ୍ବରୂପ ୧୦୦୦ ଟଙ୍କାରେ ଆଜି ଯେତିକି ଜିନିଷ ଜଣେ କିଣିପାରିବ, ସେତିକି ଜିନିଷ ଜଣେ ବର୍ଷେ ପରେ କିଣିବାକୁ ହେଲେ ୧୦୦୦ ଟଙ୍କାରୁ ଅଧିକ ଅର୍ଥ ଆବଶ୍ୟକ ପଡ଼ିବ। ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ବା କନ୍‌ଷ୍ଟାଣ୍ଟ ପ୍ରାଇସ୍‌ରେ (୨୦୧୧-୧୨) ବିଚାର କଲେ ଏହା ୨୦୧୪-୧୫ରେ ୭୨,୮୦୫ ଟଙ୍କା ଥିଲାବେଳେ ୨୦୨୨-୨୩ରେ ୯୮,୧୧୮ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ଉପା ସରକାରଙ୍କ ଶେଷ ୮ ବର୍ଷରେ ଏହା ୪୨ପ୍ରତିଶତ ବୃଦ୍ଧି ପାଇଲା ବେଳେ, ବର୍ତ୍ତମାନର ଭାଜପା ସରକାରଙ୍କ ୮ ବର୍ଷରେ ମାତ୍ର ୩୫ପ୍ରତିଶତ ବୃଦ୍ଧି ପାଇଛି। ପୁନଶ୍ଚ ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାରେ ବିଭାଜନ କଲେ ମୁଣ୍ଡପିଛା ଆୟ ଜଣାପଡିଥାଏ। ଯଦି କିଛି ନିର୍ଦ୍ଦିଷ୍ଟ ଧନୀ ଲୋକଙ୍କ ଆୟ ଅହେତୁକ ବୃଦ୍ଧି ପାଏ, ତେବେ ମୁଣ୍ଡପିଛା ଆୟ ମଧ୍ୟ ଆପେ ଆପେ ବୃଦ୍ଧି ପାଇବ। ଯେପରି ଭାରତରେ ଧନୀ ୧ ପ୍ରତିଶତ ଲୋକଙ୍କ ହାତରେ ମୋଟ ଜାତୀୟ ସମ୍ପଦର ୪୦ପ୍ରତିଶତରୁ ଊର୍ଦ୍ଧ୍ୱ ରହିଛି। ଏଣୁ ମୁଣ୍ଡପିଛା ଆୟ ବୃଦ୍ଧି ଅର୍ଥ ସବୁ ଲୋକଙ୍କ ଜୀବନ ମାନରେ ଉନ୍ନତି ଘଟିଛି ବୋଲି ଭାବିବା ଭୁଲ୍‌। ଅତ୍ୟନ୍ତ କ୍ରୂର ସତ୍ୟ ହେଉଛି ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ବିଶ୍ବରେ ୧୪୨ ସ୍ଥାନରେ, ଅର୍ଥାତ ୧୪୧ଟି ଦେଶ ତଳେ ରହିଛି। ଏପରିକି ବାଂଲାଦେଶଠାରୁ ପଛରେ। ସେହିପରି ମୁଣ୍ଡପିଛା ଆୟ (କ୍ରୟ ଶକ୍ତି ସମତା) ଦୃଷ୍ଟିରୁ ଭାରତ ବିଶ୍ବରେ ୧୨୮ ସ୍ଥାନରେ, ଅର୍ଥାତ୍‌ ୧୨୭ଟି ଦେଶ ତଳେ ରହିଛି।
ନିକଟରେ ପ୍ରକାଶିତ ବିଶ୍ୱ ଜନସଂଖ୍ୟା ରିଭ୍ୟୁ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୩ ରେ ଭାରତର ଜନସଂଖ୍ୟା ଚାଇନାକୁ ଅତିକ୍ରମ କରି ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ଚାଇନାର ଜନସଂଖ୍ୟା ୧୪୨ କୋଟି ୫୦ ଲକ୍ଷ ହେଲାବେଳେ, ଭାରତର ଜନସଂଖ୍ୟା ୧୪୨ କୋଟି ୮୦ ଲକ୍ଷରେ ପହଞ୍ଚତ୍ଛି। ଯେତେବେଳେ ଅଧିକ ଲୋକ କିଣାବିକା କରିବେ, ବ୍ୟୟ କରିବେ, ସ୍ବାଭାବିକ ଭାବେ ଜିଡିପି ବୃଦ୍ଧି ପାଇବ। ଏଣୁ ଭାରତର ପ୍ରଚୁର ପ୍ରାକୃତିକ ସମ୍ବଳ, ଜନସଂଖ୍ୟାକୁ ବିଚାରକୁ ନେଲେ ଭାରତ ବିଶ୍ବରେ ସର୍ବ ବୃହତ୍‌ ଅର୍ଥନୀତି ହେବା କଥା। ଅତିକମ୍‌ରେ କ୍ରୟଶକ୍ତି ସମତା ଦୃଷ୍ଟିରୁ ସର୍ବ ବୃହତ୍‌ ଅର୍ଥନୀତି ହେବାକଥା। ଦେଶ ଦେଶ ମଧ୍ୟରେ ଜିଡିପି ତୁଳନା କରିବା ପାଇଁ କ୍ରୟଶକ୍ତି ସମତା ଠିକ୍‌ ମାନଦଣ୍ଡ। ୨୦୦୫ରେ ଭାରତ କ୍ରୟଶକ୍ତି ସମତା ଦୃଷ୍ଟିରୁ ବିଶ୍ବରେ ୧୦ତମ ବୃହତ୍‌ ଅର୍ଥନୀତି ଥିଲାବେଳେ ୨୦୧୧ରେ ଏହା ୭ଟି ଦେଶକୁ ପଛରେ ପକାଇ ତୃତୀୟ ବୃହତ୍‌ ଅର୍ଥନୀତି ହୋଇଥିଲା। କିନ୍ତୁ ବର୍ତ୍ତମାନ ସେହି ତୃତୀୟ ସ୍ଥାନରେ ରହିଛି। ଚାଇନା ଆମେରିକାକୁ ପଛରେ ପକାଇ ୧ ନମ୍ବର ସ୍ଥାନ ଅକ୍ତିଆର କରିଛି। କିନ୍ତୁ ନାମାଙ୍କନ ମୂଲ୍ୟରେ ଭାରତ ୨୦୦୫ରେ ୧୨ତମ ବୃହତ୍‌ ଅର୍ଥନୀତି ଥିଲା। ୨୦୧୪ ବେଳକୁ ଏହା ୧୦ମ ବୃହତ୍‌ ଅର୍ଥିନୀତିର ମାନ୍ୟତା ହାସଲ କରିଥିଲା। ବର୍ତ୍ତମାନ ୫ମ ବୃହତ୍‌ ଅର୍ଥିନୀତିର ମାନ୍ୟତା ହାସଲ କରିଛି। ଏହାର ମୂଳ କାରଣ ନୁହେଁ ଲୋକଙ୍କ ପ୍ରଗତି, ଉନ୍ନତି। ଅଧିକ ଲୋକ ଅଧିକ କ୍ରୟ ବିକ୍ରୟ, ଉପଭୋଗ କରିବା ଯୋଗୁ ହୋଇଛି। ୧୯୮୦ ଦଶକରେ ଚାଇନା ଅର୍ଥନୀତି ଆକାର ଭାରତ ସହିତ ସମାନ ଥିଲା। କିନ୍ତୁ ବର୍ତ୍ତମାନ ଚାଇନା ଅର୍ଥନୀତିର ଆକାର ଭାରତ ଅର୍ଥନୀତିର ପ୍ରାୟ ୫.୫ ଗୁଣ।
ଶାସକ ଶ୍ରେଣୀ ତରଫରୁ କୁହାଯାଉଛି ଅମୃତ କାଳ ଯୋଗୁ ଭାରତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ହେବ ଏବଂ ଭାରତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରଥମ ପ୍ରଶ୍ନ ହେଉଛି କେତେଜଣ ସେତେଦିନ ପର୍ଯ୍ୟନ୍ତ ବଞ୍ଚିଥିବେ। ଭବିଷ୍ୟତରେ ସମସ୍ତେ ମୃତ। ୨୦୧୪ ପରଠାରୁ ଭାରତର ଜିଡିପି ବାର୍ଷିକ ହାରାହାରି ୫.୩୭ ପ୍ରତିଶତ ବୃଦ୍ଧି ପାଇଛି। ଯଦି ଟଙ୍କା ବା ଭାରତୀୟ ମୁଦ୍ରା ଆକାରରେ ବାସ୍ତବ ଜିଡିପି ବୃଦ୍ଧି କଥା ବିଚାର କରାଯାଏ ତେବେ ଅଟଳ ବିହାରୀ ବାଜପେୟୀ (୧୯୯୮-୯୯ରୁ ୨୦୦୩-୦୪)ର ଛଅ ବର୍ଷ ମଧ୍ୟରେ ହାରାହାରି ଅଭିବୃଦ୍ଧି ହାର ୫.୮୯ ପ୍ରତିଶତ ହୋଇଥିଲା ବେଳେ ମନମୋହନ ସିଂଙ୍କ ଶାସନ (୨୦୦୪-୦୫ରୁ ୨୦୧୩-୧୪)୧୦ ବର୍ଷର ମଧ୍ୟରେ ହାରାହାରି ଅଭିବୃଦ୍ଧି ହାର ୬.୮୧ପ୍ରତିଶତ ଥିଲା। ସେହି ଅନୁସାରେ ଆମେ ୨୦୪୭ରେ କେଉଁଠାରେ ଥିବୁ? ଏହି ଅଭିବୃଦ୍ଧି ହାର ବଜାୟ ରଖିଲେ ସେତେବେଳକୁ ମୁଣ୍ଡପିଛା ଆୟ ୮୮୦୦ ଡଲାର ହୋଇଥିବ। ଯାହା ଆଜି ଚାଇନାର ବର୍ତ୍ତମାନ ମୁଣ୍ଡପିଛା ଆୟ ତୁଳନାରେ ୪୦୦୦ ଡଲାର କମ୍‌ ଏବଂ ଜାପାନର ବର୍ତ୍ତମାନର ମୁଣ୍ଡପିଛା ଆୟର ଏକ-ଚତୁର୍ଥାଂଶରୁ କମ୍‌ ଏବଂ ଆମେରିକାର ବର୍ତ୍ତମାନର ମୁଣ୍ଡପିଛା ଜିଡିପିର ନଅ ଭାଗରୁ ଏକ ଭାଗ।
ଯଦି ଆମେ ନିଜକୁ ବିକଶିତ ବୋଲି କହିବୁ, ତେବେ ବିକାଶର ସଂଜ୍ଞା ପରିବର୍ତ୍ତନ କରିବାକୁ ପଡ଼ିବ? ଠିକ୍‌ ଯେମିତି ବର୍ତ୍ତମାନ ମିଥ୍ୟା ବିକାଶର ବିଭିନ୍ନ ସ୍ଲୋଗାନ ଦିଆଯାଉଛି। ଏକ ସରକାର ବା ରାଷ୍ଟ୍ରପାଇଁ କେବଳ ଆର୍ଥିକ ଅଭିବୃଦ୍ଧି ବା ବିଭିନ୍ନ ସାମୂହିକ ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ବ୍ୟକ୍ତିଗତ ଲୋକଙ୍କ ଆର୍ଥିକ ସ୍ଥିତି, ଜୀବନ ଧାରଣର ମାନରେ ଉନ୍ନତି ବହୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ସର୍ବୋପରି ଜୀବନ ଓ ଜୀବିକାର ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂଣ୍ଣର୍ର୍। ଏକଥା ପ୍ରତି ସରକାରଙ୍କ ଟିକେ ଚିନ୍ତା ନାହିଁ। ପୁନଶ୍ଚ ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି। ସରକାର ଭୁଲିବା ଅନୁଚିତ ଯେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସମ୍ପଦ ବଢ଼ିଲେ ଦେଶର ଜିଡିପି ମଧ୍ୟ ବୃଦ୍ଧି ପାଇବ, ଯାହା ଆମ ଦେଶରେ ଘଟୁଛି। ଅଧିକ ଜିଡିପି ବୃଦ୍ଧି ଅର୍ଥ ଅଧିକ ପ୍ରାକୃତିକ, ଖଣିଜ ସମ୍ପଦର ବିନିଯୋଗ, ଯାହା ଅସରନ୍ତି ନୁହେଁ ଏବଂ ଦିନେ ନା ଦିନେ ସରିଯିବ। ତା’ପରେ ଭବିଷ୍ୟତ ବଂଶଧର ଆମକୁ କ୍ଷମା ଦେବେ ତ? ଏଥିପାଇଁ ସବୁଜ ଜିଡିପି ଓ ସବୁଜ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri