ସୀମା ପୁନଃ ନିର୍ଦ୍ଧାରଣ କେବେ

ପଚାଶ ବର୍ଷ ହେଲାଣି ଭାରତ ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ଦ୍ୱାରା ଲୋକ ସଭା ଆସନ ସଂଖ୍ୟା ପରିବର୍ତ୍ତନ କରିନାହିଁ। ଡିଲିମିଟେଶନ ଲାଗି ସାମ୍ବିଧାନିକ ଆଇନର ବ୍ୟବସ୍ଥା ଓ ଏଥିପାଇଁ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ବାଛିିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ହୋଇପାରୁନାହିଁ। ଏବକାର ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହେବା ଏବଂ ଲୋକ ସଭା ଓ ବିଧାନସଭାଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପରେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯିବା ପରେ ପୁନର୍ବାର ଡିଲିମିଟେଶନ ବିଷୟ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ କେଉଁ ବ୍ୟକ୍ତି ଏହାର କେନ୍ଦ୍ରରେ ଅଛନ୍ତି ତାହା ଅସ୍ପଷ୍ଟ। ଡିଲିମିଟେଶନ କମିଶନର ଶେଷ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇ ୨୦୨୨ରେ ଦାୟିତ୍ୱ ଛାଡ଼ିଥିଲେ। କିନ୍ତୁ ତାଙ୍କ ନାମ ଏବେ ସୁଦ୍ଧା ଇଲେକ୍‌ଶନ କମିଶନ ଓ୍ବେବ୍‌ସାଇଟ.ଇନ୍‌ରେ ରହିଛି। ତେବେ ଆସନ୍ତୁ ସୀମା ନିର୍ଦ୍ଧାରଣ ସମ୍ବନ୍ଧିତ ମୁଖ୍ୟ ବିଷୟ ଅର୍ଥାତ୍‌ ଆମ ରାଜ୍ୟଗୁଡ଼ିକର ଜନସଂଖ୍ୟାରେ ଥିବା ପ୍ରଭେଦ ବିଷୟରେ ସମୀକ୍ଷା କରିବା। ଆନ୍ଧ୍ରପ୍ରଦେଶର ଜଣେ ମହିଳା ଜନ୍ମ ଦେଉଥିବା ହାରାହାରି ସଂଖ୍ୟକ ସନ୍ତାନ (ଫର୍ଟିଲିଟି ରେଟ୍‌) ୧.୭ ହୋଇଥିବାବେଳେ ବିହାରରେ ଏହା ୩। ଭାରତର ରିପ୍ଲେସ୍‌ମେଣ୍ଟ ରେଟ୍‌ (ଏକ ଦମ୍ପତିଙ୍କ ପ୍ରଜନନକ୍ଷମ ବର୍ଷଗୁଡ଼ିକ ମଧ୍ୟରେ ଜନ୍ମିତ ପିଲା) ପାଖାପାଖି ୨ରେ ଅଛି ଏବଂ ଆଉ କିଛି ଦଶନ୍ଧିରେ ଆମ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିବ। ତେବେ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହା ୨ରୁ କମ୍‌ ହୋଇଗଲାଣି। ୫୦ ବର୍ଷ ପୂର୍ବେ ଉତ୍ତରପ୍ରଦେଶର(ଉତ୍ତରାଖଣ୍ଡ ସହ) ୮୫ ଲୋକ ସଭା ସଦସ୍ୟ(ଏମ୍‌ପି) ପ୍ରତ୍ୟେକ ୧୦ ଲକ୍ଷ ଲୋକଙ୍କର ପ୍ରତିନିଧିତ୍ୱ କରୁଥିଲେ। ସେହିଭଳି କେରଳର ୨୦, ତାମିଲନାଡୁର ୪୦, କର୍ନାଟକର ୨୮ ଓ ରାଜସ୍ଥାନର ୨୫ ଏମ୍‌ପିଙ୍କ କ୍ଷେତ୍ରରେ ଏହା ସମାନ ଥିଲା। ପ୍ରଥମ ଥର ଲୋକ ସଭା ଆସନ ବୃଦ୍ଧି ହେବା ପରଠାରୁ ୫୦ ବର୍ଷ ମଧ୍ୟରେ କେରଳର ଜନସଂଖ୍ୟା ୫୬%, ରାଜସ୍ଥାନର ୧୬୬%, ତାମିଲନାଡ଼ୁର ୭୫% ଏବଂ ହରିୟାଣାର ୧୫୭% ବୃଦ୍ଧି ଘଟିଛି। ତେବେ ଉତ୍ତରାଞ୍ଚଳକୁ ଅଧିକ କ୍ଷମତା ଦେଇ ପରିବାର ନିୟୋଜନ କ୍ଷେତ୍ରରେ ପ୍ରଭାବୀ କାର୍ଯ୍ୟ କରିଥିବା ଦାକ୍ଷିଣାତ୍ୟ ଲୋକଙ୍କୁ କାହିଁକି ଦଣ୍ଡିତ କରାଯିବ। କିନ୍ତୁ ଏହା ସତ ଯେ, ଜଣେ ଉତ୍ତରାଞ୍ଚଳ ଏମ୍‌ପି ଦକ୍ଷିଣାଞ୍ଚଳର ଏମ୍‌ପିଙ୍କ ତୁଳନାରେ ଅଧିକ ସଂଖ୍ୟକ ଲୋକଙ୍କର ପ୍ରତିନଧିତ୍ୱ କରନ୍ତି, ଯାହା ଅନୁଚିତ ମନେହୁଏ। ବିହାରର ୩୦ ଓ ଉତ୍ତରପ୍ରଦେଶର ୮୦ ଏମ୍‌ପି ପ୍ରତ୍ୟେକେ ହାରାହାରି ୩୦ ଲକ୍ଷ ଲୋକଙ୍କର ପ୍ରତିନିଧିତ୍ୱ କରନ୍ତି। କିନ୍ତୁ କେରଳର ଜଣେ ଏମ୍‌ପି ହାରାହାରି ୧୭ ଲକ୍ଷ ଏବଂ ତାମିଲନାଡୁର ହାରାହାରି ୧୯ ଲକ୍ଷ ଲୋକଙ୍କର ପ୍ରତିନିଧିତ୍ୱ କରିଥାନ୍ତି। ଜନସଂଖ୍ୟାର ପ୍ରଭେଦ ଯୋଗୁ ରାଜ୍ୟଗୁଡ଼ିକରେ ଲୋକ ସଭା ଆସନ ସଂଖ୍ୟା ମଧ୍ୟରେ ପ୍ରଭେଦ ରହିଥିଲେ ବି ପ୍ରତ୍ୟେକ ଏମ୍‌ପି ହାରାହାରି ପ୍ରାୟ ସମାନ ସଂଖ୍ୟକ ନାଗରିକଙ୍କର ପ୍ରତିନିଧିତ୍ୱ କରିଥିଲେ। ଏବେ କିନ୍ତୁ ସ୍ଥିତି ସେଭଳି ନାହିଁ। ଡିଲିମିଟେଶନ କମିଶନ ଗଠନ ହେଲେ ତାହା ଚାପରେ ରହିବ। ସମ୍ଭବତଃ ଏହି ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଳମ୍ବ ହେବ, କାରଣ ଏହାପାଇଁ ପ୍ରଥମେ ଜନଗଣନାର ଆବଶ୍ୟକତା ରହିଛି। ହେଲେ ଏହାକୁ ବନ୍ଦ ରଖାଯାଇଛି। ଏହାର ଆଉ ଏକ କାରଣ ହେଉଛି, ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଆଇନ ପ୍ରଣୟନ, ଯାହା ପାଇଁ ସୀମା ପୁନଃ ନିର୍ଦ୍ଧାରଣର ଅଧିକ ଆବଶ୍ୟକତା ଅଛି।
କୌଣସି ପଦକ୍ଷେପ ନ ନେବା ସମ୍ବିଧାନ ଉଲ୍ଲଂଘନ ବୋଲି ଜଣାପଡ଼ୁଛି। ଅନୁଚ୍ଛେଦ ୮୨ (ପ୍ରତ୍ୟେକ ଜନଗଣନା ପରେ ପୁନଃ ସମାୟୋଜନ) କହେ, ପ୍ରତ୍ୟେକ ଜନଗଣନା ଶେଷ ହେବା ପରେ ତାହାକୁ ଆଧାରକରି ଦେଶରେ ଲୋକ ସଭା ଆସନ ଆବଣ୍ଟନ ଏବଂ ପ୍ରତ୍ୟେକ ରାଜ୍ୟରେ କ୍ଷେତ୍ରୀୟ ନିର୍ବାଚନ କ୍ଷେତ୍ରଗୁଡ଼ିକର ବିଭାଜନ ଏଭଳି ଅଧିକାରୀଙ୍କ ଦ୍ୱାରା ପୁନଃ ସମାୟୋଜନ କରାଯିବା ଦରକାର ଯେଭଳି ସଂସଦୀୟ ଆଇନ ଦ୍ୱାରା ତାହାକୁ ନିର୍ଦ୍ଧାରିତ କରାଯାଇପାରିବ। ଏଠାରେ ଉଲ୍ଲେଖ କରାଯାଇଥିବା ‘ପ୍ରତ୍ୟେକ ଜନଗଣନା’ ଶବ୍ଦକୁ ଲକ୍ଷ୍ୟ କରନ୍ତୁ ଏବଂ ଏହା ଉପରେ ବିଗତ ୫୦ବର୍ଷର ପଦକ୍ଷେପକୁ ଦେଖନ୍ତୁ। ପ୍ରକୃତରେ ଏହା ଉପରେ ସଫଳତାପୂର୍ବକ କୌଣସି ପଦକ୍ଷେପ ନିଆଯାଇନାହିଁ। ୧୯୭୨ ପର୍ଯ୍ୟନ୍ତ ପ୍ରକ୍ରିୟା ନିୟମାନୁସାରେ ଠିକ୍‌ ଚାଲିଥିଲା। ୧୯୫୦ ଦଶନ୍ଧିରେ ଲୋକ ସଭା ଆସନ ସଂଖ୍ୟା ୪୯୪ ଥିଲାବେଳେ ୧୯୬୦ ଦଶନ୍ଧିରେ ଏହା ୫୨୨କୁ ଏବଂ ୧୯୭୦ ଦଶନ୍ଧିରେ ପହଞ୍ଚିଲା ୫୪୩ରେ। ସେହି ସମୟରେ ଉପରେ ଦର୍ଶାଯାଇଥିବା ସଦସ୍ୟମାନେ ସବୁ ରାଜ୍ୟରେ ହାରାହାରି ସମାନ ସଂଖ୍ୟକ ଲୋକଙ୍କର ପ୍ରତିନିଧିତ୍ୱ କରୁଥିଲାବେଳେ ଦକ୍ଷିଣ ଭାରତର ସ୍ଥିତି ଭଲ ଥିଲା। ଏହି ସମୟରେ ବିଶେଷକରି ଉତ୍ତରାଞ୍ଚଳରେ ପରିବାର ନିୟୋଜନକୁ ଦେଶ ଉତ୍ସାହିତ କରିବାର ଆବଶ୍ୟକତା ରହିଥିଲା।
ଦେଶରେ ଜରୁରୀ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀ ସରକାର ନେଇଥିବା ପଦକ୍ଷେପ ଏବଂ ୧୯୮୦ ଦଶନ୍ଧିର ଶେଷ ପର୍ଯ୍ୟନ୍ତ ଦୂରଦର୍ଶନ ଓ ଛାପା ଗଣମାଧ୍ୟମରେ ପରିବାର ନିୟୋଜନ ଯୋଜନାର ବ୍ୟାପକ ବିଜ୍ଞାପନ ସମ୍ପର୍କରେ ଅନେକେ ଜାଣିଥିବେ। ଏଥିରୁ ସ୍ପଷ୍ଟ ଯେ, ସୀମା ନିର୍ଦ୍ଧାରଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ମଧ୍ୟରେ ସମାନତା ଆଣିବା ଲାଗି ଏହି ଦୀର୍ଘ ପ୍ରଚାର ଅଭିଯାନର ଉଦ୍ଦେଶ୍ୟ ଥିଲା। କିନ୍ତୁ ଜନଗଣନା ଏବଂ ସୀମା ପୁନଃ ନିର୍ଦ୍ଧାରଣ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଗଲା। ୧୯୮୦ ଓ ୧୯୯୦ ଦଶକରେ ଜନଗଣନା କଲାବେଳକୁ ସଂଖ୍ୟାରେ ଅସମାନତା ବୃଦ୍ଧି ହୋଇଥିବା ଜଣାପଡ଼ିଲା ଏବଂ ସୀମା ପୁନଃ ନିର୍ଦ୍ଧାରଣ ହୋଇପାରିଲା ନାହିଁ। ୨୦୦୨ରେ ବାଜପେୟୀ ସରକାର କିଛି ସମସ୍ୟାକୁ ଆଳକରି ଏଥିରେ ବିଳମ୍ବ କଲେ। ଏହା କେବେ ହେବ ତାହା କେହି ଜାଣନ୍ତି ନାହିଁ। ୨୦୨୧ ଜନଗଣନାକୁ ବନ୍ଦ କରାଗଲା । ଏହାର କାରଣ କୋଭିଡ୍‌ ମହାମାରୀ ବୋଲି ଦର୍ଶାଗଲା। କିନ୍ତୁ ମହାମାରୀ ଚାଲିଗଲା ପରେ ଏଯାବତ୍‌ ଜନଗଣନାର କୌଣସି ସଙ୍କେତ ନାହିଁ।
ଆଶା କରିବା, ଜନଗଣନା ଶୀଘ୍ର ହେଉ। କିନ୍ତୁ ଏଥିପାଇଁ ସରକାର କିଛି ତ୍ୱରିତ ତଥା ସ୍ପଷ୍ଟ ପଦକ୍ଷେପ ନେବାକୁ ହେବ। କିନ୍ତୁ ଦୀର୍ଘ ୫୦ ବର୍ଷ ମଧ୍ୟରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଓ ଅସମାନତାର ବାସ୍ତବତାକୁ ବିଚାରକଲେ ଏହା କରିବା ସହଜ ନୁହେଁ। କିନ୍ତୁ ତାହା ପାଇଁ କାର୍ଯ୍ୟ ଆରମ୍ଭ କରିବା ଦରକାର, ଯାହା ଏଯାବତ ହୋଇନାହିଁ। ଆମ ନେତାଙ୍କ ଢଙ୍ଗକୁ ଦେଖିଲେ ଏହା ଆରମ୍ଭ ହେବା ସମ୍ଭାବନା ନ ଥିବା ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri