ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୧୪ ତାରିଖରେ ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମହାମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗ୍ରୁପ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ପାକିସ୍ତାନ ୩ ଉଇକେଟ୍ରେ ବିଜୟୀ ହୋଇଥିଲା। କିନ୍ତୁ ଏଥର ଲଢ଼େଇ ଟ୍ରଫି ଜିତିବା ପାଇଁ। ତେଣୁ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଐତିହାସିକ ବିଜୟ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ତେବେ ଏହା ମଧ୍ୟ ମନେ ରଖିବାକୁ ହେବ ଯେ, ପାକିସ୍ତାନ ଏହି ପୂରା ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି।
ଭାରତୀୟ ଅଣ୍ଡର-୧୯ ଦଳରେ ପ୍ରତିଭାର ଅଭାବ ନାହିଁ। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ଏବଂ ରାହୁଲ ଦ୍ରାବିଡଙ୍କ ପୁଅ ଅନୱୟ ଦ୍ରାବିଡ ମଧ୍ୟ ଏହି ଟୁର୍ନାମେଣ୍ଟରେ ଖେଳୁଛନ୍ତି। ଆର୍ଯ୍ୟବୀର ୩୦୩ ରନ ସଂଗ୍ରହ କରି ଟୁର୍ନାମେଣ୍ଟର ସର୍ବାଧିକ ରନ ସ୍କୋରର ରହିଛନ୍ତି। ଅନ୍ୟପଟେ ଟିମ ଇଣ୍ଡିଆ ପାଖରେ ଫର୍ମରେ ଥିବା ବୋଲର ଈଶାନ ସୁଦ ମଧ୍ୟ ଅଛନ୍ତି। ସେ ଏପର୍ଯ୍ୟନ୍ତ ୪ଟି ମ୍ୟାଚରେ ୧୧ଟି ଉଇକେଟ୍ ନେଇଛନ୍ତି।
ସେହିପରି ପାକିସ୍ତାନ ପକ୍ଷରୁ ଉସମାନ ଖାନ ଚମତ୍କାର ଫର୍ମରେ ରହିଛନ୍ତି। ତାଙ୍କ ସହ ହମଜା ଜହୁର ମଧ୍ୟ ଦଳର ଶକ୍ତି ବଢ଼ାଇଛନ୍ତି। ଗ୍ରୁପ ମ୍ୟାଚରେ ହମଜା ଏକାକୀ ଭାରତର ମୁହଁରୁ ବିଜୟ ଛଡ଼ାଇ ନେଇଥିଲେ। ଏହା ବ୍ୟତୀତ ବୋଲର ରିଜୱାନୁଲ୍ଲା ଏବଂ ମହମ୍ମଦ ସୟମଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ତେଣୁ ଏହି ମ୍ୟାଚ ବେଶ ରୋମାଞ୍ଚକର ହେବାର ଆଶା ରହିଛି। ଆସନ୍ତୁ ଜାଣିବା ଭାରତ-ପାକିସ୍ତାନ ମଧ୍ୟରେ ଏହି ମହାମୁକାବିଲାକୁ କେବେ ଓ କେଉଁଠି ଲାଇଭ ଦେଖିପାରିବେ।
ଫାଇନାଲ ମ୍ୟାଚ କେବେ ଓ କେଉଁଠି ଦେଖିବେ ଲାଇଭ?
-ଅଣ୍ଡର-୧୯ ଏସିଆ କପର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର, ୧୪ ନଭେମ୍ବରରେ ଖେଳାଯିବ।
-ଭାରତୀୟ ସମୟ ଅନୁସାରେ ମ୍ୟାଚ ସକାଳ ୧୦ଟା ୩୦ ମିନିଟେରେ ଆରମ୍ଭ ହେବ।
-ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚର ସିଧା ପ୍ରସାରଣ ସୋନି ସ୍ପୋର୍ଟସ ନେଟୱର୍କରେ ଦେଖିବାକୁ ମିଳିବ।
-ଏହାର ଲାଇଭ ଷ୍ଟ୍ରିମିଂ ସୋନି ଲିଭ ଆପରେ ଉପଲବ୍ଧ ହେବ।

