ହଂକଂ,୧୪ା୧୧: ଆଉଟ୍ଲୁକ୍ ଓ ଟିମ୍ସ ସମେତ ମାଇକ୍ରୋସଫ୍ଟର କାର୍ଯ୍ୟସ୍ଥଳ ସେବାରେ ବ୍ୟାଘାତ ଯୋଗୁ ଭାରତରେ ୟୁଜରମାନଙ୍କ ସମେତ ବିଶ୍ୱବ୍ୟାପୀ ବହୁ କମ୍ପାନୀ ଓ ସରକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ବ୍ୟାହତ ହୋଇଛି। ଦୀର୍ଘ ସମୟ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଏହାର ସମାଧାନ କରିବାରେ ମାଇକ୍ରୋସଫ୍ଟ ସଂଘର୍ଷ ଜାରି ରଖିଛି। କମ୍ପାନୀ ପକ୍ଷରୁ ଶୁକ୍ରବାର ଏକ ଅପ୍ଡେଟରେ କୁହାଯାଇଛି, ଏହି ସମସ୍ୟାଟି ମାଇକ୍ରୋସଫ୍ଟର ୩୬୫ଟି ସେବାକୁ ପ୍ରଭାବିତ କରିଛି, ଯାହା ଏହାର ଏକ୍ସଚେଞ୍ଜ୍ ଅନ୍ଲାଇନ ଏବଂ ଇମେଲ୍ ସେବା ସହ ଜଡ଼ିତ। ୟୁଜରମାନଙ୍କ କହିବା ଅନୁଯାୟୀ ଆଉଟ୍ଲୁକ୍, ଟିମ୍ସ ଏବଂ ଏଆଇ ସହାୟତା କୋପାଲାଇଟ୍ ସମେତ ଅନେକ ସେବା ବନ୍ଦ ରହିଛି।
ଅନ୍ୟପକ୍ଷରେ ମାଇକ୍ରୋସଫ୍ଟର ବିଶ୍ୱବ୍ୟାପୀ ସେବା ବ୍ୟାହତ ହେବା ସତ୍ତ୍ୱେ ଏୟାର ଇଣ୍ଡିଆର ବିମାନ ଚଳାଚଳ ପ୍ରଭାବିତ ହୋଇ ନ ଥିବା ଉକ୍ତ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ତଥାପି ଗ୍ରାହକମାନଙ୍କ ପ୍ରଶ୍ନଗୁଡ଼ିକ ବିନା ବାଧାରେ ଏୟାରଲାଇନ୍ସ ପାଖରେ ପହଞ୍ଚତ୍ବା ଜାରି ରଖିବା ସୁନିଶ୍ଚିତ କରିବା ପାଇଁ ଏହା ସାମୟିକ ଭାବେ ଏହାର ଇମେଲ୍ ସେବାଗୁଡ଼ିକୁ ଡାଇଭର୍ଟ କରିଥିବା କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସେହିପରି ଅନ୍ୟତମ ଭାରତୀୟ ଏୟାରଲାଇନ୍ସ ଇଣ୍ଡିଗୋର ଇମେଲ୍ ସହାୟକ ସେବାରେ ବାଧା ସୃଷ୍ଟି ହୋଇଥିବା କହିଛି। ଫଳରେ ଏହାର ଗ୍ରାହକମାନେ କ’ଣ ଜାଣିବାକୁ ଚାହୁଁଛନ୍ତି, ତାହା କମ୍ପାନୀ ଜାଣିପାରୁ ନାହିଁ। ତେବେ ଏହାର ଅନ୍ୟ ସହାୟକ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ଷମ ରହିବା ସହ ବିମାନ ଚଳାଚଳ ପ୍ରଭାବିତ ହୋଇ ନ ଥିବା ଇଣ୍ଡିଗୋ ‘X’ରେ ଲେଖିଛି।
ଓ୍ବାଶିଂଟନର ରେଡ୍ମଣ୍ଡରେ ଅବସ୍ଥିତ ମାଇକ୍ରୋସଫ୍ଟ କମ୍ପାନୀ ସମସ୍ୟାର କାରଣ ଜାଣିବା ଓ ସର୍ଭରଗୁଡ଼ିକୁ ଅନ୍ଲାଇନକୁ ଆଣିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛି। ସମସ୍ୟା କୌଣସି କ୍ଷତିକାରକ କାର୍ଯ୍ୟ ଯୋଗୁ ହୋଇଥିବାର ସୂଚନା ମିଳିନାହିଁ। ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହେବା ପର୍ଯ୍ୟନ୍ତ କମ୍ପାନୀ ଏହାକୁ ଜରୁରୀ ଓ ପ୍ରାଥମିକତାର ସହ ଗ୍ରହଣ କରିବ ବୋଲି କହିଛି। ମାଇକ୍ରୋସଫ୍ଟ କହିବା ଅନୁଯାୟୀ ୪୩ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହାର ୩୬୫ ଆପ୍ ବ୍ୟବହାର କରୁଛନ୍ତି। ଡାଉନ୍ଡିଟେକ୍ଟର ରିପୋର୍ଟ ଅନୁଯାୟୀ, ବିଭିନ୍ନ ଦେଶର ପ୍ରାୟ ୧,୩୦,୦୦୦ ୟୁଜର ଗୁରୁବାର ଆଉଟ୍ଲୁକ୍ ଆକ୍ସେସ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନୂଆ ରିପୋର୍ଟରେ ଉକ୍ତ ସଂଖ୍ୟା ହ୍ରାସ ପାଇଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହୋଇଯିବା ନେଇ କମ୍ପାନୀ ପକ୍ଷରୁ ହୋଇଥିବା ଏକ ସଦ୍ୟ ପୋଷ୍ଟ ବ୍ୟବହାରକାରୀଙ୍କ ମଧ୍ୟରେ ସାମାନ୍ୟ ଆଶା ସଞ୍ଚାର କରିଛି।
ମାଇକ୍ରୋସଫ୍ଟ ସେବା ବ୍ୟାହତ ହେବା କାରଣରୁ ଆମେରିକାର ଶିଳ୍ପ ପ୍ରଯୁକ୍ତି କମ୍ପାନୀ ଓ୍ବର୍କହସ୍ ଗ୍ରୁପ୍ ଆଇଏନ୍ସି ଏହାର ତ୍ରୈମାସିକ ଆୟ ଉପରେ ସମ୍ମିଳନୀକୁ ବିଳମ୍ବିତ କରିଛି। ଅଷ୍ଟ୍ରେଲିଆ ଗୃହ ବ୍ୟାପାର ମନ୍ତ୍ରୀ ଟୋନି କୁର୍କେ ମାଇକ୍ରୋସଫ୍ଟର ସେବା ବ୍ୟାହତକୁ ୨୦୨୪ର କ୍ରାଉଡ୍ଷ୍ଟ୍ରାଇକ୍ ଆଉଟେଜ୍ ସହ ତୁଳନା କରିଛନ୍ତି। ମନ୍ତ୍ରୀ ଅଷ୍ଟ୍ରେଲିଆରେ ଥିବା ମାଇକ୍ରୋସଫ୍ଟର ଶୀର୍ଷ କାର୍ଯ୍ୟନିର୍ବାହୀଙ୍କ ଏବଂ ସରକାରଙ୍କ ଜାତୀୟ ସାଇବର ସୁରକ୍ଷା ସମନ୍ବୟକାରୀଙ୍କ ସହ ସମସ୍ୟା ସମ୍ପର୍କରେ କଥା ହୋଇଛନ୍ତି। ତେବେ ଏହା ଏକ ସାଇବର ଆକ୍ରମଣ ବୋଲି ମାଇକ୍ରୋସଫ୍ଟ ବିଶ୍ୱାସ କରୁନାହିଁ।

