ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ ପୂର୍ବରୁ ମୁସ୍କାନ ନାମକ ଏକ ଚଳନ୍ତା ଯାତ୍ରୀବାହୀ ବସର ଚକା ବାହାରି ପଡ଼ିଲା ।
ବୁଧବାର ମଧ୍ୟାହ୍ନ ପ୍ରାୟ ୧ ଟାରେ ୪୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ନେଇ ଘରୋଇ ଯାତ୍ରୀବାହୀ ବସଟି ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରୁ ଭାୟା ଦିଗପହଣ୍ଡି ଦେଇ ପୁରୀ ଅଭିମୁଖେ ଯାଉଥିଲା । ଏହି ସମୟରେ ବସର ସମ୍ମୁଖ ଭାଗ ରେ ଥିବା ବାମ ଚକାଟି ଛିଡି ଯାଇଥିଲା । ଫଳରେ ବସଟି ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡି ହୋଇ ଯାଇଥିଲା । ବସରେ ଥିବା ପର୍ଯ୍ୟଟକ ମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ। କିନ୍ତୁ ଅଘଟଣ ପୂର୍ବରୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସଟି ଅଟକି ଥିଲା। ପର୍ଯ୍ୟଟକମାନେ ସୁରକ୍ଷିତ ଅବସ୍ଥାରେ ବସରୁ ଓହ୍ଲାଇ ପଡ଼ିଥିଲେ।
ସୂଚନା ଅନୁସାରେ, ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରୁ ୪୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ନୂଆବର୍ଷ ନିମନ୍ତେ ବିଭିନ୍ନ ଜିଲାର ପର୍ଯ୍ୟଟନ କ୍ଷେତ୍ର ବୁଲିବା ପରେ ସକାଳୁ ଗଞ୍ଜାମ ଜିଲା ତପ୍ତପାଣି ଉଷ୍ଣପ୍ରସ୍ରବଣରେ ପହଞ୍ଚି ବଣଭୋଜି କରିବା ସହ ସେଠାରେ ଗରମ ପାଣି କୁଣ୍ଡରେ ଗାଧୋଇ ମଜା ଉଠାଇଥିଲେ । ପରେ ସେମାନେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଆବଶ୍ୟକ ଫିଟନେସ ନଥାଇ ବସ ଗୁଡ଼ିକ ଚଳାଚଳ କରୁଛି । ଏଥି ନିମନ୍ତେ ପରିବହନ ବିଭାଗ ପକ୍ଷରୁ ଧରପଗଡ କରାଯାଉନାହିଁ । ଘଟଣା ଯଦି ତପ୍ତପାଣି ଘାଟି ରାସ୍ତାରେ ଘଟି ଥାଆନ୍ତା ତେବେ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ହୋଇନଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକେ ଚର୍ଚ୍ଚା କରିଥିଲେ।
ବସକୁ ଆବଶ୍ୟକ ମରାମତି ନକରି ଭଡ଼ା ମିଳିବା ଆଶାରେ ବସ ମାଲିକମାନେ ଆବଶ୍ୟକ ଫିଟନେସ ନକରି ଭଡ଼ା ଛାଡୁଥିବାରୁ ରାସ୍ତାରେ ଦୁର୍ଘଟଣା ଘଟୁଥିବା ନେଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।


