ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ ଧରି ଦୁଃଖସୁଖ ହେଉଥାନ୍ତି। କ୍ରୋଧ ସମ୍ବରଣ କରି ନ ପାରି ଏହି ଭିଡିଓରେ ଅନେକ ବ୍ୟକ୍ତି ଇଆଡୁ ସିଆଡୁ କମେଣ୍ଟ ଦେଇଥାନ୍ତି। ମୁଁ ବାରବର୍ଷ ତଳର କଥା କହୁଛି ଗୋଟେ ଥର ବୋଲବମ ଯାଇଥିଲି। ଆମ ଯାତ୍ରା ଥିଲା ମାତ୍ର ପନ୍ଦର କିଲୋମିଟର ଦୂରରେ ଥିବା ଏକ ଶିବମନ୍ଦିର। କେବେ ଯାଇ ନ ଥିଲି, ଏଣୁ ବହୁତ ଆଗ୍ରହ ଏବଂ ଖୁସି ଥିଲା ମନରେ। ଗୋଟେ ମାସ ପୂର୍ବରୁ ସବୁ ନିୟମ ମାନିଥିଲି। ରାତି ହୋଇଯାଇ ଥାଏ, ବାଟରେ ଦେଖିଲି ନଅ ଦଶ ବର୍ଷର କିଛି ପିଲା କାନ୍ଧରେ କାଉଡ଼ି ଧରି ଯାଉଥାନ୍ତି। ମୁଁ ମନେ ମନେ ଭାବିଲି ପିଲାଙ୍କର ପୁଣି ଜଳଲାଗି ବିଚାର କଥା ମୁଣ୍ଡକୁ ଆସିଲା କିପରି, ନିଶ୍ଚୟ ବଡ଼ ଗୁରୁଜନ କେହି ମତେଇ ମାତେଇ ଦେଇଥିବେ ଏମାନଙ୍କୁ। ମାନସିକ ବ୍ରତ ବିଷୟରେ ଏ ବୟସ ପିଲାଙ୍କର ଆଦୌ ଧାରଣା ନ ଥିବ। ହୋଇଥିବ ସାହିପଡ଼ିଶାରୁ ଅନୁକରଣ କରି ମାଡ଼ି ଆସିଛନ୍ତି। ମୋ ପ୍ରଶ୍ନ ମୋ ମନରେ ରହିଲା। ଟିକେ ପାଖକୁ ଯିବା ପରେ ଦେଖିଲି ସେ ପିଲାମାନେ ଖୁବ୍‌ ଜୋରରେ ଚିତ୍କାର କରି ପରସ୍ପର ଭିତରେ ଗାଳି ଗୁଲଜ କରୁଛନ୍ତି। ସେମାନେ ଏତେ ଖରାପ ଭାଷାରେ କଥା ହେଉଥାନ୍ତି ଯେ ପାଖରେ ଚାଲିକି ଯିବାକୁ ବି ମତେ ଲାଜ ଲାଗିଲା। ମୁଁ ସେମାନଙ୍କୁ ଆକଟ କରିବା ଉଚିତ ମନେ କଲିନି। ଧନ୍ୟ ଏମାନଙ୍କ ମାବାପା, ଧନ୍ୟ ଏମାନଙ୍କ ଶିକ୍ଷା ଦିକ୍ଷା ଆଉ ସଂସ୍କାର। ପଢ଼ା ପିଲାଟି ପାଇଁ ବିଦ୍ୟା ହିଁ ସବୁକିଛି। ପାଠ ପ୍ରତି ଭକ୍ତିଭାବ ରହିଲେ ଗୁରୁଜନ ଏବଂ ଈଶ୍ୱରଙ୍କ କୃପାଦୃଷ୍ଟି ସଦାକାଳେ ଜାରି ରହିବ। ବୋଲବମ୍‌ ଆଜି ଯେ ଏକ ମଉଜ ମଜଲିସ ଯାତ୍ରା ହୋଇଗଲାଣି ଏଥିରେ ଆଦୌ ସନ୍ଦେହ ନାହିଁ। କାନ୍ଧରେ ବାହୁଙ୍ଗି ଆଉ କାନରେ ମୋବାଇଲରେ ଗପିଗପି ଯାଉ ଥିବାର ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ବାଟରେ ଯିବାବେଳେ ପୁଣି ଭୋଜିଭାତ, ତାସ ଖେଳ, ନାଚ ଗୀତ ପୁଣି ଡିଜେ ବକ୍ସର ଉଚ୍ଚ ସ୍ବର। ଜଣେ ପ୍ରକୃତ ଜଳଲାଗି ଭକ୍ତ ଲାଗି ଏସବୁ ଆଦୌ ପ୍ରୟୋଜନ ନୁହେଁ। ଯାତ୍ରା ସମୟରେ ତୁଣ୍ଡରେ ପ୍ରଭୁଙ୍କ ନାମ ଗୁଞ୍ଜରିତ ହେଉଥିଲେ ତା’ ମୁଣ୍ଡକୁ ଅନ୍ୟ କଥା କାହୁଁ ବା ଆସିବ।
ମଣିଷ ଭଗବାନଙ୍କୁ ଆଖି ଆଗରେ ରଖି ସବୁକାମ କରିଥାଏ। ପିଲାଟିଏ ଜନ୍ମ ନେଲେ ଭଗବାନଙ୍କ ନାମରେ ତା’ ନାଆଁ ରଖାଯାଏ। ଦୋକାନ, ବାସଗୃହ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏମିତି କି ଗାଡ଼ିର ନାମ ଠାକୁରଙ୍କ ନାମରେ ନାମିତ ହୁଏ। ଆମେ କହୁ ଭଗବାନ ସବୁଠି ଅଛନ୍ତି ଗଗନରେ, ପବନରେ ଭୂମିରେ ଏଠି ସେଠି ସବୁଠି। ସମସ୍ତେ ଦୃଢ଼ ସ୍ବରରେ କହୁଛୁ ଭଗବାନ ଆମ ଶରୀରରେ ଆଉ ଆମ ଆତ୍ମାରେ ବିଦ୍ୟମାନ। ହେଲେ ଆଜି ଆମେ ଆମ ଭଗବାନଙ୍କୁ ଏତେ ତଳ ସ୍ତରରେ ପହଞ୍ଚାଇ ଦେଲୁଣି ଯେ ତା’ର କଳନା ନାହିଁ। ମନ୍ଦିର ଦାନବାକ୍ସ ଏମିତି କି ଦେବଦେବୀଙ୍କ ଅଳଙ୍କାର ଲୁଟ ହେଉଛି, ନାଳ ନର୍ଦ୍ଦମା କଡ଼ରେ ମନ୍ଦିର ତୋଳା ହେଉଛ, ଦେବଦେବୀ ଫଟୋ ଥିବା ମାର୍ବଲ ଟାଇଲକୁ ବାହାର କାନ୍ଥରେ ଲଗାଯାଉଛି। ବିଭିନ୍ନ ଧୂପକାଠି ଖୋଳ, ଲୁଗାପଟା ଡ୍ରେସ ଆଦିରେ ଠାକୁରଙ୍କ ଛବି । ଯେଉଁ ଦେବଦେବୀଙ୍କୁ ପୂଜିବା ତାଙ୍କୁ ନେଇ ଦିନେ ଅଳିଆ ଆବର୍ଜନାରେ ଫୋପାଡ଼ିବା। ସୃଷ୍ଟିକର୍ତ୍ତା ଭଗବାନଙ୍କ ରୂପକୁ ବିକୃତ କରି ପୂଜା କରାଯାଉଛି। ପୂଜା ନିୟମ ଆଳରେ ସାଧାରଣ ଲୋକଙ୍କୁ ଜୋର୍‌ ଜୁଲମ କରି ପୂଜାଚାନ୍ଦା ଆଦାୟ ହେଉଛି। ଭଗବାନ କ’ଣ ଏଇ କିଛି ଲୋକଙ୍କୁ କହିଛନ୍ତି କ୍ଲବ କର ଆଉ ମେମ୍ବର ବନେଇ ମୋ ନାଁରେ ଟଙ୍କା ଆଦାୟ କର। ମୋ ପୂଜାକୁ ପ୍ରତିଯୋଗିତା ମନୋଭାବ ନେଇ କର। ସହର ବଜାରରେ ଆଜି ପୂଜା ପର୍ବପର୍ବାଣିରେ ଠାକୁର ନ ବସିବା ଆଗରୁ ଭସାଣି ଯୋଜନା ଚାଲୁଛି। କେମିତି ଟିକେ ମଜା ଆସିଯିବ। ଏ ପ୍ରକାର ଭକ୍ତି ଆଉ ପୂଜା ଆୟୋଜନ କରିବାର କି ମୂଲ୍ୟ । ଯେଉଁଠି ନିଷ୍ଠା ନାହିଁ ସତ୍ୟତା ନାହିଁ ସେ ପ୍ରକାର ପୂଜାପାଠ କେବଳ ଲୋକ ଦେଖାଣିଆ ଆଉ ପ୍ରହସନ । ଛାଡ଼ିଦିଅ ଭଗବାନଙ୍କୁ, ତାଙ୍କ ଜାଗାରେ ତୁମେ ରୁହେ ତୁମ ଜାଗାରେ। ଏ ପ୍ରକାର ଆଡ଼ମ୍ବର ଆୟୋଜନ ତାମସାବାଜି କରି ଭଗବାନଙ୍କୁ ଅପମାନ କରନି। ଯାହାଙ୍କୁ ପୂଜିବା ତାଙ୍କ ପ୍ରତି ଏପରି ଅବମାନନା କାହିଁକି। ଅଧିକ ପଇସା ଯଦି ହେଲାଣି ଗରିବ ଅସହାୟ ଦୀନଦୁଃଖୀଙ୍କୁ ବାଣ୍ଟି ଦିଅ ନ ହେଲେ ବୁଲା ଗୋରୁ କୁକୁରଙ୍କୁ ଖାଇବାକୁ ଦିଅ ଦେଖିବ ତୁମ ଉପରେ ଈଶ୍ୱରଙ୍କ ଆଶୀର୍ବାଦର ବର୍ଷା ହେବ। ନିଜ ଆଖପାଖ ମନ୍ଦିର ପାରିପାର୍ଶ୍ୱକୁ ନିର୍ମଳ ରଖିବାକୁ ପ୍ରୟାସ କର ଦେଖିବ ସଭିଏଁ ତୁମକୁ ଆଦର ସମ୍ମାନ ଦେବେ। ଭକ୍ତି କୌଣସି ବାହ୍ୟ ସ୍ଥାନରେ ନାହିଁ; ଏହା ମଣିଷର ନିଜ ଅନ୍ତରରେ ଓ ପବିତ୍ର ହୃଦୟରେ ରହିଥାଏ। ଯେତେବେଳେ ମନ ଅହଂକାର ଶୂନ୍ୟ ହୋଇ ଭଗବାନଙ୍କ ପ୍ରତି ପ୍ରେମ ଓ ବିଶ୍ୱାସରେ ଭର୍ତ୍ତି ହୁଏ, ସେତେବେଳେ ଭକ୍ତି ପ୍ରକାଶ ପାଇଥାଏ। ଲୋକଦେଖାଣିଆ ଭକ୍ତି ଏକ ପ୍ରକାର ଆଡ଼ମ୍ବରପୂର୍ଣ୍ଣ ଓ କପଟ ପ୍ରଦର୍ଶନ ଭକ୍ତି, ଯେଉଁଥିରେ ଅନ୍ତରର ଶ୍ରଦ୍ଧା କିମ୍ବା ପ୍ରକୃତ ଭଗବଦ୍‌ ବିଶ୍ୱାସ ନ ଥାଏ। ଏହା କେବଳ ସମାଜରେ ନିଜକୁ ଧାର୍ମିକ ବା ଭକ୍ତ ବୋଲି ଜାହିର କରିବାର ଏକ ମାଧ୍ୟମ ହୋଇଥାଏ, ଯାହା ଭକ୍ତିର ପବିତ୍ରତାକୁ କଳୁଷିତ କରେ।

ଦେବେନ୍ଦ୍ର କର
ମୋ:୯୯୩୭୯୬୩୯୧୦