ଏହି କ’ଣ ଅଚ୍ଛେ ଦିନ୍‌

ଡ. ସନ୍ତୋଷ କୁମାର ମହାପାତ୍ର

ଜୀବନ ସର୍ବଦା ଅନିଶ୍ଚିତ, କିନ୍ତୁ କରୋନା ମହାମାରୀ ଆହୁରି ଜୀବନକୁ ଅନିଶ୍ଚିତ କରିଦେଇଛି। ଜୀବନ ମୃତ୍ୟୁ ମଧ୍ୟରେ ଯେଉଁ ସୂତାଖିଅ ପାର୍ଥକ୍ୟ ଥିଲା ତାହା ଆହୁରି ହ୍ରାସ ପାଇଛି। ଆଜି ଧନୀ ହେଉ ବା ଗରିବ, ମନ୍ତ୍ରୀ ହେଉ ବା ସାଧାରଣ ଜନତା ସମସ୍ତେ ଅନିଶ୍ଚିତ ଭବିଷ୍ୟତକୁ ନେଇ ଆତଙ୍କିତ। ଯେପରି ପ୍ରତ୍ୟେକ ଦିନ ଅନେକ ମହାମୂଲ୍ୟ ଜୀବନ ଚାଲିଯାଉଛି ତାହା ଯେ କୌଣସି ହୃଦୟବାନ ବ୍ୟକ୍ତିଙ୍କର ମନ ଉଦ୍‌ବେଳିତ କରିବ। କରୋନା ମହାମାରୀର ପ୍ରଥମ ଲହରରେ ଜୀବିକା ବେଶି ବ୍ୟପର୍ଯ୍ୟସ୍ତ ହେଲାବେଳେ ଜୀବନ କମ୍‌ ବିପର୍ଯ୍ୟସ୍ତ ହୋଇଥିଲା। କିନ୍ତୁ ଦ୍ୱିତୀୟ ଲହରରେ ଏତେ ଜୀବନ ହରାଇଲେ ନିଜେ ତାହା ପରୋକ୍ଷରେ ଅନେକ ଜୀବିକା ମଧ୍ୟ ଧ୍ୱଂସ କଲାଣି। ପ୍ରତ୍ୟେକ ଦିନ ସଂକ୍ରମଣ ହେଉ, ମୃତ୍ୟୁସଂଖ୍ୟା ହେଉ ନୂଆ ରେକର୍ଡ ସୃଷ୍ଟି ହେଉଛି।
ଜୀବନ ଥିଲେ ଜୀବିକା ମିଳିପାରେ, କିନ୍ତୁ ଜୀବନ ନ ଥିଲେ ଜୀବିକାର ପ୍ରଶ୍ନ କେଉଁଠି ଆସିବ। ଯେଉଁ ପରିବାରରେ ରୋଜଗାର କରୁଥିବା ଲୋକଟି ଚାଲିଯାଉଛି ଏବଂ ଯେଉଁମାନେ ଘରୋଇ ହସ୍ପିଟାଲରେ ଲକ୍ଷ ଲକ୍ଷ ଟଙ୍କା ଗଣୁଛନ୍ତି ତାଙ୍କ ଅବସ୍ଥା ସରକାର କେବେ ଚିନ୍ତା କରିଛନ୍ତି କି? ଅବଶ୍ୟ ମନ୍ତ୍ରୀ, ନେତା ପାଇଁ ମାଗଣାରେ ଚିକିତ୍ସା ସୁବିଧା ଏମ୍‌ସରେ ମିଳୁଛି? କିନ୍ତୁ ଏବେ ସୁଦ୍ଧା ଆମ ରାଜନୈତିକ ନେତାଙ୍କର ରାଜନୈତିକ ଉଚ୍ଚାଭିଳାଷରେ ଟିକେ ପରିବର୍ତ୍ତନ ଘଟିନାହିଁ, ତାଙ୍କର ଆତ୍ମପ୍ରଚାର, ଦଳୀୟ ପ୍ରଚାରରେ ଟିକେ ହ୍ରାସ ପାଇନାହିଁ। ଯଦି ସରକାର ମୂଳରୁ ସତର୍କ ହୋଇଥାନ୍ତେ ବା ବୁଦ୍ଧିଜୀବୀ, ଗଣମାଧ୍ୟମ, ଅମଲାତନ୍ତ୍ର, ନ୍ୟାୟପାଳିକା ସରକାରଙ୍କୁ ସତର୍କ କରିଦେଇଥାନ୍ତେ ଆଜି ଏ ଭୟଙ୍କର ସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଯେଉଁ ବୁଦ୍ଧିଜୀବୀ ଓ ଲେଖକ ପୁରସ୍କାର, ନିଜ ପ୍ରତିଷ୍ଠା ବା ସରକାରଙ୍କ ସ୍ବୀକୃତି ପାଇଁ ଚୁପ ଥିଲେ ବା ଅଛନ୍ତି ସେମାନେ ଟିକେ ଆତ୍ମସମୀକ୍ଷା କରନ୍ତୁ। ମଣିଷ ବଞ୍ଚିଲେ ସିନା ଆପଣଙ୍କ ବହି, ଲେଖା ପଢ଼ିବ ବା ଆପଣଙ୍କ ବିଷୟରେ ଆଲୋଚନା କରିବ। ଆପଣ ବହୁତ ବଡ଼ନେତା, ଖେଳାଳି, ଧନୀ, ଗାୟକ, କଳାକାର, ପ୍ରଶାସକ ଥିଲେ ବୋଲି ଆଲୋଚନା ହେବ।
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କରୋନା ମହାମାରୀ ଉଗ୍ରହେବା ପାଇଁ ନେତୃତ୍ୱର ଅଭାବ, ସରକାରଙ୍କର ଦୂରଦୃଷ୍ଟି ଅଭାବ, ଆତ୍ମସନ୍ତୋଷକୁ ଦାୟୀ କରିଛନ୍ତି। ବିଦେଶର ସବୁ ବୃହତ୍‌ ଗଣମାଧ୍ୟମ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ବିଶ୍ୱବିଖ୍ୟାତ ମେଡିକାଲ ଜର୍ନାଲ୍‌ ଦି ଲାନସେଟ୍‌ର ସମ୍ପାଦକୀୟ ମନ୍ତବ୍ୟ ଅନୁଯାୟୀ କୋଭିଡ୍‌-୧୯ ମହାମାରୀକୁ ନିୟନ୍ତ୍ରଣ କରିବାରେ ଭାରତ ଯେଉଁ ପ୍ରାରମ୍ଭିକ ସଫଳତା ପାଇଥିଲା ତାହା ନଷ୍ଟ କରିଦେଇଛି। ଅଗଷ୍ଟ ସୁଦ୍ଧା କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧ ମିଲିୟନ ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଉଛି, ତାହା ସତ ହେଲେ ପରିସ୍ଥିତି ସାଙ୍ଘାତିକ ହେବ। ମହାମାରୀ ଉଗ୍ରରୂପ ନେବା ମୋଦିଙ୍କ ପ୍ରଶାସନର ଏହା ଭୁଲ୍‌ ବୋଲି ପ୍ରଥମେ ଏହାକୁ ସରକାର ସ୍ବୀକାର କରିବା ଉପରେ ଏହି ସମସ୍ୟାର ସମାଧାନ ନିର୍ଭର କରେ ବୋଲି ମତ ଦେଇଛି। କିନ୍ତୁ ଭୁଲ୍‌ ସ୍ବୀକାର ପାଇଁ ଏକ ବିଶାଳ ହୃଦୟ ଦରକାର, ଯାହା ବର୍ତ୍ତମାନର ଶାସକ ଶ୍ରେଣୀର ନାହିଁ।
୨୦୧୪ରୁ କ୍ଷମତାସୀନ ହେଲା ପରେ ସର୍ବଦା ଭୁଲ୍‌କୁ ଲୁଚାଇବା ପାଇଁ ପ୍ରୟାସ ହୋଇଛି। ଭୁଲ୍‌ ଦର୍ଶାଇବା ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ଏବଂ ସ୍ବଚ୍ଛ, ନିରପେକ୍ଷ ଗଣମାଧ୍ୟମର ଆବଶ୍ୟକତା ରହିଛି। ଏହା ବ୍ରେକ୍‌ ଭାବେ କାମକରେ। କିନ୍ତୁ ଏହି ବ୍ରେକକୁ ସମ୍ପୂର୍ଣ ଦୁର୍ବଳ କରିଦିଆଯାଇଛି। ବିଭିନ୍ନ ନିୟାମକ, ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ସରକାରଙ୍କ କଥାରେ ହଁ ମାରିବା ଏବଂ ଭୁଲ୍‌ ନ ଦେଖାଇବା ଲୋକଙ୍କୁ ରଖାଯାଇଛି। ଯେଉଁ ପ୍ରଶାସକ, ଅମଲାତନ୍ତ୍ର ସରକାରଙ୍କୁ ଠିକ୍‌ ପରାମର୍ଶ ଦେବା କଥା ତାହା ସେମାନେ ନ କରି ସରକାରଙ୍କ ଦୋଷ ଘୋଡ଼ାଇବାରେ ବ୍ୟସ୍ତ ରହିଲେ। ଯେ ଦେଖାଇଲା ତାଙ୍କୁ ରଘୁରାମ ରାଜନ, ଉର୍ଜିତ ପଟେଲ, ଅରବିନ୍ଦ ସୁବ୍ରମଣ୍ୟମ୍‌ଙ୍କୁ ତଡ଼ା ଖାଇବାକୁ ପଡ଼ିଲା।
ନିର୍ବାଚନ ସମାବେଶରେ ବିଶାଳ ଜନ ସମାବେଶ ହେଲା, ଶାରୀରିକ ଦୂରତ୍ୱ ନ ମାନିବା, ମାସ୍କ ନ ପିନ୍ଧିବା, କୁମ୍ଭସ୍ନାନ ପାଇଁ ୪୮.୫୧ଲକ୍ଷରୁ ଅଧିକ ଭକ୍ତ ସମାବେଶ ହେଲା, କୋଭିଡ୍‌-୧୯ ମାମଲାର ବୃଦ୍ଧି ଘଟିଥିବାର ଏକ ବଡ଼ କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ କରୋନା ସଂକ୍ରମଣ ମାମଲା ବୃଦ୍ଧିରେ ନିର୍ବାଚନକୁ ଯୋଡ଼ିବା ଠିକ୍‌ ନୁହେଁ ବୋଲି ଅମିତ ଶାହା କହିଛନ୍ତି। ଏହି ବ୍ୟାପକ ବୃଦ୍ଧି ପଛରେ ଜୀବାଣୁଙ୍କ ପରିବର୍ତ୍ତନ ବା ଡବଲ ମ୍ୟୁଟାଣ୍ଟ ଏକ କାରଣ ବୋଲି ଗୃହମନ୍ତ୍ରୀ କହିଛନ୍ତି। ସେମାନେ ନିର୍ବାଚନ ହୋଇ ନ ଥିବା କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇଛନ୍ତି। କିନ୍ତୁ ସବୁବେଳେ ସବୁ ରାଜ୍ୟରେ ସମାନ ସଂକ୍ରମଣ ହୋଇ ନ ଥାଏ। ପ୍ରଥମ ଲହର ବେଳେ ମଧ୍ୟ ମହାରାଷ୍ଟ୍ରରେ ଅଧିକ ହୋଇଥିଲା।
ଏପ୍ରିଲ୍‌ ୧୨ରେ ଏନ୍‌ଡି ଟିଭି ରିପୋର୍ଟ ଅନୁଯାୟୀ, ପୂର୍ବ ୧୪ଦିନ ମଧ୍ୟରେ ସମସ୍ତ ନିର୍ବାଚନ ହୋଇଥିବା ରାଜ୍ୟରେ କୋଭିଡ୍‌ ମାମଲା ଦ୍ୱିଗୁଣିତ ହୋଇଥିଲା। ପଶ୍ଚିମବଙ୍ଗରେ ୩୭୮%, ଆସାମରେ ୩୩୧%, ପଣ୍ଡିଚେରୀରେ ୧୭୫% ଏବଂ ତାମିଲନାଡୁରେ ୧୭୩% ଏବଂ କେରଳରେ ୮୪% ବୃଦ୍ଧି ଘଟିଥିଲା। ଭାଜପାର କେନ୍ଦ୍ରୀୟ ନେତା ନିର୍ବାଚନରେ ଉଦ୍‌ବୋଧନ ଦେବା ପାଇଁ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରୁ ୨୯ ଏପ୍ରିଲ ମଧ୍ୟରେ ଦୀର୍ଘ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା; ଯେଉଁ ସମୟରେ ରାଜ୍ୟରେ ଦୈନିକ ନୂତନ ମାମଲା ପ୍ରାୟ ୮୦୦ରୁ ୧୭୦୦୦କୁ ବୃଦ୍ଧି ପାଇଥିଲା। ୟୁନିଭର୍ସିଟି ଅଫ୍‌ ମାସାଚୁସେଟ୍ସର ଅର୍ଥନୀତି ବିଭାଗର ଆସୋସିଏଟ୍ସ ପ୍ରଫେସର ଦୀପଙ୍କର ବସୁଙ୍କ ଏକ ବିଶ୍ଳେଷଣରୁ ଜଣାପଡିଛି ଯେ, ନିର୍ବାଚନ ହୋଇଥିବା ପାଞ୍ଚଟି ରାଜ୍ୟରେ ସଂକ୍ରମଣର ବୃଦ୍ଧିହାର ଅଧିକ ଥିଲା। ମନେକର ସରକାରଙ୍କ କହିବା ଅନୁଯାୟୀ, ରାଲି, ସଭା ଦ୍ୱାରା ସଂକ୍ରମଣ ବୃଦ୍ଧିପାଇ ନାହିଁ। କିନ୍ତୁ ଏପରି ସଙ୍କଟ ବେଳେ ଏତେ ରାଲି, ସଭା କରିବା ଏବଂ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଦେଶ କଥା ଚିନ୍ତା ନ କରି ବଙ୍ଗ ଅଭିଯାନରେ ବ୍ୟସ୍ତ ରହିବା କେତେ ଯୁକ୍ତିଯୁକ୍ତ? ଯଦି ଏପରି ନିୟନ୍ତ୍ରଣବିହୀନ ମିଶିବାରେ କିଛି କୁପ୍ରଭାବ ନାହିଁ, ତେବେ ତାଲାବନ୍ଦ, ଶାରୀରିକ ଦୂରତ୍ୱ କାହିଁକି ପାଳନ କରିବା ପାଇଁ ସରକାର କହୁଛନ୍ତି?
ଦଳୀୟ ନିର୍ବାଚନ ପ୍ରଚାର କାମ ପ୍ରଧାନମନ୍ତ୍ରୀଙ୍କ ନୁହେଁ, ଏହା ଦଳର ସଭାପତିଙ୍କର। କିନ୍ତୁ ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଦେଶ ପ୍ରତି ଧ୍ୟାନ ନ ଦେଇ ନିର୍ବାଚନ ପ୍ରଚାରରେ ଲିପ୍ତ ରହିଲେ କିପରି? ସେ ଯଦି ବାରମ୍ବାର କରୋନା ସଂକ୍ରମଣର ଗତିବିଧି ତଦାରଖ କରୁଥାନ୍ତେ , ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିଥାନ୍ତେ, ସର୍ବଦଳୀୟ, ମନ୍ତ୍ରୀସ୍ତରୀୟ, ସଚିବସ୍ତରୀୟ ବୈଠକ ଡାକି ଏ ସମସ୍ୟା ସହିତ ଅନ୍ୟ ସମସ୍ୟା ନିୟମିତ ଆଲୋଚନା କରୁଥାନ୍ତେ, ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀ କରି ପ୍ରଶ୍ନର ଉତ୍ତର ରଖୁଥାନ୍ତେ ଏବଂ ନିଜର ମନ୍‌କି ବାତ୍‌ ନ କହି ଦେଶବାସୀଙ୍କ ବାତ୍‌ ଶୁଣୁଥାନ୍ତେ, ତେବେ ମହାମାରୀ ଏପରି ଭୟଙ୍କର ରୂପ ନେଇ ନ ଥା’ନ୍ତା।
୨୦୨୦ ସେପ୍ଟେମ୍ବର ମାସରେ ଯେତେବେଳେ ଅନ୍ୟ ଦେଶ ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଥିଲେ, ସେତେବେଳେ ଆମ ଦେଶରେ ଏହା ବିଲୁପ୍ତ ହେବାକୁ ବସିଥିଲା। ସରକାର ଭବିଷ୍ୟତରେ ସଂକ୍ରମଣ କିପରି ଅଧିତ୍କ ନ ହେବ ବା ହେଲେ ତା’ର ପ୍ରଭାବ ବହୁତ କମ୍‌ ହୁଏ ତାହାର ବ୍ୟବସ୍ଥା କରିବାର ଥିଲା। କିନ୍ତୁ ବିଶ୍ୱକୁ ଭାରତ କରୋନା ମହାମାରୀ ବିପର୍ଯ୍ୟୟରୁ ରକ୍ଷା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଲେ ଏବଂ ଭବିଷ୍ୟତର ସଂକ୍ରମଣ ସମ୍ଭାବନାକୁ ଭୁଲିଗଲେ; ଯାହାର ପରିଣତି ଆଜି ସମଗ୍ର ଦେଶବାସୀ ଭୋଗୁଛନ୍ତି।
ଦୁଃଖର ବିଷୟ ଆମର ଟିକାକରଣ ହାର ଅନେକ ଦେଶ ତୁଳନାରେ ବହୁତ କମ୍‌ ଏବଂ ମୂଲ୍ୟ ମଧ୍ୟ ଅଧିକା, ଟିକସ ଅନ୍ତର୍ଭୁକ୍ତ। ଭାରତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ (ମେ ୩ ସୁଦ୍ଧା) ଭାରତରେ ଚୂଡାନ୍ତ ଡୋଜ ଟିକାକରଣ ହାର ହାରାହାରି ମାତ୍ର ୨.୨% ହୋଇଥିଲା ବେଳେ ଇସ୍ରାଏଲରେ (୫୮.୫%), ଚିଲି (୩୫.୨%), ସର୍ବିଆ (୨୨%), ହଙ୍ଗେରୀ (୨୧.୫%), କାତାର (୨୧.%), ଉରୁଗୁଏ (୧୯.୮%) ଆଦି ଦେଶ ଭାରତଠାରୁ ବହୁ ଆଗରେ ଅଛନ୍ତି। ସରକାର ଟିକାକରଣ ହାରରେ ଏତେ ପଛୁଆ ପାଇଁ ଦୋଷ ଖସାଇ ପାରିବେ ନାହିଁ। ପୁନଶ୍ଚ କେବଳ ଦୁଇଟି ସଂସ୍ଥାକୁ କାହିଁକି ଦାୟିତ୍ୱ ଦିଆଗଲା। ବିଦେଶରୁ ଉଚ୍ଚ ମାନର ଟିକା କାହିଁକି ଆମଦାନୀ କରାଗଲା ନାହିଁ। ଆମେ ଅସ୍ତ୍ରଶସ୍ତ୍ର, ଖେଳନା, ଅନ୍ୟ ସବୁ ବିଦେଶରୁ ଆମଦାନୀ କରୁଛେ, କିନ୍ତୁ ଦେଶବାସୀଙ୍କ ଜୀବନ ସୁରକ୍ଷା ପାଇଁ କାହିଁକି ଟିକା ଆମଦାନୀ କଲେନାହିଁ? ଏହି ବୋଧେ ଅଚ୍ଛେ ଦିନ୍‌ ଏବଂ ଆତ୍ମନିର୍ଭର ଭାରତ; ଯାହାକୁ ଦେଶବାସୀ ଅନେକ ଦିନ ପ୍ରତୀକ୍ଷା କରି ଚାହିଁଥିଲେ।
ମୋ :୯୪୩୭୨୦୮୭୬୨
Email: skmohapatra୬୭@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?