ଆଧୁନିକ ସଂସ୍କୃତି କେତେ ଶ୍ରେୟ

ଭାରତରେ ଏବେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ପ୍ରସାରିତ ହେବାରେ ଲାଗିଛି। କେବଳ ଲୋକମାନଙ୍କ ଜୀବନଚର୍ଯ୍ୟାରେ ନୁହେଁ; ଏପରିକି ରାଜନୀତି, ସାମାଜିକ ବ୍ୟବସ୍ଥା, କୂଟନୀତି, ଅର୍ଥନୀତି, ସାହିତ୍ୟ, ସଂସ୍କୃତି, ବିଚାର ନୀତି, ସରକାରୀ ଆଇନ କାନୁନରେ ମଧ୍ୟ ଏହି ନୀତିର ପ୍ରସାର ଘଟିଚାଲିଛି। ପାଶ୍ଚାତ୍ୟ ନୀତି ଦେଶର ସବୁ କ୍ଷେତ୍ରକୁ ଗ୍ରାସ କରିଗଲାଣି। ଏହାକୁ ନିୟନ୍ତ୍ରଣ କରା ନ ଗଲେ ଆମର ସ୍ବତନ୍ତ୍ରତା ଓ ଅସ୍ତିତ୍ୱ ଲୋପ ପାଇବ। ୟୁରୋପୀୟ ସଭ୍ୟତାର ଅନୁକରଣ କରିବା ଦ୍ୱାରା ଆମେମାନେ ନିଜେ ଏକପ୍ରକାର ପିଙ୍ଗଳବର୍ଣ୍ଣ ଇଂରେଜ ହୋଇଯାଇଛୁ ଏବଂ ଆମ୍ଭମାନଙ୍କ ପ୍ରାଚୀନ ସଂସ୍କୃତିକୁ ଅଦରକାରୀ ଭାବି ଆବର୍ଜନା କୁଣ୍ଡକୁ ଫିଙ୍ଗି ଦେଇଛୁ। ଆମ୍ଭମାନଙ୍କର ପାଶ୍ଚାତ୍ୟ ନୀତିର ଅନୁକରଣ ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ଏବେ ସଭା ସମିତି, ବିବାହ ନୀତି, ସମ୍ପର୍କ, ସରକାରଙ୍କ ରାଷ୍ଟ୍ରମଙ୍ଗଳ, ଶିକ୍ଷା, ସବୁ ପାଶ୍ଚାତ୍ୟ ଢାଞ୍ଚାରେ ଚାଲିଛି। ଭାରତ ୟୁରୋପର ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ସମାଲୋଚନାମୂଳକ ରଚନା ପଦ୍ଧତିକୁ ଗ୍ରହଣ କରିଛି। ରାଷ୍ଟ୍ରନୀତି କ୍ଷେତ୍ରରେ ମୁଦ୍ରାଯନ୍ତ୍ର, ବକ୍ତୃତା ମଞ୍ଚ, ରାଜନୈତିକ ଆନ୍ଦୋଳନର ଧାରା ଓ ଆଚରଣ, ଜନସାଧାରଣଙ୍କ ସଂଘ ଆଦି ପାଶ୍ଚାତ୍ୟ ଦେଶରୁ ଆସି ଭାରତରେ ପ୍ରଚଳିତ ହେଉଛି। ଏ ସକଳ ବିଷୟକୁ ବର୍ଜନ କରିବା ସମ୍ଭବ ନୁହେଁ। କେହି ମଧ୍ୟ ଏଗୁଡ଼ିକୁ ବର୍ଜନ କରିବାକୁ ମତ ପୋଷଣ କରିବେ ନାହିଁ। ତେବେ ଏସବୁ ବିଷୟରେ ଯେ କିଛି ଅମଙ୍ଗଳକାରୀ ପ୍ରଭାବ ନ ପଡ଼ିଛି, ତାହା ଅସ୍ବୀକାର କରିହେବ ନାହିଁ। କିନ୍ତୁ ଏହି ବିଷୟଗୁଡ଼ିକୁ ଆମମାନଙ୍କର ନିଜସ୍ବ ପ୍ରକୃତିର ରୂପାଦର୍ଶରେ ପରିବର୍ତ୍ତିତ କରିପାରିଛୁ କି? ଆମେ ଆମ ସଂସ୍କୃତିର ବହୁଳ କାର୍ଯ୍ୟକାରିତା କରିପାରୁ ନାହୁଁ। ତେବେ ଯାହା କିଛି ଆମର ଶକ୍ତି,ଐଶ୍ୱର୍ଯ୍ୟ, ଆମତ୍ିକ ବିକାଶକୁ କ୍ଷୁଣ୍ଣ କରେ, ତାହା ହିଁ ଅପସଂସ୍କୃତି ବୋଲି କୁହାଯାଏ। ଆମକୁ ଦେଖିବାକୁ ହେବ ଯେ ସାମାଜିକ ଓ ରାଷ୍ଟ୍ରୀୟ ସ୍ବାଧୀନତା, ସାମ୍ୟ, ପ୍ରଜାତନ୍ତ୍ର ଶାସନ, ପ୍ରକୃତ ମୂଳ ଉନ୍ନତ ଭାବଧାରା ବାହ୍ୟ ଜୀବନ କ୍ଷେତ୍ରରେ ଯଥାର୍ଥ ରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ।
ସଂସ୍କୃତି କହିଲେ ଆମେ ବୁଝୁ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପରିକ ରୀତି, ନୀତି, ବିଶ୍ୱାସ, ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତି ବିଦ୍ୟାକୁ। ଆମ ଦେଶର ସଂସ୍କୃତିର ଅନେକ ଉପାଦାନ ଯଥା- ଧର୍ମ, ଗଣିତ, ଦର୍ଶନ, ରୋଷେଇ, ବିବାହ, ଭାଷା, ନୃତ୍ୟ ଓ ସଙ୍ଗୀତ, ଚଳଚ୍ଚିତ୍ର, ଯାତ୍ରା, ଥିଏଟର ଯାହା ବିଶ୍ୱରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲା। ଏବେ ଦେଖାଯାଉଛି ସଂସ୍କୃତି ବିହୀନ ଶାସନ, ରାଜନୀତି, ବିଚାର, ଶିକ୍ଷା, ଜୀବନଚର୍ଯ୍ୟା, ସବୁଠି ସଂସ୍କୃତିର ଅବକ୍ଷୟ। ସବୁଠି ହତାଶା, ନିରାଶା ଓ ଅସହାୟତା। ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତି ଭାବାପନ୍ନ ପାଠ୍ୟକ୍ରମ ନାହିଁ। ଆମ ଦେଶର ଗୁରୁ-ଶିଷ୍ୟ ପରମ୍ପରା, ପୂଜ୍ୟପୂଜା ତଥା ଚିକିତ୍ସା ପଦ୍ଧତି, ଜ୍ୟୋତିର୍ବିଜ୍ଞାନ, ଗଣନା ପଦ୍ଧତି, ବୈବାହିକ ପରମ୍ପରା ସାରା ପୃଥିବୀରେ ଅଦ୍ୱିତୀୟ। ଏସବୁ ଆମ ପାଖରେ ଥାଇ ମଧ୍ୟ ଆମେ ଅନ୍ୟ ଦେଶକୁ ଅନୁକରଣ କରିଚାଲିଛେ। ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କିଛି ନାହିଁ।
ଏଠାରେ ପ୍ରଶ୍ନ ଉଠେ, ଭାରତୀୟ ପ୍ରାଚୀନ ସଂସ୍କୃତିର ପୃଷ୍ଠଭୂମି କ’ଣ? ଭାରତୀୟ ପ୍ରାଚୀନ ସଂସ୍କୃତି କହିଲେ ଆମ୍ଭେ ବୁଝିବାକୁ ହେବ ବୈଦିକ ଯୁଗର ରୀତି, ନୀତି। ବେଦରେ ସମସ୍ତ ବିଦ୍ୟା ଓ ଜ୍ଞାନର ମୂଳସୂତ୍ର ବୀଜ ରୂପରେ ରହିଛି। ଏହା ହେଉଛି ଭାରତୀୟ ମୂଳ ସମ୍ପତ୍ତି। ବେଦରେ ଯେପରି ଧର୍ମ, ଆଚାର, ଶିକ୍ଷା, ଅର୍ଥଶାସ୍ତ୍ର, ଆୟୁର୍ବେଦ ଆଦିର ପର୍ଯ୍ୟାପ୍ତ ସାମଗ୍ରୀ ଅଛି। ସେହିଭଳି ଜ୍ଞାନର ବିଭିନ୍ନ ଅଙ୍ଗ ସମ୍ବନ୍ଧୀୟ ସାମଗ୍ରୀ ମଧ୍ୟ ପ୍ରଚୁର ପରିମାଣରେ ଅଛି। ଏହାକୁ କୁହାଯାଏ, ସୃଷ୍ଟିର ସମ୍ବିଧାନ। ବେଦର ଜ୍ଞାନ ଆହରଣ କଲେ ଜୀବନ ଶ୍ରେୟ ଓ ପ୍ରେୟ ମାର୍ଗରେ ସୂଚାରୁ ରୂପରେ ପରିଚାଳିତ ହୁଏ। ବେଦ ପ୍ରତିପାଦିତ ଶୈଳୀ ହିଁ ନୈତିକତାର ସର୍ବୋଚ୍ଚ ଆଦର୍ଶ। ମହର୍ଷି ମନୁ ଯାଜ୍ଞବଳ୍କ, ପରାଶର ଆଦି ସ୍ମୃତିକାରମାନେ ଶ୍ରୁତିବାକ୍ୟ ଅନୁସରଣ କରି ପୁନଃ ଆମକୁ ସ୍ମରଣ କରାଇ ମାର୍ଗ ନିର୍ଦ୍ଦେଶ କରାଇଛନ୍ତି। ବେଦ କେବଳ ପ୍ରାଚୀନତମ ଗ୍ରନ୍ଥ ନୁହେଁ। ସମସ୍ତ ସତ୍‌ ବିଦ୍ୟାର, ସତ୍‌ ସଂସ୍କୃତିର ଆଦି ସ୍ରୋତ। ମଣିଷ ତଥା ଦେଶ ନିର୍ମାଣ କରିବାର ସଂକଳ୍ପକୁ ବ୍ୟାବହାରିକ ରୂପରେ ପ୍ରତିପାଦନ କରିବାରେ ବୈଦିକ ସାହିତ୍ୟ ସଂସ୍ଥାନ ଯେପରି ମହତ୍ତ୍ୱପୂର୍ଣ୍ଣ ବିଶ୍ୱର କୌଣସି ସାହିତ୍ୟ ସେପରି ମହତ୍ତ୍ୱପୂର୍ଣ୍ଣ ନୁହେଁ। ଜୀବନର ଉଦାର ମାନବିକ ମୂଲ୍ୟବୋଧର ଅଭିବ୍ୟକ୍ତି ବୈଦିକ ସାହିତ୍ୟରେ ଦୃଷ୍ଟିଗୋଚର ହୁଏ। ଏଥିରେ ବର୍ଣ୍ଣିତ ପ୍ରାର୍ଥନାରେ ରହିଛି- ହେ ସର୍ବଜ୍ଞ ସକଳ ସୁଖଦାତା, ଆମ୍ଭମାନଙ୍କ ଜୀବନଯାତ୍ରା ପାଇଁ ଉନ୍ନତ ପଥ ପ୍ରସାରିତ ହେଉ। କୁଟିଳ ପାପକର୍ମରୁ ବିରତ ହେବା ପାଇଁ ଜ୍ଞାନ ପ୍ରଦାନ କରନ୍ତୁ। ବୈଦିକ ଜୀବନ ପଦ୍ଧତିରେ ଉପାସନା ଏବଂ ଯଜ୍ଞକୁ ଜୀବନର ବିଭିନ୍ନ ଅଙ୍ଗ ରୂପେ ବର୍ଣ୍ଣନା କରାଯାଇଛି। ବେଦ ହେଉଛି ସଂସ୍କୃତିର ଜନକ। ଋଷିଗଣ ବେଦାଧ୍ୟୟନକାରୀଙ୍କୁ ଦୁଇଟି ତତ୍ତ୍ୱ ଅନିବାର୍ଯ୍ୟ ଦର୍ଶାଇଥିଲେ। ଶ୍ରଦ୍ଧା, ସାଧନା, ଆଗ୍ରହ ଓ ଆନ୍ତରିକତାର ସହ ଅଭ୍ୟାସ କଲେ ସବୁ ସହଜସାଧ୍ୟ ବୋଧ ହେବ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକେ ରୋଗ ବ୍ୟାଧି, ଦୁଃଖ, କଷ୍ଟ, କ୍ଳେଶ, ଅଭାବ, ଅଶାନ୍ତି, ଅସନ୍ତୋଷରେ କାଳାତିପାତ କରୁଛନ୍ତି। ସତ୍ୟ, ନ୍ୟାୟ, ଦୟା, କ୍ଷମା, ଶ୍ରଦ୍ଧା, ପ୍ରେମ, ଭକ୍ତି, ମାୟା, ମମତା, ଉଦାରତା, ସହୃଦୟତା, ସହିଷ୍ଣୁତା ସମାଜରୁ କ୍ରମଶଃ ଅନ୍ତର୍ହିତ ହେବାରେ ଲାଗିଛି। ମାନବିକ ମୂଲ୍ୟବୋଧ ଆଜି ଅବକ୍ଷୟ ମାର୍ଗରେ ଗତି କରୁଛି। ଭୌତିକ ଦୃଷ୍ଟିରୁ ସମାଜ ବାହାରକୁ ସମୃଦ୍ଧ ପ୍ରତୀୟମାନ ହେଉଥିଲେ ହେଁ ଏହା ଅନ୍ତଃସାରଶୂନ୍ୟ ହୋଇ ପଡିଛି। ଯେକୌଣସି ଉପାୟରେ ଅର୍ଥ ଉପାର୍ଜନ କର ଓ ଭୋଗ କର। ଏହାହିଁ ମଣିଷର ଏକମାତ୍ର ଲକ୍ଷ୍ୟ। ଆଜିର ଭୋଗସର୍ବସ୍ବ ସଭ୍ୟତା ଗଢ଼ି ଉଠିବା ଫଳରେ ସମାଜରେ ଜୀବନର ଲକ୍ଷ୍ୟ ବଦଳିଯାଇଛି। ସେଠାରେ ସତ୍ୟ, ନ୍ୟାୟ, ଆଦର୍ଶ, ନୀତି, ସଂଯମତା ଆଦିର ପ୍ରଶ୍ନ ଅବାନ୍ତର ହୋଇ ପଡ଼ିଛି। ପାଶ୍ଚାତ୍ୟର ଧନୀ ଓ ଶକ୍ତିଶାଳୀ ଦେଶଗୁଡିକୁ ଅନ୍ଧ ଭାବରେ ଅନୁସରଣ କରି ଚାଲିବାର ବିପଦ ମଧ୍ୟ କ୍ରମଶଃ ଘନୀଭୂତ ହୋଇ ଉଠୁଛି। ଆମେ ଆମର ସ୍ବତନ୍ତ୍ରତାକୁ ହରାଇବାକୁ କେବେ ଚାହିଁବୁ ନାହିଁ। ସେଥିପାଇଁ ଆଜି ସାରା ଦେଶରେ ସେହି ଗୋଟିଏ ଚର୍ଚ୍ଚା, ଭାରତୀୟ ସଂସ୍କୃତି ସୁରକ୍ଷିତ ହୋଇ ରହିବ ନା ଆମେ ସମସ୍ତେ ଅଶାନ୍ତି ଓ ଅମାନବୀୟ ସ୍ତରକୁ ଚାଲିଯିବା?

– ହରେକୃଷ୍ଣ ପଣ୍ଡା
ସମ୍ପାଦକ, ଅଖିଳଚକ୍ର, ଓଡ଼ିଶା
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri