Categories: ଖେଳ

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ବିଜୟ

ନର୍ଥ ପଏଣ୍ଟ, ୧୪ା୩ (ଏପି)-ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ସହ ଆଗୁଆ ସିରିଜ କବ୍‌ଜା କରିନେଇଛି। ଏଭିନ ଲିଓ୍ବିସ ଓ ଶାଇ ହୋପ୍‌ଙ୍କ ମଧ୍ୟରେ ଓପନିଂ ପାର୍ଟନରଶିପ୍‌ରେ ୧୯୨ ରନ ସଂଗ୍ରହ ଏବଂ ଇନିଂସର ଶେଷ ପର୍ଯ୍ୟାୟରେ ନିକୋଲାସଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଘରୋଇ ଦଳ ମ୍ୟାଚ ଜିତିପାରିଥିଲା। ଲିଓ୍ବିସ ୧୦୩ ଏବଂ ହୋପ୍‌ ୮୪ ରନ କରି ଓ୍ବେଷ୍ଟଇଣ୍ଡିଜର ମୂଳଦୁଆ ସୁଦୃଢ କରିଥିଲେ। ଯାହାଫଳରେ ଦଳ ଦୁଇଟି ବଲ୍‌ ବାକିଥାଇ ୫ ଉଇକେଟ ବିନିମୟରେ ଶ୍ରୀଲଙ୍କାର ୨୭୩/୮ ସ୍କୋରକୁ ଅତିକ୍ରମ କରିବାରେ ସଫଳ ରହିଥିଲା।
୪୬ତମ ଓଭରରେ ଅଧିନାୟକ କିରନ ପୋଲାର୍ଡ ଆଉଟ ହେବାପରେ ଘରୋଇ ଦଳ ଏକଦା ୨୩୩/୪ ସ୍କୋରରେ ଚାପରେ ରହିଥିଲା। କିନ୍ତୁ ୩୮ ବଲ୍‌ରୁ ୩୫ରନ କରି ଅପରାଜିତ ରହିଥିବା ପୁରାନ ତାଙ୍କ ଦଳକୁ ଶେଷ ଓଭରକୁ ନେଇଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜର ଏହା ସର୍ବୋଚ୍ଚ ରନ୍‌ ଚେଜ୍‌ ଥିଲା। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୭୩ ରନ କରିଥିଲା। ଟପ୍‌ ସ୍କୋରର ଓପନର ଦାନୁଷ୍କା ଗୁଣତିଳକା ୯୬, ଉଇକେଟକିପର ଦିନେଶ ଚାଣ୍ଡିମଲ ୭୧ ଓ ଓ୍ବାନିଣ୍ଡୁ ହସରଙ୍ଗା ୪୭ ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ଜାସନ ମହମ୍ମଦ ୩, ଅଲଜାରୀ ଯୋଶେଫ୍‌ ୨ଉଇକେଟ ନେଇଥିବା ବେଳେ ଜାସନ ହୋଲ୍ଡର ଓ ଆକିଲ ହୋସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ଇନିଂସ: ୫୦ ଓଭରରେ ୨୭୩/୮ (ଗୁଣତିଳକା-୯୬, ଚାଣ୍ଡିମଲ-୭୧, ହସରଙ୍ଗା-୪୭; ଜାସନ ମହମ୍ମଦ-୩/୪୭, ଅଲ୍‌ଜାରି ଯୋଶେଫ୍‌-୨/୪୨)

Share