Categories: ଖେଳ

ଓ୍ବେଷ୍ଟଇଣ୍ଡିଜର କ୍ଲିନ୍‌ ସୁଇପ

ନର୍ଥପଏଣ୍ଟ (ଆଣ୍ଟିଗୁଆ), ୧୬ା୩ (ଏପି)-ଡାରେନ ବ୍ରାଭୋଙ୍କ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆ ସହାୟତାରେ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୩-୦ରେ କ୍ଲିନ୍‌ ସୁଇପ୍‌ ସିରିଜ ବିଜୟ ହାସଲ କରିଛି। ଡାରେନ ବ୍ରାଭୋ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିବାବେଳେ ଶାଇ ହୋପ୍‌ ପ୍ଲେୟର ଅଫ୍‌ ଦି ସିରିଜ ହୋଇଛନ୍ତି। ବିଜୟ ଲକ୍ଷ୍ୟ ପିଛା କଲାବେଳେ ଘରୋଇ ଦଳ ୧୦ମ ଓଭର ସୁଦ୍ଧା ୩୯ରନରେ ୨ଟିି ଉଇକେଟ ହରାଇ ସାରିଥିଲା। ତେବେ ବ୍ରାଭୋ ଓ ଶାଇ ହୋପ୍‌ (୬୪) ତୃତୀୟ ଉଇକେଟ ପାର୍ଟନରଶିପ୍‌ରେ ୧୦୯ରନ ଯୋଗ କରି ଦଳର ବ୍ୟାଟିଂରେ ସୁଧାର ଅଣିଥିଲେ। ବ୍ରାଭୋ ୪୭ତମ ଓଭରରେ ୧୦୨ ରନ କରି ଆଉଟ ହୋଇଥିଲେ।
ସେତେବେଳେ ଶ୍ରୀଲଙ୍କାର ୨୭୪/୬ ସ୍କୋରକୁ ଅତିକ୍ରମ କରିବା ଲାଗି ଓ୍ବେଷ୍ଟଇଣ୍ଡିଜ ମାତ୍ର ୨୬ରନ ଆବଶ୍ୟକ କରୁଥିଲା। ବ୍ରାଭୋ ୫୩ରନ କରି ଅପରାଜିତ ରହିଥିବା ଅଧିନାୟକ କିରନ ପୋଲାର୍ଡଙ୍କ ସହ ୯୦ରନର ପାର୍ଟନରଶିପ୍‌ କରିଥିଲେ। ଘରୋଇ ଦଳ ୯ଟି ବଲ୍‌ ବାକିଥାଇ ମ୍ୟାଚ ଜିତିନେଇଥିଲା। ୪୮.୩ ତମ ଓଭରରେ ଜାସନ ହୋଲ୍ଡର ଏକ ଛକା ମାରି ରନ୍‌ ଚେଜ୍‌ର ପରିସମାପ୍ତି ଘଟାଇଥିଲେ। ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟ ବିନିମୟରେ ୨୭୬ରନ କରିଥିଲା। ସୂଚନାଯୋଗ୍ୟ, ୨୦୧୬ ଜୁନ୍‌ ପରଠାରୁ ବ୍ରାଭୋଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ। ସେତେବେଳେ ସେ ବାର୍ବାଡୋସ୍‌ର ବ୍ରିଜ୍‌ଟାଉନ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨ ରନ କରିଥିଲେ। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୨୭୪ ରନ କରିଥିଲା। ଭ୍ରମଣକାରୀ ଦଳ ଇନିଂସର ଉଲ୍ଲେଖନୀୟ ଘଟଣା ହେଲା ଟପ୍‌ ସ୍କୋରର ଓ୍ବାନିଣ୍ଡୁ ହସରଙ୍ଗା ୬୦ ବଲରୁ ୮୦ରନ ଏବଂ ଆଶେନ ବନ୍ଦରା ୫୫ରନ କରି ଅପରାଜିତ ରହିଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୭ମ ଉଇକେଟରେ ଅପରାଜିତ ୧୨୩ରନର ପାର୍ଟନରଶିପ୍‌ ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ଇନିଂସ: ୫୦ ଓଭରରେ ୨୭୪/୬ (ହସରଙ୍ଗା-୮୦*, ବନ୍ଦରା-୫୫*, ଦାନୁଷ୍କା ଗୁଣତିଳକା-୩୬; ଆକିଲ ହୋସେନ-୩/୩୩)।
ଓ୍ବେଷ୍ଟଇଣ୍ଡିଜ ଇନିଂସ: ୪୮.୩ ଓଭରରେ ୨୭୬/୫ (ବ୍ରାଭୋ-୧୦୨, ଶାଇ ହୋପ୍‌-୬୪, କିରନ ପୋଲାର୍ଡ-୫୩*; ସୁରଙ୍ଗା ଲକମଲ-୨/୫୬)।

Share