ବଡ଼ଗାଁ, ୩୧/୧୦ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ଜଣେ ଯୁବକଙ୍କ କର୍ଣ୍ଣାଟକ ରାଜ୍ୟର କାରବା ଥାନା ଅଞ୍ଚଳରେ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ପବିତ୍ର ନାଏକଙ୍କ ପୁଅ ଆକାଶ ନାଏକ (୨୯)।
ଆକାଶ ଗତ ଜୁନ୍ ମାସରେ କିଛି ଯୁବକଙ୍କ ସହ କର୍ଣ୍ଣାଟକ ରାଜ୍ୟର କାରବା ଥାନା ଅଧୀନରେ ଥିବା ଏକ ମାଛଧରା କେନ୍ଦ୍ରକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ମାଛ ଧରିବା କାମ କରୁଥିଲେ। ତେବେ ଶନିବାର ସନ୍ଧ୍ୟାରେ କାରବା ଥାନା ପକ୍ଷରୁ ତାଙ୍କ ବାପା ପବିତ୍ର ନାଏକଙ୍କୁ ଫୋନ୍ ଯୋଗେ ସମୁଦ୍ରରେ ବୁଡ଼ି ଆକାଶଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା।
ଆକାଶଙ୍କ ମୃତଦେହ ସେଠାକାର ସିଭିଲ୍ ଡାକ୍ତରଖାନାର ମର୍ଗ ହାଉସ୍ରେ ରଖାଯାଇଥିବା ଏବଂ ମୃତଦେହ ନେବା ପାଇଁ ବ୍ୟବସ୍ଥା କରିବାକୁ ପରିବାରକୁ କୁହାଯାଇଥିଲା। ଖବର ପାଇବା ପରେ ମୃତକଙ୍କ ବାପା ପବିତ୍ର ନାଏକ ଏବଂ କୁତ୍ରା ଚେୟାରମ୍ୟାନ୍ଙ୍କ ସ୍ୱାମୀ ଶଶିଧର ଲାକ୍ରା ବଡ଼ଗାଁ ଥାନାରେ ପହଞ୍ଚିଥିଲେ। ସେମାନେ ବଡ଼ଗାଁ ଥାନା ଆଇଆଇସି ମୁକେଶ ସାହାଣୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ବଡ଼ଗାଁ ପୁଲିସ ପକ୍ଷରୁ କର୍ଣ୍ଣାଟକର ସମ୍ପୃକ୍ତ ଥାନାକୁ ବାର୍ତ୍ତା ପଠାଯାଇଛି। ଆକାଶଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ମୃତକଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।
କିଛି ମାସର ବ୍ୟବଧାନରେ ବଡ଼ଗାଁ ଥାନା ଅଞ୍ଚଳର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସିବା ପରେ କାଦୋପଡ଼ା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily

