ସାଂସ୍କୃତିକ ଚାପରେ ବିବାହ ଉତ୍ସବ

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ବିବାହ ଭିଡିଓ ଦେଖିଲି। ବର ଓ କନ୍ୟା ଦୁଇଟି ବରଣମାଳା ଧରି ଏକ ସୁଦୃଶ୍ୟ ମଣ୍ଡପରେ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଓ ଶେଷରେ ଉଭୟ ଉଭୟଙ୍କ ବେକରେ ବରଣମାଳା ପକାଉଛନ୍ତି। ଭିଡିଓର ଶୀର୍ଷକ ରହିଛି ବିବାହରେ ବରଣମାଳା ପ୍ରଦାନର ନୂଆ ତରିକା ମାର୍କେଟକୁ ଆସିଗଲା। ସତ କଥା, ଆଉ କିଛି ଦିନ ପରେ ଆମ ବିବାହ ଉତ୍ସବରେ ଏଭଳି ଦୃଶ୍ୟ ଅବଶ୍ୟ ଦେଖିବାକୁ ମିଳିବ। ଏହା ଉଲ୍ଲେଖ କରିବାର ମୁଖ୍ୟ କାରଣ ହେଲା କିପରି ବିବାହ ଉତ୍ସବ ଆମ ପରମ୍ପରା ଓ ସଂସ୍କୃତି ବାହାରକୁ ଚାଲିଯିବା ସହ ଅଧିକ ବ୍ୟୟବହୁଳ ହୋଇଯାଉଛି। ଉଭୟ ବର ଓ କନ୍ୟା ପରିବାର ପାଇଁ ଏହା କ୍ରମଶଃ ଚିନ୍ତା ଉଦ୍ରେକକାରୀ ହେଲାଣି।
ନିକଟରେ ମୋର ଜଣେ ବାଲ୍ୟବନ୍ଧୁ ବ୍ୟାଙ୍କରେ ଦେଖାହେଲେ। ସେ ନିଜର ପୁଅ ବାହାଘର ପାଇଁ ପର୍ସନାଲ ଲୋନ କରିବାକୁ ଆସିଥିଲେ। ଗତ ବର୍ଷ ଚାକିରିରୁ ମୋର ବନ୍ଧୁ ଅବସର ଗ୍ରହଣ କରିଛନ୍ତି। ଯାହା କିଛି ଅବସରକାଳୀନ ଟଙ୍କା ପାଇଥିଲେ ତାହାର ସିଂହ ଭାଗ ନୂଆ ଘର ନିର୍ମାଣରେ ସରିଯାଇଛି। ତେଣୁ ବଳକା ଅର୍ଥରେ ବିବାହ ଉତ୍ସବ ଆୟୋଜନ ସମ୍ଭବ ନୁହେଁ। ଦଶ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ କଲେ ପୁଅ ବାହାଘର ହେବ। ମୁଁ ବନ୍ଧୁଙ୍କୁ କହିଲି- ବ୍ୟାଙ୍କରେ ପର୍ସନାଲ ଲୋନରେ ସୁଧ ଅଧିକ। ବାହାଘରରେ ଅତି ଜାକଜକମରେ ଅର୍ଥ ଶ୍ରାଦ୍ଧ କରିବା କିଛି ଆବଶ୍ୟକ ନାହିଁ। ମୋର ବନ୍ଧୁ ମୁହଁ ଶୁଖାଇ କହିଲେ ସେକଥା ସେ ବି ଜାଣନ୍ତି। ହେଲେ ତାଙ୍କ ପୁଅ ବୁଝୁନାହିଁ। ସେ ତା’ର ସାଙ୍ଗସାଥୀ ଘରେ ହେଉଥିବା ବାହାଘର ଦେଖୁଛି ଓ ସେହିଭଳି ବିବାହ ଆୟୋଜନ କରିବାକୁ ଜିଦି ଧରୁଛି। ଗୋଟିଏ ବୋଲି ପୁଅ। ଋଣ ହେଉ ପଛେ ପୁଅ ଯାହା ଚାହୁଁଛି ସେଇଆ କରିବି।
ମୋର ବନ୍ଧୁଙ୍କ ଅବସ୍ଥା ଯାହା, ଆଜିର ଦିନରେ ଅନେକ ମାତାପିତାଙ୍କ ଅବସ୍ଥା ସେଇଆ। ନିଜ ଝିଅପୁଅଙ୍କ ଜିଦିରେ ଅଧିକାଂଶ ଅଭିଭାବକ ବ୍ୟୟବହୁଳ ବିବାହ ଉତ୍ସବ ଆୟୋଜନ କରୁଛନ୍ତି। ଯଦି ପାଖରେ ଟଙ୍କା ଅଛି ତାହା ସରିଯାଇ ହାତଶୂନ୍ୟ ହୋଇଯାଉଛି ନ ହେଲେ ବ୍ୟାଙ୍କରୁ ଋଣ ଉଠାଇ ଋଣ ଶୁଝୁଛନ୍ତି। ନିକଟରେ ୱେଡିଙ୍ଗ ଓୟାର ଇଣ୍ଡିଆ ନାମକ ଘରୋଇ ସଂସ୍ଥା ପକ୍ଷରୁ ଭାରତରେ ବ୍ୟୟବହୁଳ ବିବାହ ପ୍ରକ୍ରିୟା ଉପରେ ସର୍ବେକ୍ଷଣ କରାଯାଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଭାରତରେ ହାରାହାରି ବିବାହ ଖର୍ଚ୍ଚ ୨୦୨୨ ମସିହାରେ ପ୍ରାୟ ୨୫ ଲକ୍ଷ ଟଙ୍କା ଥିଲା ବେଳେ ୨୦୨୩ରେ ତାହା ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ବାସ୍ତବତା ଅପେକ୍ଷା ଆବେଗପଣ ଅଧିକ। ନିଜର ପ୍ରତିପତ୍ତି, ସାମାଜିକ ସ୍ଥିତିକୁ ଦେଖାଇବା ଲକ୍ଷ୍ୟରେ କିଛି ଧନିକ ଶ୍ରେଣୀର ବ୍ୟକ୍ତି ବିବାହ ଉତ୍ସବରେ ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କୁ ଦେଖି ଆଉ କିଛି ଲୋକ ନିଜକୁ ଉଚ୍ଚା ତଥା ଅନ୍ୟ ସହ ସମାସ୍କନ୍ଧ ଦେଖାଇବା ଲକ୍ଷ୍ୟରେ ବିବାହକୁ ଅନାବଶ୍ୟକ ଭାବେ ଖର୍ଚ୍ଚବହୁଳ କରୁଛନ୍ତି। ନିଜ ସହରଠୁ ଦୂର ଅନ୍ୟ ସହର ଓ ଏପରି କି ବିଦେଶରେ ମଧ୍ୟ ବିବାହ ଉତ୍ସବ( ଡେଷ୍ଟିନେଶନ ଓ୍ବେଡିଙ୍ଗ) ଆୟୋଜିତ ହେଉଛି। ଭାରତରେ ବର୍ଷକୁ ପ୍ରାୟ ଏକ କୋଟି ବିବାହ ଉତ୍ସବ ଆୟୋଜନ ହୋଇଥାଏ। ଜୀବନର ସମୁଦାୟ ଆୟର ପ୍ରାୟ ଶତକଡା କୋଡିଏ ଭାଗ ଖର୍ଚ୍ଚ ହେଉଛି ଆଜିର ବିବାହ ଉତ୍ସବ ଆୟୋଜନରେ। ବିଶେଷ କରି ଗତ ନବେ ଦଶକ ପରଠାରୁ ଭାରତରେ ବିବାହ ଉତ୍ସବ ବ୍ୟୟବହୁଳ ହେବା ଆରମ୍ଭ ହୋଇଛି। ୧୯୬୦ ମସିହାରେ ଦେଶରେ ଯୁଦ୍ଧ ପରିସ୍ଥିତି ଓ ମୁଦ୍ରାସ୍ଫୀତି ଯୋଗୁ ବିବାହ ଉତ୍ସବରେ ମାତ୍ର ୨୫ ଅତିଥିଙ୍କ ଯୋଗଦାନ ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ଥିଲା। ମାତ୍ର ଦେଶରେ ନବେ ଦଶକରେ ମୁକ୍ତ ଅର୍ଥନୀତି ପ୍ରଣୟନ ପରଠାରୁ ଲୋକଙ୍କ ହାତକୁ ଅଧିକ ଅର୍ଥ ଆସିଲା। ଘର ଖର୍ଚ୍ଚ ବିଗତ ତିନି ଦଶନ୍ଧିରେ ଦଶ ଗୁଣ ବଢିଛି। ସେହି ଅନୁପାତରେ ଅନ୍ୟାନ୍ୟ ଖର୍ଚ୍ଚ ବଢିଛି। ସମାଜରେ ଲୋକଙ୍କ ଷ୍ଟାଟସ ବା ମର୍ଯ୍ୟାଦା ବଢିଲା। ପଦ ମର୍ଯ୍ୟାଦା, ଧନ, କ୍ଷମତା ଓ ନିଜର ସର୍ବାଙ୍ଗୀନ ପ୍ରଗତି ପ୍ରଦର୍ଶନ ପାଇଁ ବିବାହ ଉତ୍ସବ କ୍ରମେ ଶ୍ରେଷ୍ଠ ମାଧ୍ୟମ ହେଲା।
ସମ୍ପ୍ରତି ବିବାହ ଉତ୍ସବ ଆୟୋଜନ ପାଇଁ ଲୋକଙ୍କ ଉପରେ ସାଂସ୍କୃତିକ ଚାପ ସୃଷ୍ଟି ହେଉଛି। ଏହି ଚାପରୁ ମୁକୁଳିବା ପାଇଁ ସେମାନେ ବ୍ୟୟବହୁଳ ଉତ୍ସବ ଆୟୋଜନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଚାପ ସୃଷ୍ଟି ହେଉଛି ସିନେମା, ଟିଭି ସିରିଏଲ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି କିଛି ସୋସିଆଲ ମିଡିଆ ଅନୁସରଣ ଯୋଗୁ। ବିବାହ ଉତ୍ସବକୁ କିପରି ଅଧିକ ବ୍ୟୟ ବହୁଳ କରାଯିବ, ସେସବୁର ଉପାୟ ଆମର ସିନେମା,ଟିଭି ସିରିଏଲ ଓ ଇନ୍‌ଷ୍ଟାଗ୍ରାମ୍‌ ଆଦିରେ ଉପଲବ୍ଧ। ଆମ ଯୁବ ଗୋଷ୍ଠୀ ଏହା ଦ୍ବାରା ଅଧିକ ପ୍ରଭାବିତ ଓ ସେହିମାନଙ୍କ ଚାପ ଆଗରେ ଅଭିଭାବକମାନେ ବାକ ଶୂନ୍ୟ। ଜୀବନରେ ବିବାହ ଥରେ କରାଯିବ। ତେଣୁ ତାହାକୁ ସ୍ମରଣୀୟ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯିବାକୁ ପ୍ରୟାସ ହେଉଛି। ଭାରତୀୟ ବିବାହ ସଂସ୍କୃତି ଓ ପରମ୍ପରାରେ ବିଦେଶୀ ସଂସ୍କୃତି ଧସେଇ ପଶିଗଲାଣି ଯାହାପାଇଁ ଖର୍ଚ୍ଚ ବଢୁଛି। ସିନେମା ବା ଟିଭି ସିରିଏଲ ଆଧାରରେ ରିଂ ସେରିମନିଠାରୁ ରିସେପଶନ ପର୍ଯ୍ୟନ୍ତ ସବୁ କିଛି ସାଜସଜ୍ଜା ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟବାଲା ପ୍ରସ୍ତୁତ। ସେଥିପାଇଁ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ। ଏହା କେବଳ ସହରାଞ୍ଚଳରେ ସୀମାବଦ୍ଧ ନୁହେଁ, ଗ୍ରାମାଞ୍ଚଳରେ ବ୍ୟାପି ଗଲାଣି। ବିବାହ ପାଇଁ ପାଟ, ଲେହେଙ୍ଗା, କୁର୍ତ୍ତା,ସେରୱାନୀ, ବ୍ଲେଜର, ସୁଟ ଆଦି ଦାମୀ ପୋଷାକପତ୍ର ସହ ହେୟାର ଷ୍ଟାଇଲ,ବିୟୁଟି ମେକ୍‌ଅପ, ମଣ୍ଡପ ସାଜସଜ୍ଜା, ଖାଦ୍ୟ (ଷ୍ଟାର୍ଟର, ମେନ କୋର୍ସ ଓ ଡେଜର୍ଟ ), ରିଂ ସେରିମନି, ପ୍ରି- ୱେଡିଙ୍ଗ ଫଟୋ ଶୁଟ୍‌, ହଳଦୀ, ମେହେନ୍ଦି, ସଙ୍ଗୀତ, ବିବାହ ଦିନ ବରଯାତ୍ରୀ, ବାଣ, ରୋଶଣି ଆଦି ପ୍ରସ୍ତୁତି ହେଉଛି ସିନେମା ଓ ସିରିଏଲରେ ପ୍ରଦର୍ଶିତ ହେଉଥିବା ବିବାହ ଉତ୍ସବ ଆଧାରରେ। ବର୍ତ୍ତମାନ ସମୟରେ ଆପଣଙ୍କ ପାଖରେ ଯେତିକି ଟଙ୍କା ଅଛି ବା ଯେତିକି ଟଙ୍କା ଆପଣ ଖର୍ଚ୍ଚ କରିପାରିବେ, ସେତିକି ଟଙ୍କାରେ ବିବାହ ଉତ୍ସବ ଆୟୋଜନ କଲେ ଆପଣଙ୍କୁ ତାହା ଖୁସି ଦେଇପାରିବନି। କିନ୍ତୁ ଇଣ୍ଟରନେଟରେ ପ୍ରଦର୍ଶିତ ବିବାହ ଉତ୍ସବ ଭଳି ଆୟୋଜନ ପାଇଁ ଆପଣ ଋଣ କରି ଖର୍ଚ୍ଚ କରିପାରିଲେ ତାହା ଆପଣଙ୍କୁ ଖୁସି ଦେବ। ବିବାହ ଉତ୍ସବ ଏବେ ସାମାଜିକ ଓ ଆର୍ଥିକ ସ୍ବଚ୍ଛଳତା ପ୍ରଦର୍ଶନର ଉତ୍ସବ ଭାବେ ରୂପାନ୍ତରିତ ହୋଇଛି।
ସର୍ବେକ୍ଷଣ କୁହେ, ଶତକଡା ୨୬ ଭାଗ ଅଭିଭାବକ ନିଜ ପାଖରେ ଉପଲବ୍ଧ ଅର୍ଥରେ ସେମାନଙ୍କ ପୁଅ ଝିଅ ବାହାଘର ଆୟୋଜନ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ୬୮ ଭାଗ ଲୋକ ଋଣ କରି ବିବାହ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତ ହେଉଛନ୍ତି। ବ୍ୟୟବହୁଳ ବିବାହ ଭାରତୀୟ ଅର୍ଥନୀତିକୁ ଚଳଚଞ୍ଚଳ କରୁଛି ବୋଲି ଅର୍ଥନୈତିକ ବିଶାରଦମାନେ କହୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିବାହ ଶିଳ୍ପ ହେଉଛି ଭାରତର ଚତୁର୍ଥ ବୃହତ୍ତମ ଶିଳ୍ପ, ଯେଉଁଥିରେ ବାର୍ଷିକ ୧୩୦ ବିଲିୟନ ଆମେରିକୀୟ ଡଲାର ବ୍ୟୟ ହୋଇଥାଏ। ଭାରତରେ ମହତ୍ତ୍ୱପୂର୍ଣ୍ଣ ବିବାହ ଉତ୍ସବ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରେ। କିନ୍ତୁ ଅନ୍ୟପକ୍ଷରେ ବ୍ୟୟ ବହୁଳ ବିବାହରେ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଉଛି।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri