ଆମ ଭୁଲ୍‌

ମମାନଙ୍କର ଏକ ଅତି ସାଧାରଣ ପ୍ରକୃତି ହେଉଛି ଏୟା ଯେ କୌଣସି ଭୁଲ୍‌ କରିଛୁ ବୋଲି ଆମେ ସ୍ବୀକାର କରିବାକୁ ରାଜି ନ ଥାଉ। ଆମ ଦ୍ୱାରା କେବେ କିଛି ଅବାଞ୍ଛିତ କାର୍ଯ୍ୟ ଘଟିଗଲେ, ସେଥିପାଇଁ ଆମେ ନିଜ ଚରିତ୍ରର ଅସଙ୍ଗତିକୁ ଦାୟୀ ନ କରି ଅନ୍ୟ କୌଣସି କାରକ ଉପରେ ଦୋଷ ଲଦିଦେଉ। ପରିସ୍ଥିତିର ଫାଇଦା ନେବା ଯୋଗୁ ହେଉ କିମ୍ବା ଅନ୍ୟମାନେ ଆମକୁ ଭୁଲ୍‌ ପ୍ରମାଣିତ କରିବାକୁ ଇଚ୍ଛା ନ କରିବା ଯୋଗୁ ହେଉ, ଆମେ ନିଜକୁ ସବୁବେଳେ ଠିକ୍‌ ବୋଲି ପ୍ରମାଣିତ କରିପାରି ଆତ୍ମଶ୍ଲାଘା ପାଉ ସିନା, ଏ ପ୍ରବୃତ୍ତି ଧୀରେ ଧୀରେ ଆମର ସବୁ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏମିତି କି, ଏ ପ୍ରବୃତ୍ତି ବେଳେବେଳେ ଆମର ଜିନରେ ଏକ ଚାରିତ୍ରିକ ବୈଶିଷ୍ଟ୍ୟ ପାଲଟିଯାଇ ଆମ ପିଲାମାନଙ୍କ ପାଖରେ ପ୍ରତିଫଳିତ ହୋଇଥାଏ। କିନ୍ତୁ ଆମେ ଆମ ପିଲାମାନଙ୍କର ବିଭିନ୍ନ ଦୌରାତ୍ମ୍ୟର ଶିକାର ହେଲାବେଳେ କେବେ ଅନୁମାନ କରିପାରୁନା ଯେ ଏ ସବୁ ଆମ ନିଜ ପ୍ରକୃତି, ଚରିତ୍ରର ଏକ ରୂପାନ୍ତରିତ ପ୍ରକରଣ। ଏବଂ ସେମାନଙ୍କୁ ଉଦ୍ଧତ, ଉଚ୍ଛୃଙ୍ଖଳ, ଅସଭ୍ୟ ବା ଅସାମାଜିକ ବୋଲି ଚିତ୍କାର କରି ବିଭିନ୍ନ ଢଙ୍ଗରେ ତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ। ଫଳ କେବଳ ଏୟା ହୁଏ ଯେ ଆମର ମାନସିକ ଅଶାନ୍ତି ବଢ଼ିଚାଲେ, କିନ୍ତୁ ପଶ୍ଚାତ୍ତାପ ହୁଏନି। ଯଦି କେବେ ପଶ୍ଚାତ୍ତାପ ଆସେ, ସେତେବେଳକୁ ସୁଧୁରିବାର ସମ୍ଭାବନା ପ୍ରାୟ ନ ଥାଏ।
ଆମମାନଙ୍କର ଚରିତ୍ର ଓ ପ୍ରକୃତିଗତ ଦୋଷ ଦୁର୍ବଳତା ଆମ ପିଲାମାନଙ୍କର ଆଚାର ବ୍ୟବହାରକୁ ପ୍ରଭାବିତ କରେ ବୋଲି ଭାବୁ ନ ଥିବାରୁ ଆମେ ପରୋକ୍ଷରେ ସେମାନଙ୍କର ଅଧିକାଂଶ ବିକୃତି ପାଇଁ ଦାୟୀ ପାଲଟି ଯାଉ। ଆମେ ସେମାନଙ୍କୁ ଛୋଟ ବେଳରୁ ଏକରକମର ତାଲିମ ଦେଉ ଯେ କେମିତି ଅନ୍ୟମାନଙ୍କ ସହିତ ଚାଲବାଜିଭରା କଥାବାର୍ତ୍ତା କରିବ, ମିଛ କହି ପରିସ୍ଥିତିକୁ ନିଜ ସୁବିଧା ମୁତାବକ ମୋଡି ନେବ, କାହାର କୌଣସି କଥା ସଯ୍ୟ ନ କରି ତାକୁ କେମିତି ଅପମାନ ଦେଇପାରିବ। ଆମେ ନିଜ ଘର, ପରିବାର, ସାଙ୍ଗ ସାଥୀ, ବନ୍ଧୁବର୍ଗଙ୍କ ସହ ସବୁ କଥାବାର୍ତ୍ତା ଓ ସମ୍ପର୍କରେ ଖୁବ୍‌ ମାପିଚୁପି ହୋଇ, ଛଳନା ସହ ମିଶୁ। କୌଣସି ପରିସ୍ଥିତିରେ ନିଜର ସାମାନ୍ୟତମ ସୁଖ ସୁବିଧା ସ୍ବାର୍ଥ ତ୍ୟାଗ କରିବା କଥା ଚିନ୍ତା ବି କରୁନା, କାହାକୁ ସାହାଯ୍ୟ ଉଦ୍ଦେଶ୍ୟରେ ନିଜ ସାମର୍ଥ୍ୟ ମୁତାବକ କିଛି ଦେବା ତ ଦୂରର କଥା। ଏବଂ ସେଇଟା ହିଁ ବର୍ତ୍ତମାନ ସମୟରେ ବଞ୍ଚିବାର ସଫଳ ସୂତ୍ର ବୋଲି ଅଭିହିତ କରୁ। ପିଲାମାନେ ଯେତେବେଳେ ସେଇ ସମାନ ସୂତ୍ରକୁ ଆମ ଉପରେ ପ୍ରୟୋଗ କରନ୍ତି, ସେତେବେଳେ ମଧ୍ୟ ଆମେ ନିଜର କୃତକର୍ମ ନୁହଁ, ବରଂ ଭାଗ୍ୟ ଉପରକୁ ଦୋଷ ଠେଲିଦେଉ।
ମିନୁ ଭାଉଜ ସେଦିନ ମନଦୁଃଖରେ କହୁଥାଆନ୍ତି, ”ବାହାଘର ପରେ ପୁଅ ଏତେ ବଦଳିଗଲା ଯେ ତା’ ପାଇଁ ଆମେ ନିଜର ସର୍ବସ୍ବ ଲୁଟେଇଦେଇଥିଲେ ମଧ୍ୟ ଏବେ ସେ ସୁଯୋଗ ଉଣ୍ଡି ଆମମାନଙ୍କୁ ଅତ୍ୟନ୍ତ କଟୁକଥା କହି ଅପମାନିତ କରିବାକୁ କୁଣ୍ଠାବୋଧ କରୁନି। ଏଇ ପାଖରେ, ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ଚାକିରିର ବିଭିନ୍ନ ବାହାନା କରି ଗଲା ଦି’ ବର୍ଷ ହେଲାଣି ବୋହୂ ଆସୁନି। ଏବଂ ପୁଅ ମଧ୍ୟ ବୋହୂର ମିଛକୁ ସତ ବୋଲି ସାବ୍ୟସ୍ତ କରି ତା’ର ନ ଆସିବାଟାକୁ ସମର୍ଥନ କରୁଛି। ତା’ ଫଳରେ କୁନି ନାତୁଣୀଟା ମଧ୍ୟ ଆମ ସହ ମିଶି ପାରୁନି। ଆମେ ଦୁହେଁ ଏ ଅବସ୍ଥାରେ ବେସାହାରା ହୋଇ ପଡିଛୁ। ତମ ଭାଇନାଙ୍କୁ ଦେଖିଲେ ମତେ ଖୁବ୍‌ କଷ୍ଟ ଲାଗୁଛି।“
ଏ କାହାଣୀ ପତ୍ନୀଙ୍କଠାରୁ ଶୁଣିଲା ପରେ ମୁଁ କହିଲି, ”ସେ ସ୍ବାମୀ ସ୍ତ୍ରୀ ଦୁହେଁ କେବେ ନିଜ ଚରିତ୍ର ବିଶ୍ଳେଷଣ କରନ୍ତି? ମିଶ୍ର ଭାଇନା ଏ ଦୁନିଆରେ କାହା ସହ ଝଗଡ଼ା ନ କରନ୍ତି କହିଲ? ପାନ ଦୋକାନୀ, ଔଷଧ ଦୋକାନୀ, କ୍ଷୀର ବାଲା, ସାଙ୍ଗସାଥୀ, ଷ୍ଟାଫ ହୁଅନ୍ତୁ କି ବନ୍ଧୁବାନ୍ଧବ- ସମସ୍ତଙ୍କ ସହ ଝଗଡ଼ା କରନ୍ତି। ଅନ୍ୟମାନଙ୍କୁ ଅପମାନ ଦେଇ ନାକ ଛିଞ୍ଚାଡି କଥା କହନ୍ତି ଏବଂ ଏଇଟାକୁ ତାଙ୍କର ଗୋଟେ ସ୍ବତନ୍ତ୍ର ଦକ୍ଷତା ବୋଲି ଗର୍ବର ସହ କହନ୍ତି। କାହା ସହ କେବେ ସେ ମିଠା କଥା ହେବାର ଶୁଣିଛ? ଯାହା ସହ ଆଜି ଭଲ ଥିବେ ଦି’ ଦିନ ପରେ ତାଙ୍କ ସହ ଅପ୍ରିୟ। ସେ ନିଜେ ତାଙ୍କ ବାପାମାଆଙ୍କୁ ଦୁର୍ବ୍ୟବହାର କରୁଥିଲେ! ସେମାନଙ୍କ ପ୍ରତି ପୁଅ ହିସାବରେ କୋଉ କର୍ତ୍ତବ୍ୟ କରିଛନ୍ତି? ମିନୁ ଭାଉଜ ତହୁଁ ବଳି। ଶାଶୁ ଶ୍ବଶୁରଙ୍କୁ ସମ୍ମାନ ସହ କଥା କହିବାର ଆମେ କେବେ ତ ଶୁଣିନୁ। ସବୁବେଳେ ତ ଟାଇଁଟାଇଁ କଥା। ସେମାନଙ୍କର କୋଉ ସେବା ଯତ୍ନ କରୁଥିଲେ ଯେ ନିଜେ ଏବେ ଆଶା କରୁଛନ୍ତି! ତାଙ୍କ ବନ୍ଧୁବାନ୍ଧବ, ସାଙ୍ଗସାଥୀ- କାହାର ଛିଦ୍ର ଖୋଜି ସେମାନଙ୍କ ବିରୁଦ୍ଧରେ ସେ ବିଷୋଦ୍‌ଗାର ନ କରନ୍ତି? ପିଲାଟାକୁ ବି ସେଇ ପ୍ରକାର ଟ୍ରେନିଙ୍ଗ ଦେଇଛନ୍ତି ନା! ଆମ ପିଲାଏ ତାଙ୍କ ଘରକୁ ସବୁବେଳେ ବୁଲିଯାଆନ୍ତି, ହେଲେ ତାଙ୍କ ପୁଅ କେବେ ଆମ ଘରକୁ ଆସେ? ଆମ କଥା ଛାଡ଼, ତାଙ୍କର କୋଉ ବନ୍ଧୁବାନ୍ଧବ ଘରକୁ ସେ ଯାଏ? ତାକୁ ତା’ ମାଆ କାହା ଘରକୁ ଯିବାକୁ କହନ୍ତିନି। ବରଂ, ସେ ନ ଯିବାଟା ହିଁ ପୁଅକୁ ସାଧାରଣ ପିଲାଙ୍କଠାରୁ ଅଲଗା ବୋଲି ପ୍ରମାଣିତ କରୁଛି ବୋଲି ମାଆ ଗର୍ବ କରେ। କେବଳ ନିଜ ସ୍ବାର୍ଥକୁ ଜଗି ଚଳିବାର ଯୋଉ ଟ୍ରେନିଙ୍ଗ ସେ ବାପାମାଆଙ୍କଠାରୁ ପାଇଛି, ଏବେ ସେ ଆଉ କାହା ଉପରେ ପ୍ରୟୋଗ କରିବ? ବାପାମାଆଙ୍କର ଯୋଉ ଚରିତ୍ର ସେ ପିଲାବେଳୁ ଲକ୍ଷ୍ୟ କରିଆସିଛି, ତା’ ନିଜ ଚରିତ୍ର ସେଇ ଅନୁସାରେ ଗଢି ହେଇଛି। ମୁଁ ଯୋଉ ଶ୍ଲୋକଟି କହେ, ‘ ଅଦାତା ବଂଶ ଦୋଷେଣ, କର୍ମଦୋଷାତ୍ମ ଦରିଦ୍ରତା। ଉନ୍ମାଦୋ ମାତୃ ଦୋଷେଣ, ପିତୃ ଦୋଷେଣ ମୂର୍ଖତା ’ – ଏଥିରେ ପିଲାମାନଙ୍କର ଚରିତ୍ର ପଛରେ ଆମେ କେତେ ଦାୟୀ, ସେକଥା ସ୍ପଷ୍ଟ ଭାବେ ସୂଚିତ। ପରିଣତ ବୟସରେ ପିଲାମାନଙ୍କ ଆଚରଣ ଜନିତ ଯୋଉ କଷ୍ଟ ଆମେ ଭୋଗୁ, ସେଥିପାଇଁ ଆମର ଥିବା ଭୁଲ୍‌କୁ ମଧ୍ୟ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। କିନ୍ତୁ ବେଶୀ ଗୁରୁତ୍ୱପୂର୍ଣ୍ଣ କଥା ଏୟା ଯେ ଏ ଅବସ୍ଥା ଆସିବା ଆଗରୁ ନିଜ ଭୁଲ ପ୍ରତି ସଚେତନ ହେଇ ନିଜକୁ ସୁଧାରିନେବା ଉଚିତ।
ଠିକ୍‌ ଏତିକି ବେଳେ ମିଶ୍ର ଭାଇନା ଫୋନ କରି ଡାକିଲେ, ‘ମୋର ସମ୍ପତ୍ତିର ସିଂହ ଭାଗ ଗୋଟେ ଟ୍ରଷ୍ଟ ନାଆଁରେ ଉଇଲ କରିଦେବାକୁ ଓକିଲଙ୍କୁ ଡାକିଛି। ଆପଣ ଟିକିଏ ଆସନ୍ତୁ।’ ଏକଥା ଶୁଣି ପତ୍ନୀଙ୍କ ମୁହଁ ଶୁଖିଗଲା, କିନ୍ତୁ ମୁଁ ଖୁସି ଥିଲି।

  • ହରେକୃଷ୍ଣ ଦାସ
    ଅଧ୍ୟାପକ, ଇଂରାଜୀ ବିଭାଗ
    ନିଆଳି କଲେଜ
    ମୋ: ୯୮୬୧୩୪୫୬୫୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri